ବସନ୍ତ ବିନ୍ଦ ମାତ୍ର କିଛି ଦିନ ହେଲା ଘରେ ଅଛନ୍ତି । ଜଣେ ଦିନ ମଜୁରିଆ କୃଷି ଶ୍ରମିକ ଭାବେ ସେ ବିଗତ କିଛି ମାସ ପାଟନା ନିକଟରେ କ୍ଷେତରେ କାମ କରି ବିତାଇଛନ୍ତି ଯାହାକି ତାଙ୍କ ଘର ଜେହନାବାଦ ଜିଲ୍ଲାର ଏକ ଗାଁ ସଲେମାନପୁରରୁ କିଛି ଘଣ୍ଟାର ରାସ୍ତା ।
ଜାନୁଆରୀ ୧୫, ୨୦୨୩ରେ ସଂକ୍ରାନ୍ତି ପର୍ବ ଆୟୋଜିତ ହେବାର ପରଦିନ ଏହା ତାଙ୍କର ଦିନ ମଜୁରିଆ କାମକୁ ଫେରିବାର ସମୟ ଥିଲା । ସେ ଅନ୍ୟ ମଜୁରିଆମାନଙ୍କୁ ଆଣିବାକୁ ପଡୋଶୀ ଗାଁ ଚନ୍ଧାରିଆ ଗଲେ ଯେପରିକି ସେମାନେ ବିହାରର ରାଜଧାନୀକୁ ଏକତ୍ର ଯାତ୍ରା କରିପାରିବେ-ଶ୍ରମିକମାନଙ୍କର ଏକ ଦଳର କାମ ପାଇବାର ସମ୍ଭାବନା ଅଧିକ ଥିଲା ।
ସେଠାରେ ସେ କିଛି ଲୋକଙ୍କ ସହ କଥା ହେଉଥିବାବେଳେ ପୁଲିସ ଏବଂ ଅବକାରୀ ଅଧିକାରୀଙ୍କୁ ନେଇ ଏକ ଗାଡି ଘଟଣାସ୍ଥଳରେ ପହଞ୍ଚିଲା । ସେମାନେ ବିହାର ମଦ ନିଷେଧ ଏବଂ ଅବକାରୀ(ସଂଶୋଧନ) ଆଇନ, ୨୦୧୬ ଅଧୀନରେ ଗଠିତ ମଦବିରୋଧି ସ୍କ୍ୱାଡ୍ ଥିଲେ । ସେମାନଙ୍କର କାମ ହେଲା, ‘‘ବିହାର ରାଜ୍ୟ କ୍ଷେତ୍ରରେ ମଦ ଏବଂ ନିଶାଦ୍ରବ୍ୟର ପୂର୍ଣ୍ଣ ନିଷେଧକୁ ଲାଗୁ କରିବା, କାର୍ଯ୍ୟକାରୀ କରିବା ଏବଂ ପ୍ରୋତ୍ସାହିତ କରିବା…’
ପୋଲିସକୁ ଦେଖି ଲୋକମାନେ ଦୌଡିବା ଆରମ୍ଭ କଲେ । ବସନ୍ତ ମଧ୍ୟ ଦୌଡିବା ଆରମ୍ଭ କଲେ କିନ୍ତୁ, ‘‘ମୋ ଗୋଡ଼ରେ ଏକ ଷ୍ଟିଲ ରଡ୍ ଲାଗିଛି ତେଣୁ ମୁଁ ଶୀଘ୍ର ଦୌଡିପାରିବି ନାହିଁ।’’ ଏକ ମିନିଟ୍ କିମ୍ବା ସେତିକି ସମୟରେ ତାଙ୍କର ଭାଗ୍ୟ ଶେଷ ହୋଇଗଲା ଏବଂ, ‘କେହି ଜଣେ ମୋ ସାର୍ଟ କୋଲାର ଧରି ପକାଇଲେ ଏବଂ ମୋତେ ଗାଡିରେ ଭର୍ତ୍ତି କରିଦେଲେ’’, ୨୭ ବର୍ଷୀୟ ଜଣକ ମନେ ପକାଇଲେ ।
ସେ ସ୍କ୍ୱାଡଙ୍କୁ କହିଲେ ଯେ ସେମାନେ ମଦ ଲାଗି ତାଙ୍କର ଏବଂ ତାଙ୍କ ଘରର ଯାଞ୍ଚ କରିବା ଉଚିତ୍ । କିନ୍ତୁ ସେମାନେ କେବେହେଲେ କଲେ ନାହିଁ । ତାଙ୍କୁ ଟିକେ ଆଶ୍ୱାସନା ମିଳିଲା ଯେତେବେଳେ, ‘‘ପୁଲିସ ମୋତେ କହିଲା ଯେ ସେମାନେ ମୋତେ ଅବକାରୀ ବିଭାଗରେ ଯିବାକୁ ଦେବେ ।’’
କିନ୍ତୁ ଯେତେବେଳେ ବସନ୍ତ ଏବଂ ମଦ ବିରୋଧି ସ୍କ୍ୱାଡ ଷ୍ଟେସନରେ ପହଞ୍ଚିଲେ ସେତେବେଳେ ସେ ଜାଣିବାକୁ ପାଇଲେ ଯେ ସେମାନେ ତାଙ୍କ ନିକଟରୁ ୫୦୦ମିଲି ଗ୍ରାମ ମଦ ମିଳିଥିବା ଆନୁଷ୍ଠାନିକ ଭାବେ ନୋଟ୍ କରି ରଖିସାରିଥିଲେ । ତାଙ୍କ ବିରୋଧରେ ମଦ ରଖିବା ଅଭିଯୋଗରେ ମଦ ନିଷେଧ ଆଇନ ଅନୁସାରେ ମାମଲା ରୁଜୁ କରାଗଲା । ଦଣ୍ଡ ହେଉଛି ୫ ବର୍ଷ ଯାଏ ଜେଲ୍ ଏବଂ ପ୍ରଥମ ଥର ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ଲାଗି ଅତି କମ୍ରେ୧ ଲକ୍ଷ ଟଙ୍କା ଜରିମାନା ।










