ଯଦି ବିଶାଲ ଆଜି ବଞ୍ଚିଥାନ୍ତା ତା’ହେଲେ ସେ କ’ଣ କରୁଥାନ୍ତା? ବୋଧହୁଏ ଏହି କିଶୋରଟି ଗୁଡ଼ି ଉଡ଼ାଉଥାନ୍ତା କିମ୍ବା ତା’ ସାଙ୍ଗମାନଙ୍କ ସହ ଖେଳୁଥାନ୍ତା। ସେ ହୁଏତ ତା’ବାପାଙ୍କ ସହ ପରିବାରର ଦୁଇ ଏକର ଜମିରେ କାମ କରୁଥାନ୍ତା କିମ୍ବା ସେ ବେଳେ ବେଳେ ଯେମିତି କରୁଥିଲା ଦିନ ମଜୁରିଆ ଭାବରେ ଛୋଟ ମୋଟ କାମ କରୁଥାନ୍ତା। ସେ ନୂଆ ପୋଷାକ ଚାହୁଁଥିଲା, ତା’ ପିତାମାତା ମନେ ପକାଉଥିଲେ। ତାହା ହିଁ କେବଳ ସେ ମାଗୁଥିଲା।
କିନ୍ତୁ ବିଶାଳ ଖୁଲେ ଦୀପାବଳିର ୧୦ଦିନ ପରେ ଗତ ନଭେମ୍ବରରେ ମୃତ୍ୟୁବରଣ କଲା, ତା’ର ବାପା କେଇଦିନ ପୂର୍ବରୁ ସେମାନଙ୍କ ଫସଲରେ ସିଞ୍ଚନ କରିବା ପାଇଁ ଯେଉଁ ବାଳୁଙ୍ଗାନାଶକ ବୋତଲ ଆଣିଥିଲେ, ତାହା ପିଇ ସେ ମୃତ୍ୟୁବରଣ କରିଥିଲା। ସେହିଦିନ ସେ ଏକ କୋଚାମୋଚା ହୋଇଥିବା ଧଳା ସାର୍ଟ ଓ ନୀଳ ପ୍ୟାଣ୍ଟ ପିନ୍ଧି ଥିଲା ବୋଲି ପୋଲିସ ରିପୋର୍ଟରୁ ଜଣାପଡିଛି। ବିଶାଲକୁ ଏ ପର୍ଯ୍ୟନ୍ତ ୧୬ବର୍ଷ ବୟସ ହୋଇନଥିଲା।
ତା’ର ବାପା ବିଶ୍ୱନାଥ ଖୁଲେଙ୍କ ପରିବାର ବାସ କରୁଥିବା ଦୁଇବଖରା ଚାଳଘରେ ଝରକା ମଝିରେ ଗୋଟିଏ ସ୍ଥାନ ଦେଖାଇ କହିଲେ, ‘‘ସେ ଏହିଠାରେ ପଡ଼ିଗଲା’’। ‘‘ତା’ର ମାଆ ସଂଲଗ୍ନ ରୋଷେଇ ଘରେ ଚପାତି ତିଆରି କରୁଥିଲା। ମୁଁ ସେଠି ବାହାରେ ଥିଲି।’’ ସେ ବାହାର ଅଗଣା ଆଡ଼କୁ ଅନାଇ କହୁଥିଲେ। ଯେତେବେଳେ ତାଙ୍କ ପୁଅ ଗୋଟିଏ ଶବ୍ଦ କରି ପଡ଼ିଗଲା ସିଲା ଖୁଲେ ଦୌଡ଼ି ଆସି ଦେଖିଲେ ବିଶାଲ ଚଟାଣରେ ପଡ଼ିଛି। ‘‘ଗୋଟିଏ ଧଳା ଫେଣ ତା’ ପାଟିରୁ ବାହାରୁଛି’’। ତା’ ପାଖରେ ବାଳୁଙ୍ଗାନାଶକର କେନ୍ଟି ଖାଲି ପଡ଼ିଛି। ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ବିଶାଲ ମୃତ୍ୟୁବରଣ କରିସାରିଥିଲା।
ବିଶ୍ୱନାଥ କହିଥିଲେ, ‘‘ଏହା ଆମ ଜୀବନର ସବୁଠାରୁ ଅନ୍ଧାରୀ ସମୟ’’
୧୫୦୦ ଜନସଂଖ୍ୟା ବିଶିଷ୍ଟ ଦଧାମ ଏହି ଅଞ୍ଚଳର ସବୁଠାରୁ ଗରିବ ଗ୍ରାମଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏହା ମହାରାଷ୍ଟ୍ରର କପା ଏବଂ ସୋୟାବିନ ଚାଷ ହେଉଥିବା ଅଞ୍ଚଳ ପଶ୍ଚିମ ବିଦର୍ଭର ଏକ ମୁଖ୍ୟ ସହର ଆକୋଲାଠାରୁ ପ୍ରାୟ ୨୫କିଲୋମିଟର ଦୂରରେ ରହିଛି। ଏହି ଅଞ୍ଚଳ ୧୯୯୦ ଦଶକ ମଧ୍ୟଭାଗରୁ କୃଷକ ଆତ୍ମହତ୍ୟା ଘଟଣା ଜାରି ରହିବା କାରଣରୁ ଖବରରେ ରହିଛି। ଏହି ଅଞ୍ଚଳରେ ଲଗାତର କିଛି ବର୍ଷ ହେବ ମରୁଡ଼ି ଏବଂ କୃଷି ବିପର୍ଯ୍ୟୟ ଲାଗି ରହିଛି ଯାହା କ୍ରମଶଃ ଖରାପରୁ କଦର୍ଯ୍ୟ ହେଉଛି।
ମହାରାଷ୍ଟ୍ରର ପୂର୍ବ ଏବଂ କେନ୍ଦ୍ରୀୟ ଅଞ୍ଚଳ ବିଦର୍ଭ ଏବଂ ମରାଠାୱାଡାରେ କୃଷକ ଆତ୍ମହତ୍ୟା ନ କମିବା ସମ୍ପର୍କରେ ଖବର ଆସୁଛନ୍ତି ଏବଂ ସରକାର ଏହାକୁ ସ୍ୱୀକାର କରୁଛନ୍ତି। ଏ ମଧ୍ୟରେ ଆଉ ଏକ ସମ୍ପର୍କିତ ଦୁଃଖଦ ଘଟଣା ଚାଲିଛି ଯାହା ଉପରେ କାହାର ଲକ୍ଷ୍ୟ ନାହିଁ: ଋଣ ଭାର ଗ୍ରସ୍ତ କୃଷକମାନଙ୍କ ଛୋଟ ପିଲାମାନଙ୍କ ଦ୍ୱାରା ଆତ୍ମହତ୍ୟା ଘଟଣା।। (କୃଷକଙ୍କ ପିଲାମାନେ ଅତୀତରେ ସେମାନଙ୍କ ଜୀବନ ନେଇଛନ୍ତି, କିନ୍ତୁ ଖବରକାଗଜ ରିପୋର୍ଟ ସୂଚିତ କରୁଛି ଯେ ଏହି ଘଟଣା ଗତ ଦୁଇବର୍ଷରେ ବଢ଼ିଛି)।
ଯଦିଓ ପିଲାମାନଙ୍କ (୧୮ରୁ କମ୍; କିମ୍ବା ୨୦ରୁ କମ୍ ବୟସର ଯୁବକ) ଦ୍ୱାରା କରାଯାଇଥିବା ଆତ୍ମହତ୍ୟା ଉପରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ, ତଥାପି ଭାରତରେ କୃଷି ବିପର୍ଯ୍ୟୟର ପରିଣାମ ସଂକ୍ରାନ୍ତୀୟ ବିଭିନ୍ନ ଅଧ୍ୟୟନ ଓ ରିପୋର୍ଟ-୨୦୦୫ରୁ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ନିୟୋଜନ କରାଯାଇଥିବା ଘରରୁ ଘର ସର୍ବେକ୍ଷଣ ଯାହାକି ଟାଟା ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍ସ ଏବଂ ଦି ଇନ୍ଦିରାଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ୍ ଡେଭଲମେଣ୍ଟ ରିସର୍ଚ୍ଚ ଦ୍ୱାରା କରାଯାଇଥିଲା-ତାହା କୃଷକ ପରିବାରଗୁଡ଼ିକରେ ପିଲାମାନଙ୍କ ଉପରେ ଋଣ ଏବଂ ବିପର୍ଯ୍ୟୟର ପ୍ରଭାବ ଆଡ଼କୁ ନିର୍ଦ୍ଦେଶ କରିଛି। କୃଷକମାନଙ୍କର ଅନେକ କିଶୋର ବୟସର ପିଲାମାନେ ସେମାନଙ୍କ ପିତାମାତାଙ୍କ ଋଣ ଉତ୍ତରାଧିକାରୀ ସୂତ୍ରରେ ପାଆନ୍ତି ଏବଂ ଜଣେ ବୟସ୍କ ବ୍ୟକ୍ତିର ଦାୟିତ୍ୱ ଗ୍ରହଣ କରିବାକୁ ବାଧ୍ୟ ହୁଅନ୍ତି। ଅଧାରୁ ସ୍କୁଲ ଛାଡ଼ନ୍ତି ଏବଂ ହଳ କରନ୍ତି, ଅବସାଦରେ ଚାପି ହୋଇଯାଆନ୍ତି ଏବଂ ଝିଅମାନଙ୍କୁ ଖୁବ୍ ଶୀଘ୍ର ବିବାହ କରାଇଦିଆଯାଏ ଯେପରିକି ପରିବାର ଉପରେ ଜଣେ କମ୍ ବ୍ୟକ୍ତିର ଖାଇବା ଦାୟିତ୍ୱ ପଡ଼ିବ।





