“ବର୍ତ୍ତମାନ ଆମକୁ ପ୍ରତିଦିନ ନିଶ୍ଚିତ ଭାବେ ୨୫ଘରକୁ ଯିବାକୁ ପଡୁଛି, ପ୍ରତି ମାସରେ ଅତିକମ୍ରେ ଚାରିଥର,” “କରୋନାଭୂତାଣୁ ସର୍ଭେ କରିବା ଉଦ୍ଦେଶ୍ୟରେ” ବୋଲି ସୁନିତା ରାଣୀ କୁହନ୍ତି। ଗତ ୧୦ଦିନରୁ ଅଧିକ ସମୟ ହେବ ସେ ଏହିପରି ରାଉଣ୍ଡରେ ଯାଉଛନ୍ତି, ଯେତେବେଳେକି ହରିୟାଣାରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମୁତାବକ ଏପ୍ରିଲ୍ ୧୪ ସୁଦ୍ଧା ପ୍ରାୟ ୧୮୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ ଦୁଇଜଣଙ୍କ ମୃତ୍ୟୁ ହୋଇଛି ।
“ ଏହି ରୋଗ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି । ଏହା ସ୍ପର୍ଶ ମାଧ୍ୟମରେ ବ୍ୟାପୁଛି ବୋଲି ଅନେକ ଭାବୁଛନ୍ତି । ଗଣମାଧ୍ୟମରେ ସେମାନେ ‘ ସାମାଜିକ ଦୂରତା’ ପାଳନ କରିବାକୁ କହୁଛନ୍ତି । ମୁଁ ସେମାନଙ୍କୁ କରୋନାଭୂତାଣୁ ବିଷୟରେ ଓ ସେମାନେ କିଭଳି ଭାବେ ପରସ୍ପର ଠାରୁ ଦୂରରେ ରହିପାରିବେ ସେ ବିଷୟରେ ବୁଝାଉଥିଲେ ମଧ୍ୟ ଏହା ଉପରେ କିଭଳି ଜୋର୍ ଦେଇ କହିପାରିବି ତାହା ମୁଁ ଜାଣିପାରୁ ନାହିଁ” ବୋଲି ସୁନିତା କୁହନ୍ତି । “ ଏକ ୧୦ ଫୁଟ ଗୁଣନ ୧୦ ଫୁଟ ବଖରା ଯେଉଁଠି ସାତ ଜଣ ଲୋକ ରହୁଛନ୍ତି ସେଠାରେ ପୁଣି ସାମାଜିକ ଦୂରତା କିପରି ରକ୍ଷା କରାଯାଇ ପାରିବ?
ସୁନିତା, ୩୯, ହେଉଛନ୍ତି ହରିୟାଣାର ସୋନିପତ୍ ଜିଲ୍ଲାର ନାଥପୁର ଗ୍ରାମରେ କାମ କରୁଥିବା ଜଣେ ସ୍ୱୀକୃତିପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ (ଆଶା) । ଭାରତରେ ଥିବା ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଆଶା, ଯେଉଁମାନେ ଭାରତର ଗ୍ରାମାଞ୍ଚଳ ନିବାସୀଙ୍କୁ ସାଧାରଣ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ସହିତ ଯୋଡିଥାନ୍ତି, ସେମାନଙ୍କ ମଧ୍ୟରୁ ସେ ହେଉଛନ୍ତି ଜଣେ । କୋଭିଡ୍- ୧୯ ଏବେ ସାଧାରଣ ସ୍ୱାସ୍ଥ୍ୟ ଓ ମାମାଜିକ ମଙ୍ଗଳ କ୍ଷେତ୍ରରେ ସବୁଠାରୁ ବଡ ସଂକଟ ଭାବେ ଉଭା ହୋଇଥିବା ବେଳେ ସେମାନଙ୍କର ଏକ ସାଧାରଣ ବ୍ୟସ୍ତବହୁଳ ଦିନ ଯେଉଁଥିରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ୬୦ରୁ ଉର୍ଦ୍ଧ୍ୱ କାମ ମଧ୍ୟରୁ ଯେକୌଣସି ଏକ କାମ ତୁଲାଇବାକୁ ହୋଇଥାଏ- ଯାହା ମଧ୍ୟରେ ରହିଛି ନବଜାତଙ୍କର ଟୀକାକରଣ ଠାରୁ ଆରମ୍ଭ କରି ଆସନ୍ନ ପ୍ରସବାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ଓ ସେମାନଙ୍କୁ ପରିବାର ନିୟୋଜନ ପାଇଁ ଉପଦେଶ ଦେବା – ସବୁକିଛି ଓଲଟପାଲଟ ହୋଇଯାଇଛି ।
ମାର୍ଚ୍ଚ ୧୭ରେ ଯେତେବେଳେ ହିରିୟାଣାର ପ୍ରଥମ କୋଭିଡ୍- ୧୯ ସଂକ୍ରମିତ ଗୁରୁଗ୍ରାମରେ ଚିହ୍ନଟ ହୋଇଥିଲେ, ସେତେବେଳେ ମଧ୍ୟ ସୋନିପତ୍ର ଆଶା କର୍ମୀମାନଙ୍କୁ ସେମାନଙ୍କ ସୁପରଭାଇଜର୍ ଏହି ରୋଗ ସମ୍ବନ୍ଧରେ କୌଣସି ଯୋଗାଯୋଗ କରିନଥିଲେ । ଚାରିଦିନ ପରେ ସୋନିପତ୍ରେ ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାପରେ ମଧ୍ୟ ସେମାନଙ୍କ ସୁପର୍ଭାଇଜର୍ମାନେ ସେମାନଙ୍କୁ କ’ଣ କରାଯିବା ଉଚିତ କିମ୍ବା ଗ୍ରାମବାସୀଙ୍କୁ କିଭଳି ସଚେତନ କରାଯିବ ସେ ନେଇ ଜାରି ହୋଇଥିବା ନୂତନ ସୁରକ୍ଷା ପ୍ରଟୋକଲ୍ ବିଷୟରେ ଗୋଟିଏ ଶବ୍ଦ ମଧ୍ୟ ଜଣାଇନଥିଲେ । ସୋନିପତ୍ରେ ସୁନିତା ଓ ତାଙ୍କ ଭଳି ଅନ୍ୟ୧୨୭୦ ଜଣ ଆଶାଙ୍କୁ ସାର୍ସ-କୋଭ୍- ୨ର ମୁକାବିଲା ପାଇଁ ଆଗ ଧାଡିର ଯୋଦ୍ଧାମାନଙ୍କ ମଧ୍ୟରେ ସାମିଲ୍ କରିବାକୁ, ଏହି ମାରାତ୍ମକ ରୋଗ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରଶିକ୍ଷଣ ଦେବା ଆରମ୍ଭ ହେବା ବେଳକୁ ଦେଶବ୍ୟାପୀ ତାଲାବନ୍ଦ ଜାରି ହୋଇସାରିଥିଲା ଓ ରାଜ୍ୟରେ କୋଭିଡ୍- ୧୯ କାରଣରୁ ଜଣଙ୍କ ମୃତ୍ୟୁ ହୋଇସାରିଥିଲା ଯାହା ଜିଲ୍ଲାରେ ପ୍ରଥମ ଅଟେ ।
ତାଙ୍କ ଗ୍ରାମର ପ୍ରାୟ ୧୦୦୦ ଲୋକଙ୍କ ଦାୟିତ୍ୱରେ ଥିବା ସୁନିତାଙ୍କର ନୂଆ ଦାୟିତ୍ୱ ତାଲିକାରେ ଏବେ ସାମିଲ ହୋଇଛି ତାଙ୍କ ପରିସରଭୁକ୍ତ ପ୍ରତ୍ୟେକ ପରିବାରର ସବିଶେଷ ବିବରଣୀ ଲିପିବଦ୍ଧ କରିବା ଯେପରିକି ପରିବାର ସଦସ୍ୟଙ୍କ ବୟସ, ସେମାନଙ୍କ ମଧ୍ୟରୁ କେହି ବିଦେଶରୁ ଆସିଛନ୍ତି କି ଓ ସେମାନଙ୍କ ମଧ୍ୟରେ ଏପରି କୌଣସି ବ୍ୟକ୍ତି ଅଛନ୍ତି ଯେଉଁମାନେ ସଂକ୍ରମିତ ହେବା ଆଶଙ୍କା ଅଧିକ ରହିଛି ଯେପରିକି କ୍ୟାନ୍ସର୍, ଯକ୍ଷ୍ମା ବା ହୃଦୟ ରୋଗୀ, ସମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଆଦିର ବିବରଣୀ । “ମୁଁ ଯାଞ୍ଚ କରେ ଓ ଯେଉଁମାନଙ୍କ ପାଖରେ ଇନ୍ଫ୍ଲୁଏଞ୍ଜା ବା କରୋନାଭୂତାଣୁର ଲକ୍ଷଣ ପରିଲକ୍ଷିତ ହୁଏ ତାହା ଟିପି ରଖେ । ଏସବୁ କରିବା କଷ୍ଟକର ନୁହେଁ । ମୁଁ ତଥ୍ୟ ଲିପିବଦ୍ଧ କରି ରଖିବାରେ ଅଭ୍ୟସ୍ତ କନ୍ତୁ ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଛି,’’ ବୋଲି ସୁନିତା କୁହନ୍ତି ।




