ଭାରତୀୟ ଉପମହାଦେଶର ଔପନିବେଶକରଣ ଏବଂ ବିଭାଜନର ଲମ୍ବା ଛାଇ ଅସଂଖ୍ୟ ରୂପରେ ଆସାମରେ ନିଜର ଉପସ୍ଥିତି ଜାହିର କରିଥାଏ। ଏହାର ସବୁଠୁ ସ୍ପଷ୍ଟ ଉଦାହରଣ ହେଉଛି ନାଗରିକମାନଙ୍କ ଗଣନା ପାଇଁ କରାଯାଉଥିବା କାର୍ଯ୍ୟକ୍ରମ ଜାତୀୟ ନାଗରିକ ରେଜିଷ୍ଟ୍ରାର (ଏନଆରସି) ଯାହାକି ୧.୯ ନିୟୁତ ଲୋକଙ୍କୁ ରାଷ୍ଟ୍ରହୀନ କରି ଛାଡ଼ି ଦେଇପାରେ । ଏହାର ଏକ ସ୍ୱରୂପ ହେଉଛି ‘ସନ୍ଦିଗ୍ଧ (ଡି)-ମତଦାତା’ ନାମକ ନାଗରିକମାନଙ୍କ ଏକ ଶ୍ରେଣୀ ଗଠନ ଏବଂ ଅଟକ କେନ୍ଦ୍ରରେ ସେମାନଙ୍କୁ ବନ୍ଦୀ କରି ରଖାଯିବା। ୧୯୯୦ ଦଶକର ଉତ୍ତରାର୍ଦ୍ଧରେ ସାରା ଆସାମରେ ବିଦେଶୀମାନଙ୍କ ନ୍ୟାୟାଳୟ (ଫରେନ ଟ୍ରିବ୍ୟୁନାଲ) ଗଠନ କରାଯିବା ଏବଂ ଡିସେମ୍ବର ୨୦୧୯ରେ ନାଗରିକତା ସଂଶୋଧନ ଆଇନ (ସିଏଏ) ପାରିତ ହେବା ଫଳରେ ରାଜ୍ୟରେ ନାଗରିକତା ସଂକଟ ଆହୁରି ବଢ଼ିଯାଇଛି ।
ସାମ୍ପ୍ରତିକ ସଂକଟର ଭଉଁରୀରେ ଫସିଥିବା ଛଅ ଜଣ ଲୋକଙ୍କ ମୌଖିକ ସାକ୍ଷ୍ୟ ଆମକୁ ସେମାନଙ୍କ ବ୍ୟକ୍ତିଗତ ଜୀବନ ଓ ଇତିହାସ ଉପରେ ଏହାର ବିନାଶକାରୀ ପ୍ରଭାବକୁ ଦେଖାଇ ଦେଇଥାଏ। ମାତ୍ର ୮ ବର୍ଷ ବୟସରେ ନେଲ୍ଲୀ ନରସଂହାରରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ରଶିଦା ବେଗମ । ଏବେ ତାଙ୍କ ପରିବାରର ସବୁ ସଦସ୍ୟଙ୍କ ନାଁ ଏନଆରସିରେ ସାମିଲ ଥିବା ବେଳେ ସେ କିନ୍ତୁ ତାଲିକାରୁ ବାଦ୍ ପଡ଼ିଛନ୍ତି । ଶାହଜାହାନ ଅଲ୍ଲୀ ଅହମ୍ମଦ ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କ ନାମ ମଧ୍ୟ ଏହି ତାଲିକାରୁ ବାଦ୍ ପଡ଼ିଛି । ଆସାମରେ ନାଗରିକତାକୁ ନେଇ ଉଠୁଥିବା ପ୍ରଶ୍ନରେ ସେ ଏବେ ଜଣେ ସାମାଜିକ କର୍ମୀ ଭାବେ ସମ୍ପୃକ୍ତ ହୋଇଛନ୍ତି ।


