ସେଇ ରାତିରେ ଯେତେବେଳେ ବିକ୍ରମ ଘରକୁ ଫେରିଲା ନାହିଁ, ତା’ର ମାଆ ପ୍ରିୟା ଆଦୌ ଚିନ୍ତା କରି ନଥିଲେ । କମାଠିପୁରାର ଆଉ ଏକ ଗଳିରେ ରହୁଥିବା ଜଣେ ଘରୱାଲିଙ୍କ ଘରେ ସେ କାମ କରୁଥିଲା ଏବଂ ସାଧାରଣତଃ ରାତି ୨ଟା ବେଳକୁ ଘରକୁ ଫେରୁଥିଲା, କିମ୍ବା କେବେକେବେ ରାତିରେ ଯଦି ସେ ତା’ର କାର୍ଯ୍ୟସ୍ଥଳୀରେ ଶୋଇ ପଡୁଥିଲା, ତେବେ ତା ପରଦିନ ସକାଳେ ଘରକୁ ଫେରୁଥିଲା ।
ସେ ତାକୁ ଫୋନ୍ କରିବାକୁ ଚେଷ୍ଟା କଲେ, କିନ୍ତୁ କୌଣସି ଉତ୍ତର ମିଳିଲା ନାହିଁ । ତା ପରଦିନ, ଅର୍ଥାତ୍ ଅଗଷ୍ଟ ୮ ତାରିଖ ସନ୍ଧ୍ୟା ସୁଦ୍ଧା ସେ ଯେତେବେଳେ ଘରକୁ ଫେରିଲା ନାହିଁ, ସେ ବ୍ୟଗ୍ର ହୋଇ ଉଠିଲେ । କେନ୍ଦ୍ରୀୟ ମୁମ୍ବାଇର ନାଗପଡ଼ା ଥାନାରେ ସେ ନିଖୋଜ ହୋଇଥିବା ସଂପର୍କିତ ଏକ ଅଭିଯୋଗ ଦାୟର କଲେ । ପରଦିନ ସକାଳେ ପୋଲିସ ସିସିଟିଭି ଦୃଶ୍ୟାବଳୀ ଯାଞ୍ଚ କରିବା ଆରମ୍ଭ କଲା । ପ୍ରିୟା କହନ୍ତି, “ମୁମ୍ବାଇ ସେଣ୍ଟ୍ରାଲର ଏକ ମଲ୍ ନିକଟ ଫୁଟ୍ବ୍ରିଜ୍ ପାଖରେ ତାକୁ ଦେଖିବାକୁ ମିଳିଥିଲା ।”
ତାଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଲା । ବିସ୍ମୟରେ ସେ କହିଲେ “ତା’କୁ କେହି ସାଙ୍ଗରେ ନେଇ ଯାଇଥିବ କି ? ତାକୁ କ’ଣ ଏହି ନୟା ବିମାରୀ (କୋଭିଡ୍) ହୋଇଯାଇଥିବ କି ?” ସେ କହନ୍ତି, “ଏ ଅଞ୍ଚଳରେ କାହାର କ’ଣ ହୁଏ, କେହି ପଚାରନ୍ତିନି ।”
ଅଥଚ ବିକ୍ରମ ନିଜ ଇଚ୍ଛାରେ ହିଁ ଘରୁ ଚାଲିଯାଇଥିଲା, ଏହି ଯାତ୍ରା ପାଇଁ ସେ ଆଗରୁ ଯୋଜନାକରିଥିଲା । ତା’ର ମାଆ, ବୟସର ୩୦ ଦଶକରେ ଥିବା ଜଣେ ଯୌନକର୍ମୀ, ଲକ୍ଡାଉନ୍ ସମୟରେ କାମ କରିପାରିଲେନି । ଏବଂ ସେ ଦେଖିଆସୁଥିଲା ଯେ ମାଆଙ୍କ ଆର୍ଥିକ ସ୍ଥିତି ବିଗିଡ଼ିବାରେ ଲାଗିଛି ଏବଂ ଋଣଭାର ବଢ଼ିବାରେ ଲାଗିଛି । ନିକଟସ୍ଥ ମଦନପୁରାର ଏକ ହଷ୍ଟେଲରେ ରହୁଥିବା ତା’ର ନଅ ବର୍ଷୀୟା ଭଉଣୀ ରିଦ୍ଧି ଘରକୁ ଫେରିଆସିଥିଲା ଏବଂ ଏବେ ଏହି ପରିବାର କେବଳ ବିଭିନ୍ନ ବେସରକାରୀ ସଂସ୍ଥା ପକ୍ଷରୁ ବଣ୍ଟାଯାଉଥିବା ଖାଦ୍ୟ ସାମଗ୍ରୀ ଉପରେ ନିର୍ଭର କରି ବଞ୍ଚି ରହିଥିଲା। (ଏହି ଲେଖାରେ ସବୁ ନାଁ ବଦଳାଇ ଦିଆଯାଇଛି)
ଆଉ ମାର୍ଚ୍ଚ ମାସରେ ଲକ୍ଡାଉନ୍ ଲାଗୁ ହେବା ଯୋଗୁଁ ବାଇକୁଲାର ଯେଉଁ ମ୍ୟୁନିସିପାଲ ସ୍କୁଲରେ ବିକ୍ରମ ପଢୁଥିଲା, ତାହା ମଧ୍ୟ ବନ୍ଦ ହୋଇଗଲା । ତେଣୁ ୧୫ ବର୍ଷୀୟ ବିକ୍ରମ ଏଠିସେଠି ଛୋଟମୋଟ କାମ କରିବା ଆରମ୍ଭ କରିଦେଲା ।
ପରିବାର ପାଇଁ ପ୍ରତି ଦିନ ରାନ୍ଧିବାକୁ କିରୋସିନ କିଣିବା ଲାଗି ୬୦-୮୦ ଟଙ୍କା ଆବଶ୍ୟକ ହେଉଥିଲା । କମାଠିପୁରାର ସେଇ ଛୋଟିଆ ଘରଟିର ଭଡ଼ା ଦେବାକୁ ବି ସେମାନେ ସଂଘର୍ଷ କରୁଥିଲେ । ଔଷଧପତ୍ର ଏବଂ ପୂର୍ବରୁ କରିଥିବା ଋଣ ଶୁଝିବା ପାଇଁ ସେମାନଙ୍କର ଟଙ୍କା ଦରକାର ହେଉଥିଲା । ପ୍ରିୟା ତାଙ୍କ ଗ୍ରାହକମାନଙ୍କ ପାଖରୁ କିମ୍ବା ସ୍ଥାନୀୟ ଲୋକଙ୍କ ପାଖରୁ ଆହୁରି ଋଣ ନେବାରେ ଲାଗିଲେ । କିଛି ବର୍ଷ ଭିତରେ ଜଣେ ସାହୁକାରଙ୍କ ପାଖରୁ ସେ ନେଇଥିବା ଋଣ, ସୁଧମୂଳ ମିଶି ୬୨,୦୦୦ ଟଙ୍କାରେ ପହଞ୍ଚିଗଲା । ଆଉ ଛଅ ମାସରୁ ଅଧିକ ସମୟ ହେଲା ସେ ତାଙ୍କ ଘରୱାଲି (ଘର ମାଲିକାଣୀ ଏବଂ ଗଣିକାଗୃହ ପରିଚାଳିକା)ଙ୍କୁ ମାସିକ ଘରଭଡ଼ା ବାବଦ ୬,୦୦୦ ଟଙ୍କାର ଅଧା ଦେବାରେ ସକ୍ଷମ ହେଉଥିଲେ ଏବଂ ତା ସହିତ ତାଙ୍କଠାରୁ ମଧ୍ୟ ୭,୦୦୦ ଟଙ୍କା ଧାର କରିଥିଲେ ।











