୩୩ ବର୍ଷୀୟ ଆରେତୀ ବସୁ, ତାଙ୍କ ବିରୋଧରେ ୨୩ଟି ଅପରାଧିକ ମାମଲା ଦାୟର ହୋଇଛି। ତାଙ୍କ ମା’ ୫୫ ବର୍ଷୀୟା ଏ. ସତ୍ୟବତୀଙ୍କ ମୁଣ୍ଡରେ ୮ଟି ମାମଲା। ଆନ୍ଧ୍ରପ୍ରଦେଶ ତୁନ୍ଦୁରୁ ଗାଁର ବସୁଙ୍କୁ ଜୋର ଜବରଦସ୍ତ ତିନି ଥର ଜେଲରେ ଭର୍ତ୍ତି କରାଯାଇଛି। ସେପଟେମ୍ବର ୨୦୧୬ରୁ ବର୍ତ୍ତମାନ ସୁଦ୍ଧା ସେ ୬୭ ଦିନ ଜେଲରେ କାଟିସାରିଲେଣି। ତାଙ୍କ ମା’ ୪୫ ଦିନ ଜେଲ ଜୀବନ କାଟିଛନ୍ତି।

ସେ ଖୁବ ସରଳ ଭାବେ କହିଲେ, ‘‘ମୁଁ କେବଳ ଆରଟିଆଇରେ ଆବେଦନ କରିଥିଲି’’

ଏହି କାର୍ଯ୍ୟର ପରିଣାମ ଏତେ ସରଳ ନୁହେଁ। ପୋଲିସ ଚଢଉ, ଧମକ, ଘର ଭିତରୁ ଘୋଷାଡି ବାହାର କରିବା ଏବଂ ପ୍ରତିଷେଧକ ଭାବେ ହାଜତରେ ରଖିବା, ଏସବୁ ତୁନ୍ଦୁରୁରେ ଏବେ ସାଧାରଣ ଘଟଣା ହୋଇଯାଇଛି। ପଡ଼ୋଶୀ ଭୀମାବରମ ମଣ୍ଡଳ ର ଜୋନାଲାଗାରୁବୁ ଗାଁ ଏବଂ ନରସପୁର ମଣ୍ଡଳ ର କେ. ବେଥାପୁଡି ଗାଁରେ ମଧ୍ୟ ଏହି ଘଟଣା ଘଟୁଛି। ଏହି ତିନିଟି ଗାଁ ପଶ୍ଚିମ ଗୋଦାବରୀ ଜିଲ୍ଲାରେ ଅବସ୍ଥିତ।

ଏଠିକାର ଗ୍ରାମବାସୀଙ୍କ ଭିତରୁ ଅଧିକାଂଶ କ୍ଷୁଦ୍ରଚାଷୀ, ଧୀବର ଏବଂ ଶ୍ରମିକ। ଏମାନେ ଗୋଦାବରୀ ମେଗା ଫୁଡ୍ ପାର୍କ ପ୍ରାଇଭେଟ୍ ଲିମିଟେଡ୍ (ଜିଏମଏଏଫପି) ପ୍ରତିଷ୍ଠା ନେଇ ଆନ୍ଦୋଳନ କରୁଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଭାବେ ବାୟୁ ଏବଂ ଜଳ ପ୍ରଦୂଷଣ ହେବ ଯାହା ଏମାନଙ୍କ ଜୀବନକୁ ଦୁର୍ବିସହ କରିବ। ୟୁରୋପ ଏବଂ ଆମେରିକା ଭଳି ବଜାରକୁ ରପ୍ତାନୀ ପାଇଁ ଏଭଳି ଫୁଡ୍ ପାର୍କରେ ମାଛ, ଚିଙ୍ଗୁଡି ଏବଂ କଙ୍କଡ଼ା ପ୍ରକ୍ରିୟାକରଣ ହୋଇଥାଏ। ଜିଏମ୍ଏଏଫପି ବିରୋଧରେ ଆନ୍ଦୋଳନ ପାଇଁ ଗଠିତ ହୋଇଥିବା କମିଟିର ଆକଳନ ଅନୁସାରେ ପ୍ରତିଦିନ ପ୍ରକ୍ରିୟାକରଣ ପାଇଁ ୧.୫ ଲକ୍ଷ ଲିଟର ପାଣି ବ୍ୟବହାର ହେବ। ସେମାନେ କହନ୍ତି, ‘‘ପ୍ରତିଦିନ କାରଖାନାରୁ ୫୦,୦୦୦ ଲିଟର ପ୍ରଦୂଷିତ ପାଣି ବାହାରିବ।’’ ଏହି ପାଣି ଏହି ଜିଲ୍ଲାରୁ ଗୋଣ୍ଟେରୁ ଡ୍ରେନ୍‌ ଦେଇ ସମୁଦ୍ରରେ ମିଶିବ।

A man and a woman standing in a doorway
PHOTO • Sahith M.
A woman holding out her hand to show the injuries on her palm.
PHOTO • Sahith M.

ତୁନ୍ଦୁରୁ ଗାଁର ଆରେତୀ ବସୁ ଓ ତାଙ୍କ ମା ସତ୍ୟବତୀଙ୍କ ବିରୋଧରେ ମୋଟ ୩୧ଟି ମାମଲା ଦାୟର ହୋଇଛି। ଦକ୍ଷିଣ : ଗୋଟିଏ ଆନ୍ଦୋଳନ ସମୟରେ ସତ୍ୟବତୀଙ୍କ ହାତ ଜଖମ ହୋଇଛି।

୨୦୧୭ ଅକ୍ଟୋବର ୩୦ରେ ଏକ ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଥିଲା ଯେ, ଏକ ପାଇପଲାଇନ୍ ନିର୍ମାଣ ହେବ ଯାହା ‘‘ପ୍ରତିଦିନ ୩,୦୦,୦୦୦ ଲିଟର ବିଶୋଧିତ ପାଣିକୁ ନିଷ୍କାସନ କରିପାରିବ। ସେଥିପାଇଁ ଚିନ୍ନାଗୋଲାପାଲେମ୍ ସମୁଦ୍ର କୂଳରେ ଜିଏମଏଏଫପି ଏକ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ବସାଇବ।’’ କିନ୍ତୁ ଆନ୍ଦୋଳନ କମିଟି କହୁଛି ସେଭଳି କିଛି ହେଲା ନାହିଁ । ଗୋଣ୍ଟେରୁ ଡ୍ରେନ୍ ଦେଇ ବହୁ ପରିମାଣର ପ୍ରଦୂଷିତ ଜଳ ନିଷ୍କାସିତ ହେବାନେଇ ସ୍ଥାନୀୟ ଗଣମାଧ୍ୟମ ମଧ୍ୟ ରିପୋର୍ଟ ପ୍ରକାଶ କରିଥିଲା।

ଅଧିଗ୍ରହଣ ହୋଇଥିବା ପ୍ରାୟ ୫୭ ଏକର ଘରୋଇ ଜମି ଉପରେ ୨୦୧୫ ମସିହାରେ ଏହାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଚଳିତ ବର୍ଷ ଏହା କାର୍ଯ୍ୟକ୍ଷମ ହେବାର ଅଛି। କମ୍ପାନୀର ‘ଭିଜନ୍ ଷ୍ଟେଟ୍‌ମେଣ୍ଟ’ରେ କୁହାଯାଇଛି, ‘‘ଯଥାସମ୍ଭବ ସର୍ବନିମ୍ନ ଅଙ୍ଗାରକାମ୍ଳ ନିର୍ଗମନ ପାଇଁ ଉଦ୍ୟମ କରାଯାଉଛି। ପାରମ୍ପରିକ ଶକ୍ତି ଉପରେ ନିର୍ଭରଶୀଳତା କମାଇବାକୁ ଆମେ ବାୟୁ, ସୌର ଏବଂ ଜଳ ଶକ୍ତି ଭଳି ବିକଳ୍ପ ଶକ୍ତିର ଉତ୍ସ ବ୍ୟବହାର କରିବୁ।’’

ଏହାକୁ ପ୍ରହେଳିକା କହି ଗ୍ରାମବାସୀମାନେ ଅଗ୍ରାହ୍ୟ କରିଥିଲେ। ଆରେତୀ ବସୁଙ୍କ ଆରଟିଆଇ ଆବେଦନ (ସୂଚନା ଅଧିକାର ଆଇନ୍ ଅଧିନରେ)ରୁ ଦ୍ୱନ୍ଦ୍ୱ ଉପୁଜିଥିଲା। ଏଥିରେ ସେ ପ୍ରକଳ୍ପ ଉପରେ ତଥ୍ୟ ମାଗିଥିଲେ। ବସୁ ତାଙ୍କ ଗାଁରେ ଏକ ମି ସେବା କେନ୍ଦ୍ର (‘ଆପଣଙ୍କ ସେବାରେ’) ଚଳାନ୍ତି। ଜନସାଧାରଣଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏହି କେନ୍ଦ୍ର (ଚୁକ୍ତିଭିତ୍ତିକ ଏବଂ ଘରୋଇ) ଆରମ୍ଭ କରିଛନ୍ତି। ଏଠାରେ ବିଲ୍ ପଇଠ ଏବଂ ବିଭିନ୍ନ ସରକାରୀ ସେବା ପାଇଁ ଆବେଦନ ଗ୍ରହଣ କରାଯାଏ

ଯେତେବେଳେ ବସୁଙ୍କୁ ପ୍ରଥମେ ଜେଲ ପଠାଇ ଦିଅଗଲା, ତାଙ୍କ ମା ଏହି ଆକ୍ୱା ସାମୁଦ୍ରିକ ଫୁଡ୍ ପାର୍କ ବିରୋଧରେ ଜନମତ ସୃଷ୍ଟି କରିବା ଆରମ୍ଭ କଲେ। ସାଙ୍ଗେ ସାଙ୍ଗେ ସେ ଦେଖିଲେ, ତାଙ୍କ ପୁଅ ବିରୋଧରେ ହୋଇଥିବା ଅଭିଯୋଗ ଫର୍ଦ୍ଦର ଆଉ ଏକ ସ୍ତମ୍ଭରେ ତାଙ୍କ ନାଁ ରହିଛି।

Coconut trees
PHOTO • Sahith M.
Cans of drinking water stored underneath a table in a house
PHOTO • Sahith M.

ପରବର୍ତ୍ତୀ ସମୟରେ ଗୋଦାବରୀ ତ୍ରିକୋଣ ଭୂମିକୁ ଏହି ସାମୁଦ୍ରିକ ଫୁଡ୍ ପାର୍କ ପ୍ରଭାବିତ କରିବ , ଯେଉଁଠି ଲୋକେ ପିଇବା ପାଇଁ ବୋତଲ ପାଣି କିଣୁଛନ୍ତି ।

ପୋଲିସ କହୁଛି ଆଇନ୍ ଶୃଙ୍ଖଳା ରକ୍ଷା କରୁଛି। କିନ୍ତୁ ରିପୋର୍ଟରଙ୍କ ପାଖରେ ଥିବା ଏଫଆଇଆର (ଫାଷ୍ଟ ଇନଫରମେସନ୍ ରିପୋର୍ଟ) ଗୁଡିକର କପି କହୁଛି ସଂଗୀନ ଦଫା ଲାଗିଛି। ସତ୍ୟବତୀ କହନ୍ତି, ‘‘ମୁଁ ୩୫ ବର୍ଷ ମଧ୍ୟରେ ପୋଲିସର ଆଦୌ କିଛି କରିନି। ତଥାପି ମୋ ବିରୋଧରେ ସେମାନେ ୯ଟି ମାମଲା ରୁଜୁ କରିଛନ୍ତି।’’ ଏଥିରେ ହତ୍ୟା ଉଦ୍ୟମ ଭଳି ଦଫା ଲାଗିଛି। ସେ କେବଳ ଏକୁଟିଆ ନୁହନ୍ତି। ଥାନା ଏବଂ କୋର୍ଟରେ ହାଜିରା ପକାଇବାକୁ ଅନେକ ଗ୍ରାମବାସୀଙ୍କୁ ବାଧ୍ୟ କରାଯାଇଛି। ବେଳେବେଳେ ସପ୍ତାହରେ ଦୁଇ ଥର ହାଜିରା ଦେବାକୁ ପଡ଼ୁଛି।

ଏହି ଅଞ୍ଚଳର ମତ୍ସ୍ୟଜୀବୀ ସଂଘର ନେତା ବାରେ ନାଗରାଜୁ କହନ୍ତି, ଏହାଛଡ଼ା କୃଷିର ବିପର୍ଯ୍ୟୟ ଘଟିବ। ଗେଣ୍ଟେରୁ ଡ୍ରେନକୁ ପ୍ରଦୂଷିତ ପାଣି ଗଲେ ୧୮ଟି ଗାଁର ମତ୍ସ୍ୟଜୀବୀଙ୍କ ପାଇଁ ବିପର୍ଯ୍ୟୟ ସୃଷ୍ଟି ହେବ। ସେ କହନ୍ତି, ‘‘ଏହି କାରଖାନା ଆମର ୪୦,୦୦୦ ଲୋକଙ୍କୁ ପ୍ରଭାବିତ କରିବ। ’’

ଏହି ପ୍ରକଳ୍ପ ପାଇଁ ମାତ୍ରାଧିକ ଭୂତଳ ଜଳ ଉତ୍ତୋଳନ ଏବଂ ଅନ୍ୟ କ୍ଷେତ୍ରରୁ ପାଣି ଯୋଗାଣ ସଂକଟ ସୃଷ୍ଟି କରିସାରିଲାଣି। ପ୍ରଚୁର ପାଣି ରହୁଥିବା ଗୋଦାବରୀ ତ୍ରିକୋଣଭୂମି ଅଞ୍ଚଳରେ ଥିବା ଗାଁଗୁଡିକରେ ଗତ କିଛି ବର୍ଷ ହେବ ଜଳ ସଂକଟ ସୃଷ୍ଟି ହୋଇଛି। ପିଇିବା ପାଣି ପାଇଁ ଲୋକେ ପ୍ଲାଷ୍ଟିକ ବୋତଲ ଉପରେ ନିର୍ଭର କରୁଛନ୍ତି। ବୋତଲ ପାଣି ବ୍ୟବସାୟ ଏହି ଅଞ୍ଚଳରେ ଏକ ଭଲ ବ୍ୟବସାୟ ପାଲଟିଛି। ଲୋକଙ୍କ ଭୟ ରହିଛି, ଜିଏମଏଏଫପି ଏହି ସ୍ଥିତିକୁ ଆହୁରି ଜଟିଳ କରିବ।

ଆକ୍ୱା ଫୁଡ଼ ପାର୍କ ପାଖରେ ଥିବା ଜେନାଲାଗାରୁବୁ ଗାଁର କୃଷି ଶ୍ରମିକ କୋୟା ମହେଶ କହନ୍ତି, ‘‘ଗାଁର ଉର୍ବର ଜମିକୁ ଏହି କାରଖାନା ନଷ୍ଟ କରିଦେବ। ସବୁ କୃଷି ଶ୍ରମିକଙ୍କ ଜୀବିକା ଉଜୁଡ଼ି ଯିବ।’’ ତାଙ୍କ ଗାଁର ଲୋକମାନେ ଏହି ପ୍ରକଳ୍ପ ବିରୋଧରେ ସଂଘର୍ଷ ଜାରି ରଖିଛନ୍ତି। ଏହି ଗାଁର ପ୍ରାୟ ଅଧିକାଂଶ ଲୋକ ଦଳିତ। ସେମାନଙ୍କ ଅଭିଯୋଗ ହେଉଛି, ଗୋଣ୍ଟେରୁ ଡ୍ରେନ୍‌ର ସ୍ୱଛ ପାଣିକୁ ଏହି କାରଖାନା ପ୍ରଦୂଷିତ କରିବ। ଯାହା ତାଙ୍କ ପାଇଁ ଏକ ବଡ଼ ଜଳ ଭଣ୍ଡାର। ଏଥିସହ କାରଖାନାର ଉତ୍କଟ ଗନ୍ଧ ଗ୍ରାମବାସୀଙ୍କ ବଞ୍ଚିବା ଦୁର୍ବିସହ କରିପାରେ।

A man sitting on a chair outdoors
PHOTO • Sahith M.
Portrait of a man outdoors with his hands folded across his chest
PHOTO • Sahith M.
Portrait of a man sitting on a chair
PHOTO • Sahith M.

କୋୟା ମହେଶ (ବାମ) ଏବଂ ସମୁଦ୍ରଲା ଭେଙ୍କଟେଶ୍ୱର ରାଓ (ଦକ୍ଷିଣ)ଙ୍କ ବିରୋଧରେ ମଧ୍ୟ ଏକାଧିକ ମାମଲା ରୁଜୁ ହୋଇଛି। ମତ୍ସ୍ୟଜୀବୀ ନେତା ବାରେ ନାଗରାଜୁ (ମଝି) କହନ୍ତି, ତାଙ୍କ ସଂପ୍ରଦାୟର ୪୦,୦୦୦ ଲୋକଙ୍କୁ ଏହି ପ୍ରକଳ୍ପ ପ୍ରଭାବିତ କରିବ।

ଜୋନାଲାଗାରୁବୁ ଗାଁର ଦଳିତ ପଡ଼ାରେ ରହୁଥିବା ୭୦ ପରିବାର ମଧ୍ୟରୁ ପ୍ରାୟ ୨୦ରୁ ଅଧିକ ଲୋକଙ୍କ ବିରୋଧରେ ଏକାଧିକ ମାମଲା ରହିଛି। ମହେଶଙ୍କ ବିରୋଧରେ ୯ଟି ଦଫା ଲାଗିଛି। ତା ଭିତରେ ରହିଛି ହତ୍ୟା ଉଦ୍ୟମ ଭଳି ଦଫା। ସେ ଥରେ ୫୩ ଦିନ ଏବଂ ପରେ ପୁଣି ଥରେ ୬ ଦିନ ପାଇଁ ଜେଲ ଯାଇଥିଲେ। ଥରେ  ପାର୍କ ବିରୋଧରେ ଚାଲିଥିବା ଏକ ବୈଠକରେ ଯୋଗ ଦେବାରୁ ତାଙ୍କ ପତ୍ନୀ କୀର୍ତ୍ତନଙ୍କ ବିରୋଧରେ ମଧ୍ୟ ମାମଲା ହୋଇଥିଲା। ସେ କହନ୍ତି, ‘‘ଧମକ ଚମକ ମିଳିବା ଏଠାରେ ଏକ ସାଧାରଣ ଘଟଣା ହୋଇଗଲାଣି। ଥରେ ଅନ୍ତର୍ଜାତୀୟ ମହିଳା ଦିବସରେ ବିଜୟୱାଡ଼ାରେ ଆନ୍ଦୋଳନ ବେଳେ ଜଣେ ଗର୍ଭବତୀ ମହିଳାଙ୍କୁ ପୋଲିସ ଗାଡ଼ି ଭିତରକୁ ପରିବା ବସ୍ତା ଭଳି ଫିଙ୍ଗି ଦିଆଗଲା । ’’

ଏଠାରେ ବୟସ ନିର୍ବିଶେଷରେ କାହାକୁ ତ୍ରାହି ନାହିଁ। ପୋଲିସ ଅନୁମତି ନେଇ ନଥିବାରୁ କବାଡି ଖେଳୁଥିବା ପିଲାଙ୍କୁ ମଧ୍ୟ ଉଠାଇ ନିଆଗଲା । ଏଠାରେ କିନ୍ତୁ ପ୍ରତିବର୍ଷ ବିନା ପୋଲିସ ଅନୁମତିରେ କବାଡି ମ୍ୟାଚ୍ ହୋଇଥାଏ। ପୂର୍ବ ବର୍ଷମାନଙ୍କରେ ବିନା ବାଧାବିଘ୍ନରେ ଏଠାରେ ମ୍ୟାଚ୍ ଖେଳାଯାଏ। କିନ୍ତୁ ଗାଁର ଲୋକମାନେ ଆନ୍ଦୋଳନରେ ସାମିଲ ହେବା ପରେ ଏହା ବଦଳି ଯାଇଛି।

A bunch of women standing outside a house
PHOTO • Sahith M.

‘... ଏବେ ଆମେ ରାସ୍ତାକୁ ଆଘାତ କରୁଛୁ ଆଉ ଜେଲ ଯାଉଛୁ,’ ସମୁଦ୍ର ସତ୍ୟବତୀ କହିଲେ

ଏଠି ଘଟୁଥିବା ଘଟଣା ଉପରେ ପ୍ରତିକ୍ରିୟା ଜାଣିବାକୁ ସାମ୍ବାଦିକଙ୍କ ଇ-ମେଲର କୌଣସି ଉତ୍ତର ଦେଲାନି ଜିଏମଏଫପି। ତେବେ କାର୍ଯ୍ୟକାରୀ ନିର୍ଦ୍ଦେଶକ ଆନନ୍ଦ ବର୍ମା କହିଲେ ପ୍ରକୃତରେ ପ୍ରକଳ୍ପ ନେଇ ଭୟଭୀତ ହେବା ଅମୂଳକ। ଆଦୌ ବର୍ଜ୍ୟ ଜଳ ନିଷ୍କାସନ ହେବ ନାହିଁ। ବର୍ଜ୍ୟ ଜଳ ବିଶୋଧିତ ହେବା ସହ ଏହାର ପୁନଃ ବିନିଯୋଗ ହେବ। (ଦି ହିନ୍ଦୁ ବିଜନେସ୍‌ଲାଇନ୍, ଅକ୍ଟୋବର ୧୭, ୨୦୧୬)।

ପ୍ରକଳ୍ପର ଦୃଢ ସମର୍ଥକ ଥିଲେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ। ୨୦୧୬ ଫେବ୍ରୁଆରୀ ୨୫ ତାରିଖରେ ଏଲୁରୁଠାରେ ଏକ ସାଧାରଣ ସଭାରେ ସେ କହିଲେ, ‘‘କିଛି ଲୋକ ଏହି ପ୍ରକଳ୍ପକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି। ଏହି କାରଖାନା ଦ୍ୱାରା କୌଣସି କ୍ଷତି ହେବ ନାହିଁ। କାରଖାନାର ବର୍ଜ୍ୟ ଜଳକୁ ବିଶୋଧିତ କରି ଏକ ପାଇପଲାଇନ୍ ସାହାଯ୍ୟରେ ସମୁଦ୍ରକୁ ଛଡାଯିବ। କାରଖାନା ନିର୍ଦ୍ଧାରିତ ସ୍ଥାନରେ ତିଆରି ହେବ। ’’

ଆନ୍ଧ୍ରପ୍ରଦେଶରେ କଂଗ୍ରେସ ସରକାର ଅମଳରେ ପ୍ରଥମେ ଏହି ଆକ୍ୱା ପାର୍କ ମଞ୍ଜୁରୀ ପାଇଥିଲା। କିନ୍ତୁ ୨୦୧୪ରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) କ୍ଷମତାକୁ ଆସିବା ପରେ ଏହି ପ୍ରକଳ୍ପ ପାଇଁ ଆକ୍ରମଣାତ୍ମକ ମୁଦ୍ରାରେ ରହିଲା। ଗତ ଦୁଇ ବର୍ଷ ମଧ୍ୟରେ ୩୦୦ରୁ ଅଧିକ ଗ୍ରାମବାସୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଟିଡିପି ମୁଖପାତ୍ର ୱାଇଭିବି ରାଜେନ୍ଦ୍ର ପ୍ରସାଦ ଏହି ଆକ୍ୱା ଫୁଡ଼୍ ପାର୍କକୁ ‘‘ପ୍ରଦୂଷଣମୁକ୍ତ’’ ବୋଲି ଘୋଷଣା କରିଥିଲେ।

କିନ୍ତୁ ସ୍ଥାନୀୟ ଲୋକେ ଏକ ଭିନ୍ନ ବାସ୍ତବତା ଦେଖିଲେ। ସେମାନଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଲା। କେ. ବେତାପୁଡ଼ି ଗାଁ ପାଖର ଜଣେ ଚାଷୀ ସମୁଦ୍ରାଲ ଭେଙ୍କଟେଶ୍ୱର ରାଓ କହିଲେ, ‘‘ଏହି କାରଖାନା ଏଠାକୁ ଆସିବା ପୂର୍ବରୁ ମୁଁ ଆଦୌ ପୋଲିସ ଥାନାକୁ ଯାଇନଥିଲି।’’ ରାଓଙ୍କ ମୁଣ୍ଡରେ ଏବେ ୧୭ଟି ମାମଲା ରହିଛି। ଏଥିରେ ହତ୍ୟା ଉଦ୍ୟମ ଓ ଅପରାଧିକ ଷଡଯନ୍ତ୍ର ଭଳି ଦଫା ଲାଗିଛି। ଥରେ ରାସ୍ତା ଉପରେ ଆନ୍ଦୋଳନରେ ବସିବା ପରେ ତାଙ୍କ ସହ ଏହି ଘଟଣା ଆରମ୍ଭ ହେଲା। ସେ କହିଲେ, ‘‘ସେହିଦିନ ରାତିରେ ପୋଲିସ ମୋତେ ଉଠାଇ ନେଲା ଆଉ ମୁଁ ୫୩ ଦିନ ଜେଲ ଭୋଗିଲି। ’’

ସେହି ଗାଁର ଆଉ ଜଣେ ବାସିନ୍ଦା ସମୁଦ୍ର ସତ୍ୟବତୀ କହନ୍ତି, ‘‘ଚଟାଣରେ ମୁଗ୍ଗୁ (ଧଳା କିମ୍ବା ସୁନ୍ଦର ରଙ୍ଗ) ଲେପନ କରିବାକୁ ଅଧିକାଂଶ ମହିଳା ଏଠାକୁ ଆସୁଥିଲେ। କିନ୍ତୁ ଏବେ ଆମେ ରାସ୍ତାକୁ ଆଘାତ କରୁଛୁ ଆଉ ଜେଲ ଯାଉଛୁ। ଗୋଟିଏ କାରଖାନା ଯୋଗୁ ହଜାରେ ଲୋକ କାହିଁକି କ୍ଷତିଗ୍ରସ୍ତ ହେବେ?’’ ଏଠାରେ ଥିବା ଅନ୍ୟମାନେ ୪ ବର୍ଷ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଛନ୍ତି। ସେମାନଙ୍କ ପ୍ରଶ୍ନ : ପରଦିନ କାରଖାନାର ଯନ୍ତ୍ରପାତି ଆସୁଥିବାରୁ ଆମକୁ ଘୋଷାଡିବା, ପିଟିବା ଏବଂ ଅଟକ ରଖିବା କଣ ନ୍ୟାୟ ସଂଗତ? ଆମେ ମରିଯିବୁ ପଛେ କାରଖାନା ଆରମ୍ଭ ହେବାକୁ ଦେବୁ ନାହିଁ।’’

କେ. ବେଥାପୁଡ଼ିର ଜେ. ସତ୍ୟନାରାୟଣ ଜାଣି ପାରୁନାହାନ୍ତି ଯେ କାହିଁକି ଏକ ଘରୋଇ କାରଖାନାକୁ ଲୋକଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ସରକାର ଏତେ ସମର୍ଥନ କରୁଛନ୍ତି। ସେ କହିଲେ, ବିନା ପୋଲିସ ସୁରକ୍ଷାରେ କାରଖାନାରେ ଆଜି ଇଟାଖଣ୍ଡେ ବି ପଡ଼ିନି। ’’

ଓଡ଼ିଶାଲାଇଭ୍‍

Sahith M.

Sahith M. is working towards an M.Phil degree in Political Science from Hyderabad Central University.

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Sahith M.
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE