ରାଲିର ମଝିରୁ କିଛି ସମୟ ବିରତି ନେଇଥିବା ଏମ.ଏସ ଶାନ୍ତକୁମାର ତାଙ୍କ ନାଁର ଯଥାର୍ଥତାକୁ ପ୍ରତିପାଦନ କରିବା ଭଳି ଲାଗୁଥିଲା । ସେ ଛତିଶଗଡ଼ର ଭିଲାଇ ଷ୍ଟିଲ ପ୍ଲାଣ୍ଟର ଜଣେ ପୂର୍ବତନ କର୍ମଚାରୀ ଏବଂ ସେଣ୍ଟ୍ରାଲ ଇଣ୍ଡିଆନ୍ ଟ୍ରେଡ ୟୁନିଅନ୍ (ସିଟୁ)ର ଜଣେ କର୍ମୀ । ସେ ଖୁବ୍ ଭଦ୍ର ହୋଇଥିବା ବେଳେ ଖୁବ୍ ଦୃଢ ମଧ୍ୟ । ସେ କହନ୍ତି, ‘‘ନରେନ୍ଦ୍ର ମୋଦି କିମ୍ବା ରାହୁଲ ଗାନ୍ଧୀଙ୍କ ସହ ମୋର କୌଣସି ବ୍ୟକ୍ତିଗତ ଶତ୍ରୁତା ନାହିଁ । କିନ୍ତୁ ମୋର ନୀତିଗୁଡ଼ିକ ନେଇ ସମସ୍ୟା ରହିଛି ଯାହାଦ୍ୱାରାକି ଲୋକମାନଙ୍କୁ ଅତ୍ୟନ୍ତ ଅମାନବୀୟ ବ୍ୟବହାର କରାଯାଉଛି।’’
ଶାନ୍ତାକୁମାର ଆହୁରି କହିଲେ, ‘‘ଯଦି ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ସରକାର ଛତିଶଗଡ଼ ଏବଂ ପଡ଼ୋଶୀ ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଗରିବ ବିରୋଧୀ ବିକାଶ ଜାରି ରଖେ ତା’ ହେଲେ ସେମାନଙ୍କୁ ଆଗାମୀ ନିର୍ବାଚନରେ ଏକ ଶିକ୍ଷା ଦିଆଯିବ ।’’
ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ଘରୋଇକରଣ ଏବଂ ଅଯଥାର୍ଥ ମଜୁରୀ ଦିଆଯିବା ନେଇ ସେ ଚିନ୍ତା ପ୍ରକାଶ କଲେ। ଏହା ସହ ଛତିଶଗଡ଼ରେ ଭୂମି ଅଧିକାରକୁ ଉଲ୍ଲଂଘନ କରାଯିବା ନେଇ ମଧ୍ୟ ସେ ଉଦବେଗ ଜଣାଇଲେ। ଶାନ୍ତାକୁମାରଙ୍କ ଅନୁସାରେ ସେ ବାଧା ସୃଷ୍ଟି କରୁନାହାନ୍ତି । ଏହି ସମୟରେ ସେ ମାନବାଧିକାର କର୍ମୀଙ୍କୁ ଗିରଫ କରାଯିବାକୁ ନିନ୍ଦା କରି ଲେଖାଯାଇଥିବା ଏକ ପୋଷ୍ଟର ଧରିଥିଲେ ।
ଏହା କରିବା ଦ୍ୱାରା ସେ ଦିଲ୍ଲୀରେ ସେପ୍ଟେମ୍ବର ୫ ତାରିଖରେ ହୋଇଥିବା ରାଲିର ଦୁଇଟି ମହତ୍ତ୍ୱପୂର୍ଣ୍ଣ ଦିଗ ସଂପର୍କରେ ଆଲୋକପାତ କଲେ । ଗୋଟିଏ ହେଲା ଶ୍ରମିକ ଓ ଚାଷୀମାନଙ୍କର ବର୍ଦ୍ଧିଷ୍ଣୁ ସଂପର୍କ ଏବଂ ଅନ୍ୟଟି ସାଧାରଣ ଓ ଅର୍ଥନୈତିକ ଅଧିକାର ପାଇଁ ମିଳିତ ଭାବେ ଲଢେଇ କରିବା। ସେପ୍ଟେମ୍ବର ୫ତାରିଖରେ ହୋଇଥିବା ମଜଦୁର କିଷାନ ସଂଘର୍ଷ ରାଲିର ଅନ୍ୟତମ ଆୟୋଜକ ଅଲ ଇଣ୍ଡିଆ କିଷାନ ସଭା (ଏଆଇକେଏସ୍)ର ସାଧାରଣ ସଂପାଦକ ହନନ ମୋଲ୍ଲା କହନ୍ତି, ‘‘ଏହି ରାଲି ଭବିଷ୍ୟତରେ ଏକ ନୂଆ ମୋଡ଼ ନେବ । ଏହା ଚାଷୀମାନଙ୍କର ସଂଘର୍ଷକୁ ପରେ ଜନଆନ୍ଦୋଳନରେ ପରିଣତ କରିବ ।’’






