“ଏଠାକାର ଗାଁ ସ୍କୁଲରେ ଶିକ୍ଷାଦାନର ମାନ ଏତେ ଭଲ ନୁହେଁ । ତେଣୁ ମୁଁ ମୋ ଝିଅମାନଙ୍କୁ ବାରଣାସୀ ନେଇଗଲି । କିଏ ଜାଣିଥିଲା ଯେ, ସହରର ସ୍କୁଲ୍ରେ ସେମାନଙ୍କ ନାମ ଲେଖାଇବାର ତିନି ମାସ ଭିତରେ ମୋତେ ସେମାନଙ୍କୁ ପୁଣି ଗାଁକୁ ଫେରାଇ ଆଣିବାକୁ ପଡ଼ିବ ବୋଲି ?” ଏହା କହନ୍ତି ଅରୁଣ କୁମାର ପାଶୱାନ । ମାର୍ଚ୍ଚ ମାସରେ କୋଭିଡ୍- ୧୯ ଲକ୍ଡାଉନ୍ ଜାରି ଯୋଗୁଁ ଦୋକାନବଜାର ବନ୍ଦ ନହେବା ପର୍ଯ୍ୟନ୍ତ, ଅରୁଣ, ଉତ୍ତର ପ୍ରଦେଶର ବାରଣାସୀ ସହରରେ ଥିବା ଏକ ରେସ୍ତାରାଁର ରୋଷେଇ ଶାଳରେ ମାସକୁ ୧୫,୦୦୦ ଟଙ୍କା ଦରମାରେ କାମ କରୁଥିଲେ ।
ମେ ମାସ ପ୍ରଥମ ଭାଗରେ, ତାଙ୍କ ପରିବାର ପାଇଁ ଖାଦ୍ୟ ଯୋଗାଡ଼ କରିବା ଆଉ ସମ୍ଭବ ନହେବାରୁ, ବାରଣାସୀରୁ ପ୍ରାୟ ୨୫୦ କିଲୋମିଟର ଦୂର ବିହାରର ଗୟା ଜିଲ୍ଲା ଅନ୍ତର୍ଗତ ସେମାନଙ୍କ ଗାଁ ମାୟାପୁରକୁ ଫେରିଯିବା ପାଇଁ ପାଶୱାନ ସ୍ଥିର କଲେ । ମେ ୮ ତାରିଖ ଦିନ ଫୋନ୍ରେ ପାଶୱାନ ମୋତେ କହିଲେ, “ଆସନ୍ତାକାଲି ଭୋର ୩ଟାରେ ମୋ ପରିବାର ସହିତ ମୁଁ ଓ ଆଉ କେତେ ଜଣ ଏଠାରୁ ବାହାରିବୁ । ଆମେ (ଉତ୍ତର ପ୍ରଦେଶ-ବିହାର) ସୀମା ଯାଏଁ ଚାଲି ଚାଲି ଯିବୁ ଏବଂ ସେଠାରୁ ବସ୍ରେ ଯିବୁ । ବୋଧହୁଏ ଆମ ପାଇଁ ସେଠାରୁ ବସ୍ରେ ଯିବା ବ୍ୟବସ୍ଥା କରାଯାଇଛି । ରାସ୍ତାରେ ଯଦି ଟ୍ରକ୍ ମିଳିଯାଏ, ତେବେ ଆମକୁ ସୀମାରେ ଛାଡ଼ି ଦେବା ପାଇଁ ସେମାନଙ୍କୁ କହିବୁ ।”
ପରଦିନ ସକାଳେ, ପାଶୱାନ ଏବଂ ତାଙ୍କର ୨୭ ବର୍ଷୀୟା ସ୍ତ୍ରୀ ସବିତା, ସେମାନଙ୍କର ତିନିଟି ଛୋଟ ପିଲାଙ୍କୁ - ୮ ବର୍ଷର ଝିଅ ରୋଲି ଓ ୬ ବର୍ଷର ଝିଅ ରାନୀ ଏବଂ ୩ ବର୍ଷର ପୁଅ ଆୟୁଷକୁ - ସାଙ୍ଗରେ ନେଇ ବାହାରି ପଡ଼ିଲେ । ସେମାନେ ୫୩ କିଲୋମିଟର ଦୂର ରାଜ୍ୟ ସୀମା ସଂଲଗ୍ନ କର୍ମନାସା ଚେକ୍ ପୋଷ୍ଟ ଯାଏଁ ଚାଲି ଚାଲି ଗଲେ । ସେଠାରେ କୌଣସି ବସ୍ରେ ବସିବାକୁ ଅନୁମତି ମିଳିବା ପୂର୍ବରୁ, ବିହାରର କୈମୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାପିତ ସ୍ୱାସ୍ଥ୍ୟସେବା ଶିବିରରେ ସେମାନଙ୍କୁ ଥର୍ମାଲ୍ ସ୍କାନିଂ କରାଇବାକୁ ପଡ଼ିଥିଲା । ମେ ୧୧ ତାରିଖ ଦିନ ମାୟାପୁରରେ ପହଞ୍ଚିବା ପରେ ସେ ମୋତେ କହିଲେ, “ଭାଗ୍ୟକୁ ଆମକୁ ସେଠାରୁ ଗୋଟିଏ ସରକାରୀ ବସ୍ ମିଳିଗଲା, ଯେଉଁଥିରେ ଆସି ଆମେ ଗୟାରେ ପହଞ୍ଚିଲୁ ।” ଥରେ ଗୟାରେ ପହଞ୍ଚିଯିବା ପରେ ଗାଁକୁ ଯିବା ପାଇଁ ସେମାନଙ୍କୁ ଆଉ ଏକ ବସ୍କୁ ଅପେକ୍ଷା କରିବାକୁ ପଡ଼ିଲା ଏବଂ ଗାଁରେ ପହଞ୍ଚିବା ପରଠାରୁ ସେମାନେ ନିଜେ ନିଜେ ପୃଥକ୍ବାସରେ ରହିଛନ୍ତି ।
ଗାଁର ପୁରୁଣା ଘରକୁ ଫେରି ରାନୀ ଖୁସି ହୋଇଥିବା ବେଳେ, ସହର ବାଲା ସ୍କୁଲ (ସହରୀ ସ୍କୁଲ) ୟୁନିଫର୍ମକୁ ମନେ ପକାଇ ରୋଲି ଅଝଟ ହେଉଛି ବୋଲି ପାଶୱାନ କହନ୍ତି ।
ବାରଣାସୀର ଯେଉଁ ରେସ୍ତୋରାଁରେ ୨୦୧୯ ଅଗଷ୍ଟରୁ ପାଶୱାନ କାମ କରିଆସୁଥିଲେ, ତାହା ପ୍ରଥମେ ମାର୍ଚ୍ଚ ୨୨ ତାରିଖ ଦିନ ଜନତା କର୍ଫ୍ୟୁ ପାଇଁ ବନ୍ଦ ରହିଲା ଏବଂ ଦେଶବ୍ୟାପୀ ଲକ୍ଡାଉନ୍ ଲାଗୁ ହେବା ପରେ ପୁଣି ମାର୍ଚ୍ଚ ୨୫ରୁ ବନ୍ଦ ହୋଇଗଲା । ମାର୍ଚ୍ଚ ମଧ୍ୟ ଭାଗରେ ସେ ଶେଷ ଥର ପାଇଁ ଦରମା ପାଇଥିଲେ। ହେଲେ ଏପ୍ରିଲ ଦ୍ୱିତୀୟ ସପ୍ତାହ ବେଳକୁ ପରିସ୍ଥିତି କଷ୍ଟଦାୟକ ହୋଇଗଲା । ବାରଣାସୀ ଜିଲ୍ଲା ପ୍ରଶାସନ ଦ୍ୱାରା ବଣ୍ଟା ହେଉଥିବା ଖାଦ୍ୟ ପୁଡ଼ିଆ ସଂଗ୍ରହ କରିବା ପାଇଁ ତାଙ୍କୁ ଦିନକୁ ଦୁଇ ଥର ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡୁଥିଲା ।
ହେଲେ ମେ ୮ ତାରିଖ, ଦିନ ପାଶୱାନ ମୋତେ କହିଥିଲେ, “ଗତ ଚାରି ଦିନ ହେଲା ଆମକୁ ଖାଦ୍ୟ ପୁଡ଼ିଆ ମିଳିବା ବନ୍ଦ ହୋଇଯାଇଛି । ଆମ ପାଖରେ ଖାଇବାକୁ କିଛି ନାହିଁ । ଏ ସ୍ଥାନ ଛାଡ଼ି ଯିବା ବ୍ୟତୀତ ଆମ ପାଖରେ ଆଉ କିଛି ବାଟ ନାହିଁ ।”






