ବର୍ଷା ଋତୁରେ ସ୍କୁଲ୍ରେ ପହଞ୍ଚିବା ପାଇଁ ସବୁଦିନ ଜୀବନକୁ ବାଜି ଲଗାଏ ୟଶ ମହାଲୁଙ୍ଗେ। ଅନ୍ୟ ବାଳକ ଓ ବାଳିକାଙ୍କ ଏକ ଦଳ ଏବଂ କେତେକ ପିତାମାତାଙ୍କ ସହିତ ଆଠ ବର୍ଷର ୟଶ, ଅଧା ଭୁଶୁଡ଼ି ପଡ଼ିଥିବା ଏକ ପୋଲର ଖମ୍ବଗୁଡ଼ିକ ଉପରେ ଥିବା ସେହି ଖସଡ଼ା ଓ ଅଣଓସାରିଆ କାନ୍ଥ ଉପରେ ଚାଲେ। ସେହି ସ୍ଥାନରୁ ସିଧା ଖସିଲେ, ଅନେକ ଫୁଟ ତଳେ ଗଛବୁଦା ଓ ପଙ୍କ କାଦୁଅରେ ପଡ଼ିବା କଥା ।
ପ୍ରତିଦିନ ସକାଳ ବେଳା ଦୁଇ ଥର, ସ୍କୁଲ୍କୁ ଯିବା ଓ ସ୍କୁଲରୁ ଫେରିବା ବାଟରେ ଏହି ଦଳର ପିଲାମାନେ ଗୋଟିକିଆ ଧାଡ଼ିରେ ଚାଲନ୍ତି । ଗୋଟିଏ ହାତରେ ଛତା ଓ କାନ୍ଧରେ ଓଜନିଆ ବସ୍ତାନି ବୋହୁଥିବା ପିଲାମାନଙ୍କ ମଧ୍ୟରୁ ଅଧିକାଂଶ ଖାଲି ପାଦରେ ଥାଆନ୍ତି । ବିପଜ୍ଜନକ ଭାବରେ ୩୦ସେକେଣ୍ଡ୍ ଚାଲିବା ପରେ ପୋଲର ଅବଶିଷ୍ଟ ଭାଗରେ ଥିବା ନିରାପଦ କଂକ୍ରିଟ୍ ଚଟାଣରେ ସେମାନଙ୍କ ପାଦ ପଡ଼େ । ତା ପରେ ସେମାନେ ଏକ କାଦୁଅ ଭର୍ତ୍ତି ପାଦଚଲା ରାସ୍ତାରେ ଚାଲି, ଆୱାରେ ଗାଁରେ ଥିବା ସେମାନଙ୍କ ସ୍କୁଲ୍ରୁ ଦୁଇ କିଲୋମିଟର ଦୂର ଔରେ ପଲ୍ହେରି ପଲ୍ଲୀର ସେମାନଙ୍କ ଘରେ ପହଞ୍ଚିବା ପାଇଁ ଆଗେଇ ଯାଆନ୍ତି ।
ୟଶ କହେ, “ତଳକୁ ଚାହିଁଲେ ମୋତେ ଡର ଲାଗେ । ମୁଣ୍ଡ ବୁଲାଇ ହେଲା ଭଳି ଲାଗେ । ମୁଁ ବାବାଙ୍କ (ବାପାଙ୍କର) ହାତକୁ ଖୁବ୍ ଜୋର୍ରେ ଧରେ ।”
୨୦୦୫ ମସିହା ପର୍ଯ୍ୟନ୍ତ ଔରେ ପଲ୍ହେରି ଗାଁର ୭୭ ଜଣ (ଆୱାରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ତଥ୍ୟ) ବାସିନ୍ଦାଙ୍କୁ ଏଭଳି ବିପଜ୍ଜନକ ରାସ୍ତାରେ ଯିବାକୁ ପଡୁ ନଥିଲା । ଭାତ୍ସା ନଦୀର ଏହି ଝରଣା ପାର କରିବା ପାଇଁ ଛୋଟ ପୋଲଟିଏ ରହିଥିଲା । କିନ୍ତୁ ସେହି ବର୍ଷ ଜୁଲାଇ ୨୮ ତାରିଖର ପ୍ରବଳ ବର୍ଷାରେ ୧୯୯୮ରେ ଠାଣେ ଜିଲ୍ଲା ପରିଷଦ ଦ୍ଵାରା ନିର୍ମିତ ଏହି ପୋଲର କେତେକ ଅଂଶ ଧୋଇ ହୋଇଗଲା । ଭଙ୍ଗା ଅଂଶରେ କେବଳ ଦୁଇଟି ଅଣଓସାରିଆ ପାର୍ଶ୍ଵ କାନ୍ଥ ବା ପୋଲର ଭାର ବହନ ପାଇଁ ଥିବା ପାର୍ଶ୍ଵ ଖମ୍ବ ରହିଗଲା ।










