ଗୁରପ୍ରତାପ ସିଂହ ୧୧ଶ ଶ୍ରେଣୀର ଛାତ୍ର ଏବଂ ତାଙ୍କ ଦାଦାପୁଅ ଭାଇ ୧୩ ବର୍ଷୀୟ ସୁଖବୀର, ୭ମ ଶ୍ରେଣୀର ଛାତ୍ର। ଉଭୟ ପଞ୍ଜାବର ଅମୃତସର ଜିଲ୍ଲାରେ ରହନ୍ତି। ଏବେ ସେମାନେ ସ୍କୁଲଠାରୁ ବହୁଦୂରରେ ସତ, ହେଲେ ଏକ ଭିନ୍ନ ଧରଣର ଶିକ୍ଷା ପାଇବାରେ ଲାଗିପଡ଼ିଛନ୍ତି।
“ଆମେ ରାତିରେ ଏଠି କୃଷକଙ୍କ ଅଞ୍ଚଳ ଜଗି ରହୁଛୁ, ଏବଂ ଆମେ ଏହି କାମ କରିଚାଲିଥିବୁ ।” ହରିଆଣାର ସୋନିପତରେ, ସିଂଘୁ-ଦିଲ୍ଲୀ ସୀମାବର୍ତ୍ତୀ ଅଞ୍ଚଳରେ ମୋତେ ଏହା କହିଥିଲେ ୧୭ ବର୍ଷ ବୟସ୍କ ଗୁରପ୍ରତାପ ।
ସେମାନେ ଦିଲ୍ଲୀ ସୀମାବର୍ତ୍ତୀ ବିଭିନ୍ନ ଅଞ୍ଚଳରେ ଏକତ୍ର ହୋଇଥିବା ହଜାର ହଜାର ଚାଷୀ ପରିବାରର ସଦସ୍ୟ । କେଇ ସପ୍ତାହ ଆଗରୁ କେତେକ ଚାଷୀ ରାଜଧାନୀ ଭିତରେ ପ୍ରବେଶ କରିଥିଲେ ଏବଂ ସେମାନେ ଉତ୍ତର ଦିଲ୍ଲୀର ବୁରାଡ଼ି ମଇଦାନରେ ଡେରା ପକାଇଥିଲେ ।
ଏ ବର୍ଷ ସେପ୍ଟେମ୍ବର ମାସରେ ସଂସଦ ଜରିଆରେ ଲାଗୁ କରାଯାଇଥିବା ତିନିଟି କୃଷି ଆଇନ ପ୍ରତ୍ୟାହାର ଦାବିରେ ସବୁ ଜାଗାରେ ସେମାନେ ଚଳାଇଥିବା ବିଶାଳ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଥମିବାର କୌଣସି ଲକ୍ଷଣ ପ୍ରକାଶ ପାଇନାହିଁ । ଏବଂ ସେମାନଙ୍କ ଦାବି ପୂରଣ ନିମନ୍ତେ ଦୃଢ଼ ସଂକଳ୍ପ ସହିତ ଆନ୍ଦୋଳନ ପ୍ରତି ଅଙ୍ଗୀକାରବଦ୍ଧ ଭାବରେ ଏକ ଲମ୍ବା ଲଢ଼େଇ ଲଢ଼ିବାକୁ କୃଷକମାନେ ପ୍ରସ୍ତୁତ ଅଛନ୍ତି ।
ବିଳମ୍ବିତ ସନ୍ଧ୍ୟାରେ ମୁଁ ଯେତେବେଳେ ସିଂଘୁ ଓ ବୁରାଡ଼ିର କେତେକ ସ୍ଥାନରେ ସେମାନେ ସ୍ଥାପନ କରିଥିବା ଶିବିର ପାଖ ଦେଇ ଯାଉଥାଏ, ସେମାନଙ୍କ ମଧ୍ୟରୁ ଅନେକ ଶୋଇବାକୁ ପ୍ରସ୍ତୁତ ହେଉଥିଲେ। କେତେକ ଚାଷୀ ସେମାନଙ୍କ ଟ୍ରକ୍ରେ ରହୁଥିଲେ, ଆଉ କେତେକ ପେଟ୍ରୋଲ ପମ୍ପ ପାଖରେ ଶୋଉଥିଲେ ଏବଂ ଅନ୍ୟ କେତେ ଜଣ ଦଳ ଦଳ ହୋଇ ଗୀତ ଗାଇ ରାତି କଟାଇ ଦେଉଥିଲେ । ଏହି ସବୁ ସ୍ଥାନରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଉଷ୍ମତାର ବାତାବରଣ ଏବଂ ସଂକଳ୍ପ ଓ ପ୍ରତିରୋଧର ଏକ ଭାବଧାରା ଲାଗି ରହିଥିଲା ।
କୃଷକମାନେ ଯେଉଁ ତିନିଟି ଆଇନର ପ୍ରତିବାଦ କରୁଛନ୍ତି ସେଗୁଡ଼ିକ ହେଲା: କୃଷକଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟବସାୟ ଓ ବାଣିଜ୍ୟ (ପ୍ରସାର ଓ ସୁଯୋଗ) ଆଇନ,୨୦୨୦; ଦରଦାମ ପ୍ରତିଶ୍ରୁତି ଓ କୃଷିକ୍ଷେତ୍ର ସେବା ସଂପର୍କିତ କୃଷକଙ୍କ (ସଶକ୍ତୀକରଣ ଏବଂ ସୁରକ୍ଷା) ବୁଝାମଣା ଆଇନ,୨୦୨୦; ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ ୨୦୨୦।
ଏହି ଆଇନଗୁଡ଼ିକ ବଳରେ, କୃଷିକ୍ଷେତ୍ର ଉପରେ ଥିବା ସେମାନଙ୍କ ଅଧିକାର ଓ ଭାଗ ଦେଶର ବିଭିନ୍ନ ଶକ୍ତିଶାଳୀ କମ୍ପାନୀ ହାତକୁ ଚାଲିଯିବ ଏବଂ ସେମାନେ ବଡ଼ ବଡ଼ ବ୍ୟବସାୟୀଙ୍କ ଦୟାର ପାତ୍ର ହୋଇ ରହିଯିବେ ବୋଲି ସେମାନେ ଭାବୁଛନ୍ତି । ଅନ୍ଧାର ଭିତରୁ ସ୍ୱରଟିଏ ପଚାରେ, “ଯଦି ଏହା ବିଶ୍ୱାସଘାତକତା ନୁହେଁ, ତେବେ ଆଉ କ’ଣ ?”
ସେହି ବିଳମ୍ବିତ ସନ୍ଧ୍ୟାରେ, ସିଂଘୁରେ ସ୍ଥାପିତ ସେଇ ସବୁ ଶିବିର ଭିତର ଦେଇ ଗଲାବେଳେ ଅନେକ ସ୍ୱର ଭିତରୁ ଗୋଟିଏ ସ୍ୱର ଶୁଭିଥିଲା, “ପୂର୍ବରୁ ମଧ୍ୟ ଏଭଳି ବଡ଼ ବଡ଼ କମ୍ପାନୀ ସହିତ କାମ କରିବାର ଅନୁଭୂତି ଆମ ଭଳି ଚାଷୀମାନଙ୍କର ରହିଛି- ଏବଂ ଆମେ ସେମାନଙ୍କୁ ବିଶ୍ୱାସ କରୁନାହୁଁ। ସେମାନେ ଆମକୁ ପୂର୍ବରୁ ଧୋକା ଦେଇଥିଲେ, ଏବଂ ଆମେ ଏତେ ବୋକା ନୁହଁ । ଆମେ ଆମ ଅଧିକାର ସଂପର୍କରେ ଜାଣିଛୁ ।”
ସରକାର ଏହି ଆଇନଗୁଡ଼ିକର ପ୍ରତ୍ୟାହାର ସମ୍ଭାବନାକୁ ପ୍ରତ୍ୟାଖ୍ୟାନ କରି ଚାଲିଥିବା ବେଳେ ଏହି ଅଚଳାବସ୍ଥାକୁ ନେଇ ସେମାନେ ଚିନ୍ତିତ ନୁହଁନ୍ତି କି ? ସେମାନେ କ’ଣ ପ୍ରତିବାଦ ଜାରି ରଖିପାରିବେ ?
ପଞ୍ଜାବରୁ ଆସିଥିବା ଅନ୍ୟ ଜଣେ ଚାଷୀ କହନ୍ତି, “ଆମେ ଦୃଢ଼ ନିଶ୍ଚିତ। ଆମେ ଆମ ନିଜ ପାଇଁ ଖାଦ୍ୟ ରାନ୍ଧୁଛୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ଦେଉଛୁ । ଆମେ କିଷାନ, ଆମେ ଜାଣିଛୁ କେମିତି ସୁଦୃଢ଼ ରହିବାକୁ ହେବ।”












