ଗୁଗଲ ମ୍ୟାପରୁ ମୁଁ ଜାଣିପାରୁଥିଲି ଯେ ମୁଁ ମୋର ଗନ୍ତବ୍ୟ ନିକଟରେ ପହଞ୍ଚିବାକୁ ଯାଉଛି । କିନ୍ତୁ ମୋର ଯାହା ମନେ ଥିଲା ଆଖପାଖର ପରିବେଶ ତା’ଠାରୁ ଭିନ୍ନ ପ୍ରତୀୟମାନ ହେଉଥିଲା। କାରଣ ସମୁଦ୍ର କୂଳରେ ଥିବା ସେହି ଜୀର୍ଣ୍ଣ ପୁରୁଣା ଘରଗୁଡ଼ିକୁ ମୁଁ ଦେଖିପାରୁନଥିଲି। ସମୁଦ୍ର କୂଳରେ ଭୁଶୁଡ଼ି ପଡ଼ିଥିବା ପୁରୁଣା ଘରର କୌଣସି ଚିହ୍ନ ନାହିଁ, ଯାହାର ସଂଯୋଜନା ମୁଁ ଯେତେବେଳେ ଉପ୍ପଡ଼ା ଆସିଥିଲି ସେଗୁଡ଼ିକ ନିଜ ଫୋନରେ ସେଭ୍ କରି ରଖିଥିଲି। ‘‘ଓଃ ସେହି ଘର? ଏହା ଏବେ ସମୁଦ୍ରରେ ଅଛି- ଏଇ ସେଇଠି!’’ ବେପରୁଆ ଭାବେ ବଙ୍ଗୋପସାଗରରୁ ଆସୁଥିବା ଲହଡ଼ି ଆଡ଼କୁ ଇସାରା କରି ଟି. ମରମ୍ମା କହିଥିଲେ ।
ମାର୍ଚ୍ଚ ୨୦୨୦ରେ ଦେଶବ୍ୟାପୀ ଲକଡାଉନର କିଛି ସପ୍ତାହ ପୂର୍ବରୁ ମରମ୍ମା ଓ ତାଙ୍କର ପରିବାର ସଦସ୍ୟମାନଙ୍କ ଫଟୋ ଯେଉଁଠି ମୁଁ ଉଠାଇଥିଲି ସେହି ପୁରୁଣା ଢାଞ୍ଚା କଥା ଏବେ ବି ମୋର ସ୍ପଷ୍ଟ ଭାବେ ମନେ ଅଛି, ତାହା ଏକ ଚମତ୍କାର, ତଥାପି ଅନ୍ଧକାରମୟ ପୃଷ୍ଠଭୂମିକୁ ବ୍ୟକ୍ତ କରୁଥିଲା। । ତାହା ଏକ ସଙ୍କୀର୍ଣ୍ଣ ସମୁଦ୍ର ତଟରେ ବିପଜ୍ଜନକ ସ୍ଥିତିରେ ରହିଥିଲା। ସେଇଟି ଥିଲା ଗୋଟିଏ ବଡ଼ ଘରର କିଛି ବଳକା ଅଂଶ। ଚଳିତ ଶତାବ୍ଦୀର ପ୍ରାରମ୍ଭିକ ବର୍ଷଗୁଡ଼ିକ ପର୍ଯ୍ୟନ୍ତ ମରମ୍ମାଙ୍କ ଯୌଥ ପରିବାର ସେହି ବଡ଼ ଘରେ ରହିଆସୁଥିଲେ ।
‘‘ତାହା ଏକ ବଡ଼ କୋଠା ଥିଲା ଯେଉଁଥିରେ ଆଠଟି କୋଠରୀ ଏବଂ ପଶୁଙ୍କ ପାଇଁ ତିନୋଟି ଗୁହାଳ ଥିଲା। ସେଥିରେ ପ୍ରାୟ ୧୦୦ ଜଣ ଲୋକ ରହୁଥିଲେ’’, ମରମ୍ମା କୁହନ୍ତି । ବୟସର ୫୦ ଦଶକରେ ପହଞ୍ଚିଥିବା ମରମ୍ମା ଏବେ ଜଣେ ସ୍ଥାନୀୟ ନେତ୍ରୀ ଭାବେ ପରିଚିତ, ଏକଦା ସେ ମାଛ ବ୍ୟବସାୟ କରୁଥିଲେ। ୨୦୦୪ ସୁନାମୀର ଠିକ୍ ପୂର୍ବରୁ ଉପ୍ପଡ଼ାରେ ଏକ ବାତ୍ୟା ଆସିଥିଲା ଯେଉଁଥିରେ କୋଠାର ଏକ ବଡ଼ ଅଂଶ ଭାଙ୍ଗି ଯାଇଥିଲା, ଫଳରେ ଏହି ଯୌଥ ପରିବାରର ସଦସ୍ୟମାନେ ଭିନ୍ନ ଭିନ୍ନ ଘରେ ରହିବାକୁ ବାଧ୍ୟ ହୋଇଥିଲେ । ନିକଟସ୍ଥ ଏକ ଘରକୁ ଚାଲିଯିବା ପୂର୍ବରୁ ମରମ୍ମା କିଛି ଦିନ ସେହି ପୁରୁଣା କୋଠାକୁ ବ୍ୟବହାର କରିବା ଜାରି ରଖିଥିଲେ।
ଖାଲି ମରମ୍ମାଙ୍କ ପରିବାର ନୁହେଁ, ସମୁଦ୍ର ମାଡ଼ି ଆସିବା ଯୋଗୁଁ ଉପ୍ପଡ଼ାରେ ପ୍ରାୟ ପ୍ରତ୍ୟେକ ପରିବାରକୁ ସେମାନଙ୍କ ବାସସ୍ଥାନ ବଦଳାଇବାକୁ ପଡ଼ିଛି । ବଞ୍ଚିବାର ଅଭିଜ୍ଞତା ଏବଂ ସମୁଦ୍ରକୁ ଜାଣିବା ଲାଗି ସ୍ଥାନୀୟ ଲୋକମାନଙ୍କର ପ୍ରାକୃତିକ ଅଧ୍ୟୟନକୁ ଆଧାର କରି ସେମାନେ ଘର ବଦଳାଇଥାନ୍ତି । ‘‘କେତେବେଳେ ଲହଡ଼ି ଆଗକୁ ବଢ଼ିବା ଆରମ୍ଭ କରିବ ଏବଂ ଘର ସମୁଦ୍ର ଗର୍ଭକୁ ଚାଲିଯିବ, ତାହା ଆମେ ଜାଣିପାରିଥାଉ। ଏହାପରେ ଆମେ ନିଜ ବାସନକୁସନ ଏବଂ ସବୁକିଛି ଏକାଥରେ ନେଇ ଅସ୍ଥାୟୀ ଭଡ଼ା ଘର ସନ୍ଧାନ କରିବା ଲାଗି ବାହାରି ଯାଉ। ପୁରୁଣା ଘର ସାଧାରଣତଃ ଏକ ମାସ ମଧ୍ୟରେ ସମୁଦ୍ର ଗର୍ଭକୁ ଚାଲି ଯାଇଥାଏ’’, ଓ. ଶିବା କୁହନ୍ତି । ତାଙ୍କୁ ମାତ୍ର ୧୪ ବର୍ଷ ବୟସ ହୋଇଥିବା ସମୟରେ ସମୁଦ୍ର ଗର୍ଭରୁ ବର୍ତ୍ତିବା ଲାଗି ତାଙ୍କୁ ପ୍ରଥମେ ଘର ଛାଡ଼ିବାକୁ ପଡ଼ିଥିଲା।















