ଶିଲା ୱାଘମାରେଙ୍କ ପାଇଁ ରାତିରେ ଭଲ ନିଦ ହେଉଛି ଦୂରନ୍ତ ସ୍ୱପ୍ନ ।
ଚଟାଣରେ ବିଛା ଯାଇଥିବା ଏକ ଗୋଢାଡି ଉପରେ ଗୋଡ଼ ଛନ୍ଦି ବସିଥିବା ୩୩ ବର୍ଷୀୟା ଶିଲା କହିଲେ, ‘‘ମୁଁ ରାତିରେ ଶୋଇପାରେ ନାହିଁ…ଅନେକ ବର୍ଷ ହୋଇଗଲାଣି ।’’ ତାଙ୍କର ନାଲି ପଡ଼ିଯାଇଥିବା ଆଖିରୁ ଗଭୀର ଯନ୍ତ୍ରଣା ଝଲସୁଛି । ସେ ଉଜାଗର ରହିଥିବା ରାତିଗୁଡ଼ିକ ବିଷୟରେ କହିବା ବେଳେ, ତାଙ୍କ ଶରୀର ଭିଡ଼ିମୋଡ଼ି ହେଉଥିଲା ସେ ତାକୁ ଦବାଇବାକୁ ଚେଷ୍ଟା କରୁଥିଲେ । ‘‘ମୁଁ ପୁରା ରାତି କାନ୍ଦେ। ମୁଁ ଅନୁଭବ କରେ…ମୁଁ ଶ୍ୱାସରୁଦ୍ଧ ହୋଇଯିବା ଭଳି ଅନୁଭବ କରେ।’’
ମହାରାଷ୍ଟ୍ରର ବିଡ୍ ଜିଲ୍ଲାରେ ବିଡ୍ ସହରଠାରୁ ୧୦ କିମି ଦୂରରେ ରାଜୁରି ଘୋଡକା ତାଲୁକାର ଉପକଣ୍ଠରେ ଶିଲା ରହନ୍ତି । ତାଙ୍କ ଦୁଇ କୋଠରୀ ବିଶିଷ୍ଟ ଇଟା ଘରେ, ଯେତେବେଳେ ସେ ଶୁଅନ୍ତି, ତାଙ୍କ ପାଖରେ ସ୍ୱାମୀ ମାନିକ ଏବଂ ସେମାନଙ୍କର ତିନି ପିଲା କାର୍ତ୍ତିକ, ବାବୁ ଏବଂ ଋତୁଜା ଶୋଇଥାଆନ୍ତି, ତାଙ୍କର ଚାପା କାନ୍ଦ ଅନ୍ୟମାନଙ୍କୁ ଉଠାଇଦିଏ, ସେ କହିଲେ। ‘‘ମୋ କାନ୍ଦ ଯୋଗୁଁ ସେମାନଙ୍କ ନିଦ ପ୍ରଭାବିତ ହୁଏ । ତା’ପରେ ମୁଁ ଜୋରରେ ଆଖି ବନ୍ଦ କରି ଶୋଇବାକୁ ଚେଷ୍ଟା କରେ। ’’
କିନ୍ତୁ ନିଦ ଆସେ ନାହିଁ । ଏବଂ ଆଖିରୁ ଲୁହ ବନ୍ଦ ହୁଏ ନାହିଁ ।
ଶିଲା କହିଲେ, ‘‘ମୁଁ ସବୁବେଳେ ଦୁଃଖୀ, ଚିନ୍ତିତ ଅନୁଭବ କରେ ।’’ କିଛି ସମୟ ପରେ ସେ ବିରକ୍ତ ହେବା ଭଳି ଜଣାପଡ଼ିଲେ, ‘‘ମୋର ପିସ୍ଭି[ଗର୍ଭାଶୟ] ବାହାର କରାଯିବା ପରେ ଏସବୁ ଆରମ୍ଭ ହେଲା। ଏହା ସବୁଦିନ ପାଇଁ ମୋ ଜୀବନ ବଦଳାଇଦେଲା।’’ ୨୦୦୮ରେ ସେ ମାତ୍ର ୨୦ ବର୍ଷର ହୋଇଥିଲେ ଯେତେବେଳେ ସେ ଗର୍ଭାଶୟ ବାହାର କରାଇଥିଲେ। ସେବେଠାରୁ, ସେ ଗଭୀର ଦୁଃଖ, ଅନିଦ୍ରାପୂର୍ଣ୍ଣ ରାତି, ବାରମ୍ବାର ଜଳାପୋଡ଼ା ହେବା ଏବଂ ଦୀର୍ଘ ସମୟ ଧରି ରହିଥିବା ଶାରିରୀକ ଯନ୍ତ୍ରଣା ସହିଛନ୍ତି ।















