ଶିଲା ୱାଘମାରେଙ୍କ ପାଇଁ ରାତିରେ ଭଲ ନିଦ ହେଉଛି ଦୂରନ୍ତ ସ୍ୱପ୍ନ ।

ଚଟାଣରେ ବିଛା ଯାଇଥିବା ଏକ ଗୋଢାଡି ଉପରେ ଗୋଡ଼ ଛନ୍ଦି ବସିଥିବା ୩୩ ବର୍ଷୀୟା ଶିଲା କହିଲେ, ‘‘ମୁଁ ରାତିରେ ଶୋଇପାରେ ନାହିଁ…ଅନେକ ବର୍ଷ ହୋଇଗଲାଣି ।’’ ତାଙ୍କର ନାଲି ପଡ଼ିଯାଇଥିବା ଆଖିରୁ ଗଭୀର ଯନ୍ତ୍ରଣା ଝଲସୁଛି । ସେ ଉଜାଗର ରହିଥିବା ରାତିଗୁଡ଼ିକ ବିଷୟରେ କହିବା ବେଳେ, ତାଙ୍କ ଶରୀର ଭିଡ଼ିମୋଡ଼ି ହେଉଥିଲା ସେ ତାକୁ ଦବାଇବାକୁ ଚେଷ୍ଟା କରୁଥିଲେ । ‘‘ମୁଁ ପୁରା ରାତି କାନ୍ଦେ। ମୁଁ ଅନୁଭବ କରେ…ମୁଁ ଶ୍ୱାସରୁଦ୍ଧ ହୋଇଯିବା ଭଳି ଅନୁଭବ କରେ।’’

ମହାରାଷ୍ଟ୍ରର ବିଡ୍ ଜିଲ୍ଲାରେ ବିଡ୍ ସହରଠାରୁ ୧୦ କିମି ଦୂରରେ ରାଜୁରି ଘୋଡକା ତାଲୁକାର ଉପକଣ୍ଠରେ ଶିଲା ରହନ୍ତି । ତାଙ୍କ ଦୁଇ କୋଠରୀ ବିଶିଷ୍ଟ ଇଟା ଘରେ, ଯେତେବେଳେ ସେ ଶୁଅନ୍ତି, ତାଙ୍କ ପାଖରେ ସ୍ୱାମୀ ମାନିକ ଏବଂ ସେମାନଙ୍କର ତିନି ପିଲା କାର୍ତ୍ତିକ, ବାବୁ ଏବଂ ଋତୁଜା ଶୋଇଥାଆନ୍ତି, ତାଙ୍କର ଚାପା କାନ୍ଦ ଅନ୍ୟମାନଙ୍କୁ ଉଠାଇଦିଏ, ସେ କହିଲେ। ‘‘ମୋ କାନ୍ଦ ଯୋଗୁଁ ସେମାନଙ୍କ ନିଦ ପ୍ରଭାବିତ ହୁଏ । ତା’ପରେ ମୁଁ ଜୋରରେ ଆଖି ବନ୍ଦ କରି ଶୋଇବାକୁ ଚେଷ୍ଟା କରେ। ’’

କିନ୍ତୁ ନିଦ ଆସେ ନାହିଁ । ଏବଂ ଆଖିରୁ ଲୁହ ବନ୍ଦ ହୁଏ ନାହିଁ ।

ଶିଲା କହିଲେ, ‘‘ମୁଁ ସବୁବେଳେ ଦୁଃଖୀ, ଚିନ୍ତିତ ଅନୁଭବ କରେ ।’’ କିଛି ସମୟ ପରେ ସେ ବିରକ୍ତ ହେବା ଭଳି ଜଣାପଡ଼ିଲେ, ‘‘ମୋର ପିସ୍‌ଭି[ଗର୍ଭାଶୟ] ବାହାର କରାଯିବା ପରେ ଏସବୁ ଆରମ୍ଭ ହେଲା। ଏହା ସବୁଦିନ ପାଇଁ ମୋ ଜୀବନ ବଦଳାଇଦେଲା।’’ ୨୦୦୮ରେ ସେ ମାତ୍ର ୨୦ ବର୍ଷର ହୋଇଥିଲେ ଯେତେବେଳେ ସେ ଗର୍ଭାଶୟ ବାହାର କରାଇଥିଲେ। ସେବେଠାରୁ, ସେ ଗଭୀର ଦୁଃଖ, ଅନିଦ୍ରାପୂର୍ଣ୍ଣ ରାତି, ବାରମ୍ବାର ଜଳାପୋଡ଼ା ହେବା ଏବଂ ଦୀର୍ଘ ସମୟ ଧରି ରହିଥିବା ଶାରିରୀକ ଯନ୍ତ୍ରଣା ସହିଛନ୍ତି ।

PHOTO • Jyoti Shinoli

ରାଜୁରି ଘୋଡ୍‌କା ଗାଁରେ ଥିବା ନିଜ ଘରେ ଶିଲା ୱାଘମାରେ । ‘ମୁଁ ସବୁବେଳେ ଦୁଃଖୀ, ଚିନ୍ତିତ ଅନୁଭବ କରେ’

ଅସହାୟ ଦେଖାଯାଉଥିବା ଶିଲା କହିଲେ, ‘‘କୌଣସି କାରଣ ନ ଥାଇ ମୁଁ ପିଲାମାନଙ୍କ ଉପରେ ରାଗିଯାଏ । ସେମାନେ ଗେହ୍ଲେଇ ହୋଇ କିଛି ମାଗିଲେ ବି, ମୁଁ ସେମାନଙ୍କ ଉପରେ ଚିତ୍କାର କରେ । ମୁଁ ଚେଷ୍ଟା କରେ। ପ୍ରକୃତରେ ମୁଁ ବିରକ୍ତ ନ ହେବା ପାଇଁ ଚେଷ୍ଟା କରେ। ମୁଁ ବୁଝିପାରେନାହିଁ ମୁଁ କାହିଁକି ଏମିତି ବ୍ୟବହାର କରେ।’’

ମାତ୍ର ୧୨ ବର୍ଷର ହୋଇଥିବା ବେଳେ ସେ ମାନିକଙ୍କୁ ବିବାହ କରିଥିଲେ, ତାଙ୍କୁ ୧୮ ବର୍ଷ ହେବା ପୂର୍ବରୁ ଶିଲା ତିନି ଜଣଙ୍କର ମା’ ହୋଇସାରିଥିଲେ ।

ସେ ଓ ମାନିକ ସେହି ପ୍ରାୟ ୮ ଲକ୍ଷ ଓସ୍‌-ତୋଡ଼ କାମଗାର, ଆଖୁ କଟା ଶ୍ରମିକଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ, ଯେଉଁମାନେ ଛଅ ମାସିଆ ଆଖୁ ଅମଳ ଋତୁ ସମୟରେ ମରାଠାୱାଡ଼ା ଅଞ୍ଚଳରୁ ଋତୁକାଳୀନ ଭିତ୍ତିରେ ବିସ୍ଥାପିତ ହୁଅନ୍ତି ଏବଂ ଅକ୍ଟୋବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ପଶ୍ଚିମ ମହାରାଷ୍ଟ୍ର ଓ କର୍ଣ୍ଣାଟକର ଆଖୁ ଜମିରେ ରହନ୍ତି ଓ କାମ କରନ୍ତି । ବର୍ଷର ଅବଶିଷ୍ଟ ସମୟରେ, ଭୂମିହୀନ ଶିଲା ଓ ମାନିକ, ସେମାନଙ୍କର ଗାଁ ବା ଆଖପାଖ ଗାଁଗୁଡ଼ିକରେ କୃଷି ଶ୍ରମିକ ଭାବେ କାମ କରନ୍ତି । ସେମାନେ ନଭ ବୌଦ୍ଧ(ନିଓ ବୁଦ୍ଧିଷ୍ଟ) ସମ୍ପ୍ରଦାୟର ଅନ୍ତର୍ଭୁକ୍ତ ।

ଗର୍ଭାଶୟ ଅପସାରଣ କରିବା ପରେ ଶିଲାଙ୍କ ଅଭିଜ୍ଞତା ମହାରାଷ୍ଟ୍ରର ଏହି ଅଂଶରେ ଏକ ବିରଳ ଘଟଣା ନୁହେଁ । ବିଡ୍‌ରେ ଆଖୁ କାଟୁଥିବା ମହିଳା ଶ୍ରମିକଙ୍କର ଅସାଧାରଣ ଭାବେ ଅଧିକ ସଂଖ୍ୟାରେ ଗର୍ଭାଶୟ ଅପସାରଣ କରାଇବା ସମ୍ପର୍କରେ ତଦନ୍ତ କରିବା ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ୨୦୧୯ରେ ଗଠିତ ସାତ ସଦସ୍ୟ ବିଷିଷ୍ଟ କମିଟି ଜାଣିବାକୁ ପାଇଲେ ଯେ ମହିଳାମାନଙ୍କ ମଧ୍ୟରେ ସାଇକୋସୋମାଟିକ୍‌ ଡିଷ୍ଟ୍ରେସ୍‌ ସାଧାରଣ କଥା ଥିଲା ।

ସେହି ସମୟରେ ମହାରାଷ୍ଟ୍ର ବିଧାନ ପରିଷଦର ଉପାଧ୍ୟକ୍ଷ ଥିବା ଡକ୍ଟର ନୀଲମ ଗୋରେଙ୍କ ଅଧ୍ୟକ୍ଷତାରେ ଏହି କମିଟି ୨୦୧୯ ଜୁନ୍-ଜୁଲାଇରେ ଜିଲ୍ଲାର ୮୨,୩୦୯ ଜଣ ମହିଳାଙ୍କୁ ନେଇ ସର୍ଭେ କରିଥିଲା ଯେଉଁମାନେ ଆଖୁ ଅମଳ ଉଦ୍ଦେଶ୍ୟରେ ଅତି କମ୍‌ରେ ଥରେ ବିସ୍ଥାପିତ ହୋଇଥିଲେ । ଏହି କମିଟି ଜାଣିବାକୁ ପାଇଲା ଯେ ଗର୍ଭାଶୟ ଅପସାରଣ କରାଇଥିବା ୧୩,୮୬୧ ଜଣ ମହିଳାଙ୍କ ମଧ୍ୟରୁ ୪୫ ପ୍ରତିଶତରୁ ଅଧିକ-୬,୩୧୪ ଜଣ - ପରବର୍ତ୍ତୀ ସମୟରେ ନିଦ୍ରାରେ ସମସ୍ୟା, ଉଦାସ ମାନସିକ ସ୍ଥିତି ଏବଂ ଅଜବ ଚିନ୍ତାରୁ ନେଇ ଗଣ୍ଠି ଏବଂ ପିଠି ଯନ୍ତ୍ରଣା ଯାଏ ମାନସିକ ଏବଂ ଶାରିରୀକ ସମସ୍ୟାର ସାମ୍ନା କରିଥିଲେ ।

PHOTO • Jyoti Shinoli
PHOTO • Jyoti Shinoli

ଶିଲା ଏବଂ ତାଙ୍କ ପିଲାମାନେ, କାର୍ତ୍ତିକ ଏବଂ ଋତୁଜା(ଡାହାଣ) । ଆଖୁ ଅମଳ ଋତୁରେ ସମ୍ପୂର୍ଣ୍ଣ ପରିବାର ବିସ୍ଥାପିତ ହୁଅନ୍ତି

ଜଣେ ମୁମ୍ବାଇ ଭିତ୍ତିକ ସ୍ତ୍ରୀରୋଗ ବିଶେଷଜ୍ଞ ଏବଂ ଭି.ଏନ୍‌ ଦେଶାଇ ମ୍ୟୁନିସିପାଲ ଜେନେରାଲ ହସ୍ପିଟାଲର ଡାକ୍ତର କୋମଲ ଚଭନ କହିଲେ, ଗର୍ଭାଶୟ ଅପସାରଣ କରିବା ଏକ ଜଟିଳ ପ୍ରକ୍ରିୟା ଯାହା ମହିଳାଙ୍କ ସ୍ୱାସ୍ଥ୍ୟ ଉପରେ ସ୍ୱଳ୍ପ ଓ ଦୀର୍ଘମିଆଦୀ ପ୍ରତିକୂଳ ପ୍ରଭାବ ପକାଇଥାଏ । ଡାକ୍ତର ଚଭନ କହିଲେ, ‘‘ଡାକ୍ତରୀ ଭାଷାରେ ଏହାକୁ ଆମେ ସର୍ଜିକାଲ ମେନୋପଜ୍‌ କହିଥାଉ।’’

ତାଙ୍କର ଅସ୍ତ୍ରୋପଚାର ପରବର୍ତ୍ତୀ ବର୍ଷମାନଙ୍କରେ, ଗଣ୍ଠି ଯନ୍ତ୍ରଣା, ମୁଣ୍ଡ ବିନ୍ଧା, ପିଠି ବିନ୍ଧା ଏବଂ ନିରନ୍ତର ଥକ୍କାପଣ ଭଳି ଶିଲା ଅନେକଗୁଡ଼ିଏ ଶାରିରୀକ ସମସ୍ୟାର ସାମ୍ନା କରିଛନ୍ତି । ସେ କହନ୍ତି, ‘‘ପ୍ରତି ଦୁଇ ତିନି ଦିନରେ ମୁଁ କିଛି ଯନ୍ତ୍ରଣା ଅନୁଭବ କରେ।’’

ଯନ୍ତ୍ରଣା ନିବାରକ ଅଏଣ୍ଟମେଣ୍ଟଗୁଡିକ ଏବଂ ପାଟିବାଟେ ଖିଆଯାଉଥିବା ଔଷଧ ସାମୟିକ ଆଶ୍ୱସ୍ତି ଦିଏ । ୧୬୬ ଟଙ୍କା ପଡୁଥିବା ଡାଇକ୍ଲୋଫିନାକ୍‌ ଜେଲ୍‌ର ଗୋଟିଏ ଟ୍ୟୁବ୍‌କୁ ଦେଖାଇ ସେ କହିଲେ, ‘‘ମୁଁ ଆଣ୍ଠୁ ଏବଂ ପିଠି ଯନ୍ତ୍ରଣା ପାଇଁ ଏହି କ୍ରିମ ଲଗାଏ । ମୁଁ ମାସକୁ ଦୁଇଟି ଟ୍ୟୁବ୍‌ ବ୍ୟବହାର କରେ।’’ ଡାକ୍ତର ଲେଖିଥିବା ଔଷଧ ମଧ୍ୟ ଅଛି । ଥକ୍କାପଣ ଦୂର କରିବାକୁ ତାଙ୍କୁ ଧମନୀରେ ଇଞ୍ଜେକ୍ସନ ମାଧ୍ୟମରେ ମାସକୁ ଦୁଇ ଥର ଗ୍ଲୁକୋଜ୍‌ ଦିଆଯାଏ ।

ତାଙ୍କ ଘରଠାରୁ ଏକ କିଲୋମିଟର ଦୂରରେ ଥିବା ଘରୋଇ କ୍ଲିନିକ୍‌ରେ ଡାକ୍ତରୀ ପରାମର୍ଶ ଓ ଚିକିତ୍ସା କରାଇବା ବାବଦକୁ ତାଙ୍କର ମାସକୁ ୧,୦୦୦ରୁ ୨,୦୦୦ ଟଙ୍କା ଖର୍ଚ୍ଚ ହୁଏ । ବିଡ୍‌ରେ ଥିବା ସରକାରୀ ହସ୍ପିଟାଲ୍‌ ତାଙ୍କ ଘରଠାରୁ ୧୦ କିଲୋମିଟର ଦୂରରେ ଅବସ୍ଥିତ, ତେଣୁ ସେ କ୍ଲିନିକ୍‌କୁ ଯିବାକୁ ପସନ୍ଦ କରନ୍ତି । ସେ କହନ୍ତି, ‘‘ଗାଡ଼ିଘୋଡ଼ା [ପରିବହନ]ରେ ଅଧିକ ଖର୍ଚ୍ଚ କରି ଏତେଦୂର କିଏ ଯିବ ?’’

ମାନସିକ ସୁସ୍ଥତା ଲାଭ କରିବା ଦିଗରେ ଔଷଧ ସାହାଯ୍ୟ କରେ ନାହିଁ । ‘‘ଆସା ସାଗ୍‌ଲା ତ୍ରାସ୍‌ ଆସଲ୍ୟାଭାର କା ମାହନୁନ ଜାଗାଭା ଭାଟେଲ ? [ଏହି ସବୁ ସମସ୍ୟା ଭିତରେ, ଜୀବନ ବଞ୍ଚିବା କଥା ବୋଲି ମୁଁ କାହିଁକି ଅନୁଭବ କରିବି?]’’

ମୁମ୍ବାଇର ଜଣେ ମନୋଚିକିତ୍ସକ ଡାକ୍ତର ଅବିନାଶ ଡି ସୌଜା କହନ୍ତି, ଗର୍ଭାଶୟ ବାହାର କରାଯିବା ଫଳରେ ହେଉଥିବା ହରମୋନଗତ ଅସନ୍ତୁଳନ, ଶାରିରୀକ ପାର୍ଶ୍ୱ ପ୍ରତିକ୍ରିୟା ବ୍ୟତୀତ ମାନସିକ ଅବସାଦ ଏବଂ ଚିନ୍ତା ବୃଦ୍ଧି କରିପାରେ । ସେ ଆହୁରି କହିଲେ ହିଷ୍ଟେରେକ୍ଟୋମି ବା ଗର୍ଭାଶୟ ବାହାର କରିବା ଫଳରେ ହେଉଥିବା ସମସ୍ୟାର ତୀବ୍ରତା ଭିନ୍ନ ଭିନ୍ନ ହୁଏ । ‘‘ପ୍ରତି ମାମଲାରେ ଏହା ଭିନ୍ନ ହୋଇଥାଏ । କେତେକ ମହିଳାଙ୍କଠାରେ ଗୁରୁତର ପ୍ରଭାବ ଦେଖାଯାଏ, ଏବଂ କେତେକଙ୍କଠାରେ କୌଣସି ଲକ୍ଷଣ ଦେଖାଯାଇନପାରେ।’’

PHOTO • Jyoti Shinoli
PHOTO • Jyoti Shinoli

ପାଟିବାଟେ ଖାଉଥିବା ଔଷଧ ଏବଂ ଡାଇକ୍ଲୋଫେନାକ୍‌ ଜେଲ୍‌ ଭଳି ଯନ୍ତ୍ରଣାନିବାରକ ମଲମ ଶିଲାଙ୍କୁ ସାମୟିକ ଆଶ୍ୱସ୍ତି ଦିଏ। ‘ମୁଁ ମାସକୁ ଦୁଇଟି ଟ୍ୟୁବ୍‌ ବ୍ୟବହାର କରେ’

ଅସ୍ତ୍ରୋପଚାର ପରେ ମଧ୍ୟ, ଶିଲା ଆଖୁ କାଟିବାକୁ ମାନିକଙ୍କ ସହ ପଶ୍ଚିମ ମହାରାଷ୍ଟ୍ରକୁ ଯାଆନ୍ତି । ବିଡ୍‌ଠାରୁ ପ୍ରାୟ ୪୫୦ କିଲୋମିଟର ଦୂରରେ କୋହ୍ଲାପୁରରେ ଥିବା ଏକ ଆଖୁ ପେଷା ଫ୍ୟାକ୍ଟ୍ରିକୁ ସେ ସାଧାରଣତଃ ତାଙ୍କ ପରିବାର ସହ ଯାଆନ୍ତି ।

ତାଙ୍କର ଅସ୍ତ୍ରୋପଚାର ପୂର୍ବର ସମୟ କଥା ମନେ ପକାଇ ଶିଲା କହିଲେ, ‘‘ମୁଁ ଦିନକୁ ୧୬-୧୮ ଘଣ୍ଟା ପରିଶ୍ରମ କରି ଦୁଇ ଟନ୍‌ ଓଜନର ଆଖୁ କାଟି ପାରୁଥିଲି । କଟା ହୋଇ ବନ୍ଧା ହୋଇଥିବା ଆଖୁ ଟନ୍‌ ପିଛା ପ୍ରତି ‘କୋୟତା’କୁ ୨୮୦ ଟଙ୍କା ମିଳିଥାଏ । କୋୟତା ଶବ୍ଦର ଅର୍ଥ ହେଲା ଏକ ବଙ୍କା ଆକୃତିର ଦା’ ଯାହାକି ୭ ଫୁଟ୍‌ ପର୍ଯ୍ୟନ୍ତ ଉଚ୍ଚା ହେଉଥିବା ଶକ୍ତ ଆଖୁକୁ କାଟିବାରେ ବ୍ୟବହୃତ ହୁଏ, କିନ୍ତୁ ସ୍ଥାନୀୟ ଭାଷାରେ ଏହା ଦମ୍ପତିକୁ ବୁଝାଏ ଯେଉଁମାନେ ସାଙ୍ଗରେ ଆଖୁ କାଟନ୍ତି । କାମ ପାଇଁ ଦୁଇ ଜଣିଆ ଏକ ଟିମ୍‌କୁ ଶ୍ରମିକ କଣ୍ଟ୍ରାକ୍ଟର ଅଗ୍ରୀମ ଭାବେ ମୋଟା ଅଙ୍କର ଅର୍ଥ ଦେଇଥାଆନ୍ତି ।

ଶିଲା କହିଲେ, ‘‘ଛଅ ମାସ ପରେ ଆମେ ପ୍ରାୟ ୫୦,୦୦୦ରୁ ୭୦,୦୦୦ ଟଙ୍କା ରୋଜଗାର କରିପାରିବୁ ।’’ ତାଙ୍କର ଗର୍ଭାଶୟ ଅପସାରଣ କରାଯିବା ପରେ, ଏହି ଦମ୍ପତିଙ୍କ ପାଇଁ ଦିନକୁ ଗୋଟିଏ ଟନ୍‌ ଆଖୁ କାଟି, ବାନ୍ଧିବା କଷ୍ଟକର ହୋଇପଡୁଛି । ‘‘ମୁଁ ଅଧିକ ଓଜନର ଆଖୁ ବୋହିପାରୁନାହିଁ, ଏବଂ ପୂର୍ବଭଳି ଶୀଘ୍ର କାଟି ପାରୁନାହିଁ ।’’

କିନ୍ତୁ ଶିଲା ଏବଂ ମାନିକ ସେମାନଙ୍କର ଘର ମରାମତି ପାଇଁ ୨୦୧୯ରେ ୫୦,୦୦୦ ଟଙ୍କା ଅଗ୍ରୀମ ପାଉଣା ବାର୍ଷିକ ୩୦ ପ୍ରତିଶତ ସୁଧ ହାରରେ ନେଇଥିଲେ । ତେଣୁ ସେହି ଟଙ୍କା ପରିଶୋଧ ପାଇଁ ସେମାନଙ୍କୁ କାମ କରିବାକୁ ପଡ଼ିବ । ଶିଲା କହିଲେ, ‘‘ଏହା ଅସମାପ୍ତ ।’’

*****

ମାସିକ ଋତୁସ୍ରାବ ସମୟରେ ଆଖୁ କ୍ଷେତରେ ହାଡ଼ଭଙ୍ଗା ପରିଶ୍ରମ ମହିଳାଙ୍କ ପାଇଁ ସବୁଠାରୁ ଚ୍ୟାଲେଞ୍ଜପୂର୍ଣ୍ଣ କାମ । କ୍ଷେତରେ ଶୌଚାଳୟ ବା ବାଥ୍‌ରୁମ୍‌ ନ ଥିବାବେଳେ ସେମାନଙ୍କର ରହିବା ବ୍ୟବସ୍ଥା ସମାନ ଭାବରେ ଦୟନୀୟ । ବେଳେବେଳେ କୋୟତାମାନେ ଆଖୁ କ୍ଷେତ ଓ ଫ୍ୟାକ୍ଟ୍ରିକୁ ଲାଗି ଥିବା ତମ୍ବୁରେ ସେମାନଙ୍କ ପିଲାମାନଙ୍କ ସହିତ ରହନ୍ତି । ଶିଲା ମନେ ପକାନ୍ତି, ‘‘ପାଲି [ଋତୁସ୍ରାବ] ସମୟରେ କାମ କରିବା କଠିନ ଥିଲା।’’

ଏପରିକି ଗୋଟିଏ ଦିନ ଛୁଟି ନେଲେ ବି ସେଥିପାଇଁ ମୂଲ୍ୟ ଦେବାକୁ ପଡ଼େ, ମୁକଦମ(ଶ୍ରମ କଣ୍ଟ୍ରାକ୍ଟର) ଦିନକର ପାଉଣା ଜରିମାନା ଭାବେ କାଟି ଦିଅନ୍ତି।

PHOTO • Jyoti Shinoli
PHOTO • Jyoti Shinoli

ବାମ : ଆଖୁ କ୍ଷେତରେ କାମ କରିବାକୁ ଯିବା ବେଳେ ଶିଲା ପରିବାରର ଜିନିଷପତ୍ର ନେଉଥିବା ଟ୍ରଙ୍କ । ଡାହାଣ : ବଙ୍କା ଦା’ ବା କୋୟତା, ଯାହାକୁ ଶକ୍ତ ଆଖୁ ଖଣ୍ଡକୁ କାଟିବା ପାଇଁ ବ୍ୟବହାର ହୁଏ, ଏହା ମଧ୍ୟ ସାଙ୍ଗହୋଇ ଆଖୁ କାଟୁଥିବା ଦମ୍ପତିଙ୍କୁ ବୁଝାଏ

ଶିଲା କହନ୍ତି, ମହିଳା କଟାଳିମାନେ ସେମାନଙ୍କର ବ୍ୟବହୃତ କପଡ଼ା ସାୟାରୁ ପ୍ରସ୍ତୁତ କପଡ଼ା ପ୍ୟାଡ୍‌ ପିନ୍ଧି କାମ କରିବାକୁ ଯାଆନ୍ତି। ଏହାକୁ ନ ବଦଳାଇ ସେମାନେ ଦିନକୁ ପ୍ରାୟ ୧୬ ଘଣ୍ଟା କାମ କରନ୍ତି । ସେ କହନ୍ତି,‘‘ଦିନର କାମ ସରିବା ପରେ ମୁଁ ଏହାକୁ ବଦଳାଇବି । ରକ୍ତାନେ ପୂର୍ଣ୍ଣ ଭିଜୁନ ରକ୍ତା ତାପକାୟଚେ କପଡ୍ୟାତୋନ୍‌[ସମ୍ପୂର୍ଣ୍ଣ ଭାବେ ଭିଜିଯାଇଥିବା, ଏଥିରୁ ରକ୍ତ ବୋହୁଥିବ]।’’

ଉପଯୁକ୍ତ ପରିମଳ ବ୍ୟବସ୍ଥା ବା ବ୍ୟବହୃତ କପଡ଼ା ପ୍ୟାଡ୍‌କୁ ସଫା କରିବା ପାଇଁ ଆବଶ୍ୟକ ପାଣି ଅଭାବ ବା ସେସବୁ ଶୁଖାଇବା ପାଇଁ ସ୍ଥାନ ଅଭାବ ଯୋଗୁଁ, ସେ ପ୍ରାୟତଃ ଓଦା ହୋଇଥିବା ପ୍ୟାଡ୍‌ ପିନ୍ଧନ୍ତି । ‘‘ଏହା ଗନ୍ଧ କରିବ, କିନ୍ତୁ ଖରାରେ ଶୁଖାଇବା ଅସହଜ ଥିଲା; ଚାରିଆଡ଼େ ବହୁ ପୁରୁଷ ଲୋକ ଥିଲେ।’’ ସେ ସାନିଟାରୀ ପ୍ୟାଡ୍‌ ବିଷୟରେ ଜାଣି ନ ଥିଲେ। ସେ କହିଲେ, ‘‘ଯେତେବେଳେ ମୋ ଝିଅର ଋତୁସ୍ରାବ ଆରମ୍ଭ ହେଲା କେବଳ ସେତେବେଳେ ଯାଇ ମୁଁ ଏକଥା ଜାଣିଲି।’’

୧୫ ବର୍ଷୀୟା ଋତୁଜାଙ୍କ ପାଇଁ ସେ ସାନିଟାରୀ ପ୍ୟାଡ୍‌ କିଣନ୍ତି । ‘‘ମୁଁ ତା’ର ସ୍ୱାସ୍ଥ୍ୟ ସହ କୌଣସି ସାଲିସ କରିବାକୁ ଚାହେଁନାହିଁ ।’’

ମହିଳା ଚାଷୀଙ୍କ ପାଇଁ କାମ କରୁଥିବା ମହିଳା ସଂସ୍ଥାଗୁଡ଼ିକର ଗୋଟିଏ ମିଳିତ ସଂଗଠନ ପୁନେଭିତ୍ତିକ ମାକାମ ୨୦୨୦ରେ ମହାରାଷ୍ଟ୍ରର ଆଠଟି ଜିଲ୍ଲାରେ ୧,୦୪୨ ଜଣ ଆଖୁ କଟାଳିଙ୍କ ସାକ୍ଷାତକାର ନେଇ ଏକ ସର୍ଭେ ରିପୋର୍ଟ ପ୍ରକାଶ କରିଥିଲା । ରିପୋର୍ଟରେ ଦର୍ଶାଯାଇଥିଲା ଯେ ମହିଳା ଆଖୁ କଟାଳିଙ୍କ ମଧ୍ୟରୁ ୮୩ ପ୍ରତିଶତ ସେମାନଙ୍କର ମାସିକ ଋତୁସ୍ରାବ ସମୟରେ କପଡ଼ା ବ୍ୟବହାର କରନ୍ତି । ଏହି କପଡ଼ା ପ୍ୟାଡ୍‌ ସଫା କରିବା ପାଇଁ କେବଳ ୫୯ ପ୍ରତିଶତ ପାଣି ପାଆନ୍ତି ଏବଂ ପ୍ରାୟ ୨୪ ପ୍ରତିଶତ ବ୍ୟବହୃତ ଓଦା ପ୍ୟାଡ୍‌ ବ୍ୟବହାର କରନ୍ତି ।

ଏହି ଅପରିଚ୍ଛନ୍ନ ଅଭ୍ୟାସ ଅତ୍ୟଧିକ ରକ୍ତସ୍ରାବ ଏବଂ ଯନ୍ତ୍ରଣାଦାୟକ ଋତୁସ୍ରାବ ଭଳି ସ୍ତ୍ରୀରୋଗ ସମସ୍ୟା ବାରମ୍ବାର କରାଇଥାଏ । ଶିଲା କହିଲେ, ‘‘ମୋ ତଳିପେଟରେ ମୁଁ ଲଗାତାର ଯନ୍ତ୍ରଣା ଅନୁଭବ କରେ, ଏବଂ ବହଳିଆ ଧଳାସ୍ରାବ ହୋଇଥାଏ ।’’

ଡାକ୍ତର ଚଭନ କହିଲେ, ‘‘ଋତୁସ୍ରାବ ଜନିତ ଅପରିଚ୍ଛନ୍ନତା ପାଇଁ ସଂକ୍ରମଣ ସାଧାରଣ କଥା ଏବଂ ସାଧାରଣ ଔଷଧ ସେବନରେ ଆରୋଗ୍ୟ ହୋଇପାରେ । ଗର୍ଭାଶୟ ଅପସାରଣ କରିବା ପ୍ରାଥମିକ ବିକଳ୍ପ ନୁହେଁ କିନ୍ତୁ କର୍କଟ, ୟୁଟେରାଇନ୍ ପ୍ରୋଲାପ୍ସ କିମ୍ବା ଫାଇବ୍ରଏଡ୍ ଭଳି ସ୍ଥିତିରେ ଶେଷ ବିକଳ୍ପ ହୋଇପାରେ ।’’

PHOTO • Labani Jangi

ମାସିକ ଋତୁସ୍ରାବ ସମୟରେ ଆଖୁ କ୍ଷେତରେ ହାଡ଼ଭଙ୍ଗା ପରିଶ୍ରମ ମହିଳାମାନଙ୍କ ପାଇଁ ଖୁବ୍‌ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥାଏ । କ୍ଷେତରେ କୌଣସି ଶୌଚାଳୟ ବା ବାଥ୍‌ରୁମ୍‌ ନ ଥିବାବେଳେ, ସେମାନଙ୍କର ରହିବା ବ୍ୟବସ୍ଥା ମଧ୍ୟ ସମାନ ଭାବେ ଅବ୍ୟବସ୍ଥିତ

ଶିଲା ଯିଏ କି ମରାଠୀରେ ନିଜ ନାଁ ଦସ୍ତଖତ କରିବା ଛଡ଼ା କିଛି ବି ପଢ଼ି ବା ଲେଖିପାରନ୍ତି ନାହିଁ, ତାଙ୍କର ସଂକ୍ରମଣ ଭଲ ହୋଇପାରିବ ବୋଲି କୌଣସି ଜ୍ଞାନ ନ ଥିଲା । ଅନ୍ୟ ବହୁ ମହିଳା ଆଖୁ କଟାଳିଙ୍କ ଭଳି, ସେ ବିଡ୍‌ ସହରରେ ଥିବା ଏକ ଘରୋଇ ହସ୍ପିଟାଲକୁ ଯାଇଥିଲେ, ସେ ଆଶା ରଖିଥିଲେ ଯେ ସେଠାରୁ ସେ ଯନ୍ତ୍ରଣା କମାଇବା ପାଇଁ ଔଷଧ ଆଣିବେ ଯାହା ଫଳରେ ଋତୁସ୍ରାବ ସମୟରେ ସେ କାମ ଜାରି ରଖିପାରିବେ ଏବଂ ଶ୍ରମ କଣ୍ଟ୍ରାକ୍ଟରକୁ ଜରିମାନା ଦେବାକୁ ପଡ଼ିବ ନାହିଁ ।

ହସ୍ପିଟାଲରେ ଜଣେ ଡାକ୍ତର ତାଙ୍କୁ କର୍କଟ ହେବାର ବିପଦ ବାବଦରେ ସଜାଗ କରିଥିଲେ । ଶିଲା ମନେ ପକାନ୍ତି,‘‘ କୌଣସି ରକ୍ତ ପରୀକ୍ଷା, ସୋନୋଗ୍ରାଫି ହୋଇନଥିଲା । ସେ କହିଲେ ମୋ ଗର୍ଭାଶୟରେ ଛିଦ୍ର ହୋଇଯାଇଛି । ଏବଂ ମୁଁ ପାଞ୍ଚ ଛଅ ମାସ ମଧ୍ୟରେ କର୍କଟରେ ମରିଯିବି।’’ ଭୟଭୀତ ହୋଇ ସେ ଅସ୍ତ୍ରୋପଚାର କରାଇବାକୁ ରାଜି ହୋଇଗଲେ । ସେ କହିଲେ, ‘‘ସେହିଦିନ କିଛି ଘଣ୍ଟା ପରେ ଡାକ୍ତର ମୋ ସ୍ୱାମୀଙ୍କୁ ମୋର ବାହାର କରାଯାଇଥିବା ପିସଭି ଦେଖାଇଲେ ଏବଂ କହିଲେ ଏହି ଛିଦ୍ରଗୁଡ଼ିକୁ ଦେଖ।’’

ଶିଲା ହସ୍ପିଟାଲରେ ସାତ ଦିନ ବିତାଇଲେ । ମାନିକ ସେମାନଙ୍କର ସମସ୍ତ ସଞ୍ଚୟକୁ ଖାଲି କରି ଏବଂ ସମ୍ପର୍କୀୟ ଓ ବନ୍ଧୁଙ୍କଠାରୁ ଧାର କରି ମୋଟ ବ୍ୟୟ ୪୦,୦୦୦ ଟଙ୍କା ଏକତ୍ରିତ କଲେ ।

ଆଖୁ କଟାଳିଙ୍କ ସ୍ଥିତିକୁ ଉନ୍ନତ କରିବା ଲାଗି କାମ କରୁଥିବା ବିଡ୍‌ଭିତ୍ତିକ ଜଣେ ସାମାଜିକ କର୍ମୀ ଅଶୋକ ଟାଙ୍ଗଡ଼େ କହିଲେ, ‘‘ଏହି ସବୁ ମଧ୍ୟରୁ ଅଧିକାଂଶ ଅସ୍ତ୍ରୋପଚାର ଘରୋଇ ହସ୍ପିଟାଲରେ କରାଯାଏ । ବିନା କୌଣସି ଡାକ୍ତରୀ କାରଣରେ ଡାକ୍ତରମାନେ ଗର୍ଭାଶୟ ବାହାର କରିବା ଭଳି ଗୁରୁତର ଅସ୍ତ୍ରୋପଚାର ଯେମିତି କରୁଛନ୍ତି ତାହା ଅମାନବୀୟ।’’

ସରକାରଙ୍କ ପକ୍ଷରୁ ନିଯୁକ୍ତ କମିଟି ନିଶ୍ଚିତ କରିଥିଲା ଯେ ସର୍ଭେ କରାଯାଇଥିବା ମହିଳାଙ୍କ ମଧ୍ୟରୁ ୯୦ ପ୍ରତିଶତ ଘରୋଇ କ୍ଲିନିକ୍‌ରେ ଅସ୍ତ୍ରୋପଚାର କରାଇଥିଲେ ।

ସମ୍ଭାବ୍ୟ ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କରେ ଶିଲା କୌଣସି ଡାକ୍ତରୀ ପରାମର୍ଶ ପାଇନଥିଲେ । ସେ କହିଲେ, ‘‘ମୁଁ ଋତୁସ୍ରାବରୁ ମୁକ୍ତ ହୋଇଗଲି, କିନ୍ତୁ ମୁଁ ବର୍ତ୍ତମାନ ଏକ ଦୟନୀୟ ଜୀବନ ବଞ୍ଚୁଛି ।’’

ପାଉଣା କଟିଯିବାର ଭୟ, ଶ୍ରମ କଣ୍ଟ୍ରାକ୍ଟରଙ୍କ ଦମନୀୟ ନିୟମ ଏବଂ ଲାଭଖୋର ଘରୋଇ ଚିକିତ୍ସକଙ୍କ ମଧ୍ୟରେ ଫସିଥିବା ବିଡ୍‌ ଜିଲ୍ଲାର ମହିଳା ଆଖୁ ଶ୍ରମିକମାନଙ୍କର କାହାଣୀ ପ୍ରାୟ ଏକାଭଳି ।

*****

PHOTO • Jyoti Shinoli

ଲତା ୱାଘମାରେ ତାଙ୍କ ରୋଷେଇ ଘରେ ରାନ୍ଧୁଛନ୍ତି । କାମକୁ ଯିବା ପୂର୍ବରୁ ସେ ଘର କାମ ସାରିଦିଅନ୍ତି

ଶିଲାଙ୍କ ଘରଠାରୁ ଛଅ କିଲୋମିଟର ଦୂରରେ କାଥୋଡ଼ା ଗାଁରେ ରହୁଥିବା ଲତା ୱାଘମାରେଙ୍କ କାହାଣୀ ଅଧିକ ଭିନ୍ନ ନୁହେଁ ।

୩୨ ବର୍ଷୀୟା ଲତା ଯିଏ କି ମାତ୍ର ୨୦ ବର୍ଷ ବୟସରେ ଗର୍ଭାଶୟ ଅପସାରଣ କରିଥିଲେ ସେ କହନ୍ତି ‘‘ମୁଁ ବଞ୍ଚିଥିବା ଭଳି ଅନୁଭବ କରୁନାହିଁ ।’’

ସ୍ୱାମୀ ରମେଶଙ୍କ ସହିତ ତାଙ୍କର ସମ୍ପର୍କ ବିଷୟରେ ସେ କହିଲେ, ‘‘ଆମ ମଧ୍ୟରେ ଭଲ ପାଇବା ବୋଲି କିଛି ନାହିଁ ।’’ ତାଙ୍କ ଅସ୍ତ୍ରୋପଚାରର ବର୍ଷକ ପରେ ସେ ଦୂରେଇ ଯିବା ଏବଂ ବିରକ୍ତ ହେବା ଯୋଗୁଁ ସ୍ଥିତି ବଦଳିବା ଆରମ୍ଭ କରିଥିଲା ।

ଲତା କହନ୍ତି, ‘‘ସେ ମୋ ପାଖକୁ ଆସିଲେ ମୁଁ ତାଙ୍କୁ ଠେଲି ଦିଏ । ତା’ପରେ ଆମ ମଧ୍ୟରେ ପାଟିତୁଣ୍ଡ, ଝଗଡ଼ା ହୁଏ ।’’ ଯୌନ ସମ୍ପର୍କ ରକ୍ଷା ପାଇଁ ଲଗାତାର ମନା କରିବା ତାଙ୍କ ସ୍ୱାମୀଙ୍କର ଇଚ୍ଛାକୁ ଶେଷ କରିଦେଇଛି, ସେ କହିଲେ । ‘‘ଏବେ ସେ ମୋ ସହିତ ଭଲ ଭାବରେ କଥା ବି ହେଉନାହାନ୍ତି।’’

ଜଣେ କୃଷି ଶ୍ରମିକ ଭାବେ କାମକୁ ଯିବା ପୂର୍ବରୁ ଘର କାମରେ ତାଙ୍କର ଦିନ କଟେ । ନିଜ ଗାଁ ଏବଂ ଆଖପାଖ ଗାଁର ଚାଷ ଜମିରେ ସେ କାମ କରି ଦିନକୁ ୧୫୦ ଟଙ୍କା ଆୟ କରନ୍ତି । ସେ ଆଣ୍ଠୁ ଏବଂ ପିଠିରେ ଯନ୍ତ୍ରଣା ଅନୁଭବ କରନ୍ତି, ଏବଂ ଲଗାତାର ମୁଣ୍ଡବିନ୍ଧା ହୁଏ । ଆଶ୍ୱସ୍ତି ପାଇଁ ସେ ଔଷଧ ଖାଆନ୍ତି କିମ୍ବା ଘରୋଇ ଚିକିତ୍ସା ଆପଣାନ୍ତି । ସେ କହନ୍ତି, ‘‘ମୁଁ ତାଙ୍କ ପାଖକୁ ଯିବା କଥା କେମିତି ଭାବିବି?’’

୧୩ ବର୍ଷ ବୟସରେ ବିବାହ କରିଥିବା ଲତା ବର୍ଷକ ମଧ୍ୟରେ ପୁଅ ଆକାଶକୁ ଜନ୍ମ ଦେଇଥିଲେ । ସେ ମଧ୍ୟ ଆଖୁ କ୍ଷେତରେ ବାପା ମା’ଙ୍କ ସହିତ କାମ କରେ, ଯଦିଓ ସେ ଯୁକ୍ତ ଦୁଇ ଯାଏଁ ପାଠ ପଢ଼ିଛି ।

PHOTO • Jyoti Shinoli

ଆଖୁ କାଟିବା ପାଇଁ ଯାଇନଥିବା ମାସ ଗୁଡିକରେ ଲତା ତାଙ୍କ ଗାଁରେ କୃଷି ଶ୍ରମିକ ଭାବେ କାମ କରନ୍ତି

ତା’ପରେ ଲତାଙ୍କର ଆଉ ଗୋଟିଏ ଝିଅ ହେଲା, କିନ୍ତୁ କୁନି ଝିଅଟି ମାତ୍ର ପାଞ୍ଚ ମାସର ହୋଇଥିବାବେଳେ ଆଖୁ କ୍ଷେତରେ ତା’ ଉପରେ ଗୋଟିଏ ଟ୍ରାକ୍ଟର ମାଡ଼ିଯିବା ଫଳରେ ତା’ର ମୃତ୍ୟୁ ହୋଇଥିଲା । ନବଜାତ ବା ପିଲାମାନଙ୍କ ପାଇଁ କୌଣସି ସୁବିଧା ନ ଥିବାରୁ ଆଖୁ କାଟୁଥିବା ଦମ୍ପତିମାନେ ସେମାନେ କାମକରୁଥିବା କ୍ଷେତ ନିକଟରେ ଶିଶୁଙ୍କୁ ଶୁଆଇଦେବାକୁ ବାଧ୍ୟ ହୁଅନ୍ତି ।

ସେହି ଦୁଃଖକୁ ବର୍ଣ୍ଣନା କରିବା ତାଙ୍କ ପକ୍ଷରେ କଷ୍ଟକର ।

ସେ କହନ୍ତି, ‘‘ମୁଁ କାମ କରିପାରିବା ଭଳି ଅନୁଭବ କରୁନାହିଁ, ମୁଁ କେବଳ ବସିରହିବାକୁ ଏବଂ କିଛି ନ କରିବାକୁ ଚାହୁଁଛି ।’’ କୌଣସି କାମରେ ତାଙ୍କର ଆଗ୍ରହ ନ ରହିବା ଫଳରେ ଅନେକ ଭୁଲ ହୋଇଯାଏ । ‘‘ବେଳେବେଳେ ମୁଁ ଚୁଲାରେ କ୍ଷୀର ବା ତରକାରୀ ବସାଇଥାଏ ଏବଂ ଏହା ଉତୁରିପଡ଼ିବା ବା ପୋଡ଼ିଯିବା ବେଳେ ବି ମୁଁ କିଛି ପ୍ରତିକ୍ରିୟା କରେନାହିଁ ।’’

ଝିଅକୁ ହରାଇବା ସତ୍ୱେ ଲତା ଏବଂ ରମେଶ ଆଖୁ କଟା ଋତୁରେ ବାହାରକୁ ଯିବା ବନ୍ଦ କରିପାରିବେ ନାହିଁ ।

ଲତା ପରେ ତିନିଟି ଝିଅ ଅଞ୍ଜଳି, ନିକିତା ଏବଂ ରୋହିଣୀଙ୍କୁ ଜନ୍ମ ଦେଇଥିଲେ । ଏବଂ ସେ ପିଲାମାନଙ୍କୁ କ୍ଷେତକୁ ନେବା ଜାରି ରଖିଥିଲେ । ଲତା ଅତ୍ୟନ୍ତ ଦୁଃଖର ସହ କହନ୍ତି ‘‘ଯଦି ତୁମେ କାମ କରିବ ନାହିଁ  ତା’ହେଲେ ପିଲାମାନେ ଭୋକରେ ମରିଯିବେ । ଯଦି ଆମେ କାମ କରିବାକୁ ଯାଉ, ସେମାନେ ଦୁର୍ଘଟଣାରେ ମରିବେ । ଫରକ କ’ଣ?’’

ମହାମାରୀ ଯୋଗୁଁ ସ୍କୁଲ ବନ୍ଦ ହୋଇଯିବା, ଏବଂ ଘରେ ସ୍ମାର୍ଟଫୋନ୍‌ ନ ଥିବା ଯୋଗୁଁ ଅନ୍‌ଲାଇନ୍‌ ଶିକ୍ଷା ଅସମ୍ଭବ ହେବାରୁ, ତାଙ୍କ ଝିଅମାନଙ୍କର ଶିକ୍ଷା ମଝିରୁ ବନ୍ଦ ହୋଇଗଲା । ଅଞ୍ଜଳି ୨୦୨୦ରେ ବିବାହ କରିଥିଲେ, ଏବଂ ନିକିତା ଏବଂ ରୋହିଣୀଙ୍କ ଲାଗି ଉପଯୁକ୍ତ ବରଖୋଜା ଜାରି ରହିଛି ।

PHOTO • Jyoti Shinoli
PHOTO • Jyoti Shinoli

ବାମ: ଲତା ତାଙ୍କ ପିଲା, ନିକିତା ଏବଂ ରୋହିଣୀଙ୍କ ସହ । ଡାହାଣ: ନିକିତା ରୋଷେଇ ଘରେ କାମ କରୁଛନ୍ତି । ସେ କହନ୍ତି, ‘ମୁଁ ପଢ଼ିବାକୁ ଚାହେଁ, କିନ୍ତୁ ଏବେ ପଢ଼ିପାରୁନାହିଁ ’

ନିକିତା କହନ୍ତି, ‘‘ମୁଁ ସପ୍ତମ ଶ୍ରେଣୀ ଯାଏଁ ପଢ଼ିଛି ।’’ ସେ ୨୦୨୦ ମାର୍ଚ୍ଚ ପରେ ଦିନ ମଜୁରୀରେ ଜଣେ କୃଷି ଶ୍ରମିକ ଭାବେ କାମ ଆରମ୍ଭ କଲେ ଏବଂ ଆଖୁ କାଟିବା ପାଇଁ ନିଜ ବାପା ମା’ଙ୍କ ସହ ଯିବା ଆରମ୍ଭ କଲେ । ସେ କହନ୍ତି, ‘‘ମୁଁ ପଢ଼ିବାକୁ ଚାହେଁ, କିନ୍ତୁ ଏବେ ପଢ଼ିପାରୁନାହିଁ । ମୋ ବାପା ମା’ ମୋତେ ବିବାହ କରାଇଦେବାକୁ ଭାବୁଛନ୍ତି ।’’

ନୀଲମ ଗୋରେଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ସୁପାରିଶ ଆସିବାର ପ୍ରାୟ ତିନି ବର୍ଷ ପରେ ମଧ୍ୟ କାର୍ଯ୍ୟକାରୀ କରିବା ଧିମା ରହିଛି । ଶିଲା ଏବଂ ଲତା ସ୍ପଷ୍ଟ କଲେ ଯେ ଆଖୁ କଟାଳିଙ୍କ କାମ କରିବା ସ୍ଥାନରେ ଶୁଦ୍ଧ ପାନୀୟ ଜଳ, ଶୌଚାଳୟ ଏବଂ ଅସ୍ଥାୟୀ ଆଶ୍ରୟ ବ୍ୟବସ୍ଥା କରିବା ନେଇ ନିର୍ଦ୍ଦେଶାବଳି କାଗଜ କଲମରେ ହିଁ ରହିଛି ।

‘‘କେଉଁ ଶୌଚାଳୟ ଏବଂ କେଉଁ ଘର,’’ ସେମାନଙ୍କର କର୍ମସ୍ଥଳରେ ସ୍ଥିତି କେବେ ବି ବଦଳିବ ବୋଲି ଚିନ୍ତାଧାରାକୁ ଶିଲା ଖଣ୍ଡନ କରନ୍ତି । ‘‘ସବୁକିଛି ସମାନ ଅଛି ।’’

ଆଉ ଏକ ସୁପାରିଶ ଥିଲା ଆଶା କର୍ମୀ ଏବଂ ଅଙ୍ଗନୱାଡ଼ି କର୍ମୀଙ୍କୁ ନେଇ ଏକ ଗ୍ରୁପ୍‌ ଗଠନ କରିବା ଯାହା କି ମହିଳା ଆଖୁ କଟାଳିଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ଦୂର କରିପାରିବ ।

PHOTO • Jyoti Shinoli

କାଥୋଡ଼ା ଗାଁରେ ଲତାଙ୍କ ଘର ଭିତର

ପାଉଣା କଟିଯିବାର ଭୟ, ଶ୍ରମ କଣ୍ଟ୍ରାକ୍ଟରଙ୍କ ଦମନୀୟ ନିୟମ ଏବଂ ଲାଭଖୋର ଘରୋଇ ଚିକିତ୍ସକଙ୍କ ମଧ୍ୟରେ ଫସିଥିବା ବିଡ୍‌ ଜିଲ୍ଲାର ମହିଳା ଆଖୁ ଶ୍ରମିକମାନଙ୍କର କାହାଣୀ ପ୍ରାୟ ଏକାଭଳି

ଗାଁର ଆଶା କର୍ମୀ କେବେ ତାଙ୍କ ପାଖକୁ ଆସିଥିଲେ କି ଏହି ପ୍ରଶ୍ନର ଉତ୍ତରରେ ଲତା କହନ୍ତି, ‘‘କେହି ଆସନ୍ତି ନାହିଁ । ଦୀପାବଳି ପରେ ଛଅ ମାସ ଧରି ଆମେ କ୍ଷେତରେ ଅଛୁ । ଘର ସବୁ ବନ୍ଦ ରହିଛି । କାଥୋଡ଼ା ସୀମାରେ ୨୦ ପରିବାରର ଏକ ଦଳିତ ବସ୍ତିରେ ରହୁଥିବା ଜଣେ ନବ ବୌଦ୍ଧ ପରିବାର ଭାବେ ସେମାନେ ଲଗାତାର ଗ୍ରାମବାସୀଙ୍କ ଭେଦଭାବର ଶିକାର ହୁଅନ୍ତି । ସେ କହନ୍ତି, ‘‘କେହି ଆମକୁ ପଚାରିବାକୁ ଆସନ୍ତି ନାହିଁ ।’’

ବିଡ୍‌ଭିତ୍ତିକ ଜଣେ ସାମାଜିକ କର୍ମକର୍ତ୍ତା ଟାଙ୍ଗଡ଼େ କହନ୍ତି, ଶିଶୁ ବିବାହ ସମସ୍ୟା ଏବଂ ଗାଁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲିମପ୍ରାପ୍ତ ସ୍ତ୍ରୀରୋଗ ବିଶେଷଜ୍ଞଙ୍କ ଅଭାବ ପ୍ରତି ତୁରନ୍ତ ଧ୍ୟାନ ଦିଆଯିବା ଉଚିତ । ସେ ଆହୁରି କହିଲେ, ‘‘ଆହୁରି ମଧ୍ୟ ମରୁଡ଼ି, କୌଣସି ନିଯୁକ୍ତି ସୁଯୋଗ ନ ଥିବା ସମସ୍ୟା ଅଛି । ଆଖୁ ଶ୍ରମିକମାନଙ୍କର ସମସ୍ୟା କେବଳ ବିସ୍ଥାପନ ଭିତରେ ସୀମିତ ନୁହେଁ।’’

ଏହା ମଧ୍ୟରେ ଶିଲା, ଲତା ଏବଂ ହଜାର ହଜାର ଅନ୍ୟ ମହିଳା ଚଳିତ ଆଖୁ ଅମଳ ଋତୁରେ କାମ କରିବାକୁ ଆସିଯାଇଛନ୍ତି, ଘରଠାରୁ ଶହ ଶହ କିଲୋମିଟର ଦୂରରେ ଦଦରା ତମ୍ବୁରେ ରହୁଛନ୍ତି, ଏବଂ ପରିଚ୍ଛନ୍ନତା ସୁବିଧା ନ ଥିବାରୁ ଏବେ ମଧ୍ୟ କପଡ଼ା ପ୍ୟାଡ୍‌ ବ୍ୟବହାର କରୁଛନ୍ତି ।

ଶିଲା କହନ୍ତି, ‘‘ମୋତେ ଆହୁରି ବହୁ ବର୍ଷ କଟାଇବାକୁ ଅଛି । କେମିତି ବଞ୍ଚିବାକୁ ହେବ ମୁଁ ଜାଣିନାହିଁ ।’’

ଗ୍ରାମାଞ୍ଚଳର କିଶୋରୀ ଏବଂ ଯୁବତୀମାନଙ୍କ ଉପରେ ପରୀ ଏବଂ କାଉଣ୍ଟର ମିଡିଆ ଟ୍ରଷ୍ଟର ଦେଶବ୍ୟାପୀ ରିପୋର୍ଟିଂ ପ୍ରୋଜେକ୍ଟ ହେଉଛି ସାଧାରଣ ଲୋକଙ୍କ ସ୍ୱର ଏବଂ ଅଭିଜ୍ଞତା ମାଧ୍ୟମରେ ଏହି ଗୁରୁତ୍ୱପୂର୍ଣ୍ଣ କିନ୍ତୁ ବଞ୍ଚିତ ଗୋଷ୍ଠୀର ସ୍ଥିତିକୁ ଅନୁସନ୍ଧାନ କରିବା ପାଇଁ ପପୁଲେସନ୍‌ ଫାଉଣ୍ଡେସନ୍‌ ଅଫ୍‌ ଇଣ୍ଡିଆ ସମର୍ଥିତ ଅଭିଯାନର ଏକ ଅଂଶ ।

ଏହି ଲେଖାକୁ ପୁନଃପ୍ରକାଶିତ କରିବାକୁ ଚାହୁଁଛନ୍ତି ? ଦୟାକରି  [email protected] ଏବଂ [email protected]କୁ  ଲେଖନ୍ତୁ ।

ଅନୁବାଦ: ଓଡ଼ିଶାଲାଇଭ୍‍

Jyoti Shinoli

ଜ୍ୟୋତି ଶିନୋଲି ପିପୁଲ୍‌ସ ଆର୍କାଇଭ ଅଫ୍‌ ରୁରାଲ ଇଣ୍ଡିଆର ଜଣେ ବରିଷ୍ଠ ସାମ୍ବାଦିକ ଏବଂ ପୂର୍ବରୁ ସେ ‘ମି ମରାଠୀ’ ଏବଂ ‘ମହାରାଷ୍ଟ୍ର1’ ଭଳି ନ୍ୟୁଜ୍‌ ଚ୍ୟାନେଲରେ କାମ କରିଛନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ଜ୍ୟୋତି ଶିନୋଲି
Illustration : Labani Jangi

ଲାବଣୀ ଜାଙ୍ଗୀ ୨୦୨୦ର ଜଣେ ପରୀ ଫେଲୋ ଏବଂ ପଶ୍ଚିମବଙ୍ଗ ନଦିଆରେ ରହୁଥିବା ଜଣେ ସ୍ୱ-ପ୍ରଶିକ୍ଷିତ ଚିତ୍ରକର। ସେ କୋଲକାତାସ୍ଥିତ ସେଣ୍ଟର ଫର ଷ୍ଟଡିଜ୍‌ ଇନ୍‌ ସୋସିଆଲ ସାଇନ୍ସେସ୍‌ରେ ଶ୍ରମିକ ପ୍ରବାସ ଉପରେ ପିଏଚଡି କରୁଛନ୍ତି।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Labani Jangi
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE