ପ୍ରତି ବର୍ଷ ଜୁଲାଇରେ, ସାରା ମହାରାଷ୍ଟ୍ରରୁ ଲକ୍ଷ ଲକ୍ଷ ଓ୍ୱାରକାରୀ ସେମାନଙ୍କର ପ୍ରିୟ ଦେବତା ବିଠୋବା ଏବଂ ରଖୁମାଇକୁ “ଭେଟିବା’’ ପାଇଁ ଦେହୁ ଏବଂ ଆଲାଣ୍ଡିରୁ ପ୍ରାୟ ୨୪୦ କିଲୋମିଟର ଚାଲି ସୋଲାପୁର ଜିଲ୍ଲାରେ ଥିବା ପନ୍ଧରପୁରକୁ ଆସନ୍ତି । ଏହି ଯାତ୍ରା ପ୍ରାୟ ଆଠଶହ ବର୍ଷ ଧରି ଶହ ଶହ ବର୍ଷ ପୂର୍ବେ ପଶୁପାଳକ ଯାଯାବରମାନେ ଗ୍ରହଣ କରିଥିବା ଏକ ରାସ୍ତା ଦେଇ ଚାଲିଥିବା ବିଶ୍ୱାସ କରାଯାଏ ।
ଦେହୁ ହେଉଛି ସନ୍ଥ ତୁକାରାମଙ୍କ ଜନ୍ମ ସ୍ଥାନ ଏବଂ ଆଲାଣ୍ଡି ହେଉଛି ସେହି ସ୍ଥାନ ଯେଉଁଠାରେ ସନ୍ଥ ଜ୍ଞାନେଶ୍ୱର ସମାଧି ଗ୍ରହଣ କରିଥିଲେ । ଉଭୟେ ସମାନତାବାଦୀ ଏବଂ ଜାତିବିହୀନ ଭକ୍ତି ପରମ୍ପରା (ଓ୍ୱାର୍କାରୀ ପନ୍ଥ)ର ସମ୍ମାନସ୍ପଦ ସନ୍ଥ। ରାଜ୍ୟର ବିଭିନ୍ନ ଅଂଶରୁ ତୀର୍ଥଯାତ୍ରୀମାନେ ଏକ ଦିଣ୍ଡି ଗଠନ କରନ୍ତି ଏବଂ ଅଲାଣ୍ଡି କିମ୍ବା ଦେହୁରେ ପହଞ୍ଚନ୍ତି ଓ ଏହି ଦୁଇସପ୍ତାହ ଯାତ୍ରାରେ ଯୋଗ ଦିଅନ୍ତି। ପ୍ରତ୍ୟେକ ଦିଣ୍ଡି ହେଉଛି ଗୋଟିଏ ଗାଁରୁ ଏକାଠି ଯାତ୍ରା କରିଥିବା ପୁରୁଷ ଓ ମହିଳାମାନଙ୍କର ଛୋଟ ଛୋଟ ଦଳ। କେତେକ ଦିଣ୍ଡି ପୁନେରେ ମିଶିଯାଆନ୍ତି ବା ସେଇଠୁ ଆରମ୍ଭ କରନ୍ତି। ଅନ୍ୟମାନେ ସେମାନଙ୍କ ଗାଁରୁ ଆରମ୍ଭ କରନ୍ତି ଏବଂ ସିଧାସଳଖ ପବିତ୍ର ଦିବସ ଭାବରେ ବିବେଚନା କରାଯାଉଥିବା ଆଷାଢ଼ି ଏକାଦଶୀରେ ପନ୍ଧରପୁରରେ ପହଞ୍ଚନ୍ତି ।



