‘‘ସମସ୍ତେ ଏହା କରୁଛନ୍ତି । ଏଣୁ ଆମେ ମଧ୍ୟ କରୁଛୁ,” ବୋଲି ଅନିଶ୍ଚିତତା ମଧ୍ୟରେ ରୂପା ପିରିକାକା କହିଲେ ।
‘ଏହା ହେଉଛି ଜିନୀୟ ପରିବର୍ତ୍ତିତ (GM) ବିଟ୍ କାର୍ପାସ୍ ବୀଜ, ଯାହା ବର୍ତ୍ତମାନ ସ୍ଥାନୀୟ ବଜାରରେ ସହଜରେ ଉପଲବ୍ଧ ବା ଏପରିକି ଜଣେ ନିଜ ଗ୍ରାମରେ ମଧ୍ୟ ପାଇପାରିବ। ‘ସମସ୍ତେ’ର ଅର୍ଥ ହେଉଛି ସେମାନଙ୍କ ଗ୍ରାମ ଓ ଦକ୍ଷିଣ-ପଶ୍ଚିମ ଓଡିଶାର ବାକି ଭାଗରେ ଥିବା ତାଙ୍କ ଭଳି ଅସଂଖ୍ୟ କୃଷକମାନେ ।
“ସେମାନଙ୍କ ହାତକୁ ପଇସା ଆସୁଛି,” ବୋଲି ସେ କୁହନ୍ତି ।
ପିରିକାକା ହେଉଛନ୍ତି ଜଣେ ୪୦ବର୍ଷ ବୟସ୍କ କନ୍ଧ ଆଦିବାସୀ କୃଷକ । ପ୍ରତିବର୍ଷ, ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ସମୟ ହେବ, ସେ ଡଙ୍ଗର ଚାଷ କରିବା ପାଇଁ ପାହାଡ ଢାଲୁ ପ୍ରସ୍ତୁତ କରି ଆସୁଛନ୍ତି – ଯାହାକୁ ଆକ୍ଷରିକ ଅର୍ଥରେ “ପାହାଡି ଚାଷ’’ (ସ୍ଥାନାନ୍ତରିତ କୃଷି) ବୋଲି କୁହାଯାଏ । ଶହ ଶହ ବର୍ଷ ଧରି ଏହି ଅଞ୍ଚଳର କୃଷକମାନଙ୍କ ଦ୍ୱାରା ମାର୍ଜିତ ପାରମ୍ପରିକ କୃଷି ପ୍ରଣାଳୀ ପାଳନ କରି ପିରିକାକା ଗୋଟିଏ ପାତ୍ରରେ ମିଶାମିଶି ହୋଇ ରହିଥିବା ବୀଜଗୁଡିକ ଯାହା ସେ ଉତ୍ତରାଧୀକାରୀ ସୂତ୍ରରେ ପାଇଛନ୍ତି, ଯାହାକୁ ସେ ଗତ ବର୍ଷ ଆଦାୟ ବେଳେ ସାଇତି ରଖିଥିଲେ ତାହା ବୁଣିବେ । ଏଥିରୁ ଏକ ଝୁଡି ଭର୍ତ୍ତି ଖାଦ୍ୟ ଶସ୍ୟ ଉତ୍ପାଦିତ ହେବ: ଶସ୍ୟ ଜାତୀୟ ଯେପରିକି ମାଣ୍ଡିଆ ଓ କାଙ୍ଗୁ, ଡାଲି ଜାତୀୟ ଯେପରିକି ହରଡ ଓ ବିରି ସହିତ ଅଲଡି, ନାଇଜର୍ ବୀଜ ଓ ରାଶିର ପାରମ୍ପରିକ କିଷମ ।
ଚଳିତ ଜୁଲାଇରେ, ପ୍ରଥମଥର ପାଇଁ, ପିରିକାକା ନିଜ ଚାଷ ବଦଳେଇ ବିଟ୍ କାର୍ପାସ୍ ଚାଷ କରିବା ଆରମ୍ଭ କରିଛନ୍ତି । ଆମେ ତାଙ୍କୁ ଯେତେବେଳେ ଭେଟିଥିଲୁ ସେତେବେଳେ ସେ ଗାଢ ଗୋଲାପି ରଙ୍ଗର, ରାସାୟନିକ-ବୋଳା ବୀଜଗୁଡିକୁ ବିଷମକଟକ ବ୍ଲକ୍ରେ ଥିବା ତାଙ୍କ ଗ୍ରାମର ପାହାଡ ଢାଲୁରେ ବୁଣୁଥିଲେ । ଆଦିବାସୀମାନଙ୍କ ସ୍ଥାନାନ୍ତରଣ କୃଷି ପଦ୍ଧତି ମଧ୍ୟକୁ କାର୍ପାସ୍ ଚାଷ ଯେଭଳି ପ୍ରଭାବଶାଳୀ ଢଙ୍ଗରେ ପ୍ରବେଶ କରିଛି, ସେଥିପାଇଁ ଆମେ ସେମାନଙ୍କୁ ଏହି ପରିବର୍ତ୍ତନ ବିଷୟରେ ପଚାରିବାକୁ ବାଧ୍ୟ ହେଲୁ ।
“ଅନ୍ୟ ଫସଲ ଯେପରିକି ହଳଦି ଫସଲରୁ ମଧ୍ୟ ପଇସା ମିଳିଥାଏ,” ବୋଲି ପିରିକାକା ସ୍ୱୀକାର କରନ୍ତି । କିନ୍ତୁ କେହି ମଧ୍ୟ ତାହା ଆଉ କରୁନାହାନ୍ତି । ସମସ୍ତେ ମାଣ୍ଡିଆ [ଶସ୍ୟ] ଚାଷ କରିବା ବନ୍ଦ କରିଦେଲେଣି…ଓ ସମସ୍ତେ କାର୍ପାସ୍ ପଛରେ ଗୋଡାଇଛନ୍ତି।”
କେବଳ ୧୬ ବର୍ଷରୁ କମ୍ ସମୟ ମଧ୍ୟରେ, ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କାର୍ପାସ୍ ଫସଲ ହାର ୫,୨୦୦ ପ୍ରତିଶତ ବୃଦ୍ଧି ପାଇଛି । ସରକାରୀ ତଥ୍ୟ ଅନୁସାରେ ୨୦୦୨-୦୩ରେ କେବଳ ୧,୬୩୧ ଏକରରେ କାର୍ପାସ୍ ହେଉଥିବା ଉଲ୍ଲେଖ କରାଯାଇଛି । ଜିଲ୍ଲା କୃଷି କାର୍ଯ୍ୟାଳୟ ଅନୁସାରେ ୨୦୧୮-୧୯ରେ ଏହାର ପରିମାଣ ବୃଦ୍ଧି ପାଇ ୮୬,୯୦୭ ଏକରରେ ପହଞ୍ଚିଛି ।
ପାଖାପାଖି ୧ମିଲିୟନ ଜନସଂଖ୍ୟା ବିଶିଷ୍ଟ ରାୟଗଡ଼ା, ହେଉଛି କୋରାପୁଟ ମଣ୍ଡଳର ଏକ ଅଂଶ, ଯାହା ହେଉଛି ବିଶ୍ୱର ଏକ ବୃହତ୍ ଜୈବବିବିଧତାରେ ଭରପୂର ଏକ ସ୍ଥାନ ଓ ବିଭିନ୍ନ କିଷମର ଧାନ ପାଇଁ ଏକ ଐତିହାସିକ ସ୍ଥାନ । କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ ଦ୍ୱାରା ୧୯୫୯ରେ କରାଯାଇଥିବା ଏକ ସର୍ବେକ୍ଷଣରୁ ସେହି ସମୟରେ ଏହି ସ୍ଥାନରେ ୧,୭୦୦ ରୁ ଅଧିକ କିଷମର ଧାନ ମହଜୁଦ ଥିବା ଜଣାପଡିଥିଲା । ବର୍ତ୍ତମାନ ଏହାର ସଂଖ୍ୟା ହ୍ରାସ ପାଇଁ ୨୦୦ ହୋଇଯାଇଛି । କେତେକ ଗବେଷକ ଏହା ଧାନ ଚାଷର ଜନ୍ମସ୍ଥାନ ବୋଲି ମଧ୍ୟ ବିଶ୍ୱାସ କରନ୍ତି ।








