“ଗୋଟିଏକୁର୍ତ୍ତା (ଏକ ନାମକରା ବ୍ରାଣ୍ଡ୍ ଦ୍ୱାରା ବିକ୍ରି ହେଉଥିବା) ଉପରେ ଥିବା ଟ୍ୟାଗ୍ର ଏହି ଫଟୋକୁ ଦେଖନ୍ତୁ, ଯେଉଁଥିରେ ‘ଟୋଡ଼ା ଏମ୍ବ୍ରୟଡରୀ’ କଥା କୁହାଯାଇଛି । କପଡ଼ା ଉପରେ ଏକ ଛାପାଚିହ୍ନ ଲଗାଇ ଦିଆଯାଇଛି ! ଏବଂ ସେମାନେ ଠିକ୍ ତଥ୍ୟଦେବାକୁ ବି ଉଚିତ ମଣିନାହାନ୍ତି। ଏହି ଏମ୍ବ୍ରୟଡରୀକୁ ବର୍ଣ୍ଣନା କରିବାକୁ ‘ପୁଖୁର’ ଏବଂ ଅନ୍ୟ କେତେକ ଶବ୍ଦ ବ୍ୟବହାର କରାଯାଇଛି, ଯାହାକି ଆମ ଭାଷାରେ ହିଁ ନାହିଁ ,” ଏହା କହନ୍ତି, ବାସମଲ୍ଲୀ କେ. ।
ଟୋଡ଼ା ଭାଷାରେ, ଏହି ସଂପ୍ରଦାୟର ଛୁଞ୍ଚିକାମକୁ ପୋହୋର ବୋଲି କୁହାଯାଏ । ତାମିଲନାଡୁ ନୀଳଗିରି ଜିଲ୍ଲାର କୁନ୍ଦାହ୍ ତାଲୁକାର କାରିକାଦମୁଣ୍ଡ ପଲ୍ଲୀରେ ରହନ୍ତି ୬୦ରୁ ଅଧିକ ବର୍ଷର ପୁରୁଖା ଛୁଞ୍ଚିକାମ ବା ଏମ୍ବ୍ରୟଡରୀ କାରିଗର ବାସମଲ୍ଲୀ । ପ୍ରାୟ ୧୬ କିଲୋମିଟର ଦୂର ଉଟି (ଉଧାଗମଣ୍ଡଳମ୍) ସହରରେ ଟୋଡ଼ା ଏମ୍ବ୍ରୟଡରୀ ସାମଗ୍ରୀ ଦୋକାନ ଚଳାଉଥିବା ଶୀଲା ପାୱେଲ ମଧ୍ୟ ଅନ୍ୟ ଏକ ଜଣାଶୁଣା ବିକ୍ରେତାଙ୍କ ଦ୍ୱାରା ଅନ୍ଲାଇନ୍ରେ ମାତ୍ର ୨,୫୦୦ ଟଙ୍କାରେ ‘ଟୋଡ଼ା’ ଶାଢ଼ି ବିକ୍ରି ହେଉଥିବା କଥାକୁ ବିଶ୍ୱାସ କରିପାରନ୍ତି ନାହିଁ । ସେ ତୁରନ୍ତ ଏହା କିଣିବାକୁ ଅର୍ଡର କରନ୍ତି। “ବିଜ୍ଞାପନରେ ଏହାକୁ ତାମିଲନାଡୁର କୁଶଳୀ ମହିଳାଙ୍କ ହାତରେ ‘ଟୋଡ଼ା’ ଏମ୍ବ୍ରୟଡରୀ କରାଯାଇଥିବା ଶାଢ଼ି ବୋଲି ଦର୍ଶାଯାଇଥିଲା’ । ମୁଁ ଜାଣିବାକୁ ଚାହିଁଲି ଯେ, କେମିତି ସେମାନେ ଏହାର ଦର ଏତେ କମ୍ କରିପାରିଲେ ଏବଂ ଏହା କେଉଁଠି ତିଆରି ହୋଇଥିଲା।”
କିଛି ଦିନ ମଧ୍ୟରେ ଶାଢ଼ି ପହଞ୍ଚାଇ ଦିଆଗଲା । ଶୀଲା କହନ୍ତି, “ମୁଁ ଦେଖିଲି ଯେ ଏହା ମେସିନ୍ରେ ଏମ୍ବ୍ରୟଡରୀ କରାଯାଇଥିଲା ଏବଂ ଏହାର ପଛପଟେ ବାହାରିଥିବା ଅଲରା ସୂତାକୁ ଢାଙ୍କିବା ପାଇଁ ଖଣ୍ଡେ କନା ଲଗାଇ ଦିଆଯାଇଥିଲା’’ । ‘‘ହଁ, ଏମ୍ବ୍ରୟଡରୀ କଳା ଓ ଲାଲ ରଙ୍ଗରେ ହୋଇଥିଲା, ଏବଂ ତାହା ହିଁ ଥିଲା ଏକମାତ୍ର ସମାନତା ।”
ଟୋଡ଼ା ସଂପ୍ରଦାୟର ମହିଳାଙ୍କ ଦ୍ୱାରା କରାଯାଉଥିବା ପାରମ୍ପରିକ ଛୁଞ୍ଚିକାମରେ ସାଦା ଧଳା ସୂତା କପଡ଼ା ଉପରେ ସ୍ୱତନ୍ତ୍ର ଲାଲ ଓ କଳା (କେବେ କେମିତି ନୀଳ) ରଙ୍ଗର ସୂତାରେ ଜ୍ୟାମିତିକ ଡିଜାଇନ୍ କରାଯାଏ। ପାରମ୍ପରିକ ଟୋଡ଼ା ପୋଷାକ ହେଉଛି ଏକ ସ୍ୱତନ୍ତ୍ର ଶାଲ୍, ଯାହାର ନାଁ ପୁତୁକୁଲି । ଏକ ଭବ୍ୟ ପରିଧାନ ରୂପେ ବିବେଚିତ ଏହି ଶାଲ୍କୁ କେବଳ ମନ୍ଦିରକୁ ଯିବା ବେଳେ ଏବଂ ପର୍ବପର୍ବାଣୀ ଭଳି ବିଶେଷ ଅବସରରେ ପିନ୍ଧାଯାଏ ଏବଂ ଶେଷରେ ଏହା ଏକ ଆବରଣ ରୂପେ ବ୍ୟବହୃତ ହୁଏ । ପାଖାପାଖି ୧୯୪୦ ଦଶନ୍ଧିରେ ଟୋଡ଼ା ମହିଳାମାନେ ବ୍ରିଟିଶ୍ କ୍ରେତାମାନଙ୍କ ବରାଦ ମୁତାବକ ଟେବଲ୍କ୍ଲଥ୍, ବ୍ୟାଗ ଓ ଅନ୍ୟ ସାମଗ୍ରୀ ତିଆରି କରିବା ଆରମ୍ଭ କଲେ । ପରବର୍ତ୍ତୀ ବହୁ ଦଶନ୍ଧି ଧରି ଏହି ସାମଗ୍ରୀଗୁଡ଼ିକ କେବଳ ଯେଉଁମାନେ ବରାଦ ଦେଉଥିଲେ ସେମାନଙ୍କୁ ହିଁ ବିକିବାରେ ସୀମିତ ଥିଲା । ଅତୀତରେ ଏଥିରେ କେବଳ କପାସୂତା ବ୍ୟବହୃତ ହେଉଥିଲା । କିନ୍ତୁ ଏବେ ବହୁ ଟୋଡ଼ା ମହିଳା ଉଲ୍ ସୂତା ବ୍ୟବହାର କରୁଛନ୍ତି । କାରଣ, ସେମାନେ କହନ୍ତି ଯେ ଏଥିରେ ଖର୍ଚ୍ଚ କମ୍ ଏବଂ ଶୀଘ୍ର କାମ କରିହୁଏ ।










