ମଶରୁ ଭାଇ କହିଲେ, ‘‘ଆମ ରବାରୀମାନଙ୍କ ନିକଟରେ ତାରାଗୁଡ଼ିକ ଲାଗି ଯେଉଁ ନାଁ ରହିଛି ତାହା ଆପଣମାନଙ୍କର ନାଁଠାରୁ ଅଲଗା। ‘ତୁମହାରା ଧ୍ରୁବ ତାରା, ହମାରା ପାରୋଡିୟା [ତୁମର ଧ୍ରୁବତାରା ହେଉଛି ଆମର ପାରୋଡିୟା]।’’
ଆମେ ୱାର୍ଦ୍ଧା ଜିଲ୍ଲାର ଡେନୋଡ଼ା ଗାଁରେ ତାଙ୍କର ଡେରା, ଏକ ଅସ୍ଥାୟୀ ବସ୍ତିରେ ଅଛୁ। ଏହା ନାଗପୁର ନିକଟରୁ ୬୦ କିମି ଏବଂ ସେ ନିଜର ଘର ବୋଲି କହୁଥିବା କଚ୍ଛଠାରୁ ୧୩୦୦ କିମି ଦୂର।
ଏହି ରବାରୀ ଡେରାରେ ସନ୍ଧ୍ୟା ନଇଁ ଆସୁଛି। ଏହା ମାର୍ଚ୍ଚ ମାସର ଆରମ୍ଭ ସମୟ, ଶୀତରୁ ଖରାକୁ ପରିବର୍ତ୍ତନର ଋତୁ ଯେତେବେଳେ ସାନ୍ଧ୍ୟ ଆକାଶରେ ନାରଙ୍ଗୀ ରଙ୍ଗ କିଛି ଅଧିକ ସମୟ ରହିଥାଏ। ଜଙ୍ଗଲର ଜ୍ୱଳନ୍ତ ଅଗ୍ନି, ପଳାଶ କିମ୍ବା କେସୁଡୋ (ବ୍ୟୁଟିଆ ମୋନୋସ୍ଫର୍ମା) ପୃଥିବୀକୁ ନାରଙ୍ଗୀ ରଙ୍ଗରେ ସୁଶୋଭିତ କରିଥାଏ। ରଙ୍ଗର ପର୍ବ ହୋଲି ପାଖେଇ ଆସୁଛି।
ମଶରୁ ମାମା ଯେଉଁ ନାଁରେ ସେ ନିଜର ଲୋକମାନଙ୍କ ମଧ୍ୟରେ ଶ୍ରଦ୍ଧାରେ ପରିଚିତ ଏବଂ ମୁଁ ଏହି ବିଦର୍ଭ ଅଞ୍ଚଳର ପରିଷ୍କାର ସାନ୍ଧ୍ୟ ଆକାଶକୁ ଦେଖୁଛୁ। ଆମେ ଏକ କପା କ୍ଷେତର ମଝିରେ ତାଙ୍କ ଖଟ ଉପରେ ବସିଛୁ, ସୂର୍ଯ୍ୟଙ୍କ ତଳେ ସବୁକିଛି ଯେପରିକି; ତାରା, ତାରାମଣ୍ଡଳ, ପରିବର୍ତ୍ତିତ ଜଳବାୟୁ ଏବଂ ପରିବେଶ, ତାଙ୍କ ଲୋକ ଓ ପଶୁଙ୍କର ଅଗଣିତ ମନୋଭାବ, ବିଖଣ୍ଡିତ, କଷ୍ଟକର, ସବୁବେଳେ ଯାତ୍ରା କରୁଥିବା ଜଣେ ଯାଯାବରର ଜୀବନ ଏବଂ ସେ ଜାଣିଥିବା ଲୋକକଥା, କିମ୍ବଦନ୍ତୀ ଓ ଆହୁରି ଅନେକ କିଛି ସଂପର୍କରେ କଥା ହେଉଛୁ।
ରବାରୀମାନଙ୍କ ଲାଗି ତାରାର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି କାରଣ ସେମାନେ ସେମାନଙ୍କର ଯାତ୍ରା ଲାଗି ମାର୍ଗଦର୍ଶନ କରିବାକୁ ତାରାମାନଙ୍କ ଉପରେ ନିର୍ଭର କରନ୍ତି ବିଶେଷ କରି ରାତିରେ। ସେ ବୁଝାଇଲେ, ‘‘୭ଟି ତାରାର ତାରା ମଣ୍ଡଳ, ସପ୍ତର୍ଷି ଆମ ଲାଗି ହରନ୍ [ହରିଣ]।’’ ସେ ଦାର୍ଶନିକ ଭାବେ କହିଲେ, ‘‘ଭୋର୍ ସମୟରେ ୭ଟି ତାରା ମ୍ଳାନ ହୋଇଯାନ୍ତି, କିନ୍ତୁ ଯେତେବେଳେ ଅନ୍ଧାର ଆହୁରି ଥାଏ, ସେମାନେ ଏକ ନୂଆ ପ୍ରତ୍ୟୁଷ, ନୂଆ ଚ୍ୟାଲେଞ୍ଜ ଏବଂ ଅନେକ ସମ୍ଭାବନାର ଆଗମନକୁ ସୂଚାଇଥାନ୍ତି।’’











