ଦୁଇ ବର୍ଷ ପୂର୍ବେ, ରୁଖସାନା ଖାତୁନ, ବିହାର ଦରଭଙ୍ଗା ଜିଲ୍ଲାରେ ଥିବା ତାଙ୍କ ସ୍ୱାମୀଙ୍କ ଗ୍ରାମ ମୋହନ ବାହେରାରେ ରାସନ କାର୍ଡ ପାଇଁ ଆବେଦନ କରିଥିଲେ। ସେହିବର୍ଷ ପରିବାରର ପକ୍କା ଘର ସମ୍ପୂର୍ଣ୍ଣ ହୋଇଥିଲା, ରୁଖସାନା ଆଧାର କାର୍ଡ ପାଇଁ ମଧ୍ୟ ଆବେଦନ କରିଥିଲେ, ଯାହାକୁ ସେ ପାଇଥିଲେ। ପୂର୍ବରୁ ସେ ଦୁଇ ଥର ରାସନ କାର୍ଡ ପାଇଁ ଆବେଦନ କରିଥିଲେ, କିନ୍ତୁ କେବେ ଆସିନଥିଲା।
ଏହା ତାଙ୍କର ତୃତୀୟ ଚେଷ୍ଟା ଥିଲା, ଅଗଷ୍ଟ ୨୦୧୮ରେ, ଏବଂ ସେ ଅପେକ୍ଷା କରିବାକୁ ପ୍ରସ୍ତୁତ ଥିଲେ।
୩୦ ବର୍ଷ ବୟସ୍କା ରୁଖସାନା ଏବଂ ତାଙ୍କ ସ୍ୱାମୀ ୩୪ ବର୍ଷ ବୟସ୍କ ମହମ୍ମଦ ୱାକିଲ କଠିନ ପରିଶ୍ରମ କରୁଥିଲେ ଏବଂ ଭଲରେ ପରିବାର ଚଳାଇ ନେଉଥିଲେ। ପଶ୍ଚିମ ଦିଲ୍ଲୀର ପଟେଲ ନଗରରେ ଥିବା ୫ଟି ଘରେ ରୁଖସାନା ଘରୋଇ ସେବିକା ଭାବେ କାମ କରୁଥିଲେ, ଏବଂ ୱାକିଲ ଦରଜୀ କାମ କରି ଯାହା ଆୟ କରୁଥିଲେ, ଦୁହେଁ ମିଶି ମାସକୁ ୨୭,୦୦୦ ଟଙ୍କା ଆୟ କରି ନେଉଥିଲେ। ଏପରିକି ତାଙ୍କର ଛଅ ଜଣିଆ ପରିବାର (୧୨,୮,୨ ବର୍ଷର ତିନି ଝିଅ ଏବଂ ୧୦ ବର୍ଷର ପୁଅ ସମେତ) ର ଖର୍ଚ୍ଚ ତୁଲାଇ ନେଉଥିଲେ ଏବଂ ଗାଁରେ ଥିବା ୱାକଲିଙ୍କ ଗୃହିଣୀ ମା’ଙ୍କ ନିକଟକୁ ଦୁଇ ହଜାର ଟଙ୍କା ପଠାଇ ପ୍ରତି ମାସ କିଛି ସଞ୍ଚୟ କରି ପାରୁଥିଲ।
କଠିନ ପରିଶ୍ରମ ଯୋଗୁ ସବୁ ସମ୍ଭବ ହେଉଥିଲା। ୱାକିଲ ପଶ୍ଚିମ ଦିଲ୍ଲୀର ନୂଆ ରଞ୍ଜିତ ନଗର ଅଞ୍ଚଳରେ ଏକ ଛୋଟିଆ ଦରଜୀ ଦୋକାନ ଖୋଲିଥିଲେ, ସେ ମାସିକ ଏଥିରୁ ୧୨,୦୦୦ ଟଙ୍କା ଆୟ କରିବା ଲାଗି ଆଶା କରିଥିଲେ, ଯାହାକୁ ସେ ଦରଜୀ ଦୋକାନର କର୍ମଚାରୀ ଭାବେ ଆଣିଥିଲେ। ଏହା ଥିଲା ମାର୍ଚ୍ଚ ୧୫, ୨୦୨୦ର କଥା।
ଏହାର ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ, ଭାରତ ସାରା ରାଷ୍ଟ୍ରବ୍ୟାପୀ ଲକଡାଉନ ଲାଗୁ କରି ଦିଆଗଲା।
ରୁଖସାନାକୁ କାମରେ ରଖିଥିବା ଲୋକମାନେ ତାଙ୍କୁ ଘରକୁ ଆସିବା ଲାଗି ମନା କରି ଦେଲେ ଏବଂ ଖୁବଶୀଘ୍ର ଏହା ସ୍ପଷ୍ଟ ହୋଇଗଲା ଯେ ଲକଡାଉନ ମାସଗୁଡ଼ିକରେ ତାଙ୍କୁ କୌଣସି ପାରିଶ୍ରମିକ ମିଳିବ ନାହିଁ। ପାଞ୍ଚଟି ଘରୁ ୧୫,୦୦୦ ଟଙ୍କା ଆୟ କରିବା ପରିବର୍ତ୍ତେ ସେ ମାତ୍ର ଗୋଟିଏ ଘରେ ରୋଷେଇ କାମ ଜାରି ରଖିଲେ ଏବଂ ୨,୪୦୦ ଟଙ୍କା ଆୟ କରୁଥିଲେ। ଜୁନ ବେଳକୁ ସେ ଚାକିରି ମଧ୍ୟ ତାଙ୍କୁ ହରାଇବାକୁ ପଡ଼ିଲା, କିନ୍ତୁ ଖୁବ ଶୀଘ୍ର ସେ ଆଉ ଏକ ଘର ସଫା ଓ ରୋଷେଇ କାମ ପାଇଗଲେ, ଯେଉଁଠି ତାଙ୍କୁ କାମରେ ରଖିଥିବା ଲୋକ, ‘ସୁପର ସ୍ପ୍ରେଡର’ଙ୍କୁ ନେଇ ଚିନ୍ତିତ ଥିଲେ ଏବଂ ସେ ମସଜିଦକୁ ଯାଇଥିଲେ କି ବୋଲି ପ୍ରଶ୍ନ କରିଥିଲେ। “ମୁଁ ଖରାପ ଭାବିଲି ନାହିଁ। ସମସ୍ତେ କରୋନାକୁ ନେଇ ଭୟଭୀତ ଥିଲେ, ତେଣୁ ମୁଁ ତାଙ୍କର ଚିନ୍ତା ବୁଝିପାରୁଥିଲି”, ରୁଖସାନା କହିଥିଲେ।








