ଆମର କଥାବାର୍ତ୍ତା ମୂଳରୁ ଆରମ୍ଭ ହେଲା । ଗୁଣ୍ଟୁର ଜିଲ୍ଲାର ପେନୁମକା ଗାଁର ୬୨ ବର୍ଷୀୟ ଚାଷୀ ଶିବା ରେଡ୍ଡୀ ମୋତେ କହିଲେ, “ମୋର ୫ ଏକର ଜମି ରହିଛି । ସେଥିମଧ୍ୟରୁ ୩ ଏକର ଜମିରେ ମୁଁ କଦଳୀ ଚାଷ କରେ । ୨ ଏକର ଜମିରେ ପୋଟଳ, ଗୋଟିଏ ଏକର ଜମିରେ ପିଆଜ... ପ୍ରଭୃତି ଚାଷ କରିଥାଏ ।’’ ମୁଁ ପଚାରିଲି, ଏହାର ଅର୍ଥ ହେଲା ଆପଣଙ୍କ ପାଖରେ ୫ ଏକର ନୁହେଁ, ଛଅ ଏକର ଜମି ରହିଛି ।


Guntur, Andhra Pradesh
|TUE, FEB 19, 2019
‘ଏହା ସାଧାରଣ ଲୋକଙ୍କ ରାଜଧାନୀ ନୁହେଁ’
ଆନ୍ଧ୍ରପ୍ରଦେଶରେ ସରକାରଙ୍କ ବିରାଟ ପ୍ରତିଶ୍ରୁତି ମଧ୍ୟରେ ମେଗାସହର ଅମରାବତୀ ନିର୍ମିତ ହେଉଛି ଯାହାକି ଉର୍ବର ଜମି ଥିବା ହଜାର ହଜାର ଚାଷୀଙ୍କୁ ବିସ୍ଥାପିତ କରିବ । ସେମାନଙ୍କ ମଧ୍ୟରୁ ଅନେକ ଏହାକୁ ବିରୋଧ କରୁଥିବାବେଳେ ଅନ୍ୟମାନେ ଜମି ଅଧିଗ୍ରହଣ ଯୋଜନା ଅନୁସାରେ ଜମି ଦେଇ ଦେଉଛନ୍ତି ।
Author
Translator

Rahul Maganti

Rahul Maganti
ଅମରାବତୀ ସଷ୍ଟେନେବଲ କ୍ୟାପିଟାଲ ସିଟି ଡେଭଲପମେଣ୍ଟ ପ୍ରକଳ୍ପ ପାଇଁ ହୋଇଥିବା ମାଷ୍ଟରପ୍ଲାନ୍ ଯାହାକୁକି ସିଙ୍ଗାପୁରର କିଛି କଂପାନିମାନଙ୍କ ବୋର୍ଡ ପ୍ରସ୍ତୁତ କରିଛି ସେ ଅନୁସାରେ ୩ ପର୍ଯ୍ୟାୟରେ ହେବାକୁ ଥିବା ନିର୍ମାଣ ପାଇଁ ମୋଟ ପ୍ରାୟ ୧ ଲକ୍ଷ ଏକର ଜମି ଆବଶ୍ୟକ ହେବ । ସେହି ଜମିରେ ରାଜଭବନ, ବିଧାନସଭା, ହାଇକୋର୍ଟ, ସେକ୍ରେଟେରିଏଟ୍, ଭିତ୍ତିଭୂମି(ରାସ୍ତା ଓ କଲୋନୀ) , ଶିଳ୍ପ ସଂସ୍ଥା ଓ ଆଇଟି କଂପାନି ନିର୍ମାଣ ହେବ ଏବଂ ସେହି ଜମି ମଧ୍ୟରୁ କିଛି ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ଚାଷୀମାନଙ୍କର ପ୍ଲଟକୁ ଅଧିଗ୍ରହଣ କରାଯାଇଛି ସେମାନଙ୍କୁ ଦିଆଯିବ।
ଅବଶ୍ୟ ଶିବରାମକ୍ରିଷ୍ଣନ୍ କମିଟି ପକ୍ଷରୁ ଅଗଷ୍ଟ ୨୦୧୪ରେ ପ୍ରକାଶ କରାଯାଇଥିବା ରିପୋର୍ଟ ଅନୁସାରେ ୨୦୦-୨୫୦ ଏକର ଜମି ନୂଆ ରାଜଧାନୀରେ ପ୍ରଶାସନିକ କୋଠା ନିର୍ମାଣ ପାଇଁ ଯଥେଷ୍ଟ ହେବ; ଏହା ଛଡ଼ା କମିଟି ପକ୍ଷରୁ ମେଗା ରାଜଧାନୀ ନିର୍ମାଣ ବଦଳରେ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ‘ବିକେନ୍ଦ୍ରୀକରଣ’ ବିକାଶ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ମାର୍ଚ୍ଚ ୨୦୧୪ରେ କେନ୍ଦ୍ର ସରକାର ଏହି କମିଟିକୁ ନିଯୁକ୍ତ କରିଥିଲେ। “ବର୍ତ୍ତମାନ ଥିବା ଚାଷ ବ୍ୟବସ୍ଥାକୁ ଅଧିକ ବିସ୍ଥାପିତ ନ କରିବା’’, ଅଧିକ ଲୋକ ଓ ସେମାନଙ୍କର ପରିବେଶକୁ ସ୍ଥାନାନ୍ତର ନ କରି ଏବଂ ସ୍ଥାନୀୟ ପରିବୃତ୍ତିକୁ ସଂରକ୍ଷଣ କରି ନୂଆ ରାଜଧାନୀ ନିର୍ମାଣ ପାଇଁ ବିକଳ୍ପ ସ୍ଥାନର ଅନୁଧ୍ୟାନ କରିବାକୁ ସେମାନଙ୍କୁ କୁହାଯାଇଥିଲା । ରାଜ୍ୟ ସରକାର କମିଟିର ରିପୋର୍ଟକୁ ଅବହେଳା ପ୍ରଦର୍ଶନ କରିଥିବା ଭଳି ଲାଗୁଛି ।
ଏପିସିଆରଡିଏର ମାଷ୍ଟରପ୍ଲାନରେ ଏହା ମଧ୍ୟ କୁହାଯାଇଛି ଯେ ନୂଆ ରାଜଧାନୀରେ ୨୦୫୦ ସୁଦ୍ଧା ୫୬.୫ ଲକ୍ଷ ଚାକିରି ସୃଷ୍ଟି ହେବ। କିନ୍ତୁ କିଭଳି ହେବ ତାହା କୁହାଯାଇନାହିଁ। ରାଜଧାନୀ ନିର୍ମାଣ ପାଇଁ ପ୍ରାୟ ୫୦,୦୦୦ କୋଟିର ବଜେଟ୍ ଆକଳନ କରାଯାଇଛି । ମୁଁ ଏପିସିଆରଡିଏର କମିଶନର ଶ୍ରୀଧର ଚେରୁକୁରିଙ୍କୁ ପଚାରିବାରୁ ସେ ଏହା କହିଲେ । ଏହି ଟଙ୍କା ଆନ୍ଧ୍ରପ୍ରଦେଶ ସରକାର, ଲୋକମାନେ (ସରକାରଙ୍କ ପକ୍ଷରୁ ବିକ୍ରି ହୋଇଥିବା ବଣ୍ଡ ମାଧ୍ୟମରେ), ବିଶ୍ୱବ୍ୟାଙ୍କ୍ ଏବଂ ଏସିଆନ୍ ଇନଫ୍ରାଷ୍ଟ୍ରକଚର ଇନଭେଷ୍ଟମେଣ୍ଟ ବ୍ୟାଙ୍କ୍ ପକ୍ଷରୁ ପ୍ରଦାନ କରାଯିବ ।
ନୂଆ ରାଜଧାନୀ ନିର୍ମାଣ ପାଇଁ ରାଜ୍ୟ ସରକାର ଜାନୁଆରୀ ମାସରେ ଲ୍ୟାଣ୍ଡ ପୁଲିଂ ସିଷ୍ଟମ(ଏଲପିଏସ୍) ୨୦୧୫ ଜାନୁଆରୀରେ ଆରମ୍ଭ କଲେ। କିନ୍ତୁ ଏଲପିଏସ୍ ଜମି ଅଧିଗ୍ରହଣ ସମୟରେ ଉଚିତ୍ କ୍ଷତିପୂରଣର ଅଧିକାର ଏବଂ ସ୍ୱଚ୍ଛତା, ପୁନର୍ବାସ ଏବଂ ପୁନଃବସତିସ୍ଥାପନ ଆଇନ(ଏଲଏଆରଆର୍) ୨୦୧୩ରେ ଅନୁସାରେ ପ୍ରତିଶ୍ରୁତି ଭାବେ ଦିଆଯାଇଥିବା ନିରାପତ୍ତା ବ୍ୟବସ୍ଥା ଏବଂ ଯାଞ୍ଚକୁ ଉପେକ୍ଷା କରେ। ଏପରିକି ସାମାଜିକ ଓ ପରିବେଶ ଉପରେ ପ୍ରଭାବ ସଂପର୍କିତ ଅନୁଧ୍ୟାନ, ପ୍ରଭାବିତ ଲୋକଙ୍କ ମଧ୍ୟରୁ ଅତି କମରେ ୭୦% ଲୋକଙ୍କର ଅନୁମତି ନେବା ଏବଂ ଉଚିତ ପୁନଃବସତିସ୍ଥାପନ ପ୍ୟାକେଜ୍କୁ ବି ଉପେକ୍ଷା କରେ ।

Rahul Maganti

Rahul Maganti
ଏଲପିଏସ ଅନୁସାରେ କେବଳ ଜମିମାଲିକମାନଙ୍କର ଅନୁମତି ନିଆଯାଇଥାଏ ଏବଂ ଜମି ଉପରେ ନିର୍ଭର କରୁଥିବା ଅନ୍ୟମାନେ ଯେପରିକି କୃଷିଶ୍ରମିକମାନଙ୍କୁ ବାଦ୍ ଦିଆଯାଇଥାଏ। ଜମି ମାଲିକମାନେ ସ୍ୱେଚ୍ଛାକୃତ ଭାବେ ସେମାନଙ୍କର ଜମିକୁ ରାଜ୍ୟ ସରକାରଙ୍କୁ ଦେଇପାରିବେ ଏବଂ ତା’ ବଦଳରେ ନୂଆ ରାଜଧାନୀରେ ‘ପୁନଃନିର୍ମିତ ବିକଶିତ ପ୍ଲଟ୍’ (ଆବାସିକ ଏବଂ ବ୍ୟାବସାୟିକ ଦୃଷ୍ଟିକୋଣରୁ) ପାଇପାରିବେ। ବାକି ଜମିକୁ ଏପିସିଆରଡିଏ ନିଜ ପାଖରେ ରଖି ସେଥିରେ ରାସ୍ତା, ସରକାରୀ ଜମି, କଳକାରଖାନା ଏବଂ ଅନ୍ୟାନ୍ୟ ନିର୍ମାଣ କରିବ । ସରକାର ମଧ୍ୟ ଜମିମାଲିକମାନଙ୍କୁ ସେମାନଙ୍କର ନୂଆ ପ୍ଲଟ୍ ନ ମିଳିବା ଯାଏ ୧୦ ବର୍ଷ ଧରି ପ୍ରତିବର୍ଷ ଏକର ପିଛା ୩୦,୦୦୦-୫୦, ୦୦୦ ଟଙ୍କା (ଜମିର କିସମ ଅନୁସାରେ) ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।
ସାମ୍ବି ରେଡ୍ଡି କହିଲେ, “ରାଜସ୍ୱ ଅଧିକାରୀମାନେ ଆମକୁ କହୁଛନ୍ତି ଯେ ଯଦି ଆମେ ଜମିକୁ ଅଧିଗ୍ରହଣ ପାଇଁ ନ ଦେବୁ ତା’ ହେଲେ ସରକାର ଆମର ଜମିକୁ ଜବରଦସ୍ତ ଅଧିକାର କରିବେ। ସେମାନେ ମଧ୍ୟ ମିଥ୍ୟାର ପ୍ରସାର କରୁଛନ୍ତି କି ଜମି ଅଧିଗ୍ରହଣ ଆଇନ ଅନୁସାରେ ଆମେ ଯେଉଁ କ୍ଷତିପୂରଣ ପାଇବୁ ତାହା ଏଲପିଏସ୍ ଅଧୀନରେ ଆମେ ଯାହା ପାଇବୁ ତା’ଠାରୁ କମ୍ ।’’
ମାର୍ଚ୍ଚ ୨୦୧୭ ମସିହାରେ ୧୦୦୦ରୁ ଅଧିକ ଚାଷୀ ବିଶ୍ୱବ୍ୟାଙ୍କକୁ ଚିଠି ଲେଖି ନୂଆ ରାଜଧାନୀ ପ୍ରକଳ୍ପ ପାଇଁ ଅର୍ଥ ସହାୟତା ପ୍ରଦାନରୁ ଓହରି ଯିବାକୁ ନିବେଦନ କରିଥିଲେ। କାରଣ ଏହା ସେମାନଙ୍କର ଚାଷ, ମାଛଧରା ମାଧ୍ୟମରେ ହେଉଥିବା ଜୀବନଜୀବିକା ପ୍ରତି ବିପଦ ଥିଲା । ସେହିପରି ଏହା ମଧ୍ୟ ସେହି ଅଞ୍ଚଳର ଉର୍ବର ଚାଷ ଜମି ଓ ଖାଦ୍ୟ ନିରାପତ୍ତାକୁ ଧ୍ୱଂସ କରିବାର ଆଶଙ୍କା ଥିଲା। ବନ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟାପକ ନିର୍ମାଣ ଯୋଗୁ ପରିବେଶର ଖୁବ୍ କ୍ଷତି ହେବାର ଆଶଙ୍କା କରି ସେମାନେ ଏହି ଚିଠି ଲେଖିଥିଲେ । ସେଥିରେ ସେମାନେ ସେମାନଙ୍କର ନାମକୁ ଗୋପନ ରଖିବାକୁ ବିଶ୍ୱବ୍ୟାଙ୍କକୁ ନିବେଦନ କରିଥିଲେ ।
ନିଜ ନାମକୁ ଅଜ୍ଞାତ ରଖିବାକୁ ଚାହୁଁଥିବା ପେଣୁମକାର ଅନ୍ୟଜଣେ ଚାଷୀ ମୋତେ କହିଲେ, “ପୁଲିସ ଆମ ବିରୋଧରେ ମିଥ୍ୟା ମାମଲା ରୁଜୁ କରୁଛି କାରଣ ଆମେ ଲ୍ୟାଣ୍ଡ ପୁଲିଂ ବ୍ୟବସ୍ଥାକୁ ବିରୋଧ କରୁଛୁ । ଶହ ଶହ ପୁଲିସ ଅଧିକାରୀ ଗାଁରେ ପଶିଲେ ଏବଂ ସବୁ ୨୯ଟି ଯାକ ଗାଁରେ ହୋଇଥିବା କ୍ୟାମ୍ପ (ସରକାରଙ୍କ ପକ୍ଷରୁ ନିର୍ମିତ)ରେ ସେମାନେ ମାସ ମାସ ଧରି ରହିଲେ।’’ ଏହାଦ୍ୱାରା ଗ୍ରାମବାସୀଙ୍କୁ ଭୟଭୀତ କରିବାକୁ ଉଦ୍ୟମ କରାଗଲା ।
ନିଜ ନାମକୁ ଅଜ୍ଞାତ ରଖିବାକୁ ଚାହୁଁଥିବା ପେଣୁମକାର ଅନ୍ୟଜଣେ ଚାଷୀ ତାଙ୍କ କଥାରେ ଏକମତ ହୋଇ କହିଲେ, “ଗାଁରେ ଥିବା ପଞ୍ଚାୟତ ଅଫିସ୍ ଏପିସିଆରଡିଏର ଅଫିସ୍ ପାଲଟିଗଲା ଯାହାକୁ କି ଉପଜିଲ୍ଳାପାଳଙ୍କ କ୍ୟାଡରର ଜଣେ ଅଧିକାରୀ ଅନୁଧ୍ୟାନ କରୁଥିଲେ ।’’

Rahul Maganti

Rahul Maganti
ବିଶ୍ୱବ୍ୟାଙ୍କକୁ ଦିଆଯାଇଥିବା ଏପିସିଆରଡିଏର ରିପୋର୍ଟ ଅନୁସାରେ ୪୦୬୦ ଜଣ ଜମିମାଲିକ (୨୦୧୭ ମସିହା ଅକ୍ଟୋବର ମାସ ଯାଏ) ଲ୍ୟାଣ୍ଡ ପୁଲିଂ ଯୋଜନାକୁ ସେମାନଙ୍କର ଜମି ଏବେ ଯାଏ ଦେଇନାହାନ୍ତି। ଅବଶ୍ୟ ଏପିସିଆରଡିଏର କମିଶନର ଶ୍ରୀଧର ଚେରକୁରିଙ୍କ ଅନୁସାରେ ଜମି ଅଧିଗ୍ରହଣ ପାଇଁ ଲୋକଙ୍କ ଉପରେ କୌଣସି ପ୍ରକାର ଚାପ ପ୍ରୟୋଗ କରାଯାଇନାହିଁ । ଜାନୁଆରୀ ୨୦୧୫ରୁ ଚାଷୀମାନେ ସେମାନଙ୍କର ଜମିକୁ ‘ସ୍ୱେଚ୍ଛାକୃତ ଭାବେ ଏବଂ ଖୁସିର ସହ’ ଦେବାକୁ ରାଜି ହୋଇଛନ୍ତି ।
୨୯ଟି ଗାଁ ମଧ୍ୟରୁ ପେନୁମକା ଓ ଉନ୍ଦାବଲି ଗାଁର ଲୋକମାନେ ଲ୍ୟାଣ୍ଡ ପୁଲିଂ ସିଷ୍ଟମର ଦୃଢ ବିରୋଧ କଲେ ଏବଂ ସେମାନେ ସେମାନଙ୍କର ଜମି ଦେଲେନାହିଁ । ଚେନ୍ନାଇ-କୋଲକାତା ଜାତୀୟ ରାଜପଥ ନିକଟକୁ ଏହି ଜମି ଲାଗିକରି ରହିଥିବାରୁ ଏହି ଜମିର ମୂଲ୍ୟ ଖୁବ୍ ଅଧିକ । ଏଠାକାର ଅଧିକାଂଶ ଚାଷୀ ରେଡ୍ଡି ସଂପ୍ରଦାୟର ହୋଇଥିବା ବେଳେ ସେମାନେ ମୁଖ୍ୟ ବିରୋଧୀ ଦଳ ଯୁବଜନ ଶ୍ରମିକ ରାଇଥୁ କଂଗ୍ରେସ ଦଳର ସମର୍ଥକ ।
ଅନ୍ୟ ୨୭ଟି ଗାଁର ଜମିମାଲିକଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି କମା ସଂପ୍ରଦାୟର। ସେମାନେ ଶାସକ ତେଲଗୁ ଦେଶମ ପାର୍ଟି(ଟିଡିପି)ର ଦୃଢ ସମର୍ଥକ ହୋଇଥିବା ବେଳେ ଅମରାବତୀ ପ୍ରକଳ୍ପକୁ ସମର୍ଥନ କରୁଛନ୍ତି । ଉଡାନ୍ଦରାୟୁନିପାଲେମର ଗିଞ୍ଜୁପାଲ୍ଲି ଶଙ୍କର ରାଓ ଯିଏକି ତାଙ୍କର ଜମିକୁ ଲ୍ୟାଣ୍ଡ ପୁଲିଂ ପାଇଁ ଦେଇଛନ୍ତି ସେ କହିଲେ, “ଆମେ ବିକଶିତ ହେବା ଉଚିତ୍। ଆମେ କେତେଦିନ ଗାଁରେ ରହିବୁ? ଆମେ ବିଜୟୱାଡା ଏବଂ ଗୁଣ୍ଟୁରର ଲୋକଙ୍କ ଭଳି ବିକଶିତ ହେବାକୁ ଚାହୁଁଛୁ ।’’ ନଦୀ ପାଖରୁ ଅଳ୍ପ ଦୂର ନିରୁକୋଣ୍ଡା ଗାଁର ମୁଭା ଚଲାପତି ରାଓ ପଚାରିଲେ, “ମୁଁ କ’ଣ ପାଇଁ ଚାଷ କରିବି ଯେତେବେଳେ କି ମୋର କେବଳ କ୍ଷତି ହେଉଛି?’’
କିନ୍ତୁ ଏହି ୨୭ଟି ଗାଁରେ ମଧ୍ୟ ବିରୋଧର ସ୍ୱର ଉଠୁଛି-କେବଳ ଯେଉଁମାନଙ୍କ ନିକଟରେ ଜମି ନାହିଁ ସେମାନଙ୍କୁ ଛାଡ଼ି। ଭେଙ୍କଟପାଲେମ ଗାଁରେ ମୁଁ କମ୍ମା ସଂପ୍ରଦାୟର ଜଣେ କ୍ଷୁଦ୍ର ଚାଷୀ ବୋୟାପଟି ସୁଧାରାନିଙ୍କୁ ଭେଟିଲି । ତାଙ୍କର ଏକ ଏକରରୁ କମ୍ ଜମି ରହିଛି । ଫେବ୍ରୃୟାରୀ ୨୦୧୫ରେ ଇଣ୍ଟରନେଟରେ ପ୍ରସାରିତ ହେଉଥିବା ଏକ ଭିଡିଓରେ ତାଙ୍କୁ ଦେଖାଯାଇଥିଲା । ସେଥିରେ ସେ କହୁଥେିଲ “ମୁଁ ଭୋଟଦାନର ଅଧିକାର ପାଇବା ପରଠାରୁ ଟିଡିପି ବ୍ୟତୀତ ଅନ୍ୟ କୌଣସି ରାଜନୈତିକ ଦଳକୁ ଭୋଟ ଦେଇନାହିଁ । ଏବେ ମୋତେ ଲାଗୁଛି ଆମେ ଆମର କବର ଖୋଳୁଛୁ। ଚନ୍ଦ୍ରବାବୁଙ୍କ ପାଇଁ ମୋର ଗୋଟିଏ ପ୍ରଶ୍ନ ଅଛି । ଯଦି ସେ ଆମକୁ ୧୦ ବର୍ଷ ପରେ ପ୍ଲଟ୍ ଦେବେ ତା’ ହେଲେ ଆମେ ଏବେ ମରିଯାଇ ପରେ ଜନ୍ମ ହେବା ଉଚିତ୍?’’ ତାଙ୍କର ଏହି ଭିଡିଓ ପ୍ରସାରିତ ହେବା ପରେ ତାଙ୍କ ଘରକୁ ଅନେକ ପୁଲିସ କର୍ମୀ ଓ ରାଜସ୍ୱ ବିଭାଗର ଅଧିକାରୀ ଆସିଲେ, ତାଙ୍କୁ ତାଙ୍କର ଅଭିଯୋଗ ପ୍ରତ୍ୟାହାର କରିବାକୁ ବାଧ୍ୟ କଲେ(ତାଙ୍କର ସ୍ୱାମୀ ଓ ଶାଶୁଘର ଲୋକଙ୍କ ଉପରେ ଚାପ ପକାଇ) ଏବଂ ବାଧ୍ୟତାମୂଳକ ଭାବେ ଲ୍ୟାଣ୍ଡ ପୁଲିଂ ଯୋଜନା ପାଇଁ ତାଙ୍କର ମତ ନେଲେ ।
Rahul Maganti

Rahul Maganti
ପେନୁମକାରେ ଏକ ଏକର ଜମି ଥିବା କୃଷ୍ଣା ରେଡ୍ଡି କହିଲେ, “ଆମ ନିକଟରେ ଭୂତଳ ଜଳ ମାତ୍ର ୧୦-୧୫ ଫୁଟ ତଳେ(ଭୂପୃଷ୍ଠରୁ) ତଳେ ଅଛି। ଏହା ଏକ ବହୁଫସଲି ଜମି (ଉର୍ବର କୃଷ୍ଣା-ଗୋଦାବରୀ ତ୍ରିକୋଣଭୂମିରେ) ଏବଂ ବର୍ଷସାରା ଏଠାକାର ଜମି ଦିନକ ପାଇଁ ମଧ୍ୟ ଖାଲି ପଡ଼େନାହିଁ । ବର୍ଷର ୩୬୫ ଦିନ ମଧ୍ୟରେ ଗୋଟିଏ ପରେ ଗୋଟିଏ ଚାଷ ହୋଇଚାଲିଥାଏ ।’’ କୃଷ୍ଣା ରେଡ୍ଡି ଆଉ ୪ଟି ଜମିକୁ ଭଡ଼ାରେ ନେଇ ଚାଷ କରୁଛନ୍ତି । ତାଙ୍କ ଅନୁସାରେ “ସାଧାରଣତଃ ମୁଁ ବର୍ଷକୁ ଏକର ପିଛା ୨ ଲକ୍ଷ ଲାଭ କରେ। ଅଧିକାଂଶ ସମୟରେ ଯେତେବେଳେ ବଜାର ଦର କମ୍ ଥାଏ, ସେତେବେଳେ ମୋର ଲାଭ କିମ୍ବା କ୍ଷତି ହୁଏନାହିଁ ।’’
ଦୀର୍ଘ ଦିନ ଧରି କୃଷିଶ୍ରମିକମାନେ ପେନୁମକା, ଉନ୍ଦାବଲି ଏବଂ ଅନ୍ୟ ୨୯ଟି ଗାଁକୁ ଶ୍ରୀକାକୁଲମ୍ ଏବଂ ରାଜମହେନ୍ଦ୍ରି ପରି ଜିଲ୍ଲାରୁ କାମ ଅନ୍ୱେଷଣରେ ଆସୁଥିଲେ। ପୁରୁଷମାନେ ଦିନକୁ ୫୦୦-୬୦୦ଟଙ୍କା ରୋଜଗାର କରୁଥିଲେ। ମହିଳାମାନେ ୩୦୦-୪୦୦ ଟଙ୍କା ପାଉଥିଲେ ଏବଂ ବର୍ଷ ସାରା ସେମାନଙ୍କ ପାଇଁ କାମ ରହୁଥିଲ। କୃଷ୍ଣା ଆହୁରି କହିଲେ, “ବର୍ତ୍ତମାନ ଏହି ୨୯ଟି ଗାଁର ଲୋକମାନେ ଏଠାରେ କାମ ପାଉନାହାନ୍ତି ଏବଂ କାମର ସନ୍ଧାନରେ ଅନ୍ୟ ଗାଁକୁ ଯାଉଛନ୍ତି ।’’
ମୁଁ ତାଙ୍କୁ ପଚାରିଲି, “ତୁମେ କ’ଣ ଚାଷ କରୁଛ?’’ ସେ ଉତ୍ତର ଦେଲେ, “ମୋତେ ତୁମେ ଗୋଟିଏ ଫସଲର ନାମ କୁହ । ମୁଁ ତାକୁ ଆସନ୍ତାବର୍ଷ ଚାଷ କରିବି ଏବଂ ମୋର ଖୁବ୍ ଲାଭ ହେବ ବୋଲି ମୁଁ ନିଶ୍ଚିତ ଅଛି । ମୁଁ ତୁମକୁ ବୁଲାଇବାକୁ ନେଇଯିବି ଏବଂ ତୁମକୁ ୧୨୦ଟି ଭିନ୍ନ ଭିନ୍ନ ଫସଲ ଦେଖାଇବି।’’ କୃଷ୍ଣା ଏବେ କଦଳୀ ଓ ମକା ଚାଷ କରୁଛନ୍ତି ଏବଂ ସେହି ଅଞ୍ଚଳରେ ବଜାର ଖୁବ୍ ଭଲ ଥିବାଯୋଗୁ ତାଙ୍କ ଭଳି ଚାଷୀଙ୍କୁ ଖୁବ୍ ସୁବିଧା ହେଉଛି ।
ରାଜଧାନୀ ପାଇଁ ଏହି ଅମଳକ୍ଷମ ଉର୍ବର ଚାଷଜମିକୁ ନେଇଗଲା ପରେ ରାଜ୍ୟ ସରକାର କିଭଳି ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ ତାହା ଶିବା ଜାଣିନାହାନ୍ତି । ସେ କହିଲେ, “ସେହି ୫୦ ଲକ୍ଷ ଚାକିରି କେଉଁଠୁ ଆସିବ? ଯେତେବେଳେ ଜୀବିକାର୍ଜ୍ଜନର ସୁଯୋଗ କମି ଯାଉଛି ସେତେବେଳେ ଏହା ସବୁ ମିଛ । ବିକାଶର ନାମରେ ଏଠାରେ ରିଅଲ ଇଷ୍ଟେଟ୍ ବ୍ୟବସାୟ ଚାଲିଛି । ଏହା ଲୋକଙ୍କ ରାଜଧାନୀ ନୁହେଁ । ଏହା ଧନୀ ଲୋକ, ବହୁରାଷ୍ଟ୍ରୀୟ କର୍ପୋରେଟ୍, ସୁଟ ପିନ୍ଧିଥିବା ଲୋକଙ୍କ ରାଜଧାନୀ, ଆମ ଭଳି ସାଧାରଣ ଲୋକଙ୍କ ପାଇଁ ନୁହଁ ।’’
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଏହା-ସାଧାରଣ-ଲୋକଙ୍କ-ରାଜଧାନୀ-ନୁହେଁ

