ଲକ୍ଷିମା ଦେବୀ ଏହି ଘଟଣାର ସଠିକ୍ ତାରିଖ ମନେ ପକାଇ ପାରୁନାହାନ୍ତି, ହେଲେ, ସେହି ଶୀତ ରାତିର ଅନୁଭୂତି ତାଙ୍କ ମନରେ ଏବେ ମଧ୍ୟ ସତେଜ ଅଛି । “ଗହମ ଫସଲ ଆଣ୍ଠୁଏ ଉଚ୍ଚ ହୋଇଯାଇଥିଲା, ଯେତେବେଳେ ତାଙ୍କର ପାଣି ଫାଟିଗଲା ଓ ତାଙ୍କର ପ୍ରସବ ବେଦନା ଆରମ୍ଭ ହୋଇଥିଲା । ଏହା ନିଶ୍ଚିତ ଭାବେ ଡିସେମ୍ବର କିମ୍ବା ଜାନୁୟାରୀ ହୋଇଥିବ (୨୦୧୮-୧୯),” ବୋଲି ସେ କୁହନ୍ତି ।
ବରଗାଓଁ ବ୍ଲକ୍ରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ତାଙ୍କ ପରିବାର ଏକ ଅଟୋ ଭଡ଼ାରେ ନେଲେ । ଉତ୍ତର ପ୍ରଦେଶର ବାରଣାସୀ ଜିଲ୍ଲାରେ ସେମାନଙ୍କ ଗ୍ରାମ ଅଶ୍ୱରୀଠାରୁ ପିଏଚ୍ସି ଛଅ କିଲୋମିଟର୍ ଦୂରରେ ଅବସ୍ଥିତ । “ପିଏଚସିରେ ପହଞ୍ଚିବାବେଳକୁ ମୋତେ ଅସହ୍ୟ ଯନ୍ତ୍ରଣା ହେଉଥିଲା,” ବୋଲି ଅତୀତ କଥା ମନେପକାଇ ୩୦ବର୍ଷ ବୟସ୍କ ଲକ୍ଷିମା କୁହନ୍ତି । ୫ ରୁ ୧୧ ବର୍ଷ ବୟସ ମଧ୍ୟରେ ଥିବା ତାଙ୍କର ତିନି ସନ୍ତାନ, ରେଣୁ, ରାଜୁ ଆଉ ରେଶମ ଘରେ ଥିଲେ । “ଡାକ୍ତରଖାନାର କର୍ମଚାରୀମାନେ ମୋତେ ଭର୍ତ୍ତି କରିବାକୁ ମନା କରିଦେଲେ। ସେ କହିଲେ ଯେ ମୁଁ ଗର୍ଭବତୀ ନଥିଲି ଆଉ ଏକ ରୋଗ କାରଣରୁ ମୋର ପେଟ ଫୁଲି ଯାଇଛି।”
ଲକ୍ଷିମାଙ୍କ ଶାଶୁ, ହୀରାମଣି, ତାଙ୍କୁ ଭର୍ତ୍ତି କରାଇବା ପାଇଁ କର୍ମଚାରୀମାନଙ୍କୁ ନେହୁରା ହେଲେ, କିନ୍ତୁ ପିଏଚ୍ସିର କର୍ମଚାରୀମାନେ ମନା କରିଦେଲେ। ଶେଷରେ, ହୀରାମଣି ସେମାନଙ୍କୁ କହିଲେ ଯେ ସେ ସେଇଠାରେ ହିଁ ଲକ୍ଷିମାଙ୍କୁ ଶିଶୁ ଜନ୍ମ କରିବାରେ ସାହାଯ୍ୟ କରିବେ। “ମୋର ସ୍ୱାମୀ ମୋତେ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ଏକ ଅଟୋ ଖୋଜୁଥିଲେ,” ବୋଲି ଲକ୍ଷିମା କୁହନ୍ତି। “ହେଲେ, ସେତେବେଳକୁ ଆଉ କୁଆଡ଼େ ଘୁଞ୍ଚିବାକୁ ମୋର ବଳ ନଥିଲା। ମୁଁ ପିଏଚ୍ସି ବାହାରେ ଗୋଟିଏ ଗଛ ତେଳେ ବସି ରହିଲି।”
ଷାଠିଏ ବର୍ଷ ବୟସ୍କ ହୀରାମଣି ତାଙ୍କ ହାତ ଧରି ତାଙ୍କ ପାଖରେ ବସିଥିଲେ ଆଉ ତାଙ୍କୁ ଦୀର୍ଘ ଶ୍ୱାସ ନେବାକୁ କହୁଥିଲେ । ପ୍ରାୟ ଏକ ଘଣ୍ଟା ପରେ, ମଧ୍ୟ ରାତ୍ରି ପାଖାପାଖି ସେ ପ୍ରସବ କଲେ । ତାହା ଏକ ଘନ ଅନ୍ଧକାର ଓ ଜାଡ଼ ରାତ୍ରି ଥିଲା ବୋଲି ଲକ୍ଷିମା ମନେପକାନ୍ତି ।








