‘‘ମୋ ଜେଜେବାପାଙ୍କର ୩୦୦ ଓଟ ଥିଲେ । ଏବେ ମୋ ପାଖରେ ମାତ୍ର ୪୦ଟି ରହିଛନ୍ତି । ଅନ୍ୟଗୁଡ଼ିକ ମୃତ୍ୟୁବରଣ କଲେଣି… ସେମାନଙ୍କୁ ସମୁଦ୍ରକୁ ଯିବା ପାଇଁ ଅନୁମତି ମିଳୁନାହିଁ,’’ ଜେଠାଭାଇ ରବାରୀ କୁହନ୍ତି। ସେ ଖମ୍ଭାଲିୟା ତାଲୁକା ରେ ଥିବା ବେହ ଗ୍ରାମରେ ଓଟମାନଙ୍କୁ ସମୁଦ୍ର ଉପକୂଳରେ ଚରାଇଥାନ୍ତି। ଏମାନେ ହେଉଛନ୍ତି ଖରାଇ ନାମକ ଏକ ବିଲୁପ୍ତପ୍ରାୟ ପ୍ରଜାତିର ଓଟ ଯେଉଁମାନେ କେବଳ ଗୁଜରାଟର ତଟବର୍ତ୍ତୀ ପରିବେଶ ସହ ନିଜକୁ ଖାପଖୁଆଇ ନେଇଛନ୍ତି । କଚ୍ଛ ତଟବର୍ତ୍ତୀ ହେନ୍ତାଳ ବନରେ ଏହି ଓଟମାନେ ଘଣ୍ଟା ଘଣ୍ଟା ଧରି ଖାଦ୍ୟ ଅନ୍ୱେଷଣରେ ସମୁଦ୍ରରେ ପହଁରିଥାନ୍ତି ।
ସାମୁଦ୍ରିକ ଜାତୀୟ ଉଦ୍ୟାନ ଏବଂ ଅଭୟାରଣ୍ୟ ଥିବା ତଟବର୍ତ୍ତୀ ଇଲାକାର ଦକ୍ଷିଣ ସମୁଦ୍ର ଉପକୂଳରେ ସପ୍ତଦଶ ଶତାବ୍ଦୀଠାରୁ ଫକୀରଜାଟ ଓ ଭୋପାରବାରୀ ସମୁଦାୟର ଲୋକମାନେ ଖରାଇ ଓଟମାନଙ୍କୁ ଚରାଇ ଆସୁଛନ୍ତି । କିନ୍ତୁ ୧୯୯୫ ମସିହାରେ ସାମୁଦ୍ରିକ ଉଦ୍ୟାନ ମଧ୍ୟରେ ଓଟ ଚରାଇବା ଉପରେ କଟକଣା ଲାଗୁ ହୋଇଥିଲା, ଏହା ଓଟ ଏବଂ ସେମାନଙ୍କ ପାଳକମାନଙ୍କ ଜୀବନଜୀବିକା ପ୍ରତି ବିପଦ ସୃଷ୍ଟି କରିଛି ।
ଏହି ଓଟମାନଙ୍କୁ ଚେର (ହେନ୍ତାଳ) ଦରକାର ବୋଲି ଜେଠାଭାଇ କୁହନ୍ତି । ହେନ୍ତାଳ ପତ୍ର ସେମାନଙ୍କ ଭୋଜନରେ ଏକ ଜରୁରି ଉପାଦାନ। ‘‘ପତ୍ର ଖାଇବାକୁ ଅନୁମତି ନମିଳିଲେ ସେମାନେ ମୃତ୍ୟୁବରଣ କରିବେ ନାହିଁ କି?’’ ଜେଠାଭାଇ ପ୍ରଶ୍ନ କରିଥାନ୍ତି । କିନ୍ତୁ ଯଦି ଏହି ପ୍ରାଣୀମାନେ ସମୁଦ୍ର ମଧ୍ୟକୁ ଯାଆନ୍ତି, ସେ କୁହନ୍ତି, ‘‘ସାମୁଦ୍ରିକ ଉଦ୍ୟାନ କର୍ତ୍ତୃପକ୍ଷ ଆମ ଉପରେ ଜୋରିମାନା ଲାଗୁ କରିବା ସହିତ ଆମ ଓଟମାନଙ୍କୁ ଜବତ କରି ସେମାନଙ୍କୁ ଅଟକ ରଖିଥାନ୍ତି।’’
ଏହି ଭିଡିଓରେ, ହେନ୍ତାଳ ସନ୍ଧାନରେ ପହଁରୁଥିବା ଓଟମାନଙ୍କୁ ଆମେ ଦେଖିପାରିବା । ସେମାନଙ୍କୁ ବଞ୍ଚାଇ ରଖିବା ଲାଗି ପଶୁପାଳକମାନେ ସମ୍ମୁଖିନ ହେଉଥିବା ସମସ୍ୟା ବିଷୟରେ ବର୍ଣ୍ଣନା କରିଛନ୍ତି ।
ଊର୍ଜାଙ୍କ ଦ୍ୱାରା ପ୍ରସ୍ତୁତ ଚଳଚ୍ଚିତ୍ର
ପ୍ରଚ୍ଛଦ ଫଟୋ : ରୀତାୟନ ମୁଖାର୍ଜୀ
ଆହୁରି ପଢ଼ନ୍ତୁ : ଗଭୀର ଜଳରେ ଜାମନଗରର ‘ସନ୍ତରଣକାରୀ ଓଟ’
ଅନୁବାଦ: ଓଡ଼ିଶାଲାଇଭ୍