“ଜଙ୍ଗଲ ହେଉଛି ଭଗବାନଙ୍କ ଦାନ । ତାହାର କେହି ମାଲିକ କିମ୍ବା କୌଣସି ସୀମା ନାହିଁ ହେଲେ ଯତ୍ନ ନେବାକୁ ଅନେକ ଅଛନ୍ତି ବୋଲି ନାଗ୍ଜିପିସାରା ଦାବି କରନ୍ତି । ନାଗ୍ଜି ରାଜସ୍ଥାନର ଉଦୟପୁରରେ ଆରାବଳୀ ପାହାଡର ପାଦଦେଶରେ ବଣପାହାଡ କୋଳରେ ଅବସ୍ଥିତ ଏକ ଛୋଟ ଗ୍ରାମ ପନର୍ୱାରେ ବାସ କରନ୍ତି । ଏଠାର ଅଧିକାଂଶ ବାସିନ୍ଦା ଚାଷ କରନ୍ତି ଓ ପଶୁସମ୍ପଦ ଲାଳନପାଳନ କରନ୍ତି, ହେଲେ, ଏବେ ମଧ୍ୟ ସେମାନେ ସେମାନଙ୍କର ରୋଷେଇ ଘର କିମ୍ବା ଔଷଧ ପାଇଁ ଜିନିଷ ଅନ୍ୱେଷଣରେ ଜଙ୍ଗଲକୁ ଯାଇଥାନ୍ତି । ସବୁଜ ବଣ ବେଷ୍ଟିତ, ପନର୍ୱା ହେଉଛି ଅନେକ ଜନଜାତି ସମ୍ପ୍ରଦାୟର ବାସସ୍ଥଳି । ପ୍ରତ୍ୟେକ ନିଜ ଅନୁସାରେ ଜଙ୍ଗଲକୁ ଜାଣିଛନ୍ତି ଓ ଏହାକୁ ବ୍ୟବହାର କରୁଛନ୍ତି ।
ବର୍ତ୍ତମାନ ସଂରକ୍ଷିତ ଫୁଲ୍ୱାରୀ କି ନାଲ ଅଭୟାରଣ୍ୟ ଚାରିପଟେ ପଶୁମାନଙ୍କ ଚରିବା ଓ ଚଲାବୁଲାକୁ ସୀମିତ କରିବା ପାଇଁ ବନ ବିଭାଗ ଦ୍ୱାରା ପାଚେରୀ କାନ୍ଥ ନିର୍ମାଣ କରାଯାଇଛି । ବିଭିନ୍ନ ପ୍ରଜାତିର ପଶୁପକ୍ଷୀ ଆଉ ଭଳିଭଳିକା ଉଦ୍ଭିଦ ଏଠାରେ ଦେଖିବାକୁ ମିଳିଥାଏ । ଭାରତର ଉଦ୍ଭିଦ ଜାତ ଖାଦ୍ୟ, ତେଲ, ଡାଇ, ଶକ୍ତି, ଔଷଧ- ଆହୁରି ଅନେକ ଜିନିଷ । ଏଥିରୁ ପ୍ରତ୍ୟେକ ଜିନିଷ ବର୍ତ୍ତମାନ ପଣ୍ୟଦ୍ରବ୍ୟ ହୋଇଯାଇଥିବାରୁ, ଜଙ୍ଗଲ ଓ ମାଲିକାନାର ଧାରଣା ନେଇ ଜଟିଳତା ଦେଖାଦେଇଛି । ଜଙ୍ଗଲରେ ଖାଦ୍ୟ ଅନ୍ୱେଷଣ ପାଇଁ ଭିତରକୁ ଯିବା ନିଷିଦ୍ଧ କରାଯାଇଛି । ସେ ଯାହାହେଉ, ଆଦିବାସୀଙ୍କ ଅଧିକାର ରକ୍ଷା ପାଇଁ ଅନେକ ଗୋଷ୍ଠୀ ଓ ସଂଗଠନ କାମ କରୁଛନ୍ତି ।
ବନ ଜାତ ଖାଦ୍ୟ ବିଶାରଦ, ଡ.ଲୀନା ଗୁପ୍ତା କୁହନ୍ତି ଯେ ଉଦ୍ଭିଦଗୁଡିକର ଜାତୀୟ ଖାଦ୍ୟ ନିରାପତ୍ତାରେ ଅବଦାନ ରହିଛି । “ସେଗୁଡିକର ପୋଷକତତ୍ତ୍ୱ, ଔଷଧୀୟ ଓ ସାମାଜିକ-ଅର୍ଥନୈତିକ ମୂଲ୍ୟ ରହିଥିଲେ ମଧ୍ୟ ଜଙ୍ଗଲ ଜାତ ଖାଦ୍ୟକୁ ପ୍ରାକୃତିକ ସମ୍ବଳର ସରକାରୀ ପରିସଂଖ୍ୟାନ ଅନ୍ତର୍ଭୁକ୍ତ କରାଯାଇନାହିଁ । ଆମର ପାରମ୍ପରିକ କୃଷି ବ୍ୟବସ୍ଥା ଖାଦ୍ୟ ଯୋଗାଇଥାଏ, ହେଲେ ପୋଷକତତ୍ତ୍ୱ ନୁହେଁ । ଏହି ଚାଷରେ ବହୁତ ରାସାୟନିକ ବ୍ୟବହାର କରାଯାଏ – ଏଣୁ ଏହା ହେଉଛି ରାସାୟନିକ ଖାଦ୍ୟ । ଜଙ୍ଗଲ ଜାତ ଖାଦ୍ୟ ଆମକୁ ଖାଦ୍ୟରେ ବିବିଧତା ଯୋଗାଇଥାଏ । ବିଶ୍ୱର ଅଧିକାଂଶ ଲୋକ ତିନିଟି ଶସ୍ୟ ଖାଇଥାନ୍ତି: ଗହମ, ଚାଉଳ ଓ ମକା । ଆମର ସ୍ଥାନୀୟ ସରକାର ଓ ଲାଭ-ରହିତ ସଂଗଠନଗୁଡ଼ିକ ବନଭୂମିକୁ ଏକକ-ଚାଷ ପ୍ରକ୍ରିୟାରେ ବଦଳାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।













