ନାମଦେଓ ତରାଳେ ନିଜ ଚାଷ ଜମିରେ ପାଦ ଥାପିବା କ୍ଷଣି ଧିମେଇ ଯାଆନ୍ତି। ଏହି ୪୮ ବର୍ଷ ବୟସ୍କ ଚାଷୀ ଜଣଙ୍କ ନିଜ ଜମିର ଗୋଟିଏ ଭାଗରେ ମୁଗଚାରାଗୁଡ଼ିକୁ ପାଖରୁ ଦେଖିବା ଲାଗି ନଇଁ ପଡ଼ୁଛନ୍ତି। ବୋଧହୁଏ କେହି ସେଗୁଡ଼ିକୁ ଖାଇ ଦେଇଛି ଓ ଦଳିମକଚି ଚାଲିଯାଇଛି। ଏହା ୨୦୨୨ ଫେବୃଆରୀ ମାସର ଏକ ଶୀତୁଆ କିନ୍ତୁ ସୁନ୍ଦର ସକାଳ; ଆକାଶରୁ ସୂର୍ଯ୍ୟଙ୍କ କୋମଳ କିରଣ ପଡ଼ୁଥାଏ।

‘‘ ହା ଏକ ପ୍ରକାରଚା ଦୁଶକାଳଚ ଆହେ (ଏହା ଏକ ନୂଆ ପ୍ରକାରର ମରୁଡ଼ି),’’ Aସେ ସଂକ୍ଷେପରେ କହିଥିଲେ।

ଏହି ବୟାନରୁ ତରାଳେଙ୍କ ହତାଶା ଓ ଭୟ ସ୍ପଷ୍ଟ ବାରି ହୋଇ ପଡ଼ୁଥାଏ। ପାଞ୍ଚ ଏକର ଚାଷ ଜମି ଥିବା ଜଣେ ଚାଷୀ ନିଜର ଠିଆ ହୋଇଥିବା ହରଡ଼ ଏବଂ ମୁଗ ଫସଲ ହରାଇବାର ଚିନ୍ତାରେ ପଡ଼ିଯାଇଛନ୍ତି, ତିନି ମାସର କଠିନ ପରିଶ୍ରମ ପରେ ସେ ଏହି ଫସଲକୁ କାଟିବାକୁ ପ୍ରସ୍ତୁତ ହୋଇ ରହିଥିଲେ। ୨୫ ବର୍ଷ ଧରି ଚାଷ କରି ଆସୁଥିବାରୁ ସେ ବିଭିନ୍ନ ପ୍ରକାର ମରୁଡ଼ି ଦେଖିଛନ୍ତି – ଅଭାବୀ କିମ୍ବା ଅତ୍ୟଧିକ ବର୍ଷାରେ ହେଉଥିବା ପାଣିପାଗ ଜନିତ ମରୁଡ଼ି; ଜଳବିଜ୍ଞାନ ସମ୍ବନ୍ଧୀୟ, ଯେତେବେଳେ ଭୂତଳ ଜଳ ଅତି ଖରାପ ସ୍ତରକୁ ଖସିଯାଏ; କିମ୍ବା କୃଷି ଜନିତ, ଯେତେବେଳେ ମାଟିର ଆର୍ଦ୍ରତା କମ୍‌ ହୋଇଥିବା କାରଣରୁ ଫସଲ ଖରାପ ହୋଇଯାଏ।

ଅସନ୍ତୋଷ ବ୍ୟକ୍ତି ତରାଳେ କୁହନ୍ତି, ଫସଲ ଭଲ ହୋଇଛି ବୋଲି ଆପଣ ଯେତେବେଳେ ଭାବନ୍ତି, ଏହି ବିପଦ ଚାରି ପାଦରେ ଆସି ଆପଣଙ୍କ କ୍ଷେତ ଉପରେ ମାଡ଼ିଯାଏ ଏବଂ ଫସଲକୁ ଟିକିନିଖି କରି ନଷ୍ଟ କରି ଦିଏ।

ବିପଦଗୁଡ଼ିକର ତାଲିକା ଦେଇ ସେ କୁହନ୍ତି, ‘‘ଦିନ ବେଳା ମାଣ୍ଡିଆଖାଇ ପକ୍ଷୀ, ମାଙ୍କଡ଼ ଓ ଠେକୁଆ; ରାତି ବେଳା ହରିଣ, ନୀଳଗାଈ, ସମ୍ବର, ବାର୍‌ହା, ବାଘ,’’।

‘‘ ଆମହାଲେ ପେରତା ୟେତେ ସାହେବ , ପଣ ୱାଚୱତା ୟେତ ନାହି (କେମିତି ବୁଣିବାକୁ ହେବ ଆମେ ଜାଣିଛୁ, କିନ୍ତୁ ଆମ ଫସଲକୁ କେମିତି ସୁରକ୍ଷା ଦେବାକୁ ହେବ ଜାଣିନାହୁଁ),’’ ସେ ପରାହତ ସ୍ୱରରେ କୁହନ୍ତି। ସେ ସାଧାରଣତଃ ମୁଗ, ମକା, ଯଅ, ହରଡ଼ ବ୍ୟତୀତ କପା ଓ ସୋୟାବିନ ଭଳି ଅର୍ଥକରୀ ଫସଲ ଚାଷ କରିଥାନ୍ତି।

Namdeo Tarale of Dhamani village in Chandrapur district likens the wild animal menace to a new kind of drought, one that arrives on four legs and flattens his crop
PHOTO • Jaideep Hardikar
Namdeo Tarale of Dhamani village in Chandrapur district likens the wild animal menace to a new kind of drought, one that arrives on four legs and flattens his crop
PHOTO • Jaideep Hardikar

ଚନ୍ଦ୍ରପୁର ଜିଲ୍ଲାର ଧାମଣୀ ଗ୍ରାମ ନିବାସୀ ନାମଦେଓ ତରାଳେ ବନ୍ୟଜନ୍ତୁଙ୍କ ଆକ୍ରମଣକୁ ଏକ ନୂଆ ପ୍ରକାରର ମରୁଡ଼ି ଭାବେ ଅଭିହିତ କରିଥାନ୍ତି, ଯେଉଁମାନେ କି ଚାରିଗୋଡ଼ରେ ଆସି ତାଙ୍କ ଫସଲକୁ ନଷ୍ଟ କରି ଦିଅନ୍ତି

Farmer Gopal Bonde in Chaprala village says, ''When I go to bed at night, I worry I may not see my crop the next morning.'
PHOTO • Jaideep Hardikar
Bonde inspecting his farm which is ready for winter sowing
PHOTO • Jaideep Hardikar

ବାମ : ଚପରାଳା ଗ୍ରାମର ଚାଷୀ ଗୋପାଳ ବୋଣ୍ଡେ କୁହନ୍ତି, ‘‘ମୁଁ ଯେତେବେଳେ ରାତିରେ ଶୋଇବାକୁ ଯାଏ, ପରଦିନ ସକାଳେ ମୁଁ ମୋ ଫସଲ ଦେଖିବାକୁ ପାଇବି କି ନାହିଁ ସେହି ଆଶଙ୍କାରେ ରହିଥାଏ। ଡାହାଣ : ଶୀତଋତୁର ବିହନ ବୁଣିବା ପାଇଁ ପ୍ରସ୍ତୁତ ହୋଇସାରିଥିବା ନିଜର ଚାଷ ଜମିକୁ ଅନୁଧ୍ୟାନ କରୁଛନ୍ତି ବୋଣ୍ଡେ

ମହାରାଷ୍ଟ୍ରର ଜଙ୍ଗଲଘେରା ଓ ଖଣିଜ ସମ୍ପଦ ପରିପୂର୍ଣ୍ଣ ଚନ୍ଦ୍ରପୁର ଜିଲ୍ଲାର ଧାମଣୀ ଗ୍ରାମରେ ତରାଳେ ଏକମାତ୍ର ଅସନ୍ତୁଷ୍ଟ ଚାଷୀ ନୁହନ୍ତି। ଏପରି ହତାଶା ଏହି ଜିଲ୍ଲା ସମେତ ମହାରାଷ୍ଟ୍ରର ଅନ୍ୟ ଭାଗରେ ବ୍ୟାପି ରହିଥିବା ତାଡ଼ୋବା ଅନ୍ଧାରୀ ଟାଇଗର ରିଜର୍ଭ (ଟିଏଟିଆର) ଭିତରେ ଓ ବାହାରେ ଥିବା ଆଖପାଖ ସଂଖ୍ୟାଧିକ ଗାଁର ଚାଷୀମାନଙ୍କୁ ବାନ୍ଧି ରଖିଛି।

ଚପରାଳା ଗ୍ରାମ (୨୦୧୧ ଜନଗଣନା ଅନୁସାରେ ଚିପରାଳା) ଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ରହୁଥିବା ୪୦ ବର୍ଷ ବୟସ୍କ ଗୋପାଳ ବୋଣ୍ଡେ ମଧ୍ୟ ସମାନ ନିରାଶା ମଧ୍ୟରେ ରହିଥାନ୍ତି। ଫେବୃଆରୀ ୨୦୨୨ର ମଧ୍ୟ ଭାଗ ଏବଂ ଯେକେହି ତାଙ୍କର ୧୦ ଏକର ଜମିରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଫସଲକୁ ଦେଖିପାରିବେ, ଏଥିମଧ୍ୟରୁ ଅଧିକାଂଶ ହେଉଛି ମୁଗ ଫସଲ। ଜମିର ଠାଏ ଠାଏ ଭାଗ ଫସଲ ମାଟିରେ ମିଶି ଯାଇଥିଲା – ଯେମିତି କେହି ପ୍ରତିଶୋଧ ଭାବନା ନେଇ ସେଗୁଡ଼ିକୁ ଦଳିମକଚି ଦେଇଛି, ଫସଲ ଉପାଡ଼ି ଦେଇଛି, ଫଳ ଖାଇ ଦେଇଛି ଏବଂ ଜମିକୁ ଉଜାଡ଼ି ଚାଲି ଯାଇଛି ।

ପ୍ରଥମ ସାକ୍ଷାତର ପ୍ରାୟ ୧ ବର୍ଷ ପରେ ଜାନୁଆରୀ ୨୦୨୩ରେ ପୁଣିଥରେ ବୋଣ୍ଡେଙ୍କ ସହିତ ଆମର ଦେଖାହୁଏ। ସେ କୁହନ୍ତି, “ରାତିରେ ମୁଁ ଶୋଇବାକୁ ଗଲେ, ପରଦିନ ସକାଳେ ମୋର ଫସଲକୁ ଦେଖିପାରିବି କି ନାହିଁ ତା’କୁ ନେଇ ଆଶଙ୍କାଗ୍ରସ୍ତ ଥାଏ।’’ ତେଣୁ ଥଣ୍ଡା ଓ ବର୍ଷା ରାତିରେ ସେ ଏକାଧିକ ଥର ବାଇକ ନେଇ ନିଜ କ୍ଷେତକୁ ଯାଆନ୍ତି। ଅଧିକ ସମୟ ପର୍ଯ୍ୟନ୍ତ ଅନିଦ୍ରା ରହିବା ଏବଂ ଥଣ୍ଡା ଯୋଗୁ ସେ ବାରମ୍ବାର ଅସୁସ୍ଥ ହୋଇପଡ଼ନ୍ତି। ଜମିରେ ଫସଲ ନଥିଲେ ସେ ବିଶ୍ରାମ ନେଇଥାନ୍ତି, ଯେମିତିକି ଗ୍ରୀଷ୍ମ ଋତୁ ସମୟରେ। କିନ୍ତୁ ବାକି ସମୟରେ ତାଙ୍କୁ ରାତି ସାରା ଚକ୍କର ଲଗାଇବାକୁ ପଡ଼ିଥାଏ, ବିଶେଷ କରି ଫସଲ ସମୟରେ। ସେ ଆହୁରି କୁହନ୍ତି ଯେ, ଶୀତ ଋତୁର ବଡ଼ି ଭୋରରୁ ସେ ନିଜ ଘର ସାମ୍ନା ଜମି ଆଗରେ ଚୌକିରେ ବସି ରୁହନ୍ତି।

ବନ୍ୟଜନ୍ତୁମାନେ ବର୍ଷ ସାରା କ୍ଷେତରୁ ଫସଲ ଖାଆନ୍ତି : ଶୀତ ଋତୁରେ ଯେତେବେଳେ କ୍ଷେତ ସବୁଜ ସୁନ୍ଦର ଥାଏ ଏବଂ ମୌସୁମୀ ଋତୁରେ ଯେତେବେଳେ ବୀଜ ଅଙ୍କୁରିତ ହେଉଥାଏ ସେହି ସମୟରେ ସେମାନେ ଆସି ଫସଲ ଚରିଯାଆନ୍ତି। ଗ୍ରୀଷ୍ମ ଋତୁରେ ଜଙ୍ଗଲୀ ପଶୁମାନେ ପାଣି ସମେତ ଚାଷ ଜମିରେ ସବୁ କିଛି ଖୋଜାଖୋଜି କରିଥାନ୍ତି।

ତେଣୁ, ବୋଣ୍ଡେ ଛପି ରହିଥିବା ବନ୍ୟଜନ୍ତୁଙ୍କୁ ଠାବ କରିବା ଜରୁରି, “ବିଶେଷ କରି ରାତିରେ ସେମାନେ ଅଧିକ ସକ୍ରିୟ ଥାଆନ୍ତି।” ତାପରେ ଯଦି ପଶୁମାନେ ଫସଲ ନଷ୍ଟ କଲେ ତାଙ୍କୁ “ସବୁ ଦିନ କେତେ ହଜାର ଟଙ୍କାର” ଆର୍ଥିକ କ୍ଷତି ସହିବାକୁ ପଡ଼ିଥାଏ। କ୍ଷେତରେ ଲୁଚି ରହିଥିବା ବାଘମାନେ ଗୃହପାଳିତ ପଶୁଙ୍କୁ ମଧ୍ୟ ମାରି ଖାଇଯାଆନ୍ତି। ଗୋଟିଏ ଦଶନ୍ଧି ମଧ୍ୟରେ ବାଘ-କଲରାପତରିଆ ଆକ୍ରମଣରେ ସେ ନିଜର ପ୍ରାୟ ଦୁଇ ଡଜନ ଗୋରୁଙ୍କୁ ହରେଇଛନ୍ତି। ସେ କୁହନ୍ତି ଯେ, ପ୍ରତି ବର୍ଷ ତାଙ୍କ ଗାଁର ପ୍ରାୟ ୨୦ ଗୋରୁଙ୍କୁ ବାଘ ଖାଇ ଯାଆନ୍ତି। ବନ୍ୟଜନ୍ତୁଙ୍କ ଆକ୍ରମଣରେ ଗାଁ ଲୋକମାନେ ମଧ୍ୟ ମୃତାହତ ହୋଇଥାନ୍ତି।

The thickly forested road along the northern fringes of the Tadoba Andhari Tiger Reseve has plenty of wild boars that are a menace for farmers in the area
PHOTO • Jaideep Hardikar
PHOTO • Jaideep Hardikar

ତାଡ଼ୋବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟର ଉତ୍ତର ସୀମାକୁ ଲାଗି ଘଞ୍ଚ ଜଙ୍ଗଲ ଭିତରେ ଯାଇଥିବା ସଡ଼କ ପାଖରେ ବହୁ ସଂଖ୍ୟାରେ ଜଙ୍ଗଲୀ ଘୁଷୁରି ରୁହନ୍ତି ଯେଉଁମାନେ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ପାଇଁ ବିପଦ ସାଜିଥାନ୍ତି

ମହାରାଷ୍ଟ୍ରର ସବୁଠୁ ପୁରୁଣା ଏବଂ ବୃହତ୍ତମ ଜାତୀୟ ଉଦ୍ୟାନ ଏବଂ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟରୁ ଅନ୍ୟତମ ଟିଏଟିଆରରେ ରହିଛି ତାଡ଼ୋବା ଜାତୀୟ ଉଦ୍ୟାନ ଏବଂ ନିକଟବର୍ତ୍ତୀ ଅନ୍ଧାରୀ ବନ୍ୟଜୀବ ଅଭୟାରଣ୍ୟ, ଯାହାର ଆକାର ୧,୭୨୭ ବର୍ଗ କିଲୋମିଟରରୁ ଅଧିକ ଏବଂ ଏହା ଚନ୍ଦ୍ରପୁର ଜିଲ୍ଲାର ତିନୋଟି ତହସିଲ କ୍ଷେତ୍ରରେ ବ୍ୟାପି ରହିଛି। ଏହି ଅଞ୍ଚଳ ସବୁଠୁ ଅଧିକ ମଣିଷ-ବନ୍ୟପ୍ରାଣୀ ସଂଘର୍ଷ କ୍ଷେତ୍ର ଭାବେ ପରିଚିତ। ଭାରତର ମଧ୍ୟବର୍ତ୍ତୀ ପାର୍ବତ୍ୟ ଭୂମି କ୍ଷେତ୍ର ଅଧୀନରେ ଟିଏଟିଆର ଆସିଥାଏ। ଏନଟିସିଏ ୨୦୨୨ର ରିପୋର୍ଟ ଅନୁଯାୟୀ, ଏହି କ୍ଷେତ୍ରରେ ବାଘଙ୍କ ସଂଖ୍ୟା ଆନୁମାନିକ ସଂଖ୍ୟା ୨୦୧୮ ମସିହାରେ ୧,୦୩୩ ଥିବାବେଳେ ବର୍ତ୍ତମାନ ଏହା ୧,୧୬୧କୁ ବୃଦ୍ଧି ପାଇଛି।

ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନଟିସିଏ)ର ୨୦୧୮ ରିପୋର୍ଟ ଅନୁଯାୟୀ ରାଜ୍ୟରେ ୩୧୫ରୁ ଅଧିକ ବାଘ ଥିବା ବେଳେ କେବଳ ତାଡ଼ୋବାରେ ପ୍ରାୟ ୮୨ ଟି ବାଘ ଅଛନ୍ତି।

ଏହି ଅଞ୍ଚଳର ବିଭିନ୍ନ ଗ୍ରାମ, ଏପରିକି ବିଦର୍ଭ ପର୍ଯ୍ୟନ୍ତ, ତରାଳେ ଓ ବୋଣ୍ଡେଙ୍କ ଭଳି ଚାଷୀମାନଙ୍କ ପାଖରେ ଚାଷ ଛଡ଼ା ଅନ୍ୟ କୌଣସି ଉପାୟ ନାହିଁ । ତେଣୁ ସେମାନେ ବନ୍ୟଜନ୍ତୁମାନଙ୍କୁ କ୍ଷେତଠାରୁ ଦୂରେଇ ରଖିବା ଲାଗି ଅଜବ ଉପାୟସବୁ ଅବଲମ୍ବନ କରିଥାନ୍ତି । ସେମାନେ ସୌର ବ୍ୟାଟେରୀ ପରିଚାଳିତ ବାଡ଼ ତିଆରି କରିଥାନ୍ତି ଯେଉଁଥିରୁ ବିଦ୍ୟୁତ ଆଘାତ ସୃଷ୍ଟି ହୋଇଥାଏ; ପୂରା କ୍ଷେତ, ଏପରିକି ଜଙ୍ଗଲ ସୀମାକୁ ଶସ୍ତା ଓ ରଙ୍ଗୀନ ନାଇଲନ ଶାଢ଼ୀରେ ଘେରାଇ ରଖିଥାନ୍ତି; ବାଣ ଫୁଟାନ୍ତି; ପୋଷା କୁକୁରଙ୍କ ଦଳକୁ ଜଗେଇ ଥାଆନ୍ତି ଏବଂ ନିକଟରେ ବଜାରକୁ ଆସିଥିବା ଚୀନ ପ୍ରସ୍ତୁତ ଉପକରଣ ବଜାଇଥାନ୍ତି ଯେଉଁଥିରୁ ପଶୁଙ୍କ ସ୍ୱର ବାହାରିଥାଏ।

ହେଲେ କିଛି କାମ ଦିଏ ନାହିଁ।

ବୋଣ୍ଡେଙ୍କ ଚପ୍ରାଳା ଓ ତରାଳେଙ୍କ ଧାମଣୀ ଗ୍ରାମ ଟିଏଟିଆର ସଂରକ୍ଷିତ ଜଙ୍ଗଲର ବଫର ଜୋନ୍‌ ଅଧୀନରେ ଆସିଥାଏ। ଟିଏଟିଆର ହେଉଛି ଏକ ପର୍ଣ୍ଣମୋଚୀ ଜଙ୍ଗଲ ଯାହାକି ଭାରତର ଗୁରୁତ୍ୱପୂର୍ଣ୍ଣ ସଂରକ୍ଷିତ ବ୍ୟାଘ୍ର ଅଭୟାରଣ୍ୟ ମଧ୍ୟରୁ ଅନ୍ୟତମ ଏବଂ ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର। ଏଠାରେ ସଂରକ୍ଷିତ ଜଙ୍ଗଲର ମୁଖ୍ୟ କ୍ଷେତ୍ରଠାରୁ ଖୁବ ନିକଟରେ ଚାଷ ଜମି ରହିଥିବା କାରଣରୁ ଚାଷୀମାନଙ୍କ କ୍ଷେତ ଉପରେ ଅଧିକାଂଶ ସମୟରେ ବନ୍ୟପ୍ରାଣୀ ଆକ୍ରମଣ କରିଥାନ୍ତି। ବଫର ଜୋନରେ ଜନବସତି ରହିଛି ଏବଂ ଏହାର ପାର୍ଶ୍ୱବର୍ତ୍ତୀ କ୍ଷେତ୍ର ସଂରକ୍ଷିତ ଅଞ୍ଚଳ ଭାବେ ପରିଗଣିତ ହୋଇଥାଏ। ଏହି କାରଣରୁ ମାନବୀୟ ଗତିବିଧି ଉପରେ କଟକଣା ରହିଛି ଏବଂ ଏହାକୁ ରାଜ୍ୟ ଜଙ୍ଗଲ ବିଭାଗ ଦ୍ୱାରା ପରିଚାଳନା କରାଯାଇଥାଏ।

In Dhamani village, fields where jowar and green gram crops were devoured by wild animals.
PHOTO • Jaideep Hardikar
Here in Kholdoda village,  small farmer Vithoba Kannaka has used sarees to mark his boundary with the forest
PHOTO • Jaideep Hardikar

ବାମ : ଧାମଣୀ ଗ୍ରାମରେ ଯଅ ଏବଂ ମୁଗ ଫସଲକୁ ବନ୍ୟଜନ୍ତୁମାନେ ନଷ୍ଟ କରି ଦେଇଛନ୍ତି । ଡାହାଣ : ଏଠାରେ ଖୋଳଦୋଡ଼ା ଗ୍ରାମରେ କ୍ଷୁଦ୍ର ଚାଷୀ ବିଠୋବା କାନନାକା ଜଙ୍ଗଲ ସହିତ ନିଜ ଜମିର ସୀମା ନିର୍ଦ୍ଧାରଣ କରିବାକୁ ଶାଢ଼ୀ ବାନ୍ଧିଛନ୍ତି

Mahadev Umre, 37, is standing next to a battery-powered alarm which emits human and animal sounds to frighten raiding wild animals.
PHOTO • Jaideep Hardikar
Dami is a trained dog and can fight wild boars
PHOTO • Jaideep Hardikar

ବାମ: ମହାଦେବ ଉମରେ (୩୭) ବ୍ୟାଟେରୀ ପରିଚାଳିତ ଆଲାରାମ ନିକଟରେ ଛିଡ଼ା ହୋଇଛନ୍ତି ଯେଉଁଥିରେ ଆକ୍ରମଣକାରୀ ଜଙ୍ଗଲୀ ପଶୁଙ୍କୁ ଘଉଡ଼ାଇବା ପାଇଁ ମଣିଷ ଓ ପଶୁଙ୍କ ଶବ୍ଦ ବାହାରିଥାଏ। ଡାହାଣ: ଡାମି ଏକ ପ୍ରଶିକ୍ଷିତ ଶ୍ୱାନ ଏବଂ ଏହା ଜଙ୍ଗଲୀ ଘୁଷୁରୀ ସହ ଲଢ଼େଇ କରିପାରେ

ଚନ୍ଦ୍ରପୁର ସମେତ ୧୧ଟି ଜିଲ୍ଲା ସାମିଲ ଥିବା ପୂର୍ବ ମହାରାଷ୍ଟ୍ରର ବିଦର୍ଭ କ୍ଷେତ୍ରରେ ଏପରି ସ୍ଥିତି ଗମ୍ଭୀର ବିପଦ ସୃଷ୍ଟି କରିଥାଏ। ଭାରତର କେତେକ ଅନ୍ତିମ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଅନ୍ୟତମ ବିଦର୍ଭରେ ରହିଛି ଏବଂ ଏହା ହେଉଛି ବହୁସଂଖ୍ୟାରେ ବାଘ ଓ ବନ୍ୟଜନ୍ତୁଙ୍କ ବାସସ୍ଥଳୀ। ଏହି କ୍ଷେତ୍ରର ଗ୍ରାମୀଣ ପରିବାରରେ ଉଚ୍ଚସ୍ତରର ଋଣଗ୍ରସ୍ତତା ଏବଂ ଚାଷୀଙ୍କ ଆତ୍ମହତ୍ୟା ଦେଖିବାକୁ ମିଳିଥାଏ।

ମହାରାଷ୍ଟ୍ରର ଜଙ୍ଗଲ ମନ୍ତ୍ରୀ ସୁଧୀର ମୁଙ୍ଗନ୍ତିୱାର ଦେଇଥିବା ବିବୃତି ଅନୁଯାୟୀ, କେବଳ ୨୦୨୨ରେ ବାଘ ଓ କଲରାପତରିଆ ବାଘଙ୍କ ଆକ୍ରମଣରେ ଚନ୍ଦ୍ରପୁର ଜିଲ୍ଲାରେ ୫୩ ଜଣ ପ୍ରାଣ ହରାଇଥିଲେ। ବିଗତ ଦୁଇ ଦଶନ୍ଧି ମଧ୍ୟରେ, ରାଜ୍ୟର ପ୍ରାୟ ୨,୦୦୦ ଲୋକ- ଅଧିକାଂଶ ଟିଏଟିଆର କ୍ଷେତ୍ରରେ – ବନ୍ୟଜନ୍ତୁ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ମୁଖ୍ୟତଃ ବାଘ, କଳା ଭାଲୁ, ବାର୍‌ହା ଓ ଅନ୍ୟାନ୍ୟ ବନ୍ୟଜନ୍ତୁ ଆକ୍ରମଣ କରିଥାନ୍ତି। ଅତିକମରେ ୧୫-୨୦ଟି ‘ସମସ୍ୟା ବାଘ’ – ନିର୍ଦ୍ଦିଷ୍ଟ ବାଘ ଓ ମଣିଷ ମଧ୍ୟରେ ସଂଘର୍ଷ ହୋଇଥାଏ।  ଏମାନଙ୍କ ଉପରେ ଅଙ୍କୁଶ ଲଗାଇବା ଜରୁରି ଥିଲା। ଚନ୍ଦ୍ରପୁର ବାଘ-ମଣିଷ ସଂଘର୍ଷର ଏକ ମୁଖ୍ୟ କେନ୍ଦ୍ର ବୋଲି ଏଥିରୁ ପ୍ରମାଣ ମିଳିଥାଏ। ପଶୁ ଆକ୍ରମଣରେ ଆହତ ହୋଇଥିବା ଲୋକମାନଙ୍କର କୌଣସି ଔପଚାରିକ ଗଣତି ନାହିଁ।

କେବଳ ପୁରୁଷମାନେ ନୁହନ୍ତି, ମହିଳାମାନେ ମଧ୍ୟ ବନ୍ୟଜନ୍ତୁ ଆକ୍ରମଣର ସମ୍ମୁଖିନ ହୋଇଥାନ୍ତି।

ନାଗପୁର ଜିଲ୍ଲାର ବେଲାପୁର ଗ୍ରାମର ଜଣେ ୫୦ ବର୍ଷରୁ ଅଧିକ ବୟସର ଆଦିବାସୀ ମହିଳା ଚାଷୀ ଅର୍ଚ୍ଚନାବାଈ ଗାୟକୱାଡ଼ କୁହନ୍ତି, ‘‘ଆମେ ଭୟରେ କାମ କରିଥାଉ।’’ କେତେ ଥର ସେ ନିଜ ଜମିରେ ବାଘକୁ ଦେଖିଛନ୍ତି। ‘‘ବାଘ କିମ୍ବା କଲରାପତରିଆ ବାଘକୁ ଆମ ଜମିରେ ଦେଖିଲେ ଆମେ ତୁରନ୍ତ ସେହି ସ୍ଥାନ ଛାଡ଼ି ଚାଲିଯାଉ,’’ ସେ କୁହନ୍ତି।

*****

‘‘ଆମେ ଆମ ଜମିରେ ପ୍ଲାଷ୍ଟିକ ଲଗାଇଲେ ମଧ୍ୟ ସେମାନେ (ବନ୍ୟଜନ୍ତୁ) ଖାଇଯିବେ!’’

ଗୋନ୍ଦିୟା, ବୁଲଢ଼ାଣା, ଭଣ୍ଡାରା, ନାଗପୁର, ୱର୍ଦ୍ଧା, ୱାଶିମ ଏବଂ ୟବତମାଲ ଜିଲ୍ଲାର ଚାଷୀମାନଙ୍କ ମଧ୍ୟରେ ହାଲୁକା ଆଲୋଚନା ଏକ ଅଦ୍ଭୂତ ରୂପ ନେଇଥାଏ। ବର୍ତ୍ତମାନର ବନ୍ୟଜନ୍ତୁମାନେ ସବୁଜ କପା ଫଳଗୁଡ଼ିକୁ ଖାଇଯାଉଛନ୍ତି, ବିଦର୍ଭ କ୍ଷେତ୍ରରେ ବୁଲୁଥିବା ଏହି ରିପୋର୍ଟରଙ୍କୁ ସେମାନେ କହିଥିଲେ।

Madhukar Dhotare, Gulab Randhayee, and Prakash Gaikwad (seated from left to right) are small and marginal farmers from the Mana tribe in Bellarpar village of Nagpur district. This is how they must spend their nights to keep vigil against wild boars, monkeys, and other animals.
PHOTO • Jaideep Hardikar
Vasudev Narayan Bhogekar, 50, of Chandrapur district is reeling under crop losses caused by wild animals
PHOTO • Jaideep Hardikar

ବାମ: ନାଗପୁର ବେଲାପାର ଗାଁର ମାନା ଆଦିବାସୀ ସମ୍ପ୍ରଦାୟର କ୍ଷୁଦ୍ର ଓ ନାମମାତ୍ର ଚାଷୀ ମଧୁକର ଧୋତରେ, ଗୁଲାବ ରଣଧ୍ୟାୟୀ ଓ ପ୍ରକାଶ ଗାୟକୱାଡ଼ (ବାମରୁ ଡାହାଣକୁ ବସିଛନ୍ତି)।  ବାର୍‌ହା, ମାଙ୍କଡ଼ ଓ ଅନ୍ୟ ପଶୁମାନଙ୍କ ଉପରେ ନଜର ରଖିବା ଲାଗି ସେମାନଙ୍କୁ ଏପରି ଭାବେ ରାତି ବିତାଇବାକୁ ପଡ଼ିଥାଏ। ଡାହାଣ : ଚନ୍ଦ୍ରପୁର ଜିଲ୍ଲାର ୫୦ ବର୍ଷ ବୟସ୍କ ବାସୁଦେବ ନାରାୟଣ ଭୋଗେକର ଜଙ୍ଗଲୀ ପଶୁଙ୍କ କାରଣରୁ ଫସଲ ଜନିତ କ୍ଷତି ସହ ସଂଘର୍ଷ କରୁଛନ୍ତି

‘‘ଫସଲ ଅମଳ ସମୟରେ ଆମ ଜୀବନ ପ୍ରତି ବିପଦ ରହିଥିଲେ ସୁଦ୍ଧା, ଆମେ ଫସଲ ସୁରକ୍ଷା ପାଇଁ ଦିନ-ରାତି କ୍ଷେତରେ ରହିବା ଛଡ଼ା ଆଉ କିଛି କରିପାରିନଥାଉ,’’ ବେଲ୍ଲାରପାର ଗାଁ ମାନା ସମ୍ପ୍ରଦାୟର ୫୦ ବର୍ଷ ବୟସ୍କ ଚାଷୀ ପ୍ରକାଶ ଗାୟକୱାଡ଼ କୁହନ୍ତି । ନାଗପୁର ଜିଲ୍ଲାର ଏହି ଗାଁ ଟିଏଟିଆର ପରିଧି ମଧ୍ୟରେ ଆସିଥାଏ।

‘‘ଏପରିକି ଆମେ ଅସୁସ୍ଥ ହୋଇଥିଲେ ସୁଦ୍ଧା, ଆମକୁ ନିଜ ଚାଷ ଜମିରେ ରହିବାକୁ ପଡ଼ିବ, ଫସଲ ଜଗିବାକୁ ହେବ। ଅନ୍ୟଥା ଆମେ କିଛି ଅମଳ କରିପାରିବୁ ନାହିଁ,’’ ଦାତ୍ତୁଜି ତାଜାନେ (୭୭) କୁହନ୍ତି। ଦାତ୍ତୁଜୀ ହେଉଛନ୍ତି ଗୋପାଳ ବୋଣ୍ଡେଙ୍କ ଗାଁ ଚପ୍ରାଳାର ବାସିନ୍ଦା। ‘‘ଏମିତି ଏକ ସମୟ ଥିଲା ଯେତେବେଳେ ଆମେ ବିନା କୌଣସି ଭୟରେ ନିଜ ଚାଷ ଜମିରେ ଶୋଇପାରୁଥିଲୁ; ଏବେ ସେମିତି ପରିସ୍ଥିତି ନାହିଁ; ସବୁଆଡ଼େ ଜଙ୍ଗଲୀ ପଶୁ ରହିଛନ୍ତି।’’

ଏହି ବିଗତ ଦଶନ୍ଧିରେ, ତରାଳେ ଓ ବୋଣ୍ଡେ ସେମାନଙ୍କ ଗାଁରେ କେନାଲ, କୂଅ ଏବଂ ନଳକୂଅ ଆକାରରେ ଜଳସେଚନ ସୁବିଧା ହୋଇଥିବା ଦେଖିଛନ୍ତି। ଫଳରେ ସେମାନେ ପାରମ୍ପରିକ କପା କିମ୍ବା ସୋୟାବିନ ବ୍ୟତୀତ ବର୍ଷ ସାରା ଦୁଇ କିମ୍ବା ତିନୋଟି ଫସଲ ଚାଷ କରିପାରୁଛନ୍ତି ଏବଂ ସେମାନଙ୍କର ଫସଲର ବିବିଧକରଣ କରିପାରୁଛନ୍ତି।

ଖରାପ ପକ୍ଷ ସ୍ପଷ୍ଟ: ଠିଆ ହୋଇଥିବା ଫସଲ ସହିତ ସବୁଜ କ୍ଷେତ ଅଛିମାନେ ହରିଣ, ନୀଳ-ବଳଦ ଓ ସମ୍ବରଙ୍କ ଭଳି ଶାକାହାରୀ ଜୀବଙ୍କ ପାଇଁ ପ୍ରଚୁର ମାତ୍ରାରେ ଖାଦ୍ୟ ହିଁ ଖାଦ୍ୟ ରହିଛି। ଶାକାହାରୀ ପଶୁ ଆସିବା ମାତ୍ରେ ସେମାନଙ୍କୁ ଖାଇବା ପାଇଁ ମାଂସାହାରୀ ଜନ୍ତୁମାନେ ଛପି ରହିଥାନ୍ତି।

ତରାଳେ କୁହନ୍ତି, ‘‘ଦିନକର କଥା,’’ ଗୋଟିଏ ପଟେ ମାଙ୍କଡ଼ ଓ ଅନ୍ୟପଟେ ବାର୍‌ହା ଆମ ଚାଷ ଜମିକୁ ଆକ୍ରମଣ କରିଥିଲେ। ଯେମିତି ସେମାନେ ମୋର ପରୀକ୍ଷା ନେଉଥିଲେ, ମୋତେ ଲାଗିଲା ଯେ ସେମାନେ ମୋତେ ଚିଡ଼ାଇବାକୁ ଚେଷ୍ଟା କରୁଥିଲେ’’।

ସେପ୍ଟେମ୍ବର ୨୦୨୨ର ଏକ ମେଘାଚ୍ଛନ୍ନ ଦିନରେ, ହାତରେ ବାଉଁଶ ବାଡ଼ିଟିଏ ଧରି ବୋଣ୍ଡେ ଆମକୁ ନିଜ କ୍ଷେତକୁ ନେଇ ଯାଇଥିଲେ ଯେଉଁଠି ସୋୟାବିନ, କପା ଓ ଅନ୍ୟାନ୍ୟ ଫସଲ ହୋଇଥିଲା। ତାଙ୍କ ଘର ପାଖରୁ ଚାଲି ଚାଲି ଗଲେ କ୍ଷେତ ପାଖରେ ପହଞ୍ଚିବାକୁ ୧୫ ମିନିଟ ଲାଗୁଥିଲା। ଏହା ପ୍ରାୟ ତିନି କିମି ଦୂରରେ ଥିଲା। ତାଙ୍କର କ୍ଷେତ ସୀମାରେ ଏକ ଛୋଟ ନଦୀ ଥିଲା ଯାହାକି କ୍ଷେତକୁ ଜଙ୍ଗଲ ଠାରୁ ପୃଥକ କରିଥିଲା। ଜଙ୍ଗଲଟି ଘଞ୍ଚ ଏବଂ ଭୟାନକ ଭାବେ ଶାନ୍ତ ଥିଲା।

Gopal Bonde’s farms bear tell-tale pug marks of wild animals that have wandered in – rabbits, wild boar and deer
PHOTO • Jaideep Hardikar
Gopal Bonde’s farms bear tell-tale pug marks of wild animals that have wandered in – rabbits, wild boar and deer
PHOTO • Jaideep Hardikar

ଗୋପାଳ ବୋଣ୍ଡେଙ୍କ କ୍ଷେତରେ ବିଚରଣ କରୁଥିବା ବନ୍ୟଜନ୍ତୁ – ଠେକୁଆ, ବାର୍‌ହା ଓ ହରିଣଙ୍କ ପାଦ ଚିହ୍ନ ପଡ଼ିଛି

ତାଙ୍କ ଜମିରେ ଚାଲି ଚାଲି ଯିବା ସମୟରେ, ଓଦା କଳାମାଟି ଉପରେ ପଡ଼ିଥିବା ଠେକୁଆ ସମେତ ୧୨ରୁ ଅଧିକ ଜଙ୍ଗଲୀ ପଶୁଙ୍କ ପାଦଚିହ୍ନ ସେ ଆମକୁ ଦେଖାଇ ଦେଇଥିଲେ। ସେମାନେ ଫସଲକୁ ଦଳିମକଚି ଦେଇଛନ୍ତି, ଖାଇ ଦେଇଛନ୍ତି, ସୋୟାବିନକୁ ଚିରି ଦେଇଛନ୍ତି ଏବଂ ସବୁଜ ଗଛକୁ ଉପାଡ଼ି ଦେଇଛନ୍ତି।

‘‘ ଆତା କା କରତା, ସାଙ୍ଗା ? (ଏବେ, କୁହ, କ’ଣ କରିବାକୁ ହେବ!),’’ ବୋଣ୍ଡେ ହତାଶ ହୋଇ କୁହନ୍ତି।

*****

ଯଦିଓ କେନ୍ଦ୍ର ସରକାରଙ୍କ ପ୍ରୋଜେକ୍ଟ ଟାଇଗର କାର୍ଯ୍ୟକ୍ରମର ଏକ ଅଂଶବିଶେଷ ଭାବେ ତାଡ଼ୋବା ଜଙ୍ଗଲକୁ ବ୍ୟାଘ୍ର ସଂରକ୍ଷଣ ପାଇଁ ଏକ ପ୍ରମୁଖ ଫୋକସ କ୍ଷେତ୍ର ଭାବେ ଗ୍ରହଣ କରାଯାଇଛି, ତଥାପି ଏହି କ୍ଷେତ୍ରରେ ରାଜପଥ, ଜଳସେଚନ କେନାଲ ଏବଂ ନୂଆ ଖଣିଗୁଡ଼ିକର ନିରନ୍ତର ବିକାଶ ଦେଖିବାକୁ ମିଳିଛି। ଏହା ସଂରକ୍ଷିତ ଜଙ୍ଗଲ କ୍ଷେତ୍ରକୁ ସଙ୍କୁଚିତ କରିବା ସହିତ ଲୋକମାନଙ୍କୁ ବିସ୍ଥାପିତ କରିଛି ଏବଂ ଜଙ୍ଗଲ ପରିବେଶ ପରିତନ୍ତ୍ରକୁ କ୍ଷତିଗ୍ରସ୍ତ କରିଛି।

ପୂର୍ବରୁ ଯେଉଁଠି ବାଘଙ୍କ ବାସସ୍ଥଳୀ ଥିଲା ସେଠାରେ ଏବେ ଖଣି ଖନନ କରାଯାଉଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ଚନ୍ଦ୍ରପୁର ଜିଲ୍ଲାର ଦକ୍ଷିଣ ଓ ପଶ୍ଚିମଭାଗରେ ପ୍ରାୟ ୨୪ଟି ସରକାରୀ ଓ ଘରୋଇ କ୍ଷେତ୍ରର କୋଇଲା ଖଣି ସକ୍ରିୟ ହୋଇଥିବା ଦେଖାଯାଇଛି।

‘‘କୋଇଲା ଖଣି କିମ୍ବା ଚନ୍ଦ୍ରପୁର ସୁପର ଥର୍ମାଲ ପାୱାର ଷ୍ଟେସନ (ସିଏସଟିପିଏସ) କ୍ୟାମ୍ପସ ପରିସରରେ ବାଘମାନଙ୍କୁ ଦେଖାଯାଇଛି। ଏସବୁ କ୍ଷେତ୍ର ସଦ୍ୟ ମଣିଷ-ପଶୁ ସଂଘର୍ଷର କେନ୍ଦ୍ର ପାଲଟିଛି। ଆମେ ସେମାନଙ୍କ ପ୍ରାକୃତିକ ବାସସ୍ଥଳୀକୁ ଦଖଲ କରି ନେଇଛୁ,’’ ପରିବେଶ କର୍ମୀ ଏବଂ ସଂରକ୍ଷକ ବଣ୍ଡୁ ଧୋତ୍ରେ କୁହନ୍ତି। ବାଘଙ୍କ ସଂଖ୍ୟା ଉପରେ ଏନଟିସିଏ ୨୦୨୨ର ରିପୋର୍ଟ ଅନୁଯାୟୀ, ମଧ୍ୟ ଭାରତୀୟ ପାର୍ବତ୍ୟଭୂମିରେ ଅଧିକ ଖଣି ଖନନ ଗତିବିଧି ଯୋଗୁଁ ସଂରକ୍ଷଣ ପାଇଁ ଏକ ଗମ୍ଭୀର ସମସ୍ୟା ଦେଖା ଦେଇଛି ।

ଟିଏଟିଆର ହେଉଛି ଏକ ବୃହତ ମଧ୍ୟ ଭାରତୀୟ ଜଙ୍ଗଲ କ୍ଷେତ୍ର ଯାହାକି ପଡ଼ୋଶୀ ୟୱତମାଲ, ନାଗପୁର ଏବଂ ଭଣ୍ଡାରା ଜିଲ୍ଲାର ଜଙ୍ଗଲ ଡିଭିଜନ ସହ ଲାଗି ରହିଛି । ଏନଟିସିଏ ୨୦୧୮ର ରିପୋର୍ଟରେ କୁହାଯାଇଛି ଯେ, ‘‘ଏହି କ୍ଷେତ୍ରରେ ମଣିଷ ଓ ବାଘଙ୍କ ମଧ୍ୟରେ ସର୍ବାଧିକ ସଂଘର୍ଷ ଦେଖିବାକୁ ମିଳିଥାଏ।’’

Namdeo Tarale with Meghraj Ladke, a farmer from Dhamani village. Ladke, 41, stopped nightly vigils after confronting a wild boar on his farm.
PHOTO • Jaideep Hardikar
Farmers in Morwa village inspect their fields and discuss widespread losses caused by tigers, black bears, wild boars, deer, nilgai and sambar
PHOTO • Jaideep Hardikar

ନାମଦେଓ ତରାଲେ (ଡାହାଣ) ଧାମଣୀ ଗ୍ରାମର ଆଉ ଜଣେ ଚାଷୀ ମେଘରାଜ ଲାଡ଼କେଙ୍କ ସହିତ ଛିଡ଼ା ହୋଇଛନ୍ତି । ଲାଡ଼କେ (୪୧) ତାଙ୍କ ଚାଷ ଜମିରେ ବାର୍‌ହା ଆକ୍ରମଣର ସମ୍ମୁଖିନ ହେବା ପରେ ରାତିରେ ଜଗିବା ଛାଡ଼ି ଦେଇଛନ୍ତି। ଡାହାଣ : ମୋରୱା ଗାଁର ଚାଷୀମାନେ ବାଘ, କଳା ଭାଲୁ, ବାର୍‌ହା, ହରିଣ, ନୀଳଗାଈ ଓ ସମ୍ବରଙ୍କ ଆକ୍ରମଣ ପରେ ନଷ୍ଟ ହୋଇଯାଇଥିବା ସେମାନଙ୍କ ଚାଷଜମିକୁ ଦେଖୁଛନ୍ତି ଏବଂ ଏଥିରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିକୁ ନେଇ ଆଲୋଚନା କରୁଛନ୍ତି

ବନ୍ୟପ୍ରାଣୀ ଜୀବବିଜ୍ଞାନୀ ଏବଂ ପୁଣେ ସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ଆଇଜର)ର ପୂର୍ବତନ ପ୍ରଫେସର ଡକ୍ଟର ମିଲିନ୍ଦ ବାଟୱେ କୁହନ୍ତି, ‘‘ଏହି ପ୍ରସଙ୍ଗକୁ ଚାଷୀଙ୍କ ସମେତ ରାଜ୍ୟର ସଂରକ୍ଷଣ ଆବଶ୍ୟକତା ପ୍ରତି ଏକ ବଡ଼ ଆର୍ଥିକ ପରିଣାମ ଭାବେ ଦେଖାଯାଉଛି।’’

ଆଇନ ଦ୍ୱାରା ସଂରକ୍ଷିତ ଜଙ୍ଗଲ କ୍ଷେତ୍ରର ସୁରକ୍ଷା ଓ ବନ୍ୟପ୍ରାଣୀଙ୍କ ସଂରକ୍ଷଣ ହେଉଥିବା ବେଳେ ଫସଲ ଓ ଗୃହପାଳିତ ପଶୁଙ୍କୁ ହରାଇବା ଜନିତ କ୍ଷତିକୁ ଚାଷୀମାନେ ଏକତରଫା ଭାବେ ବହନ କରିବାକୁ ବାଧ୍ୟ ହେଉଛନ୍ତି। ବାଟୱେ କୁହନ୍ତି, ଯେ ପଶୁଙ୍କ ଆକ୍ରମଣ ଯୋଗୁ ଫସଲ କ୍ଷତି ଚାଷୀମାନଙ୍କୁ ଅସନ୍ତୁଷ୍ଟ କରୁଛି, ଯାହାର ପ୍ରତିକୂଳ ପ୍ରଭାବ ସଂରକ୍ଷଣର ବିଭିନ୍ନ ଦିଗ ଉପରେ ପଡ଼ୁଛି । ଅନୁତ୍ପାଦକ କିମ୍ବା ପ୍ରଜନନ ପାଇଁ ଅନୁପଯୁକ୍ତ ହୋଇଥିବା ଅବାଞ୍ଛିତ ପଶୁଙ୍କ ଦଳକୁ ମାରିବା କିମ୍ବା ନିପାତ କରିବାର ପ୍ରଥାକୁ ମଧ୍ୟ ଆଇନ ରୋକିଥାଏ।

ଟିଏଟିଆର ପାର୍ଶ୍ୱବର୍ତ୍ତୀ ପାଞ୍ଚଟି ଗାଁରେ ପାଖାପାଖି ୭୫ ଜଣ ଚାଷୀଙ୍କ ସହିତ ୨୦୧୫ରୁ ୨୦୧୮ ମଧ୍ୟରେ ବାଟୱେ ଏକ ଅଧ୍ୟୟନ କରିଥିଲେ। ବିଦର୍ଭ ବିକାଶ ବୋର୍ଡର ପାଣ୍ଠି ସହାୟତାରେ ଏହି ଅଧ୍ୟୟନ ମାଧ୍ୟମରେ ସେ ସାମୂହିକ ଭାବେ ପଶୁ ଆକ୍ରମଣ ଯୋଗୁଁ ବର୍ଷସାରା ଚାଷୀଙ୍କ କ୍ଷତି ସମ୍ପର୍କରେ ରିପୋର୍ଟ କରିବା ଲାଗି ଏକ ପ୍ରଣାଳୀ ବିକଶିତ କରିଥିଲେ। ତାଙ୍କର ଆକଳନ ଅନୁଯାୟୀ, ଫସଲର ପ୍ରକାର ଉପରେ ନିର୍ଭର କରି ଚାଷୀଙ୍କ ଫସଲ ଓ ଆର୍ଥିକ କ୍ଷତି ବାର୍ଷିକ ଏକର ପିଛା ୫୦-୧୦୦ ପ୍ରତିଶତ ବା ୨୫,୦୦୦ ରୁ ୧,୦୦,୦୦୦ ଟଙ୍କା ମଧ୍ୟରେ ଥିଲା ।

କ୍ଷତିପୂରଣ ମିଳୁନଥିବା କାରଣରୁ, ଅନେକ ଚାଷୀ ସୀମିତ ଫସଲ ବିକଳ୍ପରେ ବାନ୍ଧି ହୋଇ ରହିବା କିମ୍ବା ନିଜ ଜମିକୁ ପଡ଼ିଆ ଛାଡ଼ି ଦେବାକୁ ବାଧ୍ୟ ହୋଇଥାନ୍ତି।

ବନ୍ୟଜନ୍ତୁଙ୍କ ଦ୍ୱାରା ଫସଲ ହାନି କିମ୍ବା ଗାଈଗୋରୁଙ୍କ ମୃତ୍ୟୁ ଘଟିଲେ ରାଜ୍ୟ ଜଙ୍ଗଲ ବିଭାଗ ବାର୍ଷିକ ୮୦ କୋଟି ଟଙ୍କାର କ୍ଷତିପୂରଣ ଚାଷୀମାନଙ୍କୁ ବିତରଣ କରିଥାଏ। ମାର୍ଚ୍ଚ ୨୦୨୨ରେ ଜଙ୍ଗଲ ସୁରକ୍ଷା ବାହିନୀ ମୁଖ୍ୟ, ମହାରାଷ୍ଟ୍ରର ପ୍ରଧାନ ମୁଖ୍ୟ ବନ୍ୟ ସଂରକ୍ଷକ ସୁନୀଲ ଲିମାୟେ ପରୀକୁ କହିଥିଲେ।

Badkhal says that farmers usually don’t claim compensation because the process is cumbersome
PHOTO • Jaideep Hardikar
Gopal Bonde (right) with Vitthal Badkhal (middle) who has been trying to mobilise farmers on the issue. Bonde filed compensation claims about 25 times in 2022 after wild animals damaged his farm.
PHOTO • Jaideep Hardikar

ଗୋପାଳ ବୋଣ୍ଡେ (ଡାହାଣ) ଏବଂ ୱିଠଲ ବଦଖଲ (ମଝି) ଏହି ପ୍ରସଙ୍ଗରେ ଚାଷୀମାନଙ୍କୁ ଏକତ୍ରିତ କରିବା ଲାଗି ଚେଷ୍ଟା କରୁଛନ୍ତି। ଜଙ୍ଗଲୀ ପଶୁମାନେ ତାଙ୍କ କ୍ଷେତକୁ ଉଜାଡ଼ି ଦେବା ପରେ ୨୦୨୨ରେ ବୋଣ୍ଡେ ପ୍ରାୟ ୨୫ଥର କ୍ଷତିପୂରଣ ଦାବି କରିଥିଲେ। ବଦଖଲ କୁହନ୍ତି ଯେ, ଜଟିଳ ପ୍ରକ୍ରିୟା କାରଣରୁ ଚାଷୀମାନେ ସାଧାରଣତଃ କ୍ଷତିପୂରଣ ଦାବି କରିନଥାନ୍ତି ବୋଲି ବଦଖଲ କୁହନ୍ତି

ଭଦ୍ରାବତୀ ତାଲୁକାର ଜଣେ ସତୁରୀ ବର୍ଷ ବୟସ୍କ ସଂଗ୍ରାମୀ ୱିଠଲ ବଦଖଲ କୁହନ୍ତି, ‘‘ବର୍ତ୍ତମାନ ଦିଆଯାଉଥିବା ନଗଦ କ୍ଷତିପୂରଣ ଅତି ନଗଣ୍ୟ।’’ ସେ ଏହି ପ୍ରସଙ୍ଗରେ ଚାଷୀଙ୍କୁ ସଂଗଠିତ କରୁଛନ୍ତି। ‘‘ଜଟିଳ ପ୍ରକ୍ରିୟା ଏବଂ ବୈଷୟିକ ଦୃଷ୍ଟିରୁ ବୁଝିବା କଷ୍ଟକର ହୋଇଥିବା କାରଣରୁ ଚାଷୀମାନେ ସାଧାରଣତଃ କ୍ଷତିପୂରଣ ଦାବି କରନ୍ତି ନାହିଁ,’’ ସେ ବିସ୍ତୃତ ଭାବେ କହିଥାନ୍ତି।

ବୋଣ୍ଡେ କିଛି ମାସ ପୂର୍ବରୁ ଗୋଟିଏ ଗାଈ ସହିତ ଅନେକ ଗୃହପାଳିତ ପଶୁଙ୍କୁ ହରାଇଥିଲେ। ୨୦୨୨ରେ ସେ ପ୍ରାୟ ୨୫ ଥର କ୍ଷତିପୂରଣ ଦାବି ଦାଖଲ କରିଛନ୍ତି। ପ୍ରତ୍ୟେକ ଥର ତାଙ୍କୁ ଫର୍ମ ପୂରଣ କରିବାକୁ ପଡ଼ୁଥିଲା, ସ୍ଥାନୀୟ ବନ ଏବଂ ରାଜସ୍ୱ ବିଭାଗ ଅଧିକାରୀମାନଙ୍କୁ ସୂଚନା ଦେବାକୁ ପଡ଼ୁଥିଲା, ସ୍ଥାନୀୟ ଅଧିକାରୀମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନର ପଞ୍ଚନାମା (ବା ନିରୀକ୍ଷଣ) କରିବା ଲାଗି ରାଜି କରିବାକୁ ପଡ଼ୁଥିଲା, ନିଜ ଖର୍ଚ୍ଚର ରେକର୍ଡ ରଖିବାକୁ ହେଉଥିଲା ଏବଂ ନିଜର ଦାବି ଦାଖଲର ସ୍ଥିତି ଉପରେ ନଜର ରଖିବାକୁ ପଡ଼ୁଥିଲା। ସେ କୁହନ୍ତି ଯେ ତାଙ୍କୁ କୌଣସି କ୍ଷତିପୂରଣ ମିଳିବା ଲାଗି ଅନେକ ମାସ ଲାଗିଥିଲା। ‘‘ଆଉ ଏଥିରେ ମୋର ସବୁ କ୍ଷତି ଭରଣା ହୋଇପାରିବ ନାହିଁ।’’

ଡିସେମ୍ବର ୨୦୨୨ର ଆଉ ଏକ ଶୀତୁଆ ସକାଳେ ବୋଣ୍ଡେ ଆମକୁ ପୁଣିଥରେ ନିଜ ଚାଷ ଜମିକୁ ନେଇଯାଆନ୍ତି, ଯେଉଁଥିରେ ନୂଆ କରି ମୁଗ ଫସଲ ବୁଣା ହୋଇଛି। ବାରହାମାନେ ପୂର୍ବରୁ ତଳି ଗଛଗୁଡ଼ିକୁ ଖାଇଯାଇଛନ୍ତି ଏବଂ ବୋଣ୍ଡେ ଫସଲର ଭାଗ୍ୟ କ’ଣ ହେବ ତା’କୁ ନେଇ ଅନିଶ୍ଚିତ ଅଛନ୍ତି।

ଏହାର ପରବର୍ତ୍ତୀ ମାସଗୁଡ଼ିକରେ ସମ୍ଭବତଃ ହରିଣଙ୍କ ଦଳ ଦ୍ୱାରା ନଷ୍ଟ କରି ଦିଆଯାଇଥିବା କିଛି ଭାଗକୁ ଛାଡ଼ି ଦେଲେ ଅନ୍ୟ ଭାଗର ଫସଲକୁ ସୁରକ୍ଷିତ ରଖିପାରେ ସକ୍ଷମ ହୋଇଥିଲେ।

ପଶୁମାନଙ୍କର ଖାଦ୍ୟ ଆବଶ୍ୟକ। ଅନୁରୂପ ଭାବେ ବୋଣ୍ଡେ, ତରାଳେ ଓ ଅନ୍ୟ ଚାଷୀମାନଙ୍କ ପରିବାର ମଧ୍ୟ ଖାଦ୍ୟ ପାଇଁ ଚାଷ କରନ୍ତି। ସେମାନଙ୍କ କ୍ଷେତରେ ହିଁ ଉଭୟ ପକ୍ଷଙ୍କ ମଧ୍ୟରେ ସଂଘର୍ଷ ହୋଇଥାଏ।

ଅନୁବାଦ : ଓଡ଼ିଶାଲାଇଭ୍‍

Jaideep Hardikar

ଜୟଦୀପ ହାର୍ଦିକର୍‌ ନାଗପୁରର ଜଣେ ସାମ୍ବାଦିକ ଏବଂ ଲେଖକ, ଏବଂ PARIର ଜଣେ କୋର୍‌ ଟିମ୍‌ ସଦସ୍ୟ

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ଜୟଦୀପ ହାର୍ଦିକର
Editor : Urvashi Sarkar

ଉର୍ବଶୀ ସରକାର ହେଉଛନ୍ତି ଜଣେ ସ୍ୱାଧୀନ ସମ୍ବାଦିକା ଓ ୨୦୧୬ ପରୀ ଫେଲୋ

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ ଉର୍ବଶୀ ସର୍କାର
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE