କିଛି ଦିନ ପୂର୍ବେ ମଧ୍ୟପ୍ରଦେଶର ୧୬ ଜଣ ଶ୍ରମିକ ମହାରାଷ୍ଟ୍ରର ଅଉରଙ୍ଗାବାଦରେ ଶୋଇଥିବା ବେଳେ ସେମାନଙ୍କ ଉପରେ ଟ୍ରେନ୍ ଚଢିଯିବାରୁ ସେମାନଙ୍କ ମୃତ୍ୟୁ ହୋଇଥିଲା । ସେହି ଶ୍ରମିକମାନଙ୍କୁ କିଏ ଚାଲି ଚାଲି ଘରକୁ ଯିବାକୁ ବାଧ୍ୟ କରିଥିଲା ବୋଲି ଆମେ ପ୍ରଶ୍ନ କରିବା ପରିବର୍ତ୍ତେ ଆମର ପ୍ରଥମ ପ୍ରତିକ୍ରିୟା ହେଉଛି ସେହି ମୃତ ଶ୍ରମିକମାନେ ରେଳ ଲାଇନ୍ ଉପରେ କାହିଁକି ଶୋଇଥିଲେ । ଏହା ଆମର କିଭଳି ମାନସିକତାକୁ ଦର୍ଶାଉଛି?
କେତୋଟି ଇଂରାଜୀ ପ୍ରକାଶନ ଟ୍ରେନ୍ ତଳେ ଚାପି ହୋଇ ମରିଯାଇଥିବା ଶ୍ରମିକମାନଙ୍କ ନାମ ପ୍ରକାଶ କରିବା କଥା ଚିନ୍ତା କରିଛନ୍ତି? ସେମାନଙ୍କର କୌଣସି ପରିଚୟ ପ୍ରକାଶିତ ହୋଇପାରିଲାନି । ଏହା ହେଉଛି ଗରିବଙ୍କ ପାଇଁ ଆମର ମନୋଭାବ । ଯଦି ଏହା ଏକ ଉଡାଜାହାଜ ଦୁର୍ଘଟଣା ହୋଇଥାନ୍ତା, ତାହାହେଲେ ତଥ୍ୟ ଯୋଗାଇବା ପାଇଁ ହେଲ୍ପଲାଇନ୍ ଆରମ୍ଭ କରାଯାଇଥାନ୍ତା । ଯଦି ଏହି ଦୁର୍ଘଟଣାରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥାନ୍ତା, ତାହାହେଲେ ମଧ୍ୟ ସମସ୍ତଙ୍କ ନାମ ଖବରକାଗଜରେ ପ୍ରକାଶିତ ହୋଇଥାନ୍ତା । ହେଲେ, ମଧ୍ୟପ୍ରଦେଶର ସେହି ୧୬ ଜଣ ଗରିବ ବ୍ୟକ୍ତି, ଯେଉଁମାନଙ୍କ ମଧ୍ୟରୁ ଆଠ ଜଣ ହେଉଛନ୍ତି ଗୋଣ୍ଡ ଆଦିବାସୀ, ସେମାନଙ୍କ କଥା ଭାବୁଛି କିଏ ? ସେମାନେ ସେହି ରେଳଧାରଣାକୁ ସେମାନଙ୍କ ଘରେ ପହଞ୍ଚିବା ପାଇଁ ପଥ ପ୍ରଦର୍ଶକ ବୋଲି ଭାବୁଥିଲେ, ଯେଉଁ ରାସ୍ତାରେ ସେମାନେ ସେହି ଷ୍ଟେସନ୍ରେ ପହଞ୍ଚି ପାରିବେ ଯେଉଁଠାରୁ ସେମାନଙ୍କୁ ଘରକୁ ବାହୁଡିବା ପାଇଁ ଟ୍ରେନ୍ ମିଳିପାରିବ । ସେମାନେ ରେଳଲାଇନ୍ ଉପରେ ଶୋଇପଡିଥିଲେ କାରଣ ସେମାନେ ବହୁତ ଥକି ପଡିଥିଲେ ଓ ଏହି ରାସ୍ତାରେ କୌଣସି ଟ୍ରେନ୍ ଯାତାୟତ କରେ ନାହିଁ ବୋଲି ହୁଏତ ସେମାନେ ବିଶ୍ୱାସ କରୁଥିଲେ ।
ଭାରତ ଭଳି ଏକ ଦେଶ ଯେଉଁଠାରେ ଶ୍ରମଜୀବୀଙ୍କ ସଂଖ୍ୟା ଖୂବ୍ ଅଧିକ, ସେଠାରେ ଶ୍ରମିକମାନଙ୍କ ସହିତ ସରକାରଙ୍କ ଯୋଗାଯୋଗ କେଉଁ ସ୍ତରର ହେବା ଉଚିତ ବୋଲି ଆପଣ ଭାବୁଛନ୍ତି?
ଆମେ ୧.୩ କୋଟି ଜନସଂଖ୍ୟା ବିଶିଷ୍ଟ ଏକ ଦେଶର ଜନତାଙ୍କୁ ସେମାନଙ୍କ ସମସ୍ତ କାର୍ଯ୍ୟକଳାପ ବନ୍ଦ କରିବା ପାଇଁ କେବଳ ଚାରି ଘଣ୍ଟା ସମୟ ଦେଲେ । ଏମ୍.ଜି ଦେବସାୟମ୍, ଆମ ଦେଶର ଜଣେ ବିଖ୍ୟାତ ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ “ଏକ ଛୋଟ ପଦାତିକ ସୈନ୍ୟ ବ୍ରିଗେଡ୍କୁ କୌଣସି ବଡଧରଣର ଗତିବିଧି ପାଇଁ ପଠାଯିବାର ଚାରି ଘଣ୍ଟାରୁ ଅଧିକ ସମୟ ପୂର୍ବରୁ ଏନେଇ ବିଜ୍ଞପ୍ତି ଜାରି କରାଯାଏ” । ଆମେ ପ୍ରବାସୀ ଶ୍ରମିକମାନଙ୍କ ସହିତ ସହମତ ହୋଇପାରୁ ବା ନହୋଇପାରୁ, ହେଲେ ସେମାନେ ସ୍ଥାନ ଛାଡିବା ପଛର ଯୁକ୍ତି ସମ୍ପୂର୍ଣ୍ଣ ଠିକ୍ । ସେମାନେ ଜାଣନ୍ତି – ଓ ପ୍ରତି ମୁହୂର୍ତ୍ତରେ ଆମେ ଏହା ପ୍ରମାଣିତ କରୁଛେ ଯେ – ସେମାନଙ୍କ ସରକାର, କାରଖାନା ମାଲିକ ଓ ଆମ ଭଳି ମଧ୍ୟମ ବର୍ଗର କର୍ଚାରୀମାନେ କେତେ ଅବିଶ୍ୱସନୀୟ, ଅବିବେକି ଓ କ୍ରୁର ଅଟନ୍ତି । ଆଉ ସେମାନଙ୍କ ସ୍ୱଚ୍ଛନ୍ଦ ଗତି ଉପରେ ଆଇନ୍ ସହାୟତାରେ ଅଙ୍କୁଶ ଲଗାଇ ଆମେ ତାହା ପ୍ରମାଣିତ କରୁଛେ ।
ଆପଣମାନେ ଆତଙ୍କ ସୃଷ୍ଟି କରିଛନ୍ତି । ଲକ୍ଷ ଲକ୍ଷ ଲୋକଙ୍କୁ ରାଜରାସ୍ତାକୁ ଠେଲି ଦେଇ ଆପଣ ଦେଶରେ ଚରମ ବିଶୃଙ୍ଖଳାମୟ ପରିସ୍ଥିତି ସୃଷ୍ଟି କରିଛନ୍ତି । ଆମେମାନେ ଅତି ସହଜରେ କଲ୍ୟାଣ ମଣ୍ଡପ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଓ ଗୋଷ୍ଠୀ କେନ୍ଦ୍ର ଆଦି ଯାହାସବୁ ବନ୍ଦ କରିଦିଆଯାଇଛି, ସେଗୁଡିକୁ ପ୍ରବାସୀ ଓ ବାସହରାଙ୍କ ପାଇଁ ଆଶ୍ରୟସ୍ଥଳିରେ ରୂପାନ୍ତରିତ କରିପାରିଥାନ୍ତେ । ଆମେ ବିଦେଶରୁ ଆସୁଥିବା ଲୋକଙ୍କ ପାଇଁ ଷ୍ଟାର୍ ହୋଟେଲ୍ଗୁଡିକୁ ସଂଗରୋଧ କେନ୍ଦ୍ର ବୋଲି ଘୋଷଣା କରିଛେ ।
ଆମେ ଯେତେବେଳେ ପ୍ରବାସୀଙ୍କ ପାଇଁ ଟ୍ରେନ୍ର ବ୍ୟବସ୍ଥା କରୁଛେ, ସେତେବେଳେ ସେମାନଙ୍କଠାରୁ ସମ୍ପୂର୍ଣ୍ଣ ଭଡା ଆଦାୟ କରୁଛେ। ତା’ପରେ ଆମେ ୪,୫୦୦ ଟଙ୍କା ଭଡା ଥିବା ଏସି ଟ୍ରେନ୍ ଓ ରାଜଧାନୀ କ୍ଲାସ୍ ରଖୁଛେ । ପରିସ୍ଥିତିକୁ ଆହୁରି ଜଟିଳ କରିବା ପାଇଁ ଆପଣମାନେ ସେମାନଙ୍କୁ ଅନ୍ଲାଇନ୍ରେ ଟିକେଟ୍ ବୁକ୍ ହୋଇପାରିବ ବୋଲି କହୁଛନ୍ତି, ଯେପରିକି ସେମାନେ ସମସ୍ତେ ଗୋଟିଏ ଗୋଟିଏ ସ୍ମାର୍ଟଫୋନ୍ ରଖିଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଲୋକ ସେହି ଟିକେଟ କିଣିବାକୁ ସମର୍ଥ ହେଲେ ।
ହେଲେ, କର୍ଣ୍ଣାଟକରେ, ମୁଖ୍ୟମନ୍ତ୍ରୀ ବିଲ୍ଡର୍ଙ୍କ ସହିତ ସାକ୍ଷାତ କରିବା ପରେ ସେମାନେ କ୍ରୀତଦାସମାନେ ପଳାୟନ କରୁଥିବା କଥା କହିବା ଯୋଗୁଁ ମୁଖ୍ୟମନ୍ତ୍ରୀ ଟ୍ରେନ୍ଗୁଡିକ ବାତିଲ କରିଦେଲେ । ବର୍ତ୍ତମାନ ଆପଣ ଯାହା ଦେଖିବାକୁ ପାଉଛନ୍ତି ତାହା ହେଉଛି ପୂର୍ବାନୁମାନ କରାଯାଉଥିବା କ୍ରୀତଦାସମାନଙ୍କ ବିଦ୍ରୋହାଚରଣକୁ ଦମନ କରିବା ପ୍ରକ୍ରିୟା ।
ଆମର ସବୁବେଳେ ଗରିବଙ୍କ ପାଇଁ ଗୋଟିଏ ନୀତି ଓ ଅନ୍ୟମାନଙ୍କ ପାଇଁ ଆଉ ଗୋଟିଏ ନୀତି ରହିଆସିଛି । ଯଦିଓ, ଆପଣ ଯେତେବେଳେ ଅତ୍ୟାବଶ୍ୟକ ସେବାଗୁଡିକର ତାଲିକା ପ୍ରସ୍ତୁତ କରିବେ, ସେତେବେଳେ କେବଳ ଡାକ୍ତରଙ୍କ ବ୍ୟତୀତ କେବଳ ଗରିବ ଲୋକମାନେ ହିଁ ଆବଶ୍ୟକ ହୋଇପଡୁଥିବା ଦେଖିବାକୁ ପାଇବେ । ଅଧିକାଂଶ ନର୍ସଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନୁହେଁ । ସେମାନଙ୍କ ବ୍ୟତୀତ ସଫେଇ କର୍ମଚାରୀ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ବିଦ୍ୟୁତ୍ କର୍ମଚାରୀ, ପାୱାର୍ ସେକ୍ଟର୍ରେ କର୍ମଚାରୀ ଓ କାରଖାନା କର୍ମଚାରୀମାନେ ମଧ୍ୟ ଅଛନ୍ତି । ହଠାତ୍ ଏହି ଦେଶରେ ସମ୍ଭ୍ରାନ୍ତ ଶ୍ରେଣୀର ଲୋକମାନେ କିଭଳି ଅନାବଶ୍ୟକ ହୋଇପଡିଛନ୍ତି ତାହା ଆପଣମାନେ ଦେଖିପାରୁଥିବେ ।







