‘‘ ଏକ ମିନିଟ୍‌ ଭି ଲେଟ୍‌ ନହିଁ ହୋ ସକତେ ୱର୍ଣ୍ଣା ହମାରୀ କ୍ଲାସ୍‌ ଲଗ ଜାୟେଗୀ ’’ (‘‘ମୁଁ ଗୋଟିଏ ମିନିଟ୍‌ ବିଳମ୍ବରେ ସୁଦ୍ଧା ପହଞ୍ଚି ପାରିବି ନାହିଁ, ନଚେତ୍‌ ମୋତେ ଗାଳି ଶୁଣିବାକୁ ପଡ଼ିବ’’) ଲକ୍ଷ୍ନୌର କ୍ୟାଣ୍ଟନମେଣ୍ଟ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ ମହାନଗର ପବ୍ଲିକ୍‌ ଇଣ୍ଟର କଲେଜ ଆଡ଼କୁ ତରବର ହୋଇ ପାଦ ପକାଇ ଯାଉଥିବା ସମୟରେ ରୀତା ବାଜପେୟୀ କହିଥିଲେ। ଏହି ମତଦାନ କେନ୍ଦ୍ରରେ ତାଙ୍କୁ ଡ୍ୟୁଟି କରିବାକୁ ଦାୟିତ୍ୱ ଦିଆଯାଇଥିଲା। ତେବେ ଏଠାରେ ସେ ନିଜ ପାଇଁ ଭୋଟ୍‌ ଦେଇପାରିବେ ନାହିଁ ।

ତାଙ୍କ ଘରଠାରୁ ଏ କଲେଜ ଗୋଟିଏ କିଲୋମିଟର ଦୂରରେ ରହିଛି। ସକାଳ ପ୍ରାୟ ୫ଟା ୩୦ ମିନିଟ୍‌ ସମୟରେ ଗୋଟିଏ ଡିଜିଟାଲ ଥର୍ମୋମିଟର, ସାନିଟାଇଜର ବୋତଲ, ଏବଂ କାର୍ଯ୍ୟସ୍ଥଳୀରେ ବିତରଣ କରାଯିବାକୁ ଥିବା କିଛି ହଳ ଡିସ୍ପୋଜେବଲ ଗ୍ଲୋଭ୍ସ ଏବଂ ମାସ୍କ ଭର୍ତ୍ତି ଏକ ବଡ଼ ବ୍ୟାଗ୍‌ ନେଇ ସେତିକି ଦୂର ସେ ଚାଲି ଚାଲି ଯାଉଥିଲେ। ବିଧାନସଭା ନିର୍ବାଚନ ଚତୁର୍ଥ ପର୍ଯ୍ୟାୟ ଫେବୃଆରୀ ୨୩ ତାରିଖରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଲକ୍ଷ୍ନୌ ସମେତ ନଅଟି ଜିଲ୍ଲାର ୫୮ଟି ନିର୍ବାଚନ ମଣ୍ଡଳୀରେ ଭୋଟ୍‌ ଗ୍ରହଣ ହୋଇଥିଲା। ଏହା ତାଙ୍କ ପାଇଁ ଏକ ବ୍ୟସ୍ତବହୁଳ ଦିନ ଥିଲା।

ଉତ୍ତର ପ୍ରଦେଶ ନିର୍ବାଚନ ଶେଷ ହୋଇସାରିଛି – ଫଳାଫଳ ମଧ୍ୟ ପ୍ରକାଶ ପାଇଛି। କିନ୍ତୁ ମହିଳାମାନଙ୍କର ଏକ ବଡ଼ ବର୍ଗ ପାଇଁ ପରିଣାମ ତଥାପି ଆଗକୁ ଆସିବାର ଅଛି – ସେମାନେ ଜାଣନ୍ତି ଯେ ଏହା ଅତ୍ୟନ୍ତ କଷ୍ଟଦାୟକ, ସମ୍ଭବତଃ ଜୀବନ ପାଇଁ ବିପଜ୍ଜନକ ହୋଇପାରେ। ଭାରତର ସବୁଠୁ ଅଧିକ ଜନସଂଖ୍ୟା ଥିବା ରାଜ୍ୟର ବିଧାନସଭା ନିର୍ବାଚନ ପରିଚାଳନାରେ ରହିଥିବା ବିପଦରୁ ଉତ୍ପନ୍ନ ପରିଣାମ।

ରାଜ୍ୟର ପ୍ରାୟ ୧୬୩,୪୦୭ ଜଣ ଆଶା (ମାନ୍ୟତାପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ) ରହିଛନ୍ତି ଯେଉଁମାନଙ୍କୁ ବିନା କୌଣସି ଲିଖିତ ଆଦେଶରେ ମତଦାନ କେନ୍ଦ୍ରରେ କାମ କରିବା ଲାଗି ବାଧ୍ୟ କରାଯାଇଥିଲା। ବିଡ଼ମ୍ବନାର ବିଷୟ ହେଉଛି, ଯଦିଓ ସେମାନଙ୍କୁ ମତଦାନ କେନ୍ଦ୍ରରେ ସ୍ୱଚ୍ଛତା ଏବଂ ପରିଚ୍ଛନ୍ନତା ବଜାୟ ରଖିବା ଲାଗି ଦାୟିତ୍ୱ ଦିଆଯାଇଥିଲା, ତଥାପି ସେମାନଙ୍କ ପାଇଁ ଅତି କମ୍‌ ବ୍ୟକ୍ତିଗତ ସୁରକ୍ଷା ଉପକରଣ ରହିଥିଲା। ୨୦୨୧ ଏପ୍ରିଲ-ମଇ ମାସରେ ଏହି ରାଜ୍ୟରେ ପ୍ରାୟ ୨,୦୦୦ ସ୍କୁଲ ଶିକ୍ଷକ କୋଭିଡ-୧୯ରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ । ମହାମାରୀ ସଂକ୍ରମଣ ଶୀର୍ଷରେ ଥିବା ସମୟରେ ସେହି ବର୍ଷ ଏପ୍ରିଲ ମାସରେ ଅନୁଷ୍ଠିତ ରାଜ୍ୟ ପଞ୍ଚାୟତ ନିର୍ବାଚନରେ, ଶିକ୍ଷକମାନଙ୍କ ଇଚ୍ଛା ବିରୋଧରେ ସେମାନଙ୍କୁ ନିର୍ବାଚନ ଅଧିକାରୀ ଭାବେ କାମ କରିବା ଲାଗି ବାଧ୍ୟ କରାଯାଇଥିଲା।

Reeta Bajpai spraying sanitiser on a voter's hands while on duty in Lucknow Cantonment assembly constituency on February 23
PHOTO • Jigyasa Mishra

ଲକ୍ଷ୍ନୌ କ୍ୟାଣ୍ଟନ୍‌ମେଣ୍ଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଫେବ୍ରୁଆରୀ ୨୩ ତାରିଖରେ ଡ୍ୟୁଟି କରିବା ବେଳେ ରୀତା ବାଜପେୟୀ ଜଣେ ଭୋଟରଙ୍କ ହାତରେ ସାନିଟାଇଜର ସ୍ପ୍ରେ କରୁଛନ୍ତି

ମୃତ୍ୟୁବରଣ କରିଥିବା ଶିକ୍ଷକମାନଙ୍କର ପୀଡ଼ିତ ପରିବାରଙ୍କୁ କ୍ଷତିପୂରଣ ପାଇବା ପାଇଁ ନାନା ସଂଘର୍ଷ କରିବାକୁ ପଡ଼ିଥିଲା ଏବଂ ଏଥିପାଇଁ କିଛି ପରିବାରକୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିଲା । ଅନ୍ୟପଟେ ଆଶା କର୍ମୀମାନଙ୍କ ପାଇଁ କୌଣସି ଲିଖିତ ଦସ୍ତାବିଜ, ନିର୍ଦ୍ଦେଶ କିମ୍ବା ଆଦେଶ ମିଳି ନାହିଁ ଯାହା ଜରିଆରେ ସେମାନେ ନିଜ ପାଇଁ କିଛି ଦାବି କରିପାରିବେ। ଫଳରେ ସେମାନେ ଏହାକୁ ଏକ ଦଣ୍ଡିତ କାର୍ଯ୍ୟ ଭାବେ ବିବେଚନା କରୁଛନ୍ତି ଯାହାକି ସେମାନଙ୍କୁ ମତଦାନଠାରୁ ବଞ୍ଚିତ କରିଛି।

ସେମାନଙ୍କ ଭୟର କାରଣ ହେଉଛି କୋଭିଡ-୧୯। ପ୍ରାରମ୍ଭିକ ପର୍ଯ୍ୟାୟ ମତଦାନରେ ସେମାନଙ୍କର ସହଯୋଗୀ ଆଶା କର୍ମୀମାନଙ୍କ ଉପରେ ଏହାର ପ୍ରଭାବ ସେମାନେ ଏବେସୁଦ୍ଧା ଆକଳନ କରିନାହାନ୍ତି।

*****

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ପିଏଚସି) ମାଧ୍ୟମରେ ଡ୍ୟୁଟି କରିବା ଲାଗି କେବଳ ପ୍ରାରମ୍ଭିକ ଆଦେଶ ପାଇବା ପରେ ୧୩୦୦ରୁ ଅଧିକ ଆଶା କର୍ମୀମାନଙ୍କୁ ଲକ୍ଷ୍ନୌରେ ଭୋଟ୍‌ ଗ୍ରହଣ କେନ୍ଦ୍ରରେ ନିୟୋଜିତ କରାଯାଇଥିଲା। ସେମାନଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ବାଚନ ଡ୍ୟୁଟି ଦିଆଯାଇଥିଲା।

ରୀତା କୁହନ୍ତି, ‘‘ଆମକୁ ଚନ୍ଦନ ନଗର ପିଏଚ୍‌ସିକୁ ଡକାଯାଇଥିଲା ଏବଂ ମତଦାନ ଦିନ ସ୍ୱଚ୍ଛତା ବଜାୟ ରଖିବା ଲାଗି ମୌଖିକ ଆଦେଶ ଦିଆଯାଇଥିଲା। ଆମକୁ ବିଶୋଧକ ସିଞ୍ଚନ କରିବା, ମତଦାତାମାନଙ୍କର ଶରୀର ତାପମାତ୍ରା ଯାଞ୍ଚ କରିବା ଏବଂ ମାସ୍କ ବିତରଣ କରିବା ଲାଗି କୁହାଯାଇଥିଲା।’’

ଫେବୃଆରୀ ୧୦ ତାରିଖଠାରୁ ମାର୍ଚ୍ଚ ୭, ୨୦୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ବିଧାନସଭା ନିର୍ବାଚନ ସମୟରେ ସାରା ଉତ୍ତର ପ୍ରଦେଶରେ ଆଶା କର୍ମୀମାନଙ୍କୁ ଏପରି ଡ୍ୟୁଟିରେ ନିୟୋଜିତ କରାଯାଇଥିଲା।

ଲକ୍ଷ୍ନୌର ସର୍ବାଙ୍ଗୀନ ବିକାଶ ଇଣ୍ଟର କଲେଜ ପୁଲିଙ୍ଗ୍ ଷ୍ଟେସନରେ ନିୟୋଜିତ ଆଶା କର୍ମୀ ୩୬ ବର୍ଷୀୟା ପୂଜା ସାହୁ କୁହନ୍ତି, ଆଶା କର୍ମୀମାନଙ୍କ ନାଁ ଏବଂ [ମତଦାନ] ଷ୍ଟେସନ ନାମ ଥିବା ଏକ କାଗଜ ଫର୍ଦ୍ଦ ଥିଲା, କିନ୍ତୁ ସେଥିରେ କାହାର ଦସ୍ତଖତ ନଥିଲା।

‘‘ମୋତେ କୁହନ୍ତୁ, ଯଦି ମତଦାନ କେନ୍ଦ୍ରରେ ଦଳାଚକଟା ହୋଇଥାନ୍ତା, କିମ୍ବା ଆମର କିଛି ହୋଇଯାଇଥାନ୍ତା, ତା’ହେଲେ କିଏ ଦାୟୀ ରହିଥାନ୍ତା?’’ ଚିତ୍ରକୁଟ ସହରର ୪୧ ବର୍ଷୀୟା ଶାନ୍ତି ଦେବୀ ପ୍ରଶ୍ନ କରିଥାନ୍ତି, ଯିଏକି ଫେବୃଆରୀ ୨୭ ତାରିଖରେ ନିର୍ବାଚନ ଡ୍ୟୁଟିରେ ଥିଲେ । ‘‘କୌଣସି ଲିଖିତ ଚିଠି ବିନା ଆମେ କିପରି ପ୍ରମାଣିତ କରିପାରିବୁ ଯେ ଆମକୁ ଡ୍ୟୁଟି ପାଇଁ ଡକା ଯାଇଥିଲା? ସବୁ ଆଶା କର୍ମୀମାନେ ମୁହଁ ଖୋଲିବା ପାଇଁ ଡରୁଛନ୍ତି। ଏପରି ସମୟରେ ମୁଁ ଯଦି ବେଶି କଥା କହିବି, ମୋ ଉପରେ ମଧ୍ୟ ବିପଦ ମାଡ଼ି ଆସିବ। ସବୁ ପରେ, ମୋତେ ଏକାକୀ ହିଁ ଯିବା ଆସିବା କରିବାକୁ ପଡ଼ିବ।’’

ASHA worker Shanti Devi in Chitrakoot: "Without a written letter how can we prove we were called on duty?"
PHOTO • Jigyasa Mishra

ଚିତ୍ରକୁଟରେ ଆଶାକର୍ମୀ ଶାନ୍ତି ଦେବୀ: ‘ବିନା କୌଣସି ଚିଠିରେ ଆମେ କେମିତି ପ୍ରମାଣିତ କରିବୁ ଯେ ଆମକୁ ଡ୍ୟୁଟି ପାଇଁ ଡକାଯାଇଥିଲା?’

ତଥାପି ଶାନ୍ତି ଦେବୀ ଯେତେବେଳେ ଦେଖିଲେ ଯେ ଚିତ୍ରକୂଟସ୍ଥିତ ନିଜର ମତଦାନ କେନ୍ଦ୍ରରେ ଅନ୍ୟ କର୍ମଚାରୀମାନେ ଏକ ଉପସ୍ଥିତି ପୁସ୍ତିକାରେ ନିଜର ନାମ ପଞ୍ଜୀକରଣ କରୁଛନ୍ତି ସେ ପ୍ରଶ୍ନ କରିବାକୁ ବାଧ୍ୟ ହୋଇଥିଲେ। ଆଶା କର୍ମୀମାନଙ୍କୁ ମଧ୍ୟ କେଉଁଠି କିଛି ଦସ୍ତଖତ କରିବାକୁ ପଡ଼ିବ କି ବୋଲି ସେ ପଚାରିଥିଲେ । ‘‘ସେମାନେ ଆମକୁ ଥଟ୍ଟା କଲେ’’, ସେ କୁହନ୍ତି। ‘‘ସେମାନେ କହିଲେ ଯେ ଆମକୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନିଯୁକ୍ତି ଦିଆଯାଇନାହିଁ। ତେଣୁ ଆମକୁ ଦସ୍ତଖତ କରି ନିଜର ଉପସ୍ଥିତି ଉଲ୍ଲେଖ କରିବାର ଆବଶ୍ୟକତା ନାହିଁ।’’ ଶାନ୍ତି ଚିତ୍ରକୂଟ ଜିଲ୍ଲାରେ ନିୟୋଜିତ ୮୦୦ରୁ ଅଧିକ ଆଶାମାନଙ୍କ ମଧ୍ୟରୁ ଜଣେ, ଯାହାଙ୍କର ଏହିପରି ଅନୁଭୂତି ରହିଥିଲା।

ଡ୍ୟୁଟି କରିବା ଲାଗି ନିର୍ଦ୍ଦେଶ ପତ୍ର ମାଗିବାରୁ ଚିତ୍ରକୂଟର ଅନ୍ୟ ଜଣେ ଆଶା କର୍ମୀ ୩୯ବର୍ଷୀୟା କଳାବନ୍ତୀଙ୍କୁ ପିଏଚ୍‌ସି କର୍ମଚାରୀ ନିରବ ରହିବାକୁ ତାଗିଦ୍‌ କରିଥିଲେ। ‘‘ମୋ ସ୍ୱାମୀ ଏକ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଅଛନ୍ତି ଏବଂ ମୁଁ ପ୍ରାୟ ଏକ ସପ୍ତାହ ତଳେ ତାଙ୍କୁ ମିଳିଥିବା ଡ୍ୟୁଟି ନିର୍ଦ୍ଦେଶପତ୍ର ଦେଖିଥିଲି’’, ସେ କୁହନ୍ତି । ‘‘ମୁଁ ଭାବିଥିଲି, ମୋତେ ଡ୍ୟୁଟି ମିଳିଥିବାରୁ ମୁଁ ମଧ୍ୟ ଏକ ନିର୍ଦ୍ଦେଶପତ୍ର ପାଇବି । କିନ୍ତୁ ପିଏଚସିରୁ ସାନିଟାଇଜିଂ ସାମଗ୍ରୀ ମିଳିବା ପରେ ଯେତେବେଳେ ମୁଁ ଲିଖିତ ଆଦେଶ ସମ୍ପର୍କରେ ପଚାରିଲି, ପ୍ରଭାରୀ ଲଖନ୍‌ ଗର୍ଗ (ପିଏଚସିର ଭାରପ୍ରାପ୍ତ ଅଧିକାରୀ) ଏବଂ ବିସିପିଏମ (ବ୍ଲକ୍‌ କମ୍ୟୁନିଟି ପ୍ରୋସେସ୍‌ ମ୍ୟାନେଜର) ରୋହିତ୍‌ କହିଥଲେ ଯେ, ଆଶାମାନଙ୍କୁ କୌଣସି ପତ୍ର ମିଳିବ ନାହିଁ, ଏବଂ ଡ୍ୟୁଟିକୁ ଆସିବା ଲାଗି କେବଳ ମୌଖିକ ଆଦେଶ ହିଁ ଯଥେଷ୍ଟ।

ନିର୍ବାଚନ ଦିନ କଳାବନ୍ତୀଙ୍କୁ ୧୨ ଘଣ୍ଟା ପର୍ଯ୍ୟନ୍ତ ମତଦାନ କେନ୍ଦ୍ରରେ ରହିବାକୁ ପଡ଼ିଲା। କିନ୍ତୁ ଯେଉଁଠି ଡ୍ୟୁଟି ଶେଷ ହେଲା ସେଠାରେ ତାଙ୍କର କାମ ସରିଲା ନାହିଁ । ଏହି ସମୟରେ ତାଙ୍କୁ ନିଜ ପିଏଚସିର ସହାୟକ ନର୍ସ ମିଡିୱାଇଫଙ୍କ ଫୋନ୍‌ ଆସିଲା। ସେ କୁହନ୍ତି, ‘‘ମୁଁ ଘରକୁ ଫେରିବା ପରେ, ଏଏନଏମ ମୋତେ ଫୋନ୍‌ କଲେ ଏବଂ ମୋତେ ଏକ ନିର୍ଦ୍ଦେଶ ଦେଲେ । ସେ ମୋତେ କହିଲେ ଯେ ମୋତେ ଗାଁ ସାରା ବୁଲି ସର୍ବେକ୍ଷଣ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ ଏବଂ ପରଦିନ ଶେଷ ସୁଦ୍ଧା ରିପୋର୍ଟ ଜମା କରିବାକୁ ହେବ’’।

ମତଦାନ କେନ୍ଦ୍ରରେ କଳାବନ୍ତୀଙ୍କ ଉପସ୍ଥିତିକୁ ଗ୍ରହଣ କରାଗଲା ନାହିଁ, ଆହୁରି ଏଥିପାଇଁ ତାଙ୍କୁ କିଛି ପାରିଶ୍ରମିକ ସୁଦ୍ଧା ମିଳିଲା ନାହିଁ । କେହି ଜଣେ ହେଲେ ଆଶା କର୍ମୀ ମତଦାନ କେନ୍ଦ୍ରରେ ଅନ୍ୟ କର୍ମଚାରୀଙ୍କ ଭଳି ସମାନ କାମ କରିଥିଲେ ସୁଦ୍ଧା କୌଣସି ପାରିଶ୍ରମିକ ପାଇଲେ ନାହିଁ । ଉତ୍ତର ପ୍ରଦେଶ ଆଶା କର୍ମୀ ସଂଘର ଅଧ୍ୟକ୍ଷା ବୀଣା ଗୁପ୍ତା କୁହନ୍ତି, ‘‘ସେମାନେ ଆମକୁ ନିର୍ଦ୍ଦେଶ ପତ୍ର ଦେବେ ନାହିଁ ।’’ ସେ ଆହୁରି କହିଥାନ୍ତି ଯେ, ‘‘ନିର୍ଦ୍ଦେଶ ପତ୍ର ସହିତ ଭତ୍ତା ମଧ୍ୟ ମିଳିଥାଏ । ନିର୍ବାଚନ ଡ୍ୟୁଟି କରୁଥିବା ସବୁ କର୍ମଚାରୀମାନଙ୍କୁ କିଛି ଭତ୍ତା ମିଳିଛି, କିନ୍ତୁ ଆଶା ଏବଂ ଅଙ୍ଗନୱାଡ଼ି କର୍ମୀଙ୍କୁ ମିଳିନାହିଁ। ସେମାନଙ୍କୁ ନିଜ ଖର୍ଚ୍ଚରେ ଯାତ୍ରା କରିବାକୁ ବାଧ୍ୟ କରାଯାଇଥିଲା ଏବଂ ଅନ୍ୟ ଅର୍ଥରେ କହିବାକୁ ଗଲେ ସେମାନଙ୍କର ଶୋଷଣ କରାଯାଇଥିଲା।’’

ଏହା ପ୍ରଥମ ଥର ପାଇଁ ନଥିଲା।

The Mahanagar Public Inter College polling station in Lucknow where Reeta Bajpai was posted to maintain sanitation and hygiene on election day. She worked for 10 hours that day
PHOTO • Jigyasa Mishra

ଲକ୍ଷ୍ନୌର ମହାନଗର ପବ୍ଲିକ୍‌ ଇଣ୍ଟର କଲେଜ ଭୋଟ୍‌ଗ୍ରହଣ କେନ୍ଦ୍ର ଯେଉଁଠାରେ ନିର୍ବାଚନ ଦିନ ପରିମଳ ଏବଂ ପରିଚ୍ଛନ୍ନତା ବଜାୟ ରଖିବାକୁ ରୀତା ବାଜପେୟୀ ନିଯୁକ୍ତ ହୋଇଥିଲେ। ସେହିଦିନ ସେ ୧୦ ଘଣ୍ଟା କାମ କରିଥିଲେ

*****

ଆଶା କର୍ମୀମାନେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ପ୍ରମୁଖ କର୍ମୀମାନେ କାର୍ଯ୍ୟ କରିଥାନ୍ତି । ଅଧିକ ପରିଶ୍ରମ ସତ୍ତ୍ୱେ ସେମାନେ କମ୍‌ ପାରିଶ୍ରମିକରେ କାମ କରିବାକୁ ବାଧ୍ୟ ହୋଇଥାନ୍ତି, ତଥାପି ସେମାନେ ୨୦୦୫ ଠାରୁ ସାର୍ବଜନୀନ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛନ୍ତି । କିନ୍ତୁ ସେମାନଙ୍କୁ ଲଗାତାର ସରକାରଙ୍କ ଉପେକ୍ଷା ଉଦାସୀନତା ଏବଂ ବେଳେ ବେଳେ ଅତ୍ୟଧିକ ଅନ୍ୟାୟର ଶିକାର ହେବାକୁ ପଡ଼ିଥାଏ ।

ଦେଶରେ କରୋନା ମହାମାରୀ ବ୍ୟାପୁଥିବା ସମୟରେ ଆଶା କର୍ମୀମାନଙ୍କୁ ଘରକୁ ଘର ବୁଲି ନମୁନା ପରୀକ୍ଷା କରିବା, ପ୍ରବାସୀ ଶ୍ରମିକମାନଙ୍କୁ ନିରୀକ୍ଷଣ କରିବା, ମହାମାରୀ ନିୟମ ପାଳନ ସୁନିଶ୍ଚିତ କରିବା, କୋଭିଡ-୧୯ରେ ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ସହାୟତା, ଟିକା ପହଞ୍ଚାଇବା ଏବଂ ତଥ୍ୟ ସଂଗ୍ରହ କରି ତାହାକୁ ପିଏଚସିରେ ଜମା କରିବା ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାକୁ କୁହାଯାଇଥିଲା। ଏପରି ଭାବେ ସେମାନଙ୍କ ଉପରେ ଅତିରିକ୍ତ କାର୍ଯ୍ୟଭାର ବଢ଼ି ଯାଇଥିଲା। ସେମାନେ ଦୈନିକ ୮ରୁ ୧୪ ଘଣ୍ଟା ଧରି କାମ କରିବା ସହ ହାରାହାରି ୨୫-୫୦ଟି ଘର ବୁଲିବା ଏବଂ ଶନିବାର ଓ ରବିବାର ସୁଦ୍ଧା କାମ କରିଥିଲେ । ଦୁର୍ବଳ ବ୍ୟକ୍ତିଗତ ସୁରକ୍ଷା ଉପକରଣ ସହିତ ସେମାନେ ଅତିରିକ୍ତ ସମୟ କାମ କରିଥିଲେ, ତଥାପି ସେମାନଙ୍କୁ ପାରିଶ୍ରମିକ ପ୍ରଦାନରେ ବିଳମ୍ବ କରାଯାଉଥିଲା।

ଚିତ୍ରକୂଟର ଆଶା କର୍ମୀ ୩୨ ବର୍ଷ ବୟସ୍କା ରତ୍ନା କୁହନ୍ତି, ‘‘ଗତ ବର୍ଷ (୨୦୨୦) ପରଠାରୁ ଆମର କାର୍ଯ୍ୟଭାର ବଢ଼ିଯାଇଛି । କିନ୍ତୁ ଅତିରିକ୍ତ ସମୟ କାମ ପାଇଁ ଆମକୁ ପାରିଶ୍ରମିକ ମିଳିବା ଉଚିତ୍‌ କି ନାହିଁ?’’ ଉତ୍ତର ପ୍ରଦେଶରେ ଆଶା କର୍ମୀମାନଙ୍କୁ ପ୍ରତିମାସରେ ସମ୍ମାନଜନକ ଭାବରେ ମାସିକ ୨୨୦୦ଟଙ୍କା ମିଳିଥାଏ। ଏହାଛଡ଼ା ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା ଅଧୀନରେ ପ୍ରଦର୍ଶନ ଆଧାରିତ ପ୍ରୋତ୍ସାହନ ସହିତ ମୋଟ୍‌ ୫,୩୦୦ ଟଙ୍କା ମିଳିଥାଏ ।

୨୦୨୦ ଶେଷ ଭାଗରେ, କେନ୍ଦ୍ର ସରକାର କୋଭିଡ-୧୯ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରସ୍ତୁତି ଏବଂ ଜରୁରିକାଳୀନ ମୁକାବିଲା ପ୍ୟାକେଜ ଅଧୀନରେ ଆଶା କର୍ମୀମାନଙ୍କ ପାଇଁ ମାସିକ ୧ହଜାର ଟଙ୍କାର ‘କୋଭିଡ ପ୍ରୋତ୍ସାହନ ରାଶି’ ପ୍ରଦାନ କରିଥିଲେ । ଏହା ଜାନୁଆରୀ ଠାରୁ ଜୁନ୍‌ ୨୦୨୦ ପର୍ଯ୍ୟନ୍ତ ଦିଆଯାଇଥିଲା। ଜୁରୁରିକାଳୀନ ପ୍ୟାକେଜ୍‌କୁ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ବଢ଼ାଇବା ସହ ପ୍ରୋତ୍ସାହନ ରାଶି ବଣ୍ଟନ ଜାରି ରହିଥିଲା।

ପୂର୍ବ ଆର୍ଥିକ ବର୍ଷର ଖର୍ଚ୍ଚ ହୋଇନଥିବା ପାଣ୍ଠିରୁ କୋଭିଡ ପ୍ରୋତ୍ସାହନ ରାଶି ପ୍ରଦାନ କରିବା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ କୋଭିଡ ଜରୁରିକାଳୀନ ପ୍ୟାକେଜର ଦ୍ଵିତୀୟ ପର୍ଯ୍ୟାୟ – ୧ ଜୁଲାଇ, ୨୦୨୧ ଠାରୁ ମାର୍ଚ୍ଚ ୩୧, ୨୦୨୨ ପର୍ଯ୍ୟନ୍ତ ଲାଗୁ – ଆଶା ସମେତ ସମ୍ମୁଖ ଯୋଦ୍ଧାମାନଙ୍କୁ ପ୍ରୋତ୍ସାହନ ରାଶି ତାଲିକାରୁ ବାହାର କରି ଦିଆଯାଇଥିଲା।

ଏପ୍ରିଲ ୨୦୨୦ରେ ଆଶା କର୍ମୀମାନଙ୍କର କାମ କରିବାର ସ୍ଥିତି ଏବଂ ସେମାନଙ୍କର ଦେୟ ଉପରେ ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ୧୬ ଟି ରାଜ୍ୟ ମଧ୍ୟରୁ ୧୧ ରାଜ୍ୟ କୋଭିଡ ପ୍ରୋତ୍ସାହନ ରାଶି ପୈଠ କରିବାରେ ବିଫଳ ହୋଇଛନ୍ତି। ୫୨ ଜଣ ଆଶା କର୍ମୀ ଏବଂ ଆଶା ସଂଘ ନେତାମାନଙ୍କଠାରୁ ନିଆଯାଇଥିବା ସାକ୍ଷାତକାରରୁ ଜଣାପଡ଼ିଥିଲା ଯେ ‘‘ଲକଡାଉନ ସମୟରେ ନିଷିଦ୍ଧ ଥିବା ଟିକାକରଣ ସଂକ୍ରାନ୍ତ କାର୍ଯ୍ୟ ପାଇଁ କୌଣସି ଗୋଟିଏ ହେଲେ ରାଜ୍ୟ ଅର୍ଥ ପୈଠ କରିନଥିଲେ।’’

Health workers from primary health centres in UP were put on election duty across UP. They had to spray disinfectants, collect the voters' phones, check their temperature and distribute masks
PHOTO • Jigyasa Mishra
Health workers from primary health centres in UP were put on election duty across UP. They had to spray disinfectants, collect the voters' phones, check their temperature and distribute masks
PHOTO • Jigyasa Mishra

ଉତ୍ତରପ୍ରଦେଶର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକର ସ୍ୱାସ୍ଥ୍ୟକର୍ମୀମାନେ ଉତ୍ତରପ୍ରଦେଶ ସାରା ନିର୍ବାଚନ ଡ୍ୟୁଟିରେ ମୁତୟନ ହୋଇଥିଲେ। ସେମାନଙ୍କୁ କୀଟାଣୁନାଶକ ସିଞ୍ଚନ କରିବା, ଭୋଟରମାନଙ୍କ ଫୋନ୍‌ ସଂଗ୍ରହ କରିବା, ସେମାନଙ୍କର ତାପମାତ୍ରା ମାପିବା ଏବଂ ମାସ୍କ ବାଣ୍ଟିବା ଆଦି କାମ କରିବାକୁ ହୋଇଥିଲା

କୋଭିଡ ସଂକ୍ରାନ୍ତ ସମସ୍ତ ଅତିରିକ୍ତ କାର୍ଯ୍ୟ କରିଥିଲେ ସୁଦ୍ଧା ଜୁନ୍‌ ୨୦୨୧ ପରଠାରୁ ରତ୍ନାଙ୍କୁ ଆଦୌ ‘କୋଭିଡ ପ୍ରୋତ୍ସାହନ ରାଶି’ ମିଳି ନାହିଁ । ସେ କୁହନ୍ତି, ‘‘ଗତ ବର୍ଷ (୨୦୨୧) ଏପ୍ରିଲ ଏବଂ ମେ ମାସରେ ମୁଁ ମାତ୍ର ୨,୦୦୦ ଟଙ୍କା ପାଇଥିଲି । ମାସକୁ ଏକ ହଜାର ଟଙ୍କା ଲେଖାଏଁ ହେଲେ ଏବେ କେତେ ଟଙ୍କା ବକେୟା ରହିଛି ଆପଣ ହିସାବ କରିପାରୁଥିବେ।’’ ରତ୍ନାର ଅନାଦାୟ ପ୍ରୋତ୍ସାହନ ରାଶି ଅତି କମ୍‌ରେ ୪୦୦୦ ଟଙ୍କା ଆସିଥାଏ । ଏବଂ ଏଏନଏମ ପେମେଣ୍ଟ ଭାଉଚରରେ ଦସ୍ତଖତ କଲେ ଯାଇ ତାଙ୍କୁ ଏହି ଟଙ୍କା ମିଳିପାରିବ – ଯାହାକି ଆହୁରି ଏକ କଷ୍ଟକର କାମ ।

ରତ୍ନା କୁହନ୍ତି, ‘‘ଆମ ପେମେଣ୍ଟ ଭାଉଚରରେ ଦସ୍ତଖତ କରିବା ଲାଗି ଏଏନଏମଙ୍କୁ ରାଜି କରାଇବା କେତେ କଷ୍ଟକର କାମ ଆପଣ ତାହା ଜାଣିନାହାନ୍ତି । କୌଣସି ଜରୁରିକାଳୀନ କାରଣରୁ କିମ୍ବା ଦେହ ଖରାପ ହେଲେ ମାସକୁ ଗୋଟିଏ ଦିନ କାମ କରିନପାରିଲେ, ସେ କହିବେ, ‘‘ତୁମେ ଏ ମାସ ଠିକରେ କାମ କରିପାରି ନାହଁ’ ଏବଂ ସେହି ମାସର ୧,୦୦୦ ଟଙ୍କା ପ୍ରୋତ୍ସାହନ ରାଶି କାଟି ଦେଇଥାନ୍ତି । ସେ ଏକଥା ଅନୁଭବ କରନ୍ତି ନାହିଁ ଯେ ମାସର ବାକି ୨୯ ଦିନ ସମ୍ମୁଖ ଭାଗରେ ରହି କାମ କରୁଥିବା ଆଶା କର୍ମୀଙ୍କ ସେତିକି ହିଁ ଉଚିତ୍‌ ପ୍ରାପ୍ୟ।’’

ଅଳ୍ପ ପାରିଶ୍ରମିକରେ ଅଧିକ କାମ କରାଉଥିବା ଏକ ବ୍ୟବସ୍ଥା ବିରୋଧରେ ସାରା ଦେଶରେ ୧୦ ଲକ୍ଷରୁ ଅଧିକ ସହରୀ ଓ ଗ୍ରାମାଞ୍ଚଳ ଆଶା କର୍ମୀ ସଂଘର୍ଷ କରି ଆସୁଛନ୍ତି । ସିଟିଜେନ୍ସ ଫର ଜଷ୍ଟିସ୍‌ ଆଣ୍ଡ ପିସ୍‌ର ଏକ ରିପୋର୍ଟ ଅନୁଯାୟୀ: ‘‘ସେମାନେ (ଆଶା) ସର୍ବନିମ୍ନ ମଜୁରି ଆଇନ ଅଧୀନରେ ଆସନ୍ତି ନାହିଁ ଏବଂ ସେମାନଙ୍କୁ ନିୟମିତ ସରକାରୀ କର୍ମଚାରୀଙ୍କ ଭଳି ମାତୃତ୍ୱ ଅବକାଶ ଏବଂ ଅନ୍ୟାନ୍ୟ ଯୋଜନାର ଲାଭ ମିଳିନଥାଏ।’’

ବିଡ଼ମ୍ବନାର ବିଷୟ ହେଉଛି କୋଭିଡ -୧୯ ମହାମାରୀ ସମୟରେ, ସେମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମହାମାରୀ ନିୟନ୍ତ୍ରଣ ରଣନୀତିରେ ପ୍ରମୁଖ ସୂତ୍ରଧର ସାଜିଥିଲେ, ତଥାପି ସ୍ୱାସ୍ଥ୍ୟସେବା ଏବଂ ଚିକିତ୍ସା ଧ୍ୟାନ ଅଭାବ କାରଣରୁ ଆଶା କର୍ମୀମାନଙ୍କୁ ଅଧିକାଂଶ ସମୟରେ କ୍ଷତି ସହିବାକୁ ପଡ଼ିଥିଲା। ଉତ୍ତର ପ୍ରଦେଶର ଅନେକ ଆଶା କର୍ମୀ ମହାମାରୀ ସମୟରେ କର୍ତ୍ତବ୍ୟ ପାଳନ କରୁଥିବା ବେଳେ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ।

ମେ ୨୦୨୧ରେ ନିଜ ମା’ ଶାନ୍ତି ଦେବୀଙ୍କୁ ହରାଇବାର କିଛି ଦିନ ପୂର୍ବ ଘଟଣା କଥା ମନେ ପକାଇ ୨୩ ବର୍ଷ ବୟସ୍କ ସୁରଜ ଗଙ୍ଗୱାର କୁହନ୍ତି, ‘‘ଗତ ବର୍ଷ (୨୦୨୧) ଏପ୍ରିଲ ମାସରେ ମା’ଙ୍କ ଦେହ ଅସୁସ୍ଥ ଥିବା ସମ୍ପର୍କରେ ମୁଁ ଏକ ଫୋନ୍‌ କଲ୍‌ ପାଇଲି। ମୁଁ ଏହି ଖବର ପାଇବା ମାତ୍ରେ ତୁରନ୍ତ ଦିଲ୍ଲୀରୁ ବରେଲୀ ଚାଲି ଆସିଲି। ସେତେବେଳକୁ ସେ ଡାକ୍ତରଖାନାରେ ଥିଲେ।’’ ସୁରଜ ପେସାରେ ଜଣେ ଇଞ୍ଜିନିୟର ଏବଂ ସେ ଦିଲ୍ଲୀର ଏକ ଫାର୍ମରେ କାମ କରିଥାନ୍ତି । ତାଙ୍କର ତିନି ଜଣିଆ ପରିବାରରେ ଏବେ ସେ ହିଁ ଏକମାତ୍ର ରୋଜଗାରିଆ ସଦସ୍ୟ।

An ASHA worker in Chitrakoot, Chunki Devi, at her home with the dustbin, sanitisers and PPE kits she had to carry to the polling booth
PHOTO • Jigyasa Mishra

ଚିତ୍ରକୁଟରେ ଜଣେ ଆଶା କର୍ମୀ ଚୁଙ୍କି ଦେବୀ, ତାଙ୍କ ଘରେ ଡଷ୍ଟବିନ୍‌, ସାନିଟାଇଜର ଓ ପିପିଇ କିଟ୍‌ ଧରି ଅଛନ୍ତି, ଯାହା ସବୁ ସେ ଭୋଟ୍‌ ଗ୍ରହଣ କେନ୍ଦ୍ରକୁ ନେଇ ଯିବେ

‘‘ମୁଁ ଯେତେବେଳେ ପହଞ୍ଚିଲି ମୋ ମା’ କୋଭିଡ-୧୯ରେ ସଂକ୍ରମିତ ହୋଇଥିବାର ଆମେ ଜାଣିନଥିଲୁ । ଏପ୍ରିଲ ୨୯ ତାରିଖରେ ଆମେ ଆର୍‌ଟି-ପିସିଆର ରିପୋର୍ଟ ପାଇବା ପରେ ଯାଇ ଏ ବିଷୟରେ ଜାଣିଲୁ । ଏହାପରେ ଡାକ୍ତରଖାନା ତାଙ୍କୁ ରଖିବା ପାଇଁ ମନା କରି ଦେଲା। ଆମେ ତାଙ୍କୁ ଧରି ଘରକୁ ଚାଲି ଆସିଲୁ। ମେ ୧୪ ତାରିଖରେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇଯିବା ପରେ ଆମେ ତାଙ୍କୁ ପୁଣି ଡାକ୍ତରଖାନା ନେବାକୁ ଚେଷ୍ଟା କଲୁ, କିନ୍ତୁ ବାଟରେ ସେ ଆମମାନଙ୍କୁ ଛାଡ଼ି ଚାଲିଗଲେ’’, ଗଙ୍ଗୱାର କୁହନ୍ତି । ତାଙ୍କ ମା’ ଦେଶର ସେହିସବୁ ଅଗଣିତ ଆଶା କର୍ମୀମାନଙ୍କ ମଧ୍ୟରୁ ଜଣେ ଯିଏକି କୋଭିଡ ସଂକ୍ରମିତ ହୋଇ ସୁଦ୍ଧା ସରକାରୀ ଡାକ୍ତରଖାନାରୁ କୌଣସି ଚିକିତ୍ସା ନପାଇ ପ୍ରାଣ ହରାଇଥିଲେ ।

୨୦୨୧ ଜୁଲାଇ ୨୩ ତାରିଖରେ ଲୋକସଭାରେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର କହିଲେ ଯେ ୨୦୨୧ ଏପ୍ରିଲ ସୁଦ୍ଧା ୧୦୯ ଜଣ ଆଶା କର୍ମୀ କରୋନାରେ ପ୍ରାଣ ହରାଇଥିଲେ – ୟୁପିରେ ସରକାରୀ ଗଣନା ଅନୁସାରେ ଏହି ମୃତ୍ୟୁ ସଂଖ୍ୟା ଶୂନ । ତେବେ କୋଭିଡ-୧୯ରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ଆଶାମାନଙ୍କ ସମ୍ପର୍କରେ ସାର୍ବଜନୀନ ସ୍ତରରେ କୌଣସି ତଥ୍ୟ ଉପଲବ୍ଧ ନାହିଁ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ମାର୍ଚ୍ଚ ୩୦, ୨୦୨୦ ଠାରୁ କୋଭିଡ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ସମ୍ମୁଖ ଯୋଦ୍ଧାମାନଙ୍କ ପାଇଁ କେନ୍ଦ୍ର ସରକାର ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଥିଲେ, ତାହା ମଧ୍ୟ, ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ମିଳିପାରିନଥିଲା।

ସୁରଜ କୁହନ୍ତି, ‘‘ମୋ ମା’ ଗୋଟିଏ ଦିନ ସୁଦ୍ଧା କ୍ଷେତ୍ର ସ୍ତରରେ କାମ କରିବା ବନ୍ଦ କରିନଥିଲେ। ଆଶା କର୍ମୀ ଭାବେ ସେ ସମ୍ପୂର୍ଣ୍ଣ ଭାବେ ସମର୍ପିତ ହୋଇ କାମ କରୁଥିଲେ। ମହାମାରୀ ସମୟରେ ସେ ତତ୍ପର ହୋଇ କର୍ତ୍ତବ୍ୟ ସମ୍ପାଦନ କରୁଥିଲେ, କିନ୍ତୁ ସେ ଆଉ ଆମ ଗହଣରେ ନାହାନ୍ତି । ସ୍ୱାସ୍ଥ୍ୟ ବିଭାଗ କିନ୍ତୁ ବେପରୁଆ ବ୍ୟବହାର କରୁଛି। ସେମାନେ କହୁଛନ୍ତି ଆମକୁ କ୍ଷତିପୂରଣ ମିଳିବ ନାହିଁ ।

ସୁରଜ ଓ ତାଙ୍କ ବାପା ବରେଲୀର ନବାବ ଗଞ୍ଜରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମଓ) ଏବଂ ଅନ୍ୟ କର୍ମଚାରୀମାନଙ୍କୁ ଭେଟି ସେମାନଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କଲେ କିନ୍ତୁ କିଛି ସୁଫଳ ମିଳିଲା ନାହିଁ । ସେ କୁହନ୍ତି, ‘‘ଆମକୁ ମା’ଙ୍କର ଆର୍‌ଟି-ପିସିଆର ରିପୋର୍ଟ ଏବଂ ମୃତ୍ୟୁ ପ୍ରମାଣପତ୍ର ଦେଖାଇ ସିଏମଓ କହିଲେ ଯେ ଯଦି ଡାକ୍ତରଖାନା ପକ୍ଷରୁ ଦିଆଯାଇଥିବା କୋଭିଡ ଜନିତ ମୃତ୍ୟୁ ପ୍ରମାଣପତ୍ର ମିଳିବ ତା’ହେଲେ ଯାଇ ଆମେ କ୍ଷତିପୂରଣ ପାଇବାକୁ ଯୋଗ୍ୟ ହୋଇପାରିବୁ। ଆମେ ଏବେ ସେଭଳି ପ୍ରମାଣପତ୍ର କେଉଁଠୁ ପାଇବୁ? କାରଣ କୌଣସି ଡାକ୍ତରଖାନା ତାଙ୍କୁ ସେତେବେଳେ ଭର୍ତ୍ତି କରିନଥିଲେ। ଯଦି କେହି କୌଣସି ସହାୟତା ପାଇବେ ନାହିଁ ବୋଲି ସୁନିଶ୍ଚିତ ତା’ହେଲେ ଏପରି ଯୋଜନା ଥାଇ ଲାଭ କ’ଣ?

*****

ଗତ ବର୍ଷର ଭୟାନକ ଦିନଗୁଡ଼ିକର ସ୍ମୃତି ଧୀରେ ଧୀରେ ଲିଭି ଯାଇଥିଲେ ସୁଦ୍ଧା, ଉତ୍ତର ପ୍ରଦେଶର ୧,୬୦,୦୦୦ରୁ ଅଧିକ ଆଶା କର୍ମୀ ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ବିନା ପାଉଣାରେ, ପରିଶ୍ରମପୂର୍ଣ୍ଣ ଏବଂ ବିପଜ୍ଜନକ କାମ କରିବାକୁ ବାଧ୍ୟ ହୋଇଛନ୍ତି । ସଂଘର ଅଧ୍ୟକ୍ଷା ବୀଣା ଗୁପ୍ତା କୁହନ୍ତି, ‘‘ଏହାପଛରେ ଏକ ସୁଚିନ୍ତିତ ଯୋଜନା ରହିଛି । ଯଦି ଆପଣ ମୋତେ ପଚାରନ୍ତି, ୧୨ ଘଣ୍ଟା ଧରି ଏହି ମହିଳାମାନଙ୍କୁ ସେମାନଙ୍କ କାମରେ ନିୟୋଜିତ କରିବା ଫଳରେ ରାଜ୍ୟ ସରକାର ଏହା ସୁନିଶ୍ଚିତ କରିଛନ୍ତି ଯେ ଏମାନେ ଯେପରି ନିଜର ଭୋଟ୍‌ ଦେଇପାରିବେ ନାହିଁ । ଅନେକ ଦିନ ଧରି ଆଶା କର୍ମୀମାନଙ୍କୁ ଅବହେଳିତ କରାଯାଉଛି ଏବଂ ସେମାନଙ୍କୁ ଠିକ୍‌ ଭାବେ ପାରିଶ୍ରମିକ ମିଳୁନାହିଁ, ଫଳରେ ସେମାନଙ୍କର ଭୋଟ୍‌ ସରକାରଙ୍କ ବିପକ୍ଷରେ ଯାଇପାରେ ବୋଲି ତାଙ୍କର ଭୟ ରହିଛି ।’’

ତେବେ ରୀତା ଭୋଟ୍‌ ଦେବାକୁ ପଣ କରିଛନ୍ତି । ସେଦିନ ସେ ପରୀକୁ କହିଥିଲେ ଯେ, ‘‘ମୁଁ ଅପରାହ୍ଣ ଚାରିଟା ବେଳେ ନିଜ ମତଦାନ କେନ୍ଦ୍ରକୁ ଯାଇ ଭୋଟ୍‌ ଦେବାକୁ ଯୋଜନା କରୁଛି । କିନ୍ତୁ ଆଉ ଜଣେ ଆଶା କର୍ମୀ ମୋ ଅନୁପସ୍ଥିତିରେ କିଛି ସମୟ ଏଠି ଡ୍ୟୁଟି କଲେ ହିଁ ଯାଇ ମୁଁ ଭୋଟ୍‌ ଦେବାକୁ ଯାଇପାରିବି । ସେହି ମତଦାନ କେନ୍ଦ୍ର ଏଠାରୁ ପ୍ରାୟ ଚାରି କିଲୋମିଟର ଦୂରରେ ରହିଛି ।’’ ଅନ୍ୟ ସମସ୍ତ ଆଶା କର୍ମଚାରୀଙ୍କ ପରି ସେ ସ୍ୱାସ୍ଥ୍ୟ ବିଭାଗର କୌଣସି ସାହାଯ୍ୟ ବିନା ତାଙ୍କ ବଦଳିକୁ ନିଜେ ପରିଚାଳନା କରିବାର ଥିଲା।

ଆଶାମାନଙ୍କୁ ସକାଳୁ ମତଦାନ କେନ୍ଦ୍ରରେ ରିପୋର୍ଟ କରିବା ଲାଗି କୁହାଯାଇଥିଲା, କିନ୍ତୁ ସେମାନଙ୍କୁ ଜଳଖିଆ ଦିଆଗଲା ନାହିଁ କିମ୍ବା ମଧ୍ୟାହ୍ନ ଭୋଜନ ସୁଦ୍ଧା ମିଳିଲା ନାହିଁ । ଲକ୍ଷ୍ନୌର ଆଲମବାଗ ଅଞ୍ଚଳର ଜଣେ ଆଶା କର୍ମୀ ପୂଜା ପରୀକୁ କହିଥିଲେ ଯେ, ‘‘ଡ୍ୟୁଟିରେ ଥିବା କର୍ମଚାରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଆସୁଥିବାର ମୁଁ ଦେଖିଲି ଏବଂ ସେମାନେ ମୋ ଆଗରେ ହିଁ ଖାଇଲେ, କିନ୍ତୁ ମୋତେ କିଛି ମିଳିଲା ନାହିଁ ।’’

Messages from ASHAs in Lucknow asking for a lunch break as they weren't given any food at their duty station
PHOTO • Jigyasa Mishra
Veena Gupta, president of UP ASHA union, says the ASHAs were not given an allowance either, and had to spend their own money on travel
PHOTO • Jigyasa Mishra

ବାମ: ଯେହେତୁ ଡ୍ୟୁଟି ଷ୍ଟେସନ୍‌ରେ ସେମାନଙ୍କୁ କୌଣସି ଖାଦ୍ୟ ଦିଆଯାଇନଥିଲା, ତେଣୁ ଲକ୍ଷ୍ନୌରେ ଆଶାକର୍ମୀମାନେ ମଧ୍ୟାହ୍ନ ଭୋଜନ ବିରତି ପାଇଁ ଦାବି କରି ଦେଇଥିବା ବାର୍ତ୍ତା। ଡାହାଣ : ୟୁପି ଆଶା ସଂଘର ସଭାପତି, ବୀଣା ଗୁପ୍ତା କହିଲେ ଆଶାକର୍ମୀଙ୍କୁ କୌଣସି ଭତ୍ତା ଦିଆଯାଇନଥିଲା,ଏବଂ ଯାତ୍ରା ଲାଗି ସେମାନଙ୍କୁ ନିଜ ହାତରୁ ଖର୍ଚ୍ଚ କରିବାକୁ ହୋଇଥିଲା

ନିର୍ବାଚନ ଡ୍ୟୁଟିରେ ଥିବା ଅନ୍ୟ କର୍ମଚାରୀମାନଙ୍କୁ ଅପରାହ୍ଣ ୩ଟା ବେଳକୁ ସେମାଙ୍କର ମଧ୍ୟାହ୍ନ ଭୋଜନ ପ୍ୟାକେଟ୍‌ ମିଳିଯାଇଥିଲା। ମାତ୍ର ଆଶା କର୍ମୀମାନଙ୍କୁ ଖାଦ୍ୟ ମିଳିଲା ନାହିଁ କିମ୍ବା ଘରକୁ ଯାଇ ଖାଇବା ପାଇଁ ବିରତି ସୁଦ୍ଧା ମିଳିଲା ନାହିଁ । ଆଲମବାଗ୍‌ର ଆଶା କର୍ମୀମାନଙ୍କର ଏକ ହ୍ଵାଟ୍ସଆପ ଗ୍ରୁପ୍‌ରେ ମିଳିଥିବା ବାର୍ତ୍ତାକୁ ଦେଖାଇ ସେ ଆମକୁ କହିଥିଲେ ଯେ, ‘‘ଆପଣମାନେ ନିଜେ ଦେଖନ୍ତୁ ଆମେମାନେ କିପରି ମଧ୍ୟାହ୍ନ ଭୋଜନ ବିରତି ପାଇଁ ଅନୁରୋଧ କରୁଛୁ । ସେମାନେ ଆମକୁ ଘରକୁ ଯାଇ ଭୋଜନ କରି ଆସିବା ଲାଗି ଅନୁମତି ଦେଇପାରିଥାନ୍ତେ । ଆମ ଘର ବେଶି ଦୂର ନୁହେଁ । ପ୍ରତ୍ୟେକ ଆଶା କର୍ମୀଙ୍କୁ ନିଜ ଘର ଆଖପାଖରେ ହିଁ ଡ୍ୟୁଟି ମିଳିଥିଲା।’’

ମତଦାନ କେନ୍ଦ୍ରରେ ରୀତାଙ୍କ ସହିତ ଡ୍ୟୁଟି କରୁଥିବା ଆଉ ଜଣେ ଜେନେରାଲ ନର୍ସ ମିଡ୍‌ୱାଇଫ୍‌ ବା ଜିଏନଏମ ଅନ୍ନୁ ଚୌଧୁରୀ ଖାଇବା ମିଳିନଥିବାରୁ ବେଶ ଅସନ୍ତୁଷ୍ଟ ଥିଲେ । ଅନ୍ୟପଟେ ପୁଲିସ ଏବଂ କର୍ତ୍ତବ୍ୟରତ ଅନ୍ୟ ସରକାରୀ କର୍ମଚାରୀମାନେ ଖାଦ୍ୟ ଗ୍ରହଣ କରୁଥିଲେ । ‘‘ଆମ ସହ କିଭଳି ଏ ଅନ୍ୟାୟ ହେଉଥିବା ଆପଣ ଅନୁଭବ କରିପାରୁଛନ୍ତି? ଆମ ସହ ଏପରି ବୈମାତୃକ ବ୍ୟବହାର କାହିଁକି କରାଯାଉଛି? ଡ୍ୟୁଟିରେ ଥିବା ଅନ୍ୟମାନଙ୍କ ଭଳି ସୁବିଧା ଆମକୁ କାହିଁକି ମିଳୁନାହିଁ?’’

ନିର୍ବାଚନ ଡ୍ୟୁଟିରେ ଥିବା ଚିତ୍ରକୂଟର ଆଶା କର୍ମୀମାନଙ୍କୁ ଆଉ ଏକ କାମ କରିବାକୁ ପଡ଼ିଥିଲା : ଅଳିଆ ସଫା କରିବା । ଜିଲ୍ଲାର ଅନେକ ଆଶା କର୍ମୀମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଶିବାନୀ କୁଶୱାହା ଯାହାଙ୍କୁ ପିଏଚସିକୁ ଡକାଯାଇଥିଲା ଏବଂ ତାଙକ ହାତରେ ଏକ ବଡ଼ ଡଷ୍ଟବିନ ଏବଂ ସାନିଟାଇଜିଂ ସାମଗ୍ରୀ ଧରାଇ ଦିଆଯାଇଥିଲା। ସେ କୁହନ୍ତି, ‘‘ସେମାନେ ମଧ୍ୟ ଆମମାନଙ୍କୁ କେତେକ ପିପିଇ କିଟ୍‌ ଦେଇଥିଲେ।  ମତଦାନ କେନ୍ଦ୍ରରେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିବା ଭୋଟରମାନଙ୍କୁ ସେସବୁ କିଟ୍‌ ଦେବା ଲାଗି ଆମମାନଙ୍କୁ କୁହାଯାଇଥିଲା। ସକାଳ ୭ଟା ଠାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସାରା ଦିନ ମତଦାନ କେନ୍ଦ୍ରରେ ରହିବା ପାଇଁ ଆମକୁ ନିର୍ଦ୍ଦେଶ ଦିଆଯାଇଥିଲା।  ଏହାପରେ ଖୁଟାହା ଉପକେନ୍ଦ୍ରରେ ଆମକୁ ବ୍ୟବହୃତ ଏବଂ ଅବ୍ୟବହୃତ ପିପିଇ କିଟ୍‌ ସହିତ ଡଷ୍ଟବିନ ଜମା କରିବା ଲାଗି କୁହାଯାଇଥିଲା।’’ ଏହାର ଅର୍ଥ ହେଉଛି, ସେମାନେ ମୁଖ୍ୟ ରାସ୍ତା ଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଥିବା ଉପକେନ୍ଦ୍ର ପରିସରକୁ ଭର୍ତ୍ତି ହୋଇଥିବା ଡଷ୍ଟବିନ ଧରି ଚାଲି ଚାଲି ଯାଇଥିଲେ।

ପ୍ରତିବାଦ କରିବା ସମୟରେ କୁଶୱାହାଙ୍କ କଣ୍ଠସ୍ୱର ଥରି ଉଠିଥିଲା।  ‘‘ଆମକୁ ସ୍ୱଚ୍ଛତା ସୁନିଶ୍ଚିତ କରିବାର ଅଛି, ଆମେ କରିବୁ । କିନ୍ତୁ ଅତିକମରେ ଆମକୁ ଅନ୍ୟ କର୍ମଚାରୀମାନଙ୍କ ଭଳି ଏକ ବିଧିବଦ୍ଧ ନିର୍ଦ୍ଦେଶପତ୍ର ମିଳିବା ଉଚିତ୍‌ । ନିର୍ବାଚନ ଡ୍ୟୁଟି ପାଇଁ ଅନ୍ୟ ସରକାରୀ କର୍ମଚାରୀମାନଙ୍କୁ ପାରିଶ୍ରମିକ ମିଳୁଥିବା ବେଳେ ଆମକୁ କାହିଁକି ମିଳୁନାହିଁ ? ଆମେ କ’ଣ, ମାଗଣା ସେବିକା ନା କ’ଣ?’’

ଜିଜ୍ଞାସା ମିଶ୍ର ଠାକୁର ଫ୍ୟାମିଲି ଫାଉଣ୍ଡେସନର ଅନୁମତି କ୍ରମେ ଜଣେ ସ୍ୱାଧିନ ସାମ୍ବାଦିକ ଭାବରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଓ ନାଗରିକ ଅଧିକାର ଉପରେ ରିପୋର୍ଟ କରୁଛନ୍ତି। ଠାକୁର ଫ୍ୟାମିଲି ଫାଉଣ୍ଡେସନ ଏହି ରିପୋର୍ଟ ବିଷୟ ବସ୍ତୁ ଉପରେ କୌଣସି ପ୍ରକାର ସମ୍ପାଦନା ନିୟନ୍ତ୍ରଣ ରଖିନାହାଁନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

Jigyasa Mishra

ଜିଜ୍ଞାସା ମିଶ୍ର, ଉତ୍ତର ପ୍ରଦେଶ ଚିତ୍ରକୂଟର ଜଣେ ସ୍ଵାଧୀନ ସାମ୍ବାଦିକ । ସେ ମୁଖ୍ୟତଃ ଗ୍ରାମାଞ୍ଚଳ ପ୍ରସଙ୍ଗରେ, ଭାରତର ବିଭିନ୍ନ ଭାଗରେ ପ୍ରଚଳିତ କଳା ଓ ସଂସ୍କୃତି ଉପରେ ରିପୋର୍ଟ ଦିଅନ୍ତି ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ Jigyasa Mishra
Translator : OdishaLIVE

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡିଆ ପରି ବିଭିନ୍ନ କ୍ଷେତ୍ରରେ ଅଡିଓ ଭିଜୁଆଲ୍‌ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଏହାଙ୍କ ଲିଖିତ ଅନ୍ୟ ବିଷୟଗୁଡିକ OdishaLIVE