ହୁଏତ ଅଧିକାଂଶ ଭାରତୀୟଙ୍କ ପାଇଁ ୧୪ ଇଞ୍ଚର କଳା-ଧଳା ‘ପୋର୍ଟେବ୍ଲ’ ଟିଭି ବିଗତ ଯୁଗର ଏକ ସ୍ମୃତିଚିହ୍ନ । କିନ୍ତୁ ରବି ନାରୋଟି ଏବଂ ତାଙ୍କ କିଶୋର ପୁଅ ତୁଲସୀରାମଙ୍କ ପାଇଁ ଏହା ଏକ ଗୌରବମଣ୍ଡିତ ନୂତନ ସଂପତ୍ତି, ଯାହା ସେମାନଙ୍କ ଇଟାମାଟି ଘରର ଏକ କୋଣରେ, ସୌରଶକ୍ତିଚାଳିତ ଲ୍ୟାମ୍ପ ପାଖରେ ଏକ ପ୍ରମୁଖ ସ୍ଥାନ ଅଧିକାର କରେ ।
ଆଧୁନିକ ଉପକରଣ ସହ ଏହା ସେମାନଙ୍କର ପ୍ରଥମ ପରିଚୟ । ୪,୦୦୦ ଟଙ୍କା ମୂଲ୍ୟର ଏକ ବିଳାସପୂର୍ଣ୍ଣ ସାମଗ୍ରୀ, ଯାହାକୁ ସାଙ୍ଗରେ ନେଇ ଗତ ମାସରେ ଇଲେକ୍ଟ୍ରୋନିକ୍ସ ଦୁନିଆରେ ପ୍ରଥମ ଥର ପାଇଁ ପାଦ ଥାପିଛନ୍ତି ନାରୋଟି ପରିବାର । ତାଙ୍କର ଯୁବ ପଡ଼ୋଶୀ ସାଧୁ ଇଚାମି ବି ପାଖ ସହରରୁ ଏଥିରୁ ଗୋଟିଏ କିଣିଆଣିଛନ୍ତି ।
ସ୍ଵାଧୀନତାର ଛଅ ଦଶନ୍ଧି ପରେ, ଜୁଲାଇ ୧୪ ତାରିଖ ଦିନ ପ୍ରଥମ ଥର ପାଇଁ ନାରୋଟିଙ୍କ ଗାଁ ଗରାଞ୍ଜିକୁ ବିଦ୍ୟୁତ୍ ଆଲୋକ ଆସିଲା ।
ମାଓବାଦୀଙ୍କ ଗଡ଼ ରୂପେ ପରିଚିତ ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲା ସଦର ମହକୁମାଠାରୁ ପ୍ରାୟ ୮୦ କିଲୋମିଟର ଦୂର ଘଞ୍ଚ ଜଙ୍ଗଲ ଭିତରେ ଥିବା ଏହି ଗାଁଟି ୪୮ଟି ଗୋଣ୍ଡ ଆଦିବାସୀ ଏବଂ ଦୁଇଟି ବାଂଲାଦେଶୀ ଶରଣାର୍ଥୀ ପରିବାରଙ୍କ ବାସସ୍ଥଳୀ ।
ଶସ୍ୟଶ୍ୟାମଳା ଧାନକ୍ଷେତ ଏବଂ ଧାଡ଼ି ଧାଡ଼ି କୁଡ଼ିଆ ଘରକୁ ଅଲଗା କରି ଯେଉଁଦିନ ଗାଁର ମାଟି କାଦୁଅ ରାସ୍ତା ଉପରେ ରାସ୍ତା କଡ଼ ବତୀଖୁଣ୍ଟରୁ ପ୍ରଥମ ଥର ପାଇଁ ଆଲୋକର କିରଣ ପଡ଼ିଲା, ସେଦିନ ଗାଁ ଲୋକେ ଉତ୍ସବ ପାଳନରେ ମାତିଗଲେ । ସେମାନେ ମେଣ୍ଢା କାଟି ମିଳିତ ଭୋଜି କଲେ, ଘରଗୁଡ଼ିକୁ ସଜେଇଲେ ଏବଂ “ରେଲା” ଲୋକନୃତ୍ୟ ସହ ଗାଁକୁ ଆସିଥିବା ସରକାରୀ ଅଧିକାରୀମାନଙ୍କୁ ସ୍ଵାଗତ କଲେ ।
ହେଲେ, ସେ ଆନନ୍ଦ କ୍ଷଣସ୍ଥାୟୀ ଥିଲା, ତଥାପି ଏକ ଆଲୋକିତ ଜୀବନର ଆଶା ଏବେ ବି ଉଜ୍ଜୀବିତ ।
ଜୁଲାଇ ୧୬ ତାରିଖର ମୂଷଳଧାର ବର୍ଷାରେ ନୂଆ କରି ଟଣା ଯାଇଥିବା ସିଙ୍ଗଲ-ଫେଜ୍ ୧୧କେଭି ଲାଇନ୍ ଛିଣ୍ଡିଗଲା । ଦୁଃଖିତ ସ୍ଵରରେ ଏହା କହିଲେ ଗରାଞ୍ଜିରୁ ୪୫ କିଲୋମିଟର ଦୂର ଚାମୋର୍ଶୀ ବ୍ଲକ୍ ସଦର ମହକୁମାରେ ଥିବା ମହାରାଷ୍ଟ୍ର ରାଜ୍ୟ ବିଦ୍ୟୁତ୍ ବିତରଣ ସଂସ୍ଥା (MSEDCL)ର ଜଣେ ସହକାରୀ ଯନ୍ତ୍ରୀ ଦିଲୀପକୁମ୍ଭାରେ । ତାର ଉପରେ ଗଛଟିଏ ପଡ଼ିଯିବାରୁ କେତେକ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଗଲା ।
ଚାମୋର୍ଶୀ ଉପଖଣ୍ଡୀୟ ଅଧିକାରୀ ଦିଲୀପ ସାୱରକର କହିଲେ, “ଜୁନ୍ ୯ରୁ ଅବିରତ ବର୍ଷା ଲାଗି ରହିଛି ।”
ବର୍ଷା କମିଲେ ଲାଇନ୍ ଠିକ୍ କରାହେବ ବୋଲି କୁମ୍ଭାରେ କହିଲେ । “ଆମ ମରାମତି କାମ ପାଇଁ କିଛି ଦିନ ପାଇଁ ପାଗ ଶୁଖିଲା ରହିବା ଦରକାର ।”
ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଗାଁ ଲୋକେ। ଏଇଥିପାଇଁଯେ ସେମାନେ ଟିଭି ଦେଖିବାକୁ ଚାହାଁନ୍ତି ଏବଂ ଭିସିଡି ଆଣି ସିନେମା ଦେଖିବାକୁ ଯୋଜନା କରିଛନ୍ତି ।
ନାରୋଟି ଏବଂ ଇଚାମି ପରିବାର ଆରମ୍ଭ କରିଦେଇଛନ୍ତି; ପଛକୁ ପଛ ଅନ୍ୟମାନେ ଧାଡ଼ି ବାନ୍ଧିଛନ୍ତି । ବ୍ୟକ୍ତିଗତ ଭାବେ ବିଦ୍ୟୁତ୍ ସଂଯୋଗ ଲାଗି ୩୬ଟି ପରିବାର ଆବେଦନ କରିଛନ୍ତି ଏବଂ MSEDCL ପାଖରେ ଅମାନତ ରାଶି ଜମା କରିଛନ୍ତି ।
କୁମ୍ଭାରେ କହନ୍ତି, “ଗାଁ ଲୋକଙ୍କର ପ୍ରତିକ୍ରିୟା ଖୁବ୍ ଭଲ । ଆମେ ସପ୍ତାହକ ଭିତରେ ମିଟର ବସାଇ ଦେବୁ ।”
କଥା ମଝିରେ କଥା ପୂରାଇ ଗାଁର ଜଣେ ଯୁବକ ତୁକାରାମ କାଙ୍ଗାଲି କହିଲେ, “ହୁଏତ ଆସନ୍ତା ବର୍ଷ ସୁଦ୍ଧା ସମସ୍ତଙ୍କ ଘରେ ଆପଣ ଟିଭି ସେଟ୍ ଦେଖିପାରିବେ ।”
କାମ ଏତେ ସହଜ ନୁହେଁ ।
ଗଡ଼ଚିରୋଲି ଏବଂ ତତ୍ସଂଲଗ୍ନ ଛତିଶଗଡ଼ର ବସ୍ତର ଅଞ୍ଚଳରେ ଥିବା ଶହ ଶହ ଗାଁରେ ବିଦ୍ୟୁତ୍ ଶକ୍ତି ନାହିଁ । ସତେ ଯେମିତିଏ ଅଞ୍ଚଳର ସଂପର୍କ ସେହି ଭାରତ ସହ ନାହିଁ, ଯାହାର ସୁରକ୍ଷା ସଂସ୍ଥା ଉପଗ୍ରହ ଚିତ୍ର ବ୍ୟବହାର କରେ ଏବଂ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବା ଲାଗି ଆକାଶକୁ ମାନବ ବିହୀନଯାନ ପଠାଏ ।
ଗାଁଗୁଡ଼ିକୁ ଆଲୋକିତ କରିବା ଲକ୍ଷ୍ୟ ନେଇ ଜିଲ୍ଲା ପ୍ରଶାସନ ଓ MSEDCL ଏବେ ହାତ ମିଳାଇଛନ୍ତି । ହେଲେ ଏ କ୍ଷେତ୍ରରେ ଅନେକ ଅସୁବିଧା ରହିଛି ।
ଏକ: ଅଧିକାଂଶ ଗାଁ ବିକ୍ଷିପ୍ତ ଭାବେ ଏବଂ ବିଭିନ୍ନ ସୁରକ୍ଷିତ ଜଙ୍ଗଲର ବହୁ ଭିତରେ ରହିଛି । ସେଗୁଡ଼ିକର ଲୋକସଂଖ୍ୟା ବହୁତ କମ୍ ଏବଂ ସେମାନେ ଏତେ ଗରିବ ଯେ ହୁଏତ ବିଦ୍ୟୁତ୍ ଶକ୍ତି ବ୍ୟବହାର ବାବଦ ପଇସା ଦେବାକୁ ସମର୍ଥ ହେବେ ନାହିଁ । ବିଦ୍ୟୁତ୍ ଦର ବଢୁଥିବା ସମୟରେ ସେମାନଙ୍କୁ ଶସ୍ତାରେ ବିଦ୍ୟୁତ୍ ଯୋଗାଇ ଦେବାକୁ ପଡ଼ିବ ।
ଦୁଇ: ଜଙ୍ଗଲ ଏବଂ ଦୁର୍ଗମ ଅଞ୍ଚଳ ଦେଇ ବିଦ୍ୟୁତ ତାର ବିଛାଇବା ପାଇଁ କେବଳ ଯେ ବହୁ ପରିମାଣର ପୁଞ୍ଜି ବିନିଯୋଗ କରିବା ଆବଶ୍ୟକ, ତାହା ନୁହେଁ, ଏହା ସହିତ ଭିତ୍ତିଭୂମି ଗଠନ ପାଇଁ ବିଭିନ୍ନ ସଂସ୍ଥାରୁ ଅନୁମତି ଏବଂ ଜଙ୍ଗଲ ବିଭାଗର ସମ୍ମତି ଦରକାର, ଯାହାକି ସବୁବେଳେ ସହଜରେ ମିଳେ ନାହିଁ ।
ତିନି: ବିଦ୍ୟୁତ ନଥିବା ଅଧିକାଂଶ ଗାଁ ବାସ୍ତବରେ ମାଓବାଦୀଙ୍କ ଦୁର୍ଭେଦ୍ୟ ଗଡ଼ରେ ଅବସ୍ଥିତ । ଯେଉଁଠାରେ ଗତ କିଛି ବର୍ଷ ହେଲା ସୁରକ୍ଷା ସଂସ୍ଥା ଓ ମାଓ ବିଦ୍ରୋହୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଲାଗିରହିଛି ।
ଚାରି: ଗଡ଼ଚିରୋଲିରେ MSEDCLର କର୍ମଚାରୀ ସଂଖ୍ୟା ଖୁବ୍ କମ୍ (ଗତ ବହୁ ବର୍ଷ ଧରି ସଂସ୍ଥାରେ କୌଣସି ନିଯୁକ୍ତି ଦିଆଯାଇ ନାହିଁ ଏବଂ ବର୍ତ୍ତମାନ କାର୍ଯ୍ୟରତ କର୍ମଚାରୀମାନେ ଏହି ଅନୁନ୍ନତ ଜିଲ୍ଲାରେ କାମ କରିବା ପାଇଁ ଅନାଗ୍ରହୀ) ହୋଇଥିବାରୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଜାରି ରଖିବା କଥା ବୟସ୍କ କର୍ମଚାରୀମାନଙ୍କର ଶାରୀରିକ ଦକ୍ଷତା ନିରୂପଣ କରିବା ଭଳି ।
ବାଧାବିଘ୍ନ ସତ୍ତ୍ଵେ, ଏହି କାର୍ଯ୍ୟ ନିଶ୍ଚିତ ଭାବେ ସାରିବାକୁ ପଡ଼ିବ ବୋଲି ପ୍ରଶାସନ କହେ।
ଜିଲ୍ଲାପାଳ ଅଭିଷେକ କ୍ରିଷ୍ଣା କହନ୍ତି, “ଏହା ଲଜ୍ଜାଜନକ କଥା ଯେ ଆମେ ଆମ ନିଜ ଲୋକଙ୍କୁ ବିଦ୍ୟୁତ ଯୋଗାଇବାରେ ସକ୍ଷମ ହୋଇନାହୁଁ । ସେମାନେ କେବେ ବି ଅଭିଯୋଗ କରିନାହାନ୍ତି, କାରଣ ଆମେ କେବେହେଲେ ସେମାନଙ୍କ ପାଖରେ ପହଞ୍ଚି ନାହୁଁ ।”
୨୦୧୨ ମଧ୍ୟ ଭାଗରେ, ଜିଲ୍ଲା ପ୍ରଶାସନ ଏବଂ MSEDCL ମିଳିତ ଭାବେ ଏକ ସର୍ଭେ କରିଥିଲେ ଏବଂ ଜଣାପଡ଼ିଥିଲା ଯେ ବିଦ୍ୟୁତ ନଥିବା ଗାଁଗୁଡ଼ିକ ଦୁଇଟି ବର୍ଗଭୁକ୍ତ: ଯେଉଁ ଗାଁଗୁଡ଼ିକର ଆଦୌ ବିଦ୍ୟୁତୀକରଣ ହୋଇନାହିଁ ଏବଂ ଆଉ କେତେକ ଗାଁ ଯେଉଁଗୁଡ଼ିକର ବିଦ୍ୟୁତୀକରଣ ପ୍ରାୟ ଦୁଇ ଦଶନ୍ଧି ତଳେ ହୋଇଥିଲା କିନ୍ତୁ ଲୋକେ ଦେୟ ଦେଇ ନପାରିବା କାରଣରୁ ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଇଛି ।
କ୍ରିଷ୍ଣା କହିଲେ, “ଆମେ ଜାଣିପାରିଲୁ ଯେ ଗଡ଼ଚିରୋଲି ଜିଲ୍ଲାର ୧,୬୦୦ ଗାଁ ଭିତରୁ ୩୦୦ରେ ବିଦ୍ୟୁତ୍ ନାହିଁ ।” ଏଗୁଡ଼ିକରୁ ଅନେକ ଗାଁକୁ ସବୁଦିନିଆ ରାସ୍ତା ବି ନାହିଁ ।
ଏହି ଗାଁଗୁଡ଼ିକର ବିଦ୍ୟୁତୀକରଣ ପାଇଁ ୧୧ କୋଟି ଟଙ୍କା ଖର୍ଚ୍ଚ ହେବ । ଏ ବର୍ଷର ପ୍ରଥମ ସାତ ମାସରେ ପ୍ରାୟ ୧୦୦ଟି ଗାଁକୁ ବିଦ୍ୟୁତ୍ ଯୋଗାଇ ଦିଆଯାଇଛି ଏବଂ ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁହାଇଲେ, ଏବେ ନିଜ ନିଜ ଘରକୁ ବିଦ୍ୟୁତ୍ ସଂଯୋଗ ନେବା ଗାଁ ଲୋକଙ୍କ ପରିବାର ଉପରେ ନିର୍ଭର କରେ ।




