ଦକ୍ଷିଣ ମୁମ୍ବାଇର ଭୁଲେଶ୍ୱରରେ ଥିବା ସଙ୍କୀର୍ଣ୍ଣ ଗଳିର ଗୋଲକଧନ୍ଦା ଭିତରେ ସବୁଦିନ ଭୋର ୫ଟାରୁ ଉଠି ମଞ୍ଜୁର ଶେଖ କାମରେ ଲାଗି ପଡ଼ନ୍ତି । ଦୁର୍ବଳ, ଏବଂ ଅଧିକାଂଶ ସମୟରେ ଛାପା ଲୁଙ୍ଗି ପିନ୍ଧି, ସେ ନିଜର ୫୫୦ ଲିଟର କ୍ଷମତା ବିଶିଷ୍ଟ ଧାତବ ଗାଡ଼ି ଧରି ପାଣି ଭରିବା ଲାଗି କାୱାସଜୀ ପଟେଲ ଟ୍ୟାଙ୍କ ଆଡ଼କୁ ଠେଲି ଠେଲି ନେଇ ଯାଆନ୍ତି। ସେ ରହୁଥିବା ସ୍ଥାନଠାରୁ ଏହି କ୍ଷେତ୍ର ଗୋଟିଏ କିଲୋମିଟର ଦୂର ଏକ ଖୋଲା ଜାଗାରେ ଅବସ୍ଥିତ, ଯାହାକି ମିର୍ଜା ଗାଲିବ ବଜାର ନିକଟ, ଦୁଧ ବଜାରରେ ଥିବା ଏକ ସର୍ବସାଧାରଣ ଶୌଚାଳୟର ଗୋଟିଏ କୋଣରେ ରହିଛି। ସେ ନିଜ ଗାଡ଼ି ସହିତ ଦୁଧ ବଜାର ଫେରନ୍ତି, ତାହାକୁ ରଖିବା ପାଇଁ ଗୋଟିଏ ସ୍ଥାନ ଚୟନ କରିଥାନ୍ତି, ଏବଂ ଏହାପରେ ଆଖପାଖ ଦୋକାନ ଓ ଘରେ ଥିବା ନିଜ ଗ୍ରାହକମାନଙ୍କୁ ପାଣି ଯୋଗାଇବା ଆରମ୍ଭ କରନ୍ତି।
୫୦ ବର୍ଷୀୟ ମଞ୍ଜୁର ସେହି ଶେଷ ଭିସ୍ତିମାନଙ୍କ ମଧ୍ୟରୁ ଜଣେ, ଯିଏକି ଏହି କାମ କରି ନିଜର ଜୀବିକା ନିର୍ବାହ କରୁଛନ୍ତି। ସେ ପ୍ରାୟ ଚାରି ଦଶନ୍ଧି ଧରି ମୁମ୍ବାଇର ଏହି ଐତିହାସିକ ଅନ୍ତରୀଣ ସହରାଞ୍ଚଳରେ ପିଇବା, ସଫା କରିବା ଏବଂ ଧୋଇବା ଲାଗି ପାଣି ଯୋଗାଇ ଦେଇ ଆସୁଛନ୍ତି। କୋଭିଡ-୧୯ ମହାମାରୀ ଭିସ୍ତିମାନଙ୍କ ପେସାକୁ ବାଧାପ୍ରାପ୍ତ କରିବା ପୂର୍ବରୁ ଭୁଲେଶ୍ୱରର ସେହି ହାତଗଣତି ମଶକବାଲାଙ୍କ ମଧ୍ୟରେ ମଞ୍ଜୁର ଅନ୍ୟତମ ଥିଲେ, ଯିଏକି ପାଖାପାଖି ୩୦ ଲିଟର ପାଣି ନେବା ପାଇଁ ଡିଜାଇନ କରାଯାଇଥିବା ଚମଡ଼ା ଥଳି, ମଶକ ସାହାଯ୍ୟରେ ଜଳ ଯୋଗାଣ କରିଆସୁଥିଲେ।
କିନ୍ତୁ ଗୋଟିଏ ମଶକ ଜରିଆରେ ଜଳ ଯୋଗାଣ କରିବାର ପରମ୍ପରା ‘‘ଏବେ ମରିଯାଇଛି’’, ମଞ୍ଜୁର କୁହନ୍ତି, ସେ ୨୦୨୧ ଠାରୁ ପ୍ଲାଷ୍ଟିକ୍ ବାଲଟି ବ୍ୟବହାର କରିବା ଆରମ୍ଭ କରିଛନ୍ତି। ସେ କୁହନ୍ତି, ‘‘ପୁରୁଣା ଭିସ୍ତିମାନଙ୍କୁ ସେମାନଙ୍କ ଗାଁକୁ ଫେରିଯିବାକୁ ହେବ ଏବଂ ନୂଆ ଭିସ୍ତିମାନଙ୍କୁ ନୂଆ ଚାକିରି ଖୋଜିବାକୁ ପଡ଼ିବ।’’ ଉତ୍ତର ଭାରତରେ ଭିସ୍ତି ନାମରେ ଏକ ମୁସଲିମ ସମ୍ପ୍ରଦାୟ ରହିଛି, ଏମାନେ ପାରମ୍ପରିକ ଭିସ୍ତି କାମ କରି ଆସୁଛନ୍ତି । ହେଲେ ଏମାନଙ୍କ ସଂଖ୍ୟା ଏବେ କମି ଆସିଲାଣି। ‘ଭିସ୍ତି’ ଏକ ପାରସ୍ୟ ଶବ୍ଦ ଯାହାର ଅର୍ଥ ହେଉଛି ‘ଜଳ ବାହକ’ । ଏହି ସମୁଦାୟକୁ ଲୋକମାନେ ‘ସକ୍କା’ ନାମରେ ମଧ୍ୟ ସମ୍ବୋଧିତ କରିଥାନ୍ତି, ଏହା ଏକ ଆରବିକ ଶବ୍ଦ ଯାହାର ଅର୍ଥ ହେଉଛି ‘ଜଳ ବାହକ’ ବା ‘ପାତ୍ର ଧରାଳି’। ରାଜସ୍ଥାନ, ଉତ୍ତର ପ୍ରଦେଶ, ହରିୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ ଓ ଗୁଜରାଟରେ ଏହି ସମୁଦାୟକୁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଭାବେ ବର୍ଗୀକରଣ କରାଯାଇଛି (ଏଠାରେ ଏହି ସମୁଦାୟକୁ ପାଖାଲି କୁହାଯାଏ) ।
‘‘ଜଳ ଯୋଗାଣ ବେଉସା ଉପରେ ଭିସ୍ତିମାନଙ୍କର ଆଧିପତ୍ୟ ରହିଥିଲା। ମୁମ୍ବାଇର ବିଭିନ୍ନ ସ୍ଥାନରେ ସେମାନଙ୍କର ଏହି ଧାତବ ଜଳ ଯୋଗାଣ ଗାଡ଼ି ରହିଥିଲା,’’ ମଞ୍ଜୁର କୁହନ୍ତି। ‘‘ପାଣି ଯୋଗାଇ ଦେବା ଲାଗି ପ୍ରତ୍ୟେକ ଠେଲା ଗାଡ଼ି ପାଖରେ ୮ରୁ୧୨ ଜଣ ବ୍ୟକ୍ତି ନିୟୋଜିତ ଥିଲେ।’’ ସେ ଆହୁରି କହିଥିଲେ, ପୁରୁଣା ମୁମ୍ବାଇରେ ଏକ ସମୃଦ୍ଧ ବ୍ୟବସାୟ ଭାବେ ପରିଚିତ ଭିସ୍ତି କାମ କମିବା ପରେ ସେମାନେ ଅନ୍ୟତ୍ର ସୁଯୋଗ ଖୋଜିବା ଆରମ୍ଭ କଲେ। ଭୁଲେଶ୍ୱରରେ ଗ୍ରାମୀଣ ଉତ୍ତର ପ୍ରଦେଶ ଏବଂ ବିହାରରୁ ପ୍ରବାସ କରି ଆସିଥିବା ଲୋକମାନେ ଧୀରେ ଧୀରେ ସେମାନଙ୍କର ସ୍ଥାନ ନେଲେ।
ବିହାରର କଟିହାର ଜିଲ୍ଲା ଅନ୍ତର୍ଗତ ନିଜ ଗ୍ରାମ ଗଚ୍ଛରସୁଲପୁରରୁ ୧୯୮୦ ଦଶକରେ ମଞ୍ଜୁର ମୁମ୍ବାଇରେ ଆସି ପହଞ୍ଚିଥିଲେ। ଏ ଲାଇନରେ କାମ କରିବା ପୂର୍ବରୁ ସେ କିଛିଦିନ ପର୍ଯ୍ୟନ୍ତ ବଡ଼ାପାଓ ବିକ୍ରି କରିଥିଲେ। ଜନ୍ମରୁ ଭିସ୍ତି ହୋଇନଥିଲେ ମଧ୍ୟ, ସେ ଭୁଲେଶ୍ୱରର ଡୋଙ୍ଗରୀ ଏବଂ ଭିଣ୍ଡି ବଜାର ଅଞ୍ଚଳରେ ପାଣି ଯୋଗାଣ କାମ ଆରମ୍ଭ କରିଥିଲେ ।
ମଞ୍ଜୁର କୁହନ୍ତି, ‘‘ରାଜସ୍ଥାନର ଜଣେ ଭିସ୍ତି ମୁମତାଜ ମୋତେ କାମରେ ରଖିଥିଲେ ଏବଂ ତାଲିମ ଦେଇଥିଲେ । ତାଙ୍କ ପାଖରେ ସେତେବେଳେ ଚାରିଟି ପାଣି ଗାଡ଼ି ଥିଲା। ପ୍ରତି ଗାଡ଼ି ଭିନ୍ନ ଭିନ୍ନ ମୋହଲ୍ଲା (ପଡ଼ୋଶୀ ଅଞ୍ଚଳ)ରେ ରଖାଯାଉଥିଲା, ଯେଉଁଠି ୭-୮ ଜଣ ଲୋକ ମଶକରେ ପାଣି ଯୋଗାଇ ଦେଉଥିଲେ।’’
ପାଞ୍ଚ ବର୍ଷ ପର୍ଯ୍ୟନ୍ତ ମୁମତାଜ ସହ କାମ କରିବା ପରେ, ମଞ୍ଜୁର ନିଜର ବେଉସା ଆରମ୍ଭ କଲେ ଏବଂ ପାଣି ଯୋଗାଇବାକୁ ଏକ ଠେଲାଗାଡ଼ି ଭଡ଼ାରେ ଆଣିଥିଲେ। ‘‘ଏପରିକି ୨୦ ବର୍ଷ ପୂର୍ବରୁ, ଆମ ପାଖରେ ଯଥେଷ୍ଟ କାମ ଥିଲା । କିନ୍ତୁ ଏବେ ଆମ ପାଖରେ ମାତ୍ର ୨୫ ପ୍ରତିଶତ କାମ ବାକି ରହିଯାଇଛି। ପ୍ଲାଷ୍ଟିକ ବୋତଲରେ ପାଣି ବିକ୍ରି ହେବା ପରଠାରୁ ଆମ କାମ ବିଶେଷ ଭାବେ ବାଧାପ୍ରାପ୍ତ ହୋଇଛି,’’ ମଞ୍ଜୁର କୁହନ୍ତି । ୧୯୯୧ରେ ଭାରତୀୟ ଅର୍ଥବ୍ୟବସ୍ଥାର ଉଦାରୀକରଣ ପରେ ପାଣି ବୋତଲ ଉଦ୍ୟୋଗ ଦ୍ରୁତ ଗତିରେ ବିକଶିତ ହୋଇଥିଲା, ଏହା ଭୁଲେଶ୍ୱରରେ କାମ କରୁଥିବା ଭିସ୍ତିମାନଙ୍କର ଗୁରୁତର କ୍ଷତି କରିଥିଲା। ୧୯୯୯ରୁ ୨୦୦୪ ମଧ୍ୟରେ ଭାରତରେ ମୋଟ ପାଣି ବୋତଲ କାରବାର ତିନି ଗୁଣା ବୃଦ୍ଧି ପାଇଥିଲା । ୨୦୦୨ରେ ଏହି ଉଦ୍ୟୋଗର ଆନୁମାନିକ କାରବାର ୧,୦୦୦ କୋଟି ଟଙ୍କା ଥିଲା ।
ଉଦାରୀକରଣ ଅନେକ କିଛି ବଦଳାଇ ଦେଲା – ଛୋଟ ଦୋକାନ ସ୍ଥାନରେ ମଲ୍ ଗଢ଼ି ଉଠିଲା, ଚଲ୍ ସ୍ଥାନରେ ଉଚ୍ଚ ଅଟ୍ଟାଳିକା ଏବଂ ମୋଟର ଚାଳିତ ପାଇପ ଜରିଆରେ ଟ୍ୟାଙ୍କରଗୁଡ଼ିକ ଜଳ ଯୋଗାଣ ଆରମ୍ଭ କଲେ। ଆବାସିକ ଘରୁ ପାଣି ଚାହିଦା ଧୀରେ ଧୀରେ ହ୍ରାସ ପାଇଲା ଏବଂ କେବଳ ଦୋକାନ ଓ ୱାର୍କସପ୍ ଭଳି ଛୋଟ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକ ମଶକୱାଲାଙ୍କ ଉପରେ ନିର୍ଭର କଲେ।‘‘ଅଟ୍ଟାଳିକାରେ ରହୁଥିବା ଲୋକମାନେ ଟ୍ୟାଙ୍କରରୁ ପାଣି ନେବା ଆରମ୍ଭ କଲେ। ଲୋକମାନଙ୍କ ଘରେ ମଧ୍ୟ ପାଣି ପାଇପଲାଇନ ଲାଗିଲା। ଆଉ ଏବେ, ବାହାଘର କାମରେ ଲୋକମାନେ ପାଣି ବୋତଲ ଦେବା ଆରମ୍ଭ କରିଛନ୍ତି, କିନ୍ତୁ ଆମେ ବହୁ ପୂର୍ବରୁ ପାଣି ଯୋଗାଇ ଦେଇ ଆସୁଛୁ,’’ ମଞ୍ଜୁର କୁହନ୍ତି ।
ମହାମାରୀ ପୂର୍ବରୁ ମଞ୍ଜୁର ଗୋଟିଏ ମଶକ ବ୍ୟାଗ (ପ୍ରାୟ ୩୦ ଲିଟର)ରୁ ୧୫ ଟଙ୍କା ରୋଜଗାର କରୁଥିଲେ । ଏବେ, ସେ ୧୫ ଲିଟର ବିଶିଷ୍ଟ ଗୋଟିଏ ବାଲଟି ପାଣି ଦେଇ ୧୦ ଟଙ୍କା ପାଉଛନ୍ତି। ଜଳଯୋଗାଣ ଠେଲା ଗାଡ଼ି ପାଇଁ ତାଙ୍କୁ ମାସିକ ୧୭୦ ଟଙ୍କା ଭଡ଼ା ଦେବାକୁ ପଡ଼ୁଛି ଏବଂ ଏହାକୁ ଭରିବା ଲାଗି ପାଣିର ଉତ୍ସକୁ ଆଧାର କରି ତାଙ୍କୁ ଦୈନିକ ୫୦ରୁ ୮୦ ଟଙ୍କା ମଧ୍ୟରେ ଖର୍ଚ୍ଚ କରିବାକୁ ପଡ଼ୁଛି। ସ୍ଥାନୀୟ ଅଞ୍ଚଳରେ ଯେଉଁ ବିଦ୍ୟାଳୟ ଓ ମନ୍ଦିରରେ କୂଅ ରହିଛି, ସେମାନେ ଭିସ୍ତିମାନଙ୍କୁ ପାଣି ବିକ୍ରି କରିଥାନ୍ତି । ‘‘ପୂର୍ବରୁ ଆମେ ଗୋଟିଏ ମାସରେ ୧୦,୦୦୦ରୁ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରୁଥିଲୁ, କିନ୍ତୁ ଏବେ ଅତି କଷ୍ଟରେ ୪,୦୦୦-୫,୦୦୦ ଟଙ୍କା ବଳୁଛି,’’ ତାଙ୍କ ବ୍ୟବସାୟ ଭଲ ଚାଲିବା ସମୟ ସହ ବର୍ତ୍ତମାନର ସମୟକୁ ତୁଳନା କରି ମଞ୍ଜୁର କୁହନ୍ତି।
ମଞ୍ଜୁରଙ୍କ ବ୍ୟବସାୟିକ ସହଯୋଗୀ, ୫୦ ବର୍ଷ ବୟସ୍କ ଆଲାମ (ସେ କେବଳ ନିଜ ପ୍ରଥମ ନାମ ବ୍ୟବହାର କରିଥାନ୍ତି), ମଧ୍ୟ ବିହାରରେ ଥିବା ତାଙ୍କ ନିଜ ଗାଁର ବାସିନ୍ଦା। ଆଲମ ଓ ମଞ୍ଜୁର ପାଳି କରି ମୁମ୍ବାଇରେ ୩-୬ ମାସ କାମ କରିଥାନ୍ତି ଏବଂ ବାକି ସମୟ ନିଜ ପରିବାର ସହିତ ଗାଁରେ ବିତାଇ ଦେଇଥାନ୍ତି। ଗାଁରେ, ସେମାନେ ନିଜ ଜମିରେ ଚାଷ କରିଥାନ୍ତି କିମ୍ବା କୃଷି ଶ୍ରମିକ ଭାବେ କାମ କରିଥାନ୍ତି।
ମାର୍ଚ୍ଚ ୨୦୨୦ରେ ଆରମ୍ଭ ହୋଇଥିବା ଦେଶବ୍ୟାପୀ ଲକଡାଉନ୍ ଜୁନ୍ ୨୦୨୦ ପର୍ଯ୍ୟନ୍ତ ବଢ଼ିଥିଲା। ଏହି ସମୟରେ ଭୁଲେଶ୍ୱରରେ ମଶକୱାଲା ଙ୍କ ପାଖରେ ମାତ୍ର ଅଳ୍ପ କେତେଜଣ ଗ୍ରାହକ ରହିଯାଇଥିଲେ। ଏମାନେ ଥିଲେ ସେହି ଅଞ୍ଚଳର କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନର ସହାୟକ କର୍ମଚାରୀ, ଯେଉଁମାନେ ଦିନରେ କାମ କରୁଥିଲେ ଏବଂ ରାତିରେ ଫୁଟପାଥରେ ଶୋଇ ଯାଉଥିଲେ। କିନ୍ତୁ ଅନେକ ଦୋକାନ ବନ୍ଦ ହୋଇଯାଇଥିଲା ଏବଂ ସେମାନଙ୍କ କର୍ମଚାରୀମାନେ ଘରକୁ ଫେରିଥିଲେ। ତେଣୁ ମଞ୍ଜୁର ଘରେ ଥିବା ତାଙ୍କ ପାଞ୍ଚ ପିଲାଙ୍କ ପେଟ ପୋଷିବା ପାଇଁ ଯଥେଷ୍ଟ ଟଙ୍କା ରୋଜଗାର କରି ପଠାଇ ପାରିନଥିଲେ। ସେ ୨୦୨୧ ମସିହା ଆରମ୍ଭରେ ସହରର ହାଜି ଅଲୀ ଅଞ୍ଚଳରେ ଏକ ଭବନ ପୁନଃନିର୍ମାଣ ସ୍ଥଳୀରେ ରାଜମିସ୍ତ୍ରୀଙ୍କ ସହଯୋଗୀ ଭାବେ କାମ କରିଥିଲେ, ଏଥିରୁ ଦୈନିକ ତାଙ୍କୁ ୬୦୦ ଟଙ୍କା ମିଳୁଥିଲା ।
ମାର୍ଚ୍ଚ ୨୦୨୧ରେ, ମଞ୍ଜୁର ତାଙ୍କ ଗାଁ ଗଚ୍ଛରସୁଲପୁର ଚାଲି ଯାଇଥିଲେ ଏବଂ ସେଠାରେ କୃଷି ଶ୍ରମିକ ଭାବେ କାମ କରି ଦୈନିକ ୨୦୦ ଟଙ୍କା ରୋଜଗାର କରୁଥିଲେ । ସେ ରୋଜଗାର କରିଥିବା ଅର୍ଥରେ, ନିଜ ଘର ମରାମତି କରିଥିଲେ । ଚାରି ମାସ ପରେ, ସେ ମୁମ୍ବାଇ ଫେରି ଆସିଥିଲେ ଏବଂ ଏଥର ନଲ ବାଜାର ଅଞ୍ଚଳରେ ମଶକୱାଲା ଭାବେ କାମ କରିଥିଲେ। କିନ୍ତୁ ତାଙ୍କ ଚମଡ଼ା ବ୍ୟାଗର ମରାମତି ଜରୁରି ଥିଲା – ପ୍ରତି ଦୁଇ ମାସରେ ଥରେ ମଶକ ମରାମତି କରିବା ଜରୁରି ହୋଇଥାଏ। ତେଣୁ ଏହାର ମରାମତି ପାଇଁ ମଞ୍ଜୁର ୟୁନୁସ ଶେଖଙ୍କୁ ଖୋଜିଲେ।
ବୟସର ୬୦ ବର୍ଷ ଅତିକ୍ରମ କରିସାରିଥିବା ୟୁନୁସ, ଭିଣ୍ଡି ବଜାରରେ ମଶକ ସିଲେଇ ଓ ମରାମତି କରିଥାନ୍ତି । ୨୦୨୦ ମାର୍ଚ୍ଚରେ ଲକଡାଉନ ଲାଗୁ ହେବା ପରେ ସେ ଉତ୍ତର ପ୍ରଦେଶର ବହରାଇଚ ଜିଲ୍ଲାରେ ଥିବା ନିଜ ଘରକୁ ଫେରି ଯାଇଥିଲେ। ଯଦିଓ ସେହି ବର୍ଷ ଡିସେମ୍ବର ମାସରେ ସେ ମୁମ୍ବାଇ ଫେରି ଆସିଥିଲେ, ତଥାପି ତାଙ୍କ ପାଖରେ କିଛି କାମ ନଥିଲା। କୋଭିଡ -୧୯ ଲକଡାଉନ ପରେ, ସେହି ଅଞ୍ଚଳରେ ମାତ୍ର ୧୦ ଜଣ ପାଖାପାଖି ମଶକୱାଲା କାମ କରୁଥିଲେ, ସେମାନେ ତାଙ୍କର କାମ ପାଇଁ ଖୁବ୍ କମ୍ ଟଙ୍କା ଦେବା ଆରମ୍ଭ କରିଥିଲେ। ଅଧିକ କିଛି ଆଶା ନପାଇବାରୁ, ୟୁନୁସ ୨୦୨୧ ପ୍ରାରମ୍ଭରେ ବହରାଇଚ ଫେରିଗଲେ। ସେ କହିଥିଲେ ଯେ, ମଶକ ମରାମତି କରିବା ପାଇଁ ତାଙ୍କ ହାତରେ ଆଉ ବଳ ନାହିଁ ।
୩୫ ବର୍ଷ ବୟସ୍କ ବାବୁ ନାୟାରଙ୍କ ପାଇଁ ତାଙ୍କର ମଶକ ସବୁଦିନ ପାଇଁ ଶେଷ ହୋଇଯାଇଥିଲା । ‘‘ମରାମତି ହୋଇନପାରିବାରୁ, ମୁଁ ତା’କୁ ଫିଙ୍ଗିଦେଲି,’’ ସେ କୁହନ୍ତି । ସେ ଏବେ ଭିଣ୍ଡି ବାଜାରରେ ଥିବା ନବାବ ଆୟାଜ ମସଜିଦ୍ ଚାରି ପାଖରେ ଥିବା ଦୋକାନକୁ ପାଣି ଯୋଗାଇ ଦେବା ପାଇଁ ପ୍ଲାଷ୍ଟିକ ଡବା ବ୍ୟବହାର କରୁଛନ୍ତି। ‘‘ଛଅ ମାସ ପୂର୍ବରୁ, ୫-୬ ଜଣ ଲୋକ ମଶକ ବ୍ୟବହାର କରୁଥିଲେ। ସେମାନେ ଏବେ ବାଲ୍ଟି କିମ୍ବା ହଣ୍ଡା (ଆଲୁମିନିୟମ ହାଣ୍ଡି) ବ୍ୟବହାର କରୁଛନ୍ତି,’’ ୟୁନୁସ ଚାଲିଯିବା ପରେ ବାବୁ କହିଥିଲେ।
ତାଙ୍କ ଚମଡ଼ା ବ୍ୟାଗ୍ ମରାମତି କରିବା ଲାଗି କାହାକୁ ନପାଇ ମଞ୍ଜୁର ଶେଷରେ ବାଧ୍ୟ ହୋଇ ପ୍ଲାଷ୍ଟିକ ବାଲ୍ଟି ବ୍ୟବହାର କରିବା ଆରମ୍ଭ କରିଥିଲେ। ମଞ୍ଜୁର କହିଥିଲେ, ‘‘ୟୁନୁସଙ୍କ ପରେ ମଶକ ମରାମତି କରିବା ଲାଗି କେହି ନଥିଲେ।’’ ଏବେ ପାଣି ବାଲ୍ଟି ଉଠାଇ ଶିଢ଼ି ଚଢ଼ିବା ଲାଗି ତାଙ୍କୁ କଷ୍ଟ ହେଉଛି। ମଶକରେ ସୁବିଧା ହେଉଥିଲା। ଯାହାକୁ କାନ୍ଧରେ ଗଳାଇ ହେଉଥିଲା ଏବଂ ଅଧିକ ମାତ୍ରାରେ ପାଣି ବୋହି ହେଉଥିଲା। ବାବୁ ଅନୁମାନ କରି କୁହନ୍ତି, ‘‘ଏହା ବୋଧହୁଏ ଶେଷ ଭିସ୍ତି କାମ। ଏଥିରେ ଆଉ ଟଙ୍କା ନାହିଁ । ମୋଟର ପାଇପ ଆମ କାମର ସ୍ଥାନ ନେଇସାରିଛି।’’
ଅନୁବାଦ: ଓଡ଼ିଶାଲାଇଭ୍