‘‘ଏକ ମିନିଟ୍ ଭି ଲେଟ୍ ନହିଁ ହୋ ସକତେ ୱର୍ଣ୍ଣା ହମାରୀ କ୍ଲାସ୍ ଲଗ ଜାୟେଗୀ’’ (‘‘ମୁଁ ଗୋଟିଏ ମିନିଟ୍ ବିଳମ୍ବରେ ସୁଦ୍ଧା ପହଞ୍ଚି ପାରିବି ନାହିଁ, ନଚେତ୍ ମୋତେ ଗାଳି ଶୁଣିବାକୁ ପଡ଼ିବ’’) ଲକ୍ଷ୍ନୌର କ୍ୟାଣ୍ଟନମେଣ୍ଟ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ ମହାନଗର ପବ୍ଲିକ୍ ଇଣ୍ଟର କଲେଜ ଆଡ଼କୁ ତରବର ହୋଇ ପାଦ ପକାଇ ଯାଉଥିବା ସମୟରେ ରୀତା ବାଜପେୟୀ କହିଥିଲେ। ଏହି ମତଦାନ କେନ୍ଦ୍ରରେ ତାଙ୍କୁ ଡ୍ୟୁଟି କରିବାକୁ ଦାୟିତ୍ୱ ଦିଆଯାଇଥିଲା। ତେବେ ଏଠାରେ ସେ ନିଜ ପାଇଁ ଭୋଟ୍ ଦେଇପାରିବେ ନାହିଁ ।
ତାଙ୍କ ଘରଠାରୁ ଏ କଲେଜ ଗୋଟିଏ କିଲୋମିଟର ଦୂରରେ ରହିଛି। ସକାଳ ପ୍ରାୟ ୫ଟା ୩୦ ମିନିଟ୍ ସମୟରେ ଗୋଟିଏ ଡିଜିଟାଲ ଥର୍ମୋମିଟର, ସାନିଟାଇଜର ବୋତଲ, ଏବଂ କାର୍ଯ୍ୟସ୍ଥଳୀରେ ବିତରଣ କରାଯିବାକୁ ଥିବା କିଛି ହଳ ଡିସ୍ପୋଜେବଲ ଗ୍ଲୋଭ୍ସ ଏବଂ ମାସ୍କ ଭର୍ତ୍ତି ଏକ ବଡ଼ ବ୍ୟାଗ୍ ନେଇ ସେତିକି ଦୂର ସେ ଚାଲି ଚାଲି ଯାଉଥିଲେ। ବିଧାନସଭା ନିର୍ବାଚନ ଚତୁର୍ଥ ପର୍ଯ୍ୟାୟ ଫେବୃଆରୀ ୨୩ ତାରିଖରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଲକ୍ଷ୍ନୌ ସମେତ ନଅଟି ଜିଲ୍ଲାର ୫୮ଟି ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ ହୋଇଥିଲା। ଏହା ତାଙ୍କ ପାଇଁ ଏକ ବ୍ୟସ୍ତବହୁଳ ଦିନ ଥିଲା।
ଉତ୍ତର ପ୍ରଦେଶ ନିର୍ବାଚନ ଶେଷ ହୋଇସାରିଛି – ଫଳାଫଳ ମଧ୍ୟ ପ୍ରକାଶ ପାଇଛି। କିନ୍ତୁ ମହିଳାମାନଙ୍କର ଏକ ବଡ଼ ବର୍ଗ ପାଇଁ ପରିଣାମ ତଥାପି ଆଗକୁ ଆସିବାର ଅଛି – ସେମାନେ ଜାଣନ୍ତି ଯେ ଏହା ଅତ୍ୟନ୍ତ କଷ୍ଟଦାୟକ, ସମ୍ଭବତଃ ଜୀବନ ପାଇଁ ବିପଜ୍ଜନକ ହୋଇପାରେ। ଭାରତର ସବୁଠୁ ଅଧିକ ଜନସଂଖ୍ୟା ଥିବା ରାଜ୍ୟର ବିଧାନସଭା ନିର୍ବାଚନ ପରିଚାଳନାରେ ରହିଥିବା ବିପଦରୁ ଉତ୍ପନ୍ନ ପରିଣାମ।
ରାଜ୍ୟର ପ୍ରାୟ ୧୬୩,୪୦୭ ଜଣ ଆଶା (ମାନ୍ୟତାପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ) ରହିଛନ୍ତି ଯେଉଁମାନଙ୍କୁ ବିନା କୌଣସି ଲିଖିତ ଆଦେଶରେ ମତଦାନ କେନ୍ଦ୍ରରେ କାମ କରିବା ଲାଗି ବାଧ୍ୟ କରାଯାଇଥିଲା। ବିଡ଼ମ୍ବନାର ବିଷୟ ହେଉଛି, ଯଦିଓ ସେମାନଙ୍କୁ ମତଦାନ କେନ୍ଦ୍ରରେ ସ୍ୱଚ୍ଛତା ଏବଂ ପରିଚ୍ଛନ୍ନତା ବଜାୟ ରଖିବା ଲାଗି ଦାୟିତ୍ୱ ଦିଆଯାଇଥିଲା, ତଥାପି ସେମାନଙ୍କ ପାଇଁ ଅତି କମ୍ ବ୍ୟକ୍ତିଗତ ସୁରକ୍ଷା ଉପକରଣ ରହିଥିଲା। ୨୦୨୧ ଏପ୍ରିଲ-ମଇ ମାସରେ ଏହି ରାଜ୍ୟରେ ପ୍ରାୟ ୨,୦୦୦ ସ୍କୁଲ ଶିକ୍ଷକ କୋଭିଡ-୧୯ରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ । ମହାମାରୀ ସଂକ୍ରମଣ ଶୀର୍ଷରେ ଥିବା ସମୟରେ ସେହି ବର୍ଷ ଏପ୍ରିଲ ମାସରେ ଅନୁଷ୍ଠିତ ରାଜ୍ୟ ପଞ୍ଚାୟତ ନିର୍ବାଚନରେ, ଶିକ୍ଷକମାନଙ୍କ ଇଚ୍ଛା ବିରୋଧରେ ସେମାନଙ୍କୁ ନିର୍ବାଚନ ଅଧିକାରୀ ଭାବେ କାମ କରିବା ଲାଗି ବାଧ୍ୟ କରାଯାଇଥିଲା।










