ଗୟାବାଈ ଚଭନ୍ କହିଲେ, “ପ୍ରଥମେ ସେମାନେ କହିଲେ ଯେ କାର୍ଡରେ ଷ୍ଟାମ୍ପ୍ ବାଜିନି । ତା’ପରେ ମୁଁ ଏଥିରେ ଷ୍ଟାମ୍ପ୍ ମାରିବା ପାଇଁ ସବୁ କାଗଜପତ୍ର ପ୍ରସ୍ତୁତ କଲି । କିନ୍ତୁ ସେମାନେ ମୋତେ କୌଣସି ରାସନ ଦେଇନାହାଁନ୍ତି”।
ଏପ୍ରିଲ୍ ୧୨ ରେ, ଯେତେବେଳେ ମୁଁ ପୁଣେ ମ୍ୟୁନିସିପାଲିଟି କର୍ପୋରେସନ୍ର ଠିକା କର୍ମଚାରୀ ଗୟାବାଈଙ୍କୁ ଭେଟିଥିଲି, ସେତେବେଳେ ସେ ଲକ୍ ଡାଉନ୍ ସମୟରେ ପରିବାର ପାଇଁ ଖାଦ୍ୟ କିଣିବାକୁ ନେଇ ଚିନ୍ତିତ ଥିଲେ । ସେ ଦାରିଦ୍ର ସୀମାରେଖା ତଳେ (ବିପିଏଲ) ରହୁଥିବା ପରିବାରମାନଙ୍କୁ ଦିଆଯାଇଥିବା ହଳଦିଆ ରାସନ କାର୍ଡରେ ପିଡିଏସ୍ (ସର୍ବସାଧାରଣ ବଣ୍ଟନ ପ୍ରଣାଳୀ) ଆଉଟଲେଟରୁ ରାସନ ପାଇବାରେ ଅସମର୍ଥ ହେଲେ । ପୁଣେର କୋଥ୍ରୁଡର ଶାସ୍ତ୍ରୀ ନଗର ଅଞ୍ଚଳରେ ଥିବା ତାଙ୍କ ଘର ପାଖ ଦୋକାନରେ ଦୋକାନୀ ତାଙ୍କୁ କହିଥିଲେ ଯେ ତାଙ୍କ କାର୍ଡ ବୈଧ ନୁହେଁ। ‘‘ସେ କହିଲେ ଯେ ରାସନ ପାଇବା ପାଇଁ ମୋର ନାମ ତାଲିକାରେ ନାହିଁ।’
୪୫ ବର୍ଷ ବୟସ୍କା ଗୟାବାଈ, ୧୪ ବର୍ଷ ପୂର୍ବେ ପିଏମସିରେ ଝାଡ଼ୁଦାର ଭାବରେ କାମ କରିବା ଆରମ୍ଭ କରିଥିଲେ । ସେ କାରଖାନା କର୍ମଚାରୀ ଭାବରେ କାମ କରୁଥିବା ତାଙ୍କ ସ୍ୱାମୀ ଭିକା ଦୁର୍ଘଟଣାରେ ଅକ୍ଷମ ହୋଇଯିବାର ଏକ ବର୍ଷ ପରେ କାମ କରିବା ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ସଦସ୍ୟ । ତାଙ୍କର ବଡ ଝିଅ ବିବାହିତ, ସାନ ଝିଅ ଏବଂ ପୁଅ ଦୁହେଁ ଅଧାରୁ ସ୍କୁଲ୍ ଛାଡିଛନ୍ତି ଏବଂ ରୋଜଗାର କରୁନାହାଁନ୍ତି। ଗୟାବାଈ ତାଙ୍କର ମାସିକ ଟ. ୮,୫୦୦ ଆୟରେ ଘର ଚଳାଉଥିଲେ। ଶାସ୍ତ୍ରୀ ନଗର ଚଲ୍ରେ ଥିବା ତାଙ୍କ ଟିଣ ଛାତର ଘର ଭଙ୍ଗାରୁଜା ଅବସ୍ଥାରେ ଅଛି । ସେ କହିଥିଲେ, "ଏହା ମୋର ଅବସ୍ଥା, କିନ୍ତୁ ମୁଁ ରାସନ ପାଉ ନାହିଁ।"
ରାସନ ଦୋକାନକୁ ତାଙ୍କର ନିରର୍ଥକ ଯାତ୍ରା କେବଳ ଲକଡାଉନ୍ କାରଣରୁ ନୁହେଁ । ସେ କହିଛନ୍ତି, “ସେମାନେ [ଦୋକାନୀମାନେ] ମୋତେ ଛଅ ବର୍ଷ ହେବ ରାସନ ଦେଇନାହାଁନ୍ତି।’’ ସେ ଆଶା କରିଥିଲେ ଯେ ଲକଡାଉନ୍ ସମୟରେ ସେମାନେ ଦୟା କରିବେ ।
ମାର୍ଚ୍ଚ ୨୫ ରେ ଲକ୍ଡାଉନ୍ ଆରମ୍ଭ ହେବାର ଦୁଇ ସପ୍ତାହରୁ ଅଧିକ ସମୟ ପରେ ଗୟାବାଈ ରହୁଥିବା କଲୋନୀରେ ଥିବା ଅନେକ ପରିବାର ସ୍ଥାନୀୟ ପିଡିଏସ୍ ଦୋକାନରୁ ଖାଦ୍ୟ ସାମଗ୍ରୀ କିଣିବାକୁ ଅସମର୍ଥ ହୋଇଥିଲେ । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (୨୦୧୩) ରେ ଅନ୍ତର୍ଭୁକ୍ତ ରାସନ-କାର୍ଡ ଧାରକମାନଙ୍କ ପାଇଁ ସବସିଡି ଯୁକ୍ତ ଶସ୍ୟ ଉପଲବ୍ଧ ହେବ ବୋଲି କେନ୍ଦ୍ର ସରକାରଙ୍କ ଆଶ୍ୱାସନା ସତ୍ତ୍ୱେ ଦୋକାନୀମାନେ ସେମାନଙ୍କୁ ଫେରାଇବା ପାଇଁ ବିଭିନ୍ନ କାରଣ ଦର୍ଶାଇଛନ୍ତି।




