“ ଏହି ପର୍ବ ଆମ ମନରେ ଆଶାର ସଞ୍ଚାର କରିଥାଏ,” ବୋଲି ବାଳବତୀ ମାଝୀ କୁହନ୍ତ । ସେ ଓ କୁଟିଆ କନ୍ଧ ଆଦିବାସୀ ସମ୍ପ୍ରଦାୟର ଅନ୍ୟମାନେ ଏକ ସ୍ଥାନୀୟ ଦେଶୀୟ ବୀଜ ପର୍ବରେ ଯୋଗ ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି । ପାହାଡ଼ ଓ ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ସେମାନଙ୍କ ଗ୍ରାମ, ବୁର୍ଲୁବାରୁରେ ସମସ୍ତେ ଏହାର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ମହିଳାମାନେ ବୀଜ ଭର୍ତ୍ତି ଛୋଟ ଛୋଟ ମାଟି ପାତ୍ରଗୁଡ଼ିକୁ ସେମାନଙ୍କ ମୁଣ୍ଡରେ ଧରି ଡ୍ରମ ପରି ଏକ ପାରମ୍ପରିକ ବାଦ୍ୟ, ଢାପ୍ ଓ ତମୁକର ତାଳେ ତାଳେ ଗୀତ ଗାଉଛନ୍ତି ଓ ନୃତ୍ୟ କରୁଛନ୍ତି ।
ସେମାନେ ସମସ୍ତେ ସେମାନଙ୍କ ଗ୍ରାମ ମଝିରେ ଅବସ୍ଥିତ ଧରଣୀ ପେନୁ (ଧରିତ୍ରୀ ଦେବୀ)ଙ୍କ ମନ୍ଦିରରେ ଏକତ୍ରିତ ହୋଇଛନ୍ତି । ଗ୍ରାମ ପୁରୋହିତଙ୍କ ଦ୍ୱାରା ଏକ ପୂଜା ବିଧି ଶେଷ ହେବାପରେ, ସେମାନେ ସମସ୍ତେ ଶୋଭାଯାତ୍ରାରେ ଉତ୍ସବ ସ୍ଥଳକୁ ଯିବାକୁ ବାହାରିଲେ । ଏହି ଉତ୍ସବ ଓଡିଶାର କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକ୍ରେ ଥିବା ଏକ ଖୋଲା ପଡିଆରେ ଆୟୋଜନ କରାଯାଇଛି ।
“ଆମେ ଭଲ ଅମଳ ହେବା ପାଇଁ ପୂଜା କଲୁ, ଆମେମାନେ ଦେବତାମାନଙ୍କ ପାଖରେ ଛେଳି ଓ କୁକୁଡା ବଳି ମଧ୍ୟ ଦେଇଥାଉ । ଅମଳ ଭଲ ହେଲେ ବର୍ଷ ସାରା ଆମକୁ ଚିନ୍ତା କରିବାକୁ ପଡେ ନାହିଁ । ଏହି ଉତ୍ସବରେ ଆମେ ପରସ୍ପର ମଧ୍ୟରେ ବୀଜ ବିନିମୟ କରିଥାଉ, ଏଣୁ ଆମମାନଙ୍କ ଠାରୁ ଯେଉଁମାନେ ବୀଜ ନିଅନ୍ତି, ସେମାନଙ୍କର ଅମଳ ଭଲ ହେବା ପାଇଁ ମଧ୍ୟ ଆମେ ପ୍ରାର୍ଥନା କରିଥାଉ,” ବୋଲି ୪୩ ବର୍ଷ ବୟସ୍କ ବାଳବତୀ କୁହନ୍ତି, ଯାହାଙ୍କ ପରିବାର ଦୁଇ ଏକର ଜମିରେ ମାଣ୍ଡିଆ ଓ ମକା ଚାଷ କରିଥାଏ।
କଳାବତୀ ଓ କୋଟାଗଡ, ଫିରିଙ୍ଗିଆ ଓ ତୁମୁଡିବନ୍ଧ ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ଗ୍ରାମର ପ୍ରାୟ ୭୦୦ ଆଦିବାସୀ ମହିଳା ଏହି ବାର୍ଷିକ ବୀଜ ପର୍ବରେ ଯୋଗ ଦେଇଥିଲେ । ଏହି ପର୍ବ ମାର୍ଚ୍ଚ ମାସରେ ଅମଳ ଋତୁରେ ଆୟୋଜନ କରାଯାଏ । ଏହି ଅବସରରେ ସେମାନେ ସେମାନଙ୍କର ପାରମ୍ପରିକ ବୀଜଗୁଡିକୁ ସର୍ବସାଧାରଣଙ୍କ ସମ୍ମୁଖରେ ପ୍ରଦର୍ଶିତ କରିବା ସହିତ ବୀଜ ବିନିମୟ କରିଥାନ୍ତି, ବିଲୁପ୍ତ ପ୍ରାୟ ପ୍ରଜାତି ଗୁଡିକର ପୁନଃରୁଦ୍ଧାର କରନ୍ତି ଓ ବିଭିନ୍ନ ପ୍ରକାରର କୃଷି ପଦ୍ଧତି ବିଷୟରେ ଆଲୋଚନା କରିଥାନ୍ତି ।






