ବର୍ଷା ଏବଂ ଜଳର ଅଭାବ ପାଇଁ ଜଣାଶୁଣା ଏହି ଭୂମିରେ, ଏକ ଲୋକ ଗୀତ ଅଛି ଯାହା 'ମଧୁର ଜଳ' – କଚ୍ଛ (କଚ୍ଛ ଭାବରେ ମଧ୍ୟ ବନାନ କରାଯାଏ) ଅଞ୍ଚଳର ଅସଂଖ୍ୟ ସାଂସ୍କୃତିକ ବିବିଧତା ଏବଂ ଏହାର ବାସିନ୍ଦାମାନଙ୍କର ଖୁସି ମନେଇଥାଏ
ଲାଖୋ ଫୁଲାନି (୯୨୦ ଖ୍ରୀଷ୍ଟାବ୍ଦରେ ଜନ୍ମ) ହଜାରରୁ ଅଧିକ ବର୍ଷ ପୂର୍ବେ କଚ୍ଛ, ସିନ୍ଧ୍ ଏବଂ ସୌରାଷ୍ଟ୍ରର ଅଞ୍ଚଳକୁ ଶାସନ କରୁଥିଲେ। ସେ ନିଜ ଲୋକମାନଙ୍କ ପ୍ରତି ଜଣେ ସ୍ନେହଶୀଳ ଏବଂ ଉତ୍ସର୍ଗୀକୃତ ରାଜା ହୋଇଥିବାର ସୁନାମ ଅର୍ଜନ କରିଥିଲେ। ତାଙ୍କର ଉଦାର ଶାସନକୁ ମନେ ପକାଇ ଲୋକମାନେ ଆଜି ମଧ୍ୟ କୁହନ୍ତି, ‘‘ଲାଖ ତୋ ଲାଖୋ ମଲାଶେ ପାନ୍ ଫୁଲାନି ଇ ଫେର୍ [ଲାଖୋ ନାମକ ଅନେକ ଲୋକ ରହିବେ କିନ୍ତୁ ମାତ୍ର ଲାଖୋ ଫୁଲାନି କେବଳ ଜଣେ, ଯିଏ ଆମ ଲୋକଙ୍କ ହୃଦୟରେ ରାଜତ୍ୱ କରନ୍ତି]।’’
ଏହି ଗୀତ ତାଙ୍କୁ ମନେପକାଏ ଏବଂ ଏହି ଅଞ୍ଚଳର ସଂସ୍କୃତିର ମୂଳରେ ଥିବା ଧାର୍ମିକ ସୌହାର୍ଦ୍ଦ୍ୟର ଭାବନାକୁ ମଧ୍ୟ ପରିପ୍ରକାଶ କରେ। କଚ୍ଛରେ ଅନେକ ଉପାସନା ସ୍ଥଳ ଅଛି ଯେଉଁସ୍ଥାନଙ୍କୁ ଉଭୟ ହିନ୍ଦୁ ଏବଂ ମୁସଲମାନ ପରିଦର୍ଶନ କରନ୍ତି, ଯେପରିକି ହାଜିପିର ଭାଲିଙ୍କ ଦର୍ଘା ଏବଂ ଦେଶଦେବୀଠାରେ ଆଶାପୁରଙ୍କ ମନ୍ଦିର। ଏହି ଗୀତରେ ଫୁଲାନି ଦ୍ୱାରା ନିର୍ମିତ କରାକୋଟ ଗାଁର ଦୁର୍ଗ ପରି ଐତିହାସିକ ସନ୍ଦର୍ଭ ବ୍ୟବହାର ହୋଇଛି।
ଏହି ଗୀତ, ଏହି ସଂଗ୍ରହରେ ଥିବା ଅନ୍ୟ ଗୀତଗୁଡ଼ିକ ପରି ପ୍ରେମ, ବିରହ, ବିଚ୍ଛେଦ, ବିବାହ, ମାତୃଭୂମିଠାରୁ ଲିଙ୍ଗ ସଚେତନତା, ଗଣତାନ୍ତ୍ରିକ ଅଧିକାର ଏବଂ ଅନ୍ୟାନ୍ୟ ବିଷୟବସ୍ତୁକୁ ଉପରେ ସ୍ପର୍ଶ କରେ।
ପରୀ କଚ୍ଛର ୩୪୧ଟି କଚ୍ଛି ଲୋକଗୀତକୁ ମଲ୍ଟିମିଡିଆ ଅଭିଲେଖାଗାରରେ ସ୍ଥାନିତ କରିବ। ଏହି ଅଡିଓ ଫାଇଲ୍ ହେଉଛି ସ୍ଥାନୀୟ କଳାକାରଙ୍କ ଦ୍ୱାରା ମୂଳ ଭାଷାରେ ଗୀତର ଉପସ୍ଥାପନା। ପାଠକମାନଙ୍କ ପାଇଁ ଏହି ଲୋକ ଗୀତ ଗୁଜୁରାଟୀ ଲିପି ସହ ଇଂରାଜୀ ଏବଂ ଅନ୍ୟ ୧୪ଟି ଭାଷାରେ ଅନୁବାଦ କରି ଉପସ୍ଥାପନା କରାଯାଇଛି ଯାହା ନିକଟରେ ପରି ପ୍ରକାଶ କରିଛି।
କଚ୍ଛ ୪୫,୬୧୨ କିଲୋମିଟର୍ ବ୍ୟାପ୍ତ ଅଞ୍ଚଳରେ ଏକ ସୂକ୍ଷ୍ମ ପରିସଂସ୍ଥାନକୁ ଅନ୍ତର୍ଭୁକ୍ତ କରେ; ଦକ୍ଷିଣରେ ଏକ ସମୁଦ୍ର ଏବଂ ଉତ୍ତରରେ ଏକ ମରୁଭୂମି। ଭାରତର ଅନ୍ୟତମ ବୃହବୃହତ୍ତମ ଜିଲ୍ଲାଗୁଡ଼ିକ ମଧ୍ୟରୁ ଅନ୍ୟତମ ହୋଇଥିବା ଏହି ଜିଲ୍ଲା ଏକ ଅର୍ଦ୍ଧଶୁଷ୍କ ଅଞ୍ଚଳରେ ଆସିଥାଏ ଯାହା ନିୟମିତ ଭାବରେ ଜଳାଭାବ ଏବଂ ମରୁଡ଼ି ପରି ସମସ୍ୟା ସହ ସଂଘର୍ଷ କରିଥାଏ।
ଅନେକ ଜାତି, ଧର୍ମ ଏବଂ ସମ୍ପ୍ରଦାୟ କଚ୍ଛରେ ବାସ କରନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ସେହି ଲୋକମାନଙ୍କର ବଂଶଧର ଯେଉଁମାନେ ୧୦୦୦ ବର୍ଷ ମଧ୍ୟରେ ଏହି ଅଞ୍ଚଳକୁ ଆସି ଏଠାରେ ରହିଯାଇଥିଲେ। ସେମାନେ ହେଉଛନ୍ତି ହିନ୍ଦୁ, ମୁସଲମାନ, ଜୈନ, ସେମାନଙ୍କ ମଧ୍ୟରେ ରାବାରି, ଗାଧ୍ୱୀ, ଜାଟ୍, ମେଘଓ୍ୱାଲ୍, ମୁଟ୍ଓ୍ୱା, ସୋଧା ରାଜପୁତ୍, କୋଲି, ସିନ୍ଧି, ଏବଂ ଦରବାର ପରି ଉପ ଗୋଷ୍ଠୀ ଅଛନ୍ତି। କଚ୍ଛର ସମୃଦ୍ଧ ଏବଂ ବିବିଧ ଐତିହ୍ୟ ଏହାର ଅନନ୍ୟ ପୋଷାକ, ଏମ୍ବ୍ରୋଡୋରୀ, ସଙ୍ଗୀତ ଏବଂ ଅନ୍ୟାନ୍ୟ ସାଂସ୍କୃତିକ ପରମ୍ପରାରେ ପ୍ରତିଫଳିତ ହୁଏ। ୧୯୮୯ରେ ସ୍ଥାପିତ ହୋଇଥିବା କଚ୍ଛ ମହିଳା ବିକାଶ ସଂଗଠନ (କେଏମ୍ଭିଏସ୍) ଏହି ଅଞ୍ଚଳରେ ବିଭିନ୍ନ ସମୂହ ଏବଂ ସେମାନଙ୍କର ପରମ୍ପରାକୁ ସଂଗଠିତ ଏବଂ ସମର୍ଥନ ଦେଇ ଆସୁଛି।



