‘‘ଆମେ ମାଟିର ମଣିଷ, ମାଟି ଆମର ଜୀବନ, କଂକ୍ରିଟ୍ ଟାଇଲ୍ ବା ବିଶାଳ ପ୍ରାସାଦ ଭିତରେ ନୁହେଁ,’’ କହନ୍ତି ଲକ୍ଷ୍ମୀ ଗାୟକୱାର୍ଡ। ଏବେ ସେ ଭୂମିଠାରୁ ଯଥେଷ୍ଟ ଉପରେ - ୧୨ ମହଲାରେ ଏକ ୨୬୯ ବର୍ଗଫୁଟ୍ ଫ୍ଲାଟ୍ରେ ବସିଛନ୍ତି ଯାହାକି ତାଙ୍କୁ ତାଙ୍କର ପ୍ରଜାପୁରପଡ଼ା ଆଦିବାସୀ ବସ୍ତିର ଦୁଇ ଏକର ଚାଷ ଜମି ବଦଳରେ ମିଳିଛି।
‘ମୁଁ ତଳକୁ ଦେଖିଲା ବେଳେ, ମୋତେ ଭୟ ଲାଗୁଛି। ଲାଗୁଛି ମୁଁ ପଡ଼ିଯିବି। ଆମେ ଏଠିକାର ବାସିନ୍ଦା ନୁହଁ। ମୁଁ ପଡ଼ାରେ ଯେପରି ଆରାମରେ ବୁଲୁଥିଲି ଏଠାରେ ଚାଲିବାକୁ ମଧ୍ୟ ଭୟ କରୁଛି।’’ ଲୁହ ଛଳ ଛଳ ଆଖିରେ କହନ୍ତି ୭୫ ବର୍ଷିୟା ଲକ୍ଷ୍ମୀ।
ତାଙ୍କର ନୂଆ ଛୋଟିଆ ‘ଘର’ ହେଉଛି ମୁମ୍ବାଇ ବସ୍ତି ଥଇଥାନ କର୍ତ୍ତୃପକ୍ଷ (ଏସଆରଏ) ଯୋଜନାର ଏକ ଅଂଶ ଏକ ବିଲ୍ଡିଂ କମ୍ପ୍ଲେକ୍ସ ଯାହାକି ଅନ୍ଧେରୀର ପଶ୍ଚିମ ତଳି ଅଞ୍ଚଳରେ ଚକଲାରେ ରହିଛି। ଏହା ପ୍ରଜାପୁରପଡ଼ାରେ ରହିଥିବା ସହର ତଳି ଅଞ୍ଚଳ ଆରେ ମିଲ୍କ କଲୋନୀଠାରୁ ପ୍ରାୟ ୩.୭ କିଲୋମିଟର ଦୂରରେ ରହିଛି।
ଏହି ମିଲ୍କ କଲୋନୀ କେନ୍ଦ୍ର ସରକାରଙ୍କ ଦ୍ୱାରା ୧୯୪୯ ମସିହାରେ ପ୍ରତିଷ୍ଠା କରାଯାଇଥିଲା ଏଠାରେ ଏକ କ୍ଷୀର କାରଖାନା ଏବଂ ଗାଈମାନେ ଘାସ ଚରିବା ପାଇଁ ୩,୧୬୦ ଏକରର ଘାସପଡ଼ିଆ ରହିଥିଲା। ଏଠାରେ ୨୭ଟି ଆଦିବାସୀ ପଡ଼ା ରହିଥିଲା। ଏହି ପଡ଼ାଗୁଡ଼ିକର ଜନସଂଖ୍ୟା ଥିଲା ପ୍ରାୟ ୮,୦୦୦। ୧୯୯୦ ଦଶକ ଆରମ୍ଭରୁ ଏହି ବସ୍ତି କଲୋନୀଗୁଡ଼ିକୁ ଏଠାକୁ ଉଠାଇ ଅଣାଯାଇଥିଲା।
ଗାୟକୱାଡଙ୍କ ପରିବାର ହେଉଛି ୭୦ଟି କୋକନା ଆଦିବାସୀ ଗୃହ ମଧ୍ୟରୁ ଗୋଟିଏ - ଏପ୍ରିଲ୍ ୨୦୧୭ରେ ତାଙ୍କ ପଡ଼ାର ପ୍ରାୟ ୩୦୦ ବ୍ୟକ୍ତି ବିସ୍ଥାପିତ ହୋଇଥିଲେ। ମୁମ୍ବାଇ ମେଟ୍ରୋ ରେଲ୍ କର୍ପୋରେସନ୍ ଲିମିଟେଡ୍ (ଏମଏମଆରସି) ଏକ ଡିପୋ ତିଆରି କରିବା ପାଇଁ ଏହି ଜମି ଅଧିକାରକୁ ନେଇଥିଲା ଏବଂ ୨୬ ହେକ୍ଟର କ୍ଷେତ୍ରକୁ ସେଡ୍ ଦ୍ୱାରା ଆବଦ୍ଧ କରିଥିଲା।
୭୦ଟି ପରିବାର ସହିତ ଆରେରେ ସାରିପୁତ ନଗରରୁ ପ୍ରାୟ ୧୦୦ଟି ପରିବାରକୁ ୧୬- ମହଲା ବିଶିଷ୍ଟ ଏସଆରଏ ବିଲ୍ଡିଂକୁ ଉଠାଇ ଅଣାଯାଇଥିଲା। ଏସଆରଏ ହେଉଛି ମହାରାଷ୍ଟ୍ର ସରକାରଙ୍କର ଏକ ଯୋଜନା ଯାହାକି ୧୯୯୫ ମସିହାରେ ବସ୍ତି ଘର ବଦଳରେ ପରିବାରଗୁଡ଼ିକୁ ପୁନର୍ବାସ ପ୍ରଦାନ ନିମନ୍ତେ ୨୫୦- ୩୦୦ ବର୍ଗଫୁଟ୍ର ଫ୍ଲାଟ୍ ନ୍ୟସ୍ତ କରାଯାଇଥିଲା।






