ରକ୍ତଭିଜା ଷ୍ଟ୍ରେଚର ଦେଖିବା ପରେ ଶ୍ରୀକ୍ରିଷ୍ଣା ବାଜପେୟୀ ବିବ୍ରତ ହୋଇପଡ଼ିଲେ। ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲାରେ ଫେବ୍ରୁଆରୀ ମାସର ଏକ ପ୍ରବଳ ଶୀତ ଅପରାହ୍ନରେ ନିଜ ଘର ବାହାରେ ବସି ନିଆଁରେ ସେକି ହେଉଥିବା ୭୦ ବର୍ଷୀୟ ଚାଷୀ ମନେ ପକାଇଲେ, ‘‘ଆମକୁ ଚେତାବନୀ ଦିଆଯାଇଥିଲା ଯେ ପ୍ରସବ ସହଜ ହେବ ନାହିଁ । ଗାଁର ଆଶାକର୍ମୀ ମୋ ବୋହୂର ଗର୍ଭାବସ୍ଥାକୁ ‘ଅଧିକ-ବିପଦଯୁକ୍ତ’ ଭାବେ ଚିହ୍ନଟ କରିଥିଲେ ।’’
ଯଦିଓ ଏହା ୨୦୧୯ ସେପ୍ଟେମ୍ବରରେ ଘଟିଥିଲା, କିନ୍ତୁ ଶ୍ରୀକ୍ରିଷ୍ଣା ଏହାକୁ ଗତକାଲି ଘଟିଥିବା ଭଳି ମନେ ପକାନ୍ତି । ସେ କହନ୍ତି, ‘‘ନିକଟରେ ହିଁ [ବନ୍ୟା] ପାଣି କମିଥିଲା, କିନ୍ତୁ ଏହା ରାସ୍ତାକୁ ନଷ୍ଟ କରିଦେଇଥିଲା, ତେଣୁ ଆମ୍ବୁଲାନ୍ସ ଘରଯାଏଁ ଆସିପାରିଲା ନାହିଁ ।’’ ଶ୍ରୀକ୍ରିଷ୍ଣାଙ୍କ ପଡ଼ା ବା ଛୋଟ ଗାଁ ଟାଣ୍ଡା ଖୁର୍ଦ୍ଦ ଲାହରପୁର ବ୍ଲକ୍ରେ ଅବସ୍ଥିତ, ଯାହାକି ଶାରଦା ଓ ଘାଗରା ନଦୀ ନିକଟରେ ରହିଛି । ଏଠାକାର ଗାଁ ବାରମ୍ବାର ଆସୁଥିବା ଅଚାନକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥାଆନ୍ତି, ଯାହା ଫଳରେ ଜରୁରୀକାଳୀନ ସ୍ଥିତିରେ ପରିବହନ ବ୍ୟବସ୍ଥା କରିବା କଷ୍ଟକର ହୋଇପଡ଼େ ।
ଟାଣ୍ଡା ଖୁର୍ଦ୍ଦରୁ ସୀତାପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଏଁ ୪୨ କିଲୋମିଟରର ଯାତ୍ରା ପ୍ରସବ ଯନ୍ତ୍ରଣା ଭୋଗୁଥିବା ଯେକୌଣସି ଗର୍ଭବତୀ ମହିଳାଙ୍କ ପାଇଁ ଦୀର୍ଘ - ଯଦି ପ୍ରଥମ ପାଞ୍ଚକିଲୋମିଟର ଏକ ଦୁଇ ଚକିଆ ଅସମାନ, ଖସଡ଼ା ରାସ୍ତାରେ ଯିବାକୁ ହୁଏ ତେବେ ରାସ୍ତା ଆହୁରି ଦୀର୍ଘ ହୋଇଯାଏ । ଶ୍ରୀକ୍ରିଷ୍ଣା କହିଲେ, ‘‘ଆମ୍ବୁଲାନ୍ସ ପାଇବା ପାଇଁ ଆମକୁ ତାହା କରିବାକୁ ପଡ଼ିଲା। କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆମେ ପହଞ୍ଚିବା ପରେ ସମସ୍ୟା ଆରମ୍ଭ[ବଢ଼ିବା] ହେଲା।’’
ଗୋଟିଏ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ମମତାଙ୍କର ରକ୍ତସ୍ରାବ ବନ୍ଦ ହେଲା ନାହିଁ । ଶ୍ରୀକ୍ରିଷ୍ଣା କହନ୍ତି ସେ ଭଲ କିଛି ହେବାକୁ ଅପେକ୍ଷା କରିଥିଲେ । ‘‘ଏମିତି ଆଶା କରାଯାଉ ନ ଥିଲା । ସମସ୍ୟା ହୋଇପାରେ ବୋଲି ଆମେ ଜାଣିଥିଲୁ । କିନ୍ତୁ ଆମେ ଭାବିଥିଲୁ ଡାକ୍ତରମାନେ ତାକୁ ରକ୍ଷା କରିଦେବେ।’’
କିନ୍ତୁ ଯେତେବେଳେ ତାଙ୍କୁ ଗୋଟିଏ ଷ୍ଟ୍ରେଚରରେ ୱାର୍ଡକୁ ନିଆଯାଉଥିଲା, ଶ୍ରୀକ୍ରିଷ୍ଣା ତା’ ଉପରେ ପଡ଼ିଥିବା ଧଳା ବେଡ୍ସିଟ୍ ଦେଖିପାରିଲେ ନାହିଁ । ସେ କହିଲେ, ‘‘ସେଥିରେ ଖୁବ୍ ଅଧିକ ରକ୍ତ ଥିଲା । ମୁଁ ମୋ ପେଟରେ ଗୋଟିଏ ଗେଟା ଅନୁଭବ କଲି। ଡାକ୍ତରମାନେ ଆମକୁ ରକ୍ତ ଯୋଗାଡ଼ କରିବାକୁ କହିଲେ। ଆମେ ଶୀଘ୍ର ଏହାକୁ ଯୋଗାଡ଼ କଲୁ, କିନ୍ତୁ ବ୍ଲଡ୍ ବ୍ୟାଙ୍କରୁ ଆମେ ହସ୍ପିଟାଲକୁ ଫେରିବା ବେଳକୁ, ମମତାର ମୃତ୍ୟୁ ହୋଇସାରିଥିଲା।’’
ସେ ୨୫ ବର୍ଷର ଥିଲେ ।
ତାଙ୍କ ମୃତ୍ୟୁର ମାତ୍ର ଦିନକ ପୂର୍ବରୁ, ଏକ ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଲା ଯେ ମମତାଙ୍କର ଓଜନ ମାତ୍ର ୪୩ କିଲୋ ଥିଲା । କମ୍ ଓଜନର ହେବା ବ୍ୟତୀତ ତାଙ୍କର ପ୍ରୋଟିନ୍ ଅଭାବ ଥିଲା ଏବଂ ତାଙ୍କର ହିମୋଗ୍ଲୋବିନ୍ ସ୍ତର ଥିଲା ୮ଜି/ଡିଏଲ୍ ଥିଲା, ଯାହା ଗୁରୁତର ରକ୍ତହୀନତା ପାଖାପାଖି (ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ହିମୋଗ୍ଲୋବିନ୍ର ମାତ୍ରା ୧୧ଜି/ଡିଏଲ୍ ବା ଅଧିକ ରହିବା ନିଶ୍ଚିତ ଭାବେ ଆବଶ୍ୟକ)।
ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ୨୦୧୯-୨୧( ଏନ୍ଏଫ୍ଏଚ୍ଏସ୍-୫ ) ଅନୁସାରେ ଉତ୍ତରପ୍ରଦେଶରେ ରକ୍ତହୀନତା ଏକ ପ୍ରମୁଖ ସର୍ବସାଧାରଣ ସ୍ୱାସ୍ଥ୍ୟ ପ୍ରସଙ୍ଗ, ବିଶେଷ କରି ମହିଳା ଓ ଶିଶୁମାନଙ୍କ କ୍ଷେତ୍ରରେ। ରାଜ୍ୟରେ ୧୫-୪୯ ବୟସ ବର୍ଗର ମହିଳାଙ୍କ ମଧ୍ୟରୁ ୫୦ ପ୍ରତିଶତରୁ ଅଧିକ ରକ୍ତହୀନତାର ଶିକାର ।
ପୁଷ୍ଟିର ଅଭାବ ରକ୍ତହୀନତାର ସବୁଠାରୁ ସାଧାରଣ କାରଣ ମଧ୍ୟରେ ସାମିଲ। ବିଶ୍ୱରେ ଦେଖାଯାଉଥିବା ସମସ୍ତ ରକ୍ତହୀନତାର ୫୦ ପ୍ରତିଶତରୁ ଅଧିକ ମାମଲା ପାଇଁ ଲୌହ ଅଭାବ ଦାୟୀ ହୋଇଥାଏ, କିନ୍ତୁ ସଂକ୍ରାମକ ରୋଗ ଏବଂ ଜିନ୍ଗତ ସ୍ଥିତି ବ୍ୟତୀତ ଫୋଲେଟ୍ (ଭିଟାମିନ୍ ବି୯) ଏବଂ ଭିଟାମିନ ବି୧୨ର ଅଭାବ ମଧ୍ୟ ପ୍ରମୁଖ କାରକ ।
ଏନ୍ଏଫ୍ଏଚ୍ଏସ୍-୫ର ତଥ୍ୟ ଅନୁସାରେ, ଉତ୍ତରପ୍ରଦେଶରେ କେବଳ ୨୨.୩ ପ୍ରତିଶତ ମା’ ସେମାନଙ୍କର ଗର୍ଭାବସ୍ଥା ସମୟରେ ଅତି କମ୍ରେ ୧୦୦ ଦିନ ଧରି ଲୌହ ଏବଂ ଫୋଲିକ୍ ଏସିଡ୍ ସପ୍ଲିମେଣ୍ଟ ଖାଇଥିଲେ । ୨୦୧୯-୨୧ ମଧ୍ୟରେ ଜାତୀୟ ହାର ପ୍ରାୟ ଦୁଇଗୁଣ, ଯାହାକି ୪୪.୧ ପ୍ରତିଶତ । କିନ୍ତୁ ସୀତାପୁରରେ କେବଳ ୧୮ ପ୍ରତିଶତ ମା’ ଏହି ସପ୍ଲିମେଣ୍ଟ ଖାଇଥିଲେ ।
ରକ୍ତହୀନତାର ମା’ ଓ ଶିଶୁଙ୍କ ଉପରେ ସୁଦୂର ପ୍ରସାରୀ ପ୍ରଭାବ ରହିଛି । ଏହାଯୋଗୁ ବିଭିନ୍ନ ପ୍ରକାର ପରିଣାମ ଯେପରିକି ସମୟ ପୂର୍ବରୁ ପ୍ରସବ ଏବଂ ଜନ୍ମ ସମୟରେ ଶିଶୁର ଓଜନ କମ୍ ରହିବା ପରି ହୋଇଥାଏ । ସର୍ବୋପରି, ଏହା ସିଧାସଳଖ ଭାବେ ମାତୃ ମୃତ୍ୟୁ, ପ୍ରସବକାଳୀନ ମୃତ୍ୟୁ ଯାହାକି ମୃତ ଶିଶୁ ଜନ୍ମ ହେବା ଏବଂ ପ୍ରାରମ୍ଭିକ ନବଜାତ ମୃତ୍ୟୁ ସହ ଜଡ଼ିତ।
୨୦୧୭-୨୦୧୯ ମଧ୍ୟରେ ଭାରତର ମାତୃ ମୃତ୍ୟୁ ହାର ବା ଏମ୍ଏମ୍ଆର, ୧ଲକ୍ଷ ଜନ୍ମ ପିଛା ୧୦୩ ମୃତ୍ୟୁ ଥିଲା । ସେହି ସମୟରେ ୟୁପିରେ ଏମ୍ଏମ୍ଆର୍ ୧୬୭ ଥିଲା । ୨୦୧୯ରେ ରାଜ୍ୟର ଶିଶୁ ମୃତ୍ୟୁହାର ୧୦୦୦ ଜନ୍ମ ପିଛା ୪୧ ଥିଲା , ଜାତୀୟ ହାର ୩୦ଠାରୁ ଏହା ୩୬ ପ୍ରତିଶତ ଅଧିକ ରହିଥିଲା ।
ମମତାଙ୍କ ମୃତ୍ୟୁ ବାଜପେୟୀ ପରିବାରରେ ଏକମାତ୍ର ଦୁଃଖଦ ଘଟଣା ନ ଥିଲା । ୨୫ ଦିନ ପରେ ତାଙ୍କର ଶିଶୁକନ୍ୟାର ମଧ୍ୟ ମୃତ୍ୟୁ ହେଲା । ଶ୍ରୀକ୍ରିଷ୍ଣା କହନ୍ତି, ‘‘ଆମେ ଗୋଟିଏ ଦୁଃଖରୁ ବାହାରି ନ ଥିଲୁ ଯେ ଆଉ ଏକ ଆମ ଉପରେ ପଡ଼ିଲା । ଆମେ ସ୍ତମ୍ଭୀଭୂତ ହୋଇଯାଇଥିଲୁ।’’
ଯେତେବେଳେ ମମତା ଓ ତାଙ୍କର ଶିଶୁଙ୍କର ମାତ୍ର କିଛି ଦିନ ବ୍ୟବଧାନରେ ମୃତ୍ୟୁ ହେଲା ତା’ର ଛଅ ମାସ ପରେ ମହାମାରୀ ଆରମ୍ଭ ହୋଇଗଲା । କିନ୍ତୁ ଯେତେବେଳେ କୋଭିଡ୍-୧୯ ଆରମ୍ଭ ହେଲା ଦେଶସାରା ସର୍ବସାଧାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରଭାବିତ ହେଲା, ଏହାଯୋଗୁଁ ମାତୃ ସ୍ୱାସ୍ଥ୍ୟ ସୂଚକାଙ୍କରେ ଦୃଷ୍ଟାନ୍ତମୂଳକ ଅବନତି ଘଟିଲା ।
ହେଲ୍ଥ ମ୍ୟାନେଜମେଣ୍ଟ ଇନଫର୍ମେସନ୍ ସିଷ୍ଟମଠାରୁ ମିଳିଥିବା ତଥ୍ୟ ଉପରେ ପପୁଲେସନ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ କରାଯାଇଥିବା ଏକ ବିଶ୍ଳେଷଣରେ ଦର୍ଶାଯାଇଛି ଯେ ୨୦୨୦ ଏପ୍ରିଲରୁ ଜୁନ୍ ମଧ୍ୟରେ ୨୦୧୯ରେ ସମାନ ଅବଧି ତୁଳନାରେ ଗର୍ଭବତୀ ମହିଳାମାନଙ୍କ ଦ୍ୱାରା ପ୍ରସବ ପୂର୍ବରୁ ଗର୍ଭାବସ୍ଥା ଜନିତ ଯତ୍ନ ନେବାରେ ୨୭ ପ୍ରତିଶତ ହ୍ରାସ ହୋଇଥିଲା। ପ୍ରସବ ପୂର୍ବ ଯତ୍ନ ସେବାରେ ୨୨ ପ୍ରତିଶତ ହ୍ରାସ ହୋଇଥିଲା । ପିଏଫ୍ଆଇର ଏକ ବୟାନରେ କୁହାଯାଇଛି, ‘‘ମାତୃ ସ୍ୱାସ୍ଥ୍ୟ ସେବାରେ ବାଧା, ସୁସ୍ଥତା ଚାହୁଁଥିବା ବ୍ୟବହାରରେ ହ୍ରାସ ଏବଂ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କଠାରୁ ସଂକ୍ରମିତ ହେବାର ଭୟ ଗର୍ଭାବସ୍ଥାର ବିପଦକୁ ବଢ଼ାଇ ଦେଇଥିଲା ଏବଂ ଏହାଯୋଗୁଁ ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା।’’
ପପ୍ପୁ ଏବଂ ତାଙ୍କର ପରିବାର ମହାମାରୀର ପ୍ରଭାବକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିଛନ୍ତି ।
ଯେତେବେଳେ କୋଭିଡ୍-୧୯ର ଦ୍ୱିତୀୟ ଲହର ଶୀର୍ଷରେ ଥିଲା ତାଙ୍କ ସ୍ତ୍ରୀ ସରିତା ଦେବୀ, ପାଞ୍ଚ ମାସର ଗର୍ଭବତୀ ଏବଂ ରକ୍ତହୀନତାର ଶିକାର ଥିଲେ । ୨୦୨୧ ଜୁନ୍ର ଗୋଟିଏ ସଂଧ୍ୟାରେ, ସେ ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କଲେ-ଯାହାକି ନିମ୍ନ ହିମୋଗ୍ଲୋବିନ୍ ସ୍ତରର ଏକ ଲକ୍ଷଣ - ଏବଂ ଘରେ ଅଚେତ୍ ହୋଇଗଲେ । ୩୨ ବର୍ଷୀୟ ପପ୍ପୁ କହିଲେ, ‘‘ସେ ସମୟରେ ଘରେ କେହି ନ ଥିଲେ, ମୁଁ କାମ ପାଇଁ ବାହାରକୁ ଯାଇଥିଲି । ମୋ ମା’ ମଧ୍ୟ ବାହାରେ ଥିଲେ।’’
ପପ୍ପୁଙ୍କର ୭୦ ବର୍ଷୀୟା ମା’ ମାଳତୀ କହନ୍ତି, ସେଦିନ ସକାଳେ ସରିତା
ସମ୍ପୂର୍ଣ୍ଣ ଠିକ୍ ଦେଖାଯାଉଥିଲେ । ‘‘ଏମିତିକି ଅପରାହ୍ନରେ ସେ ପିଲାମାନଙ୍କ ପାଇଁ ଖିଚୁଡ଼ି ରାନ୍ଧିଥିଲେ।’’
କିନ୍ତୁ ସେଦିନ ସଂଧ୍ୟାରେ ଯେତେବେଳେ ପପ୍ପୁ ଘରକୁ ଫେରିଲେ ପ୍ରାୟ ୨୦ ବର୍ଷ ବୟସ୍କ ସରିତା ଅସୁସ୍ଥ ଓ ଦୁର୍ବଳ ଦେଖାଯାଉଥିଲେ । ‘‘ସେ ଶ୍ୱାସକ୍ରିୟା[ସହଜରେ] କରିପାରୁ ନ ଥିଲେ ।’’ ତେଣୁ ସେ ତୁରନ୍ତ ବାରାଣସୀ ଜିଲ୍ଲା ବାର୍ଗାଁ ବ୍ଲକ୍ରେ ଥିବା ନିଜ ଗାଁ ଡାଲ୍ଲିପୁରରୁ ୩୫ କିଲୋମିଟର ଦୂରରେ ଥିବା ଭାଦୋହିକୁ ଯିବା ପାଇଁ ଏକ ଅଟୋ ରିକ୍ସା ଭଡ଼ା କଲେ । ସେ କହନ୍ତି, ‘‘ଏଠାରେ[ବାରାଗାଁଓ]ରେ ହସ୍ପିଟାଲଗୁଡ଼ିକ ଭର୍ତ୍ତି ଥିଲା ଏବଂ ଏଠାକାର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କୌଣସି ସୁବିଧା ନାହିଁ । ଆମେ ଭାବିଲୁ ଆମେ ଗୋଟିଏ ଘରୋଇ ହସ୍ପିଟାଲକୁ ଯିବା ଉଚିତ ଯେଉଁଠାରେ ଉପଯୁକ୍ତ ଚିକିତ୍ସା ପାଇପାରିବୁ ।’’
ଅଯୋଗ୍ୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ମହାମାରୀର ମୁକାବିଲା କରିବାରେ ଅସମର୍ଥ ହେବା ସହ ବୈଶ୍ୱିକ ସ୍ତରରେ ଏହାର ମାତୃ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଲା । ୨୦୨୧ ମାର୍ଚ୍ଚରେ ପ୍ରକାଶିତ ୧୭ଟି ଦେଶର ଅଧ୍ୟୟନର ଏକ ମେଟା ବିଶ୍ଳେଷଣରେ , ଦି ଲାନ୍ସେଟ୍ ମହାମାରୀର ମାତୃ, ଭ୍ରୁଣ, ଏବଂ ନବଜାତ ପରିଣାମ ଉପରେ ପ୍ରଭାବକୁ ସମୀକ୍ଷା କଲା ଏବଂ ନିଷ୍କର୍ସରେ କୁହାଗଲା ଯେ ମହାମାରୀ ‘‘ମାତୃ ଏବଂ ଶିଶୁଙ୍କର ପରିହାର୍ଯ୍ୟ ମୃତ୍ୟୁର କାରଣ ପାଲଟିଛି ।’’ ଏଥିରେ କୁହାଗଲା, ‘‘କମ୍ ସଂଶାଧନ ସେଟିଂରେ ମା’ ଓ ଶିଶୁ ମୃତ୍ୟୁ ହାର କମ୍ କରିବାରେ ଦଶକ ଦଶକ ଧରି କରାଯାଇଥିବା ନିବେଶକୁ ପଛରେ ପକାଇବାରୁ ବଞ୍ଚାଇବା ପାଇଁ’’ ତୁରନ୍ତ ପଦକ୍ଷେପ ନିଆଯିବାର ଆବଶ୍ୟକତା ଥିଲା ।
କିନ୍ତୁ ସରକାର ଆସନ୍ନ ପ୍ରସବାଙ୍କ ପାଇଁ ତୁରନ୍ତ ଯଥେଷ୍ଟ ପଦକ୍ଷେପ ନେଲେ ନାହିଁ ।
ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ହିଁ ସରିତା ଅଟୋ ରିକ୍ସାରେ ପ୍ରାଣ ହରାଇସାରିଥିଲେ । ପପ୍ପୁ କହନ୍ତି, ‘‘ଲକ୍ଡାଉନ୍ ଯୋଗୁଁ ରାସ୍ତାରେ ଆମର ବହୁ ବିଳମ୍ବ ହେଲା । ରାସ୍ତାରେ ଅନେକଗୁଡ଼ିଏ ଚେକ୍ପଏଣ୍ଟ ଥିଲା ଯାହା ଟ୍ରାଫିକ୍କୁ ଅଟକାଇଦେଇଥିଲା।’’
ଯେତେବେଳେ ପପ୍ପୁ ଅନୁଭବ କଲେ ଯେ ସରିତାଙ୍କର ମୃତ୍ୟୁ ହୋଇସାରିଛି, ସ୍ତ୍ରୀକୁ ହରାଇବାର ଦୁଃଖ ଅପେକ୍ଷା ପୋଲିସର ଭୟ ଆହୁରି ବଢ଼ିଗଲା । ସେ ଏକ ମୃତଦେହକୁ ନେଇ ଯାତ୍ରା କରୁଥିବା ଜାଣିଲେ ପୋଲିସ କ’ଣ କରିବ ଏହି ଭୟରେ, ସେ ଅଟୋରିକ୍ସା ଡ୍ରାଇଭରକୁ ଗାଡ଼ି ବୁଲାଇ ଗାଁକୁ ଫେରିବା ପାଇଁ କହିଲେ । ସେ କହନ୍ତି, ‘‘ମୁଁ ନିଶ୍ଚିତ କଲି ଯେ ଆମେ ରାସ୍ତାରେ ଚେକ୍ପଏଣ୍ଟ ଅତିକ୍ରମ କରିବା ବେଳେ ତାଙ୍କ ଶରୀର ଠିକ୍ ଭାବେ ଥିଲା । ସୌଭାଗ୍ୟବଶତଃ ଆମକୁ କୌଣସିଠାରେ ବି ଅଟକାଗଲା ନାହିଁ ଏବଂ ଆମକୁ କୌଣସି ପ୍ରଶ୍ନ କରାଗଲା ନାହିଁ ।’’
ପପ୍ପୁ ଏବଂ ମାଳତୀ ମୃତଦେହକୁ ଡାଲ୍ଲିପୁର ନିକଟସ୍ଥ ଏକ ଘାଟକୁ ଶେଷକୃତ୍ୟ ପାଇଁ ନେଇଗଲେ। ଏଥିପାଇଁ ସେମାନଙ୍କୁ ସମ୍ପର୍କୀୟଙ୍କଠାରୁ ୨,୦୦୦ ଟଙ୍କା ଧାର କରିବାକୁ ହେଲା । ଉତ୍ତରପ୍ରଦେଶର ସର୍ବାଧିକ ଅବହେଳିତ ଅନୁସୂଚିତ ଜାତି ମୁଷାହାର ସମ୍ପ୍ରଦାୟର ପପ୍ପୁ କହନ୍ତି, ‘‘ମୁଁ ଏକ ଇଟା ଭାଟିରେ କାମ କରୁଥିଲି କିନ୍ତୁ ଲକ୍ଡାଉନ୍ [୨୦୨୦ ମାର୍ଚ୍ଚରେ] ପରେ ଏହା ବନ୍ଦ ହୋଇଗଲା ।’’
ଲକ୍ଡାଉନ୍ ପୂର୍ବରୁ ଇଟାଭାଟିରେ କାମ କରି ସେ ମାସକୁ ୬,୦୦୦ ଟଙ୍କା ରୋଜଗାର କରୁଥିଲେ । ସେ କହନ୍ତି, ‘‘ଇଟାଭାଟି ଖୋଲିଯାଇଛି, କିନ୍ତୁ ମୋ ସ୍ତ୍ରୀଙ୍କର ମୃତ୍ୟୁ ପରେ ମୁଁ ଏହି ପ୍ରକାରର କାମ କରିବା ବନ୍ଦ କରିଦେଇଛି । ମୁଁ ପୂର୍ବରୁ ଯେତେ ବାହାରେ ରହୁଥିଲି ଏବେ ସେତେ ରହିପାରିବି ନାହିଁ । ମୋତେ ପିଲାମାନଙ୍କ ସହ ରହିବାକୁ ହେବ ।’’
ସେ ବସି ମସିଣା ବୁଣୁଥିବା ସମୟରେ-ତାଙ୍କ ରୋଜଗାରର ନୂଆ ମାଧ୍ୟମ ଦୁଇ ପିଲା ୩ ବର୍ଷୀୟ ଜ୍ୟୋତି ଏବଂ ୨ ବର୍ଷୀୟ ରାଣୀ ତାଙ୍କୁ ଦେଖୁଥିଲେ । ସେ କହନ୍ତି, ‘‘ମୁଁ ମାତ୍ର ମାସ କେଇଟା ତଳୁ ଏହାକୁ ଆରମ୍ଭ କରିଛି, ଦେଖିବା ଏହା କେମିତି ଯାଉଛି। ଏହା ମୋତେ ଘରେ ପିଲାମାନଙ୍କ ସହ ରହିବାକୁ ସୁଯୋଗ ଦେଉଛି । ମୋ ମା’ ମଧ୍ୟ ଖୁବ୍ ବୟସ୍କ, ସେ ଏକୁଟିଆ ପିଲାମାନଙ୍କର ଦେଖାଶୁଣା କରିପାରିବେ ନାହିଁ । ସରିତା ଥିବାବେଳେ, ମୋ ମା’ଙ୍କ ସହ ମିଶି ସେ ପିଲାମାନଙ୍କର ଯତ୍ନ ନେଉଥିଲେ । ମୁଁ ଜାଣିନାହିଁ ସେ ଗର୍ଭବତୀ ଥିବାବେଳେ ତା’ଙ୍କର ଯତ୍ନ ନେବା ପାଇଁ ଆମେ କ’ଣ କରିପାରିଥାଆନ୍ତୁ । ଆମେ ତାଙ୍କୁ ଏକୁଟିଆ ଛାଡ଼ିଦେବା ଉଚିତ ନ ଥିଲା।’’
ବାରାଣସୀ ଭିତ୍ତିକ ମାନବାଧିକାର ଉପରେ କାମ କରୁଥିବା ପିପୁଲ୍ସ ଭିଜିଲାନ୍ସ କମିଟି ସହ ସମ୍ପୃକ୍ତ ଜଣେ କର୍ମକର୍ତ୍ତା ମଙ୍ଗଳା ରାଜଭର କହନ୍ତି, କୋଭିଡ୍-୧୯ ଆରମ୍ଭ ଦିନଠାରୁ ବାରାଗାଁଓ ବ୍ଲକ୍ରେ ମାତୃ ଯତ୍ନ ଅଧିକ ଅବହେଳିତ ହୋଇଯାଇଛି । ବାରାଗାଁଓରେ ସ୍ଥାନୀୟ ସମ୍ପ୍ରଦାୟ ସହ ଦୁଇ ଦଶନ୍ଧି ଧରି କାମ କରିଆସୁଥିବା ରାଜଭର କହନ୍ତି, ‘‘ଏହି ବ୍ଲକ୍ରେ ବହୁ ମହିଳା ରକ୍ତହୀନତାର ଶିକାର । ସେମାନେ ଅତିରିକ୍ତ ଯତ୍ନ ଏବଂ ବିଶ୍ରାମ ଆବଶ୍ୟକ କରନ୍ତି । କିନ୍ତୁ ଦାରିଦ୍ର୍ୟ ପୁରୁଷମାନଙ୍କୁ କାମ [ବାହାରେ କେଉଁଠି] ପାଇଁ ଘର ଛାଡ଼ିବାକୁ ବାଧ୍ୟ କରେ । ତେଣୁ ମହିଳାମାନେ ଘରେ ଏବଂ ଚାଷ ଜମିରେ କାମ କରନ୍ତି ।’’
ରାଜଭର ଆହୁରି କୁହନ୍ତି, ‘‘ଯେତେବେଳେ ମହିଳା ସେମାନଙ୍କ ଖାଦ୍ୟରେ ପ୍ରୋଟିନ, ଭିଟାମିନ ଏବଂ ଲୌହ ଆବଶ୍ୟକ କରନ୍ତି, ସେତେବେଳେ ସେମାନେ କେବଳ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମିଳୁଥିବା ରାସନ ହିଁ ରାନ୍ଧିବାରେ ସକ୍ଷମ ହୁଅନ୍ତି ଏବଂ ପନିପରିବା କିଣିବାରେ ସକ୍ଷମ ନ ଥାନ୍ତି । ସେମାନେ ଉନ୍ନତ ସ୍ୱାସ୍ଥ୍ୟସେବା ପାଆନ୍ତି ନାହିଁ । ସବୁକିଛି ସେମାନଙ୍କ ବିରୋଧରେ ଯାଉଛି ।’’
ସୀତାପୁରର ଟାଣ୍ଡା ଖୁର୍ଦ୍ଦରେ ଆଶା କର୍ମୀ ଥିବା ଆରତୀ ଦେବୀ କହନ୍ତି, ବହୁ ମହିଳା ରକ୍ତହୀନତାର ଶିକାର ଏବଂ କମ୍ ଓଜନ ବିଶିଷ୍ଟ, ଯାହା ଫଳରେ ଗର୍ଭାବସ୍ଥାରେ ଜଟିଳତା ଦେଖାଯାଏ । ସେ କହନ୍ତି, ‘‘ଏଠାରେ ଲୋକେ କେବଳ ଡାଲି ଓ ଭାତ ଖାଆନ୍ତି। ସେମାନଙ୍କର ପୁଷ୍ଟିସାରର ଅଭାବ ହୁଏ । ପନିପରିବା [ସେମାନଙ୍କ ଖାଦ୍ୟରେ] ପ୍ରାୟ ନ ଥାଏ । କାହାରି ପାଖରେ ଯଥେଷ୍ଟ ଟଙ୍କା ନାହିଁ ।’’
ଶ୍ରୀକ୍ରିଷ୍ଣାଙ୍କ ସ୍ତ୍ରୀ ୫୫ ବର୍ଷୀୟା କାନ୍ତି କହନ୍ତି କୃଷିକ୍ଷେତ୍ରରୁ ଆୟ କମିଯାଇଛି । ‘‘ଆମର ମାତ୍ର ଦୁଇ ଏକର ଜମି ଅଛି, ଯେଉଁଠାରେ ଆମେ ଧାନ ଓ ଗହମ ଚାଷ କରୁ । ବନ୍ୟାରେ ଆମ ଫସଲ ନିୟମିତ ଭାବେ ଧୋଇଯାଏ ।’’
କାନ୍ତିଙ୍କର ପୁଅ ୩୩ ବର୍ଷୀୟ ବିଜୟ, ମମତାଙ୍କ ସ୍ୱାମୀ, ଜୀବନ ଧାରଣ ପାଇଁ କୃଷି ଉପରେ ନିଜ ପରିବାରର ନିର୍ଭରଶୀଳତାରୁ ବାହାରିବା ପାଇଁ ସୀତାପୁରରେ ଏକ ଚାକିରି କରିଛନ୍ତି, କୋଭିଡ୍-୧୯ ଆରମ୍ଭ ହେବା ପରେ ସେ ଏହାକୁ ହରାଇଥିଲେ, କିନ୍ତୁ ୨୦୨୧ ଶେଷ ଭାଗରେ ସେ ପୁଣି ପାଇଲେ । କାନ୍ତି କହନ୍ତି, ‘‘ତାଙ୍କର ଦରମା ହେଲା ୫,୦୦୦ ଟଙ୍କା । ଲକ୍ଡାଉନ୍ ପୂର୍ବରୁ ଆମେ ଏଥିରେ ଚଳିଯାଉଥିଲୁ । କିନ୍ତୁ ଆମକୁ ପନିପରିବା ଖର୍ଚ୍ଚ କାଟ କରିବାକୁ ଥିଲା । ଲକ୍ଡାଉନ୍ ପୂର୍ବରୁ ବି ଡାଲି ଏବଂ ଚାଉଳ ଛଡ଼ା ଅନ୍ୟ କିଛି[କିଣିବା] କଷ୍ଟକର ହୋଇପଡ଼ିଥିଲା । କୋଭିଡ୍ ସମୟଠାରୁ ଆମେ ଏହାକୁ ଚେଷ୍ଟା ବି କରୁନାହୁଁ ।’’
ଏକ ବିଶ୍ଳେଷଣରେ କୁହାଯାଇଛି ଯେ ୨୦୨୦ରେ କୋଭିଡ୍-୧୯ ଆରମ୍ଭ ହେବା ପରଠାରୁ ଆୟ କମିବା ସାରା ଭାରତରେ ୮୪ ପ୍ରତିଶତ ପରିବାରକୁ ପ୍ରଭାବିତ କରିଛି । ଫଳରେ ଏହାଦ୍ୱାରା ଖାଦ୍ୟ ଏବଂ ପୁଷ୍ଟି ପ୍ରଭାବିତ ହୋଇଛି
ରାଜଭର ଏବଂ ଆରତୀ ଦେବୀଙ୍କ ଅନୁସାରେ, ବଢୁଥିବା ଦାରିଦ୍ର୍ୟ, ଅପର୍ଯ୍ୟାପ୍ତ ମାତୃ ଯତ୍ନ ଏବଂ ଲୌହ ଏବଂ ଫୋଲିକ୍ ଏସିଡ୍ ସପ୍ଲିମେଣ୍ଟଗୁଡ଼ିକର ଅନିୟମିତ ସେବନ ଅଧିକ ବିପଦଯୁକ୍ତ ଗର୍ଭାବସ୍ଥାକୁ କମାଇବା କଷ୍ଟକର କରିଦେବ । ନିର୍ଦ୍ଦିଷ୍ଟ ଭାବେ ଗ୍ରାମାଞ୍ଚଳରେ, ଯେଉଁଠାରେ ସର୍ବସାଧାରଣ ସ୍ୱାସ୍ଥ୍ୟସେବା ପାଇବା କଷ୍ଟକର ।
ମମତାଙ୍କ ମୃତ୍ୟୁର ପ୍ରାୟ ଦେଢ଼ ବର୍ଷ ପରେ, ବିଜୟ ପୁନଃ ବିବାହ କଲେ । ତାଙ୍କର ଦ୍ୱିତୀୟ ସ୍ତ୍ରୀ ପ୍ରିୟା, ୨୦୨୧ ଆରମ୍ଭରେ ଗର୍ଭବତୀ ଥିଲେ । ସେ ମଧ୍ୟ ରକ୍ତହୀନତାର ଶିକାର ଥିଲେ, ଏବଂ ତାଙ୍କର ଗର୍ଭାବସ୍ଥା ମଧ୍ୟ ଉଚ୍ଚ ବିପଦଯୁକ୍ତ ଭାବେ ରେକର୍ଡ କରାଯାଇଥିଲା । ଯେତେବେଳେ ୨୦୨୧ ନଭେମ୍ବରରେ ସେ ପ୍ରସବ ପାଇଁ ପ୍ରସ୍ତୁତ ଥିଲେ, ଟାଣ୍ଡା ଖୁର୍ଦ୍ଦରେ ବନ୍ୟା ପାଣି ପୁଣି ଆସିଯାଇଥିଲା ।
ଯେଉଁଦିନ ପ୍ରିୟାଙ୍କୁ ହସ୍ପିଟାଲ ନିଆଗଲା, ସେଦିନ ଶ୍ରୀକ୍ରିଷ୍ଣାଙ୍କ ପାଇଁ ମମତାଙ୍କୁ ହସ୍ପିଟାଲ ନିଆଯିବା ଦିନ ଭଳି ରହସ୍ୟମୟ ଥିଲା। କିନ୍ତୁ ଏଥର ବନ୍ୟା ଏତେ ଅଧିକ ନ ଥିଲା, ଏବଂ ଆମ୍ବୁଲାନ୍ସ ସେମାନଙ୍କ ଘର ଯାଏଁ ପହଞ୍ଚିବାରେ ସକ୍ଷମ ହେଲା । ପରିବାର ପ୍ରିୟାଙ୍କୁ ୧୫ କିଲୋମିଟର ଦୂରରେ ଥିବା ଏକ ଘରୋଇ ହସ୍ପିଟାଲକୁ ନେବାକୁ ନିଷ୍ପତ୍ତି ନେଲା । ସେ ସୌଭାଗ୍ୟବଶତଃ ଏହାକୁ ପାର କଲେ, ଏବଂ ଗୋଟିଏ ସୁସ୍ଥ ଝିଅ, ସ୍ୱ ସ୍ତିକାକୁ ଜନ୍ମ ଦେଲେ । ଏଥର ପରିସ୍ଥିତି ସେମାନଙ୍କ ସପକ୍ଷରେ ଥିଲା ।
ପାର୍ଥ ଏମ୍. ଏନ୍ ଠାକୁର ଫ୍ୟାମିଲି ଫାଉଣ୍ଡେସନ୍ ପକ୍ଷରୁ ଏକ ସ୍ୱତନ୍ତ୍ର ସାମ୍ବାଦିକତା ଅନୁଦାନ ମାଧ୍ୟମରେ ସାର୍ବଜନିକ ସ୍ୱାସ୍ଥ୍ୟ ଓ ନାଗରିକ ସ୍ୱାତନ୍ତ୍ରତା ଉପରେ ରିପୋର୍ଟିଂ କରନ୍ତି । ଠାକୁର ଫ୍ୟାମିଲି ଫାଉଣ୍ଡେସନ ଏହି ରିପୋର୍ଟର ବିଷୟବସ୍ତୁ ଉପରେ କୌଣସି ସମ୍ପାଦକୀୟ ନିୟନ୍ତ୍ରଣ କରିନାହାନ୍ତି ।
ଅନୁବାଦ : ଓଡ଼ିଶାଲାଇଭ୍