ରକ୍ତଭିଜା ଷ୍ଟ୍ରେଚର ଦେଖିବା ପରେ ଶ୍ରୀକ୍ରିଷ୍ଣା ବାଜପେୟୀ ବିବ୍ରତ ହୋଇପଡ଼ିଲେ। ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲାରେ ଫେବ୍ରୁଆରୀ ମାସର ଏକ ପ୍ରବଳ ଶୀତ ଅପରାହ୍ନରେ ନିଜ ଘର ବାହାରେ ବସି ନିଆଁରେ ସେକି ହେଉଥିବା ୭୦ ବର୍ଷୀୟ ଚାଷୀ ମନେ ପକାଇଲେ, ‘‘ଆମକୁ ଚେତାବନୀ ଦିଆଯାଇଥିଲା ଯେ ପ୍ରସବ ସହଜ ହେବ ନାହିଁ । ଗାଁର ଆଶାକର୍ମୀ ମୋ ବୋହୂର ଗର୍ଭାବସ୍ଥାକୁ ‘ଅଧିକ-ବିପଦଯୁକ୍ତ’ ଭାବେ ଚିହ୍ନଟ କରିଥିଲେ ।’’
ଯଦିଓ ଏହା ୨୦୧୯ ସେପ୍ଟେମ୍ବରରେ ଘଟିଥିଲା, କିନ୍ତୁ ଶ୍ରୀକ୍ରିଷ୍ଣା ଏହାକୁ ଗତକାଲି ଘଟିଥିବା ଭଳି ମନେ ପକାନ୍ତି । ସେ କହନ୍ତି, ‘‘ନିକଟରେ ହିଁ [ବନ୍ୟା] ପାଣି କମିଥିଲା, କିନ୍ତୁ ଏହା ରାସ୍ତାକୁ ନଷ୍ଟ କରିଦେଇଥିଲା, ତେଣୁ ଆମ୍ବୁଲାନ୍ସ ଘରଯାଏଁ ଆସିପାରିଲା ନାହିଁ ।’’ ଶ୍ରୀକ୍ରିଷ୍ଣାଙ୍କ ପଡ଼ା ବା ଛୋଟ ଗାଁ ଟାଣ୍ଡା ଖୁର୍ଦ୍ଦ ଲାହରପୁର ବ୍ଲକ୍ରେ ଅବସ୍ଥିତ, ଯାହାକି ଶାରଦା ଓ ଘାଗରା ନଦୀ ନିକଟରେ ରହିଛି । ଏଠାକାର ଗାଁ ବାରମ୍ବାର ଆସୁଥିବା ଅଚାନକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥାଆନ୍ତି, ଯାହା ଫଳରେ ଜରୁରୀକାଳୀନ ସ୍ଥିତିରେ ପରିବହନ ବ୍ୟବସ୍ଥା କରିବା କଷ୍ଟକର ହୋଇପଡ଼େ ।
ଟାଣ୍ଡା ଖୁର୍ଦ୍ଦରୁ ସୀତାପୁରସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯାଏଁ ୪୨ କିଲୋମିଟରର ଯାତ୍ରା ପ୍ରସବ ଯନ୍ତ୍ରଣା ଭୋଗୁଥିବା ଯେକୌଣସି ଗର୍ଭବତୀ ମହିଳାଙ୍କ ପାଇଁ ଦୀର୍ଘ - ଯଦି ପ୍ରଥମ ପାଞ୍ଚକିଲୋମିଟର ଏକ ଦୁଇ ଚକିଆ ଅସମାନ, ଖସଡ଼ା ରାସ୍ତାରେ ଯିବାକୁ ହୁଏ ତେବେ ରାସ୍ତା ଆହୁରି ଦୀର୍ଘ ହୋଇଯାଏ । ଶ୍ରୀକ୍ରିଷ୍ଣା କହିଲେ, ‘‘ଆମ୍ବୁଲାନ୍ସ ପାଇବା ପାଇଁ ଆମକୁ ତାହା କରିବାକୁ ପଡ଼ିଲା। କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆମେ ପହଞ୍ଚିବା ପରେ ସମସ୍ୟା ଆରମ୍ଭ[ବଢ଼ିବା] ହେଲା।’’
ଗୋଟିଏ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ମମତାଙ୍କର ରକ୍ତସ୍ରାବ ବନ୍ଦ ହେଲା ନାହିଁ । ଶ୍ରୀକ୍ରିଷ୍ଣା କହନ୍ତି ସେ ଭଲ କିଛି ହେବାକୁ ଅପେକ୍ଷା କରିଥିଲେ । ‘‘ଏମିତି ଆଶା କରାଯାଉ ନ ଥିଲା । ସମସ୍ୟା ହୋଇପାରେ ବୋଲି ଆମେ ଜାଣିଥିଲୁ । କିନ୍ତୁ ଆମେ ଭାବିଥିଲୁ ଡାକ୍ତରମାନେ ତାକୁ ରକ୍ଷା କରିଦେବେ।’’
କିନ୍ତୁ ଯେତେବେଳେ ତାଙ୍କୁ ଗୋଟିଏ ଷ୍ଟ୍ରେଚରରେ ୱାର୍ଡକୁ ନିଆଯାଉଥିଲା, ଶ୍ରୀକ୍ରିଷ୍ଣା ତା’ ଉପରେ ପଡ଼ିଥିବା ଧଳା ବେଡ୍ସିଟ୍ ଦେଖିପାରିଲେ ନାହିଁ । ସେ କହିଲେ, ‘‘ସେଥିରେ ଖୁବ୍ ଅଧିକ ରକ୍ତ ଥିଲା । ମୁଁ ମୋ ପେଟରେ ଗୋଟିଏ ଗେଟା ଅନୁଭବ କଲି। ଡାକ୍ତରମାନେ ଆମକୁ ରକ୍ତ ଯୋଗାଡ଼ କରିବାକୁ କହିଲେ। ଆମେ ଶୀଘ୍ର ଏହାକୁ ଯୋଗାଡ଼ କଲୁ, କିନ୍ତୁ ବ୍ଲଡ୍ ବ୍ୟାଙ୍କରୁ ଆମେ ହସ୍ପିଟାଲକୁ ଫେରିବା ବେଳକୁ, ମମତାର ମୃତ୍ୟୁ ହୋଇସାରିଥିଲା।’’
ସେ ୨୫ ବର୍ଷର ଥିଲେ ।









