ବର୍ତ୍ତମାନ ସୁଦ୍ଧା ଏକ ମାସରୁ ଅଧିକ ସମୟ ଧରି ନିଶା ଯାଦବଙ୍କୁ ତାଙ୍କ ପରିବାରର ରାସନ ପାଇଁ ଏକ ମାଇଲ୍ ରାସ୍ତା ଅଧିକ ଚାଲିବାକୁ ହେଉଛି । ସେମାନଙ୍କ ଘର ନିକଟରେ ଥିବା ତେଜରାତି ଦୋକାନ ସେମାନଙ୍କୁ ତେଜରାତି ବିକ୍ରି କରୁନାହିଁ । ସେ କୁହନ୍ତି, ‘‘ଯେବେଠୋରୁ ବାପା ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି ସେବେଠାରୁ ରାଜନଓ୍ୱାଲା, [ତେଜରାତି ଦୋକାନ ମାଲିକ] ଆମକୁ ତାଙ୍କ ଦୋକାନ ଭିତରକୁ ଯିବାକୁ ଦେଉନାହାନ୍ତି’’।
ନିଶା କୁହନ୍ତି, ‘‘ମୋ ବାପା ଜୁନ୍ ମାସର ଶେଷ ଭାଗରେ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଥିଲେ ଏବଂ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇଛନ୍ତି’’। “ଆମେ ଅନ୍ୟମାନେ ଦୁଇ ସପ୍ତାହ ଆତ୍ମ-ସଙ୍ଗରୋଧ ମାନିଲୁ। ଯଦିଓ ବାପା ମାସେ ପୂର୍ବରୁ ସୁସ୍ଥ ହୋଇଛନ୍ତି ଦୋକାନ ମାଲିକ ଏବେ ବି କହୁଛନ୍ତି ଯେ, ଯଦି ଆମେ ତାଙ୍କ ଦୋକାନକୁ ପଶିବୁ ତେବେ ଆମ ଦ୍ୱାରା ଭୂତାଣୁ ବ୍ୟାପିବ। ତେଣୁ ବର୍ତ୍ତମାନ ଆମ ଭିତରୁ ଜଣଙ୍କୁ ଏହି ବର୍ଷା ଏବଂ ବନ୍ୟା ସମୟରେ ଆଣ୍ଠୁଏ କାଦୁଅ ପାଣିରେ ପଶି ପ୍ରାୟ ଏକ ମାଇଲ ଦୂରରେ ଥିବା ସମ୍ପର୍କୀୟମାନଙ୍କଠାରୁ ଗ୍ରୋସରି ଆଣିବାକୁ ଯିବାକୁ ହେଉଛି।’’
ଛଅ ବର୍ଷ ପୂର୍ବେ ଏକାଦଶ ଶ୍ରେଣୀ ଶେଷ କରିବା ପରେ ସ୍କୁଲ ଛାଡ଼ିଥିବା ୨୪ ବର୍ଷୀୟ ନିଶା ଉତ୍ତରପ୍ରଦେଶର କୁଶିନଗର ଜିଲ୍ଲାର ହାତା ବ୍ଲକ୍ର ସୋହସା ମାଥିଆ ଗ୍ରାମରେ ବାସ କରନ୍ତି । ଏହା ଗୋରଖପୁର ସହରଠାରୁ ମାତ୍ର ୬୦ କିଲୋମିଟର ଦୂରରେ । ତାଙ୍କ ଗାଁ ମୌସୁମୀ ଏବଂ ବନ୍ୟା ଦ୍ୱାରା କଦର୍ଯ୍ୟ ଭାବରେ ପ୍ରଭାବିତ ହୋଇଥାଏ ।
‘‘ଆମର ବୁଆ-ଫୁପା [ପିଉସି-ପିଇସା] ଆମ ପାଇଁ ଜିନିଷପତ୍ର କିଣିଦିଅନ୍ତି ଏବଂ ଆମେ ତାଙ୍କୁ ପରେ ପଇସା ଦେଇଦେଉ ।’’ ସେ ଏହା କହିବା ବେଳେ ମଧ୍ୟ ନିଶା ତାଙ୍କ ସାଲ୍ଓ୍ୱାରର ତଳ ଭାଗକୁ ମଧ୍ୟ ୩ କିମ୍ବା ଚାରିଥର ମୋଡୁଥିଲେ- ତାଙ୍କୁ ବନ୍ୟା ପାଣି ଦେଇ ଘରକୁ ଚାଲିଯିବାକୁ ହେବ। ସନ୍ଧ୍ୟାର ଚା ପାଇଁ ତାଙ୍କ ଘରେ ଚିନି ସରିଯାଇଥିଲା।







