ଯେତେବେଳେ ମୁରଲୀଧର ଜୱାହିର୍ କାମ କରିବାକୁ ବସନ୍ତି, ତାଙ୍କ କାମରେ କେବେ ମଧ୍ୟ କୌଣସି ତ୍ରୁଟି ବା ବିଚ୍ୟୁତି ରହେନାହିଁ। ତାଙ୍କ ହାତଗୁଡିକ ତୋରଣର ଯୋଡ଼ଗୁଡିକୁ ଯୋଡିବାରେ ତଥା ସେଗୁଡିକୁ ଏକ ମୋଟା କଟନ୍ ସୂତାରେ ବାନ୍ଧିବା କାମ ଦ୍ରୁତଗତିରେ ଓ ନିରବ ଭାବେ କରିଚାଲିଥାଏ । କ୍ଷୀଣ ଶରୀରଧାରୀ ୭୦ ବର୍ଷ ବୟସ୍କ ଜଣେ ବୃଦ୍ଧା ଯେ ପ୍ରାୟତଃ ପ୍ରତିଦିନ ନିଖୁଣଭାବେ ଏପରି ନିଦା ବାଉଁଶ ଫ୍ରେମ୍ ତିଆରି କରିପାରନ୍ତି, ତାହା ସହଜରେ ବିଶ୍ୱାସ କରିହୁଏନି ।
ମହାରାଷ୍ଟ୍ରର ଇଚାଲ୍କରଞ୍ଜି ଟାଉନ୍ରେ ସ୍ଥିତ କାଦୁଅ ଓ ଇଟାରେ ନିର୍ମିତ ତାଙ୍କର ଛୋଟ ଘର ବାହାରେ ଥିବା କାର୍ଯ୍ୟସ୍ଥଳରେ ତାଙ୍କ କାର୍ଯ୍ୟର ବିଭିନ୍ନ ସାମଗ୍ରୀଗୁଡିକ ଚାରିଆଡେ ବିଛେଇ ହୋଇ ପଡିରହିଥିଲା – ବାଉଁଶ କାଠି, ରଙ୍ଗୀନ୍ କାଗଜ, ଜେଲାଟିନ୍ କାଗଜ, ପୁରୁଣା ଖବରକାଗଜ ଓ ଅନ୍ୟାନ୍ୟ ସାମଗ୍ରୀସବୁ । ଏ ସବୁକିଛି ଆଉ କିଛି ଘଣ୍ଟା ମଧ୍ୟରେ ଏକ ଜଟିଳ ତୋରଣ – ମାଳାକୃତିର ଏକ ସାଜସଜ୍ଜା ସାମାନ ଯାହା ଘର ଓ ମନ୍ଦିର ଦ୍ୱାରରେ ସଜ୍ଜିତ ହୋଇଥାଏ – ରେ ରୂପାନ୍ତରିତ ହୋଇଯିବ ।
ମୁରଲୀଧରଙ୍କର ରେଖା ଭର୍ତ୍ତି ପାପୁଲିଗୁଡ଼ିକ ଖଣ୍ଡେ ବାଉଁଶ ବାଡିକୁ କ୍ଷୀପ୍ର ଭାବେ କାଟି ସମାନ ଆକାରର ୩୦ଖଣ୍ଡ କାଠି ପ୍ରସ୍ତୁତ କଲେ । ତା’ପରେ ସେ ସେଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ନିଜର ମାପ କରିବାର କଳ୍ପନାଶକ୍ତି ଆଧାରରେ ନଅଟି ସମବାହୁ ତ୍ରିଭୂଜରେ ପରିଣତ କଲେ । ସେହି ତ୍ରିଭୁଜଗୁଡ଼ିକୁ ୩ ରୁ ୧୦ ଫୁଟ ଲମ୍ବ ଏକ ବାଉଁଶ କାଠି ସହିତ ସଂଲଗ୍ନ କରାଯାଏ ।
ମୁରଲୀଧର ବାରମ୍ବାର ତାଙ୍କ ଅଙ୍ଗୁଳିଗୁଡିକୁ ଖଲ୍ – ତେନ୍ତୁଳି ମଞ୍ଜି ଚୂନାରୁ ପ୍ରସ୍ତୁତ ଏକ ପ୍ରକାର ଅଠା- ଥିବା ଏକ ଟୋଲାଚେପା ଆଲୁମିନିୟମ୍ ପାତ୍ରରେ ବୁଡ଼ାନ୍ତି । ତାଙ୍କ ସ୍ତ୍ରୀ ଶୋଭା, ଯାହାର ବୟସ ୬୦ରୁ ଟିକିଏ ଅଧିକ ହେବ, ସେଦିନ ସକାଳେ ଏହାକୁ ପ୍ରସ୍ତୁତ କରିଥିଲେ ।
“ଏପରିକି ସେ କାମ କରିବାବେଳେ ଗୋଟିଏ ମଧ୍ୟ ଶବ୍ଦ କୁହନ୍ତିନି ଓ ତାଙ୍କ କାମରେ କେହି ବାଧା ଦେଇପାରିବେନି,’’ ବୋଲି ସେ କୁହନ୍ତି ।
ମୁରଲୀଧର ଚୁପ୍ଚାପ୍ ବସି ବାଉଁଶର ଫ୍ରେମ୍ ତିଆରି କରି ଚାଲିଥିବା ବେଳେ, ଶୋଭା ସାଜସଜ୍ଜା ପାଇଁ ଆବଶ୍ୟକ ଜିନିଷ ପ୍ରସ୍ତୁତ କରିବାରେ ଲାଗିପଡନ୍ତି, ଯାହା ଅନ୍ତର୍ଗତ ସେ ରଙ୍ଗୀନ୍ ଜେଲାଟିନ୍ କାଗଜର ବୃତ୍ତାକାର ଖଣ୍ଡଗୁଡିକୁ ବୁଣି ଗୁଚ୍ଛରେ ପରିଣତ କରନ୍ତି। “ଘରକାମରୁ ଯେତେବେଳେ ମଧ୍ୟ ମତେ ଟିକିଏ ଫୁରୁସତ ମିଳେ, ମୁଁ ଏହି କାମରେ ଲାଗିଯାଏ । ହେଲେ, ଏହି କାମ ଯୋଗୁଁ ଆଖି ଉପରେ ଅଧିକ ଚାପ ପଡୁଛି” ବୋଲି ସେ କୁହନ୍ତି ।


















