ଅକ୍ଷିବାତ୍ୟାର କେଇ ସପ୍ତାହ ପରେ ବି ଅଲେଲ, ଜନ୍ ପଲ୍-II ରାସ୍ତାରେ ଥିବା ତାଙ୍କ ଘର ବାରଣ୍ଡାରେ ଠିଆ ହୋଇଛି। ଦୁଇ ବର୍ଷର ଏହି ଶିଶୁଟି ରାସ୍ତାରେ ଯାଉଥିବା ସବୁ ଲୋକଙ୍କୁ ଦେଖି ହସି ଦିଏ ଏବଂ ଘର ଯାଏଁ ଲମ୍ବିଥିବା ମାଟି ରାସ୍ତାକୁ ବାରମ୍ବାର ଦେଖୁଥାଏ । କେବଳ ଏଇ ଆଶାରେ କି ଏହା ପରେ ଯିଏ ଆସିବେ, ସେ ହୁଏତ ତା’ର ବାପା, ୟେସୁଦାସ ହୋଇଥିବେ ।
ଏହି ଗଳିର କେତେକ ଘର ତାରା ଏବଂ ଚିକଚିକ ଆଲୁଅରେ ସଜା ହୋଇଥିଲା । କିନ୍ତୁ ଆଜିକୁଟ୍ଟନ (ସ୍ନେହରେ ଘରଲୋକେ ଅଲେଲକୁ ଏଇ ନାଁରେ ଡାକନ୍ତି) ଅନ୍ଧକାରରେ ଠିଆ ହୋଇଥିଲା । ତା’ର ମା’, ୩୩ ବର୍ଷୀୟା ଗୃହିଣୀ ଅଜିତା, ଘର ଭିତରେ କାନ୍ଦୁଥିଲେ। ବହୁ ଦିନ ହେଲା ସେ ବିଛଣାରେ ପଡ଼ିଛନ୍ତି । ଆଜିକୁଟ୍ଟନ ଥରକୁ ଥର ଆସି ମା’କୁ କୁଣ୍ଢାଇ ପକାଏ ଏବଂ ପୁଣି ବାରଣ୍ଡାକୁ ଫେରିଯାଏ ।
ଏ ଥିଲା ୨୦୧୭ ମସିହା ଖ୍ରୀଷ୍ଟମାସର ଠିକ୍ ପୂର୍ବର ଘଟଣା । ଛୋଟପିଲାଟିକୁ ତା’ର ମା’ ଆଶ୍ୱାସନା ଦେଇଥିଲେ କି ୟେସୁଦାସ ଖ୍ରୀଷ୍ଟମାସ ସୁଦ୍ଧା ଆସିବେ ଏବଂ ନୂଆ ପୋଷାକ ଏବଂ କେକ୍ ଆଣିଦେବେ। କିନ୍ତୁ ଅଲେଲର ବାପା ଫେରି ନଥିଲେ ।
ନଭେମ୍ବର ୩୦ରେ ବାତ୍ୟା ଆସିବା ସମୟରେ ଘରୁ ବାହାରି ସମୁଦ୍ର ଭିତରକୁ ଯାଇଥିବା ମତ୍ସ୍ୟଜୀବୀମାନଙ୍କ ମଧ୍ୟରୁ ଜଣେ ହେଲେ ୩୮ ବର୍ଷୀୟ ୟେସୁଦାସ ଶିମାୟୋନ୍। କେରଳର ତିରୁବନନ୍ତପୁରମ୍ ଜିଲ୍ଲା ନେୟାଟ୍ଟିଙ୍କାରା ତାଲୁକାର କାରୋଡ୍ ଗାଁରେ ଥିବା ତାଙ୍କ ତିନି ବଖୁରିଆ ଘରୁ ସେ ବାହାରିଥିଲେ । ନଭେମ୍ବର ୨୯ ତାରିଖ ସନ୍ଧ୍ୟାରେ ଚାରି ଜଣ ସହକର୍ମୀଙ୍କ ସହିତ ସେ ସମୁଦ୍ରକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ହେଲେ ତାଙ୍କ ପଡ଼ୋଶୀ ୨୮ ବର୍ଷର ଆଲେକ୍ଜାଣ୍ଡାର ପୋଡ଼ିଥାମ୍ପି ଏବଂ ଅନ୍ୟ ତିନି ଜଣ ତାମିଲନାଡୁର । ଆଲେକ୍ଜାଣ୍ଡାର ଓ ତାଙ୍କ ୨୧ ବର୍ଷୀୟା ସ୍ତ୍ରୀ ଜସ୍ମିନ୍ ଜନ୍ଙ୍କର ୧୦ ମାସର ଝିଅଟିଏ ଅଛି, ଆଶମି ଆଲେକ୍ସ ।






