ଏହା ସେପ୍ଟେମ୍ବର ୨୦୧୭ ଗୁରୁବାର ଦିନ ପ୍ରାୟ ୧୦ଟା ସମୟ । ଲାଲତି ଦେବୀ ପାଶୱାନ୍ ଏବଂ ଶୋଭା ଭାରତୀ ଉତ୍ତର ପ୍ରଦେଶର ସୋନଭଦ୍ରା ଜିଲ୍ଲାର ରବର୍ଟଗଞ୍ଜ ସହରର ଜିଲ୍ଲାପାଳଙ୍କ ଅଫିସ୍ ବାହାରେ ଏକ ପ୍ଲାଷ୍ଟିକ୍ ବେଞ୍ଚରେ ଅପେକ୍ଷା କରିଛନ୍ତି । ଦୁଇଜଣ ଯାକ ମହିଳା ଶାନ୍ତ ଅଛନ୍ତି । ସେମାନେ ଏପରି ଅନେକ ଥର କରିଛନ୍ତି ।
ଲାଲତି ଦେବୀ ଏବଂ ତାଙ୍କର ସ୍ୱାମୀ ଶ୍ୟାମଲାଲଙ୍କ ବିରୋଧରେ ପ୍ରାୟ ୨୦ଟି ଅପରାଧିକ ମାମଲା ପଞ୍ଜିକୃତ ହୋଇଛି । ଏପରିସ୍ଥଳେ ସେ ଜିଲ୍ଲାପାଳଙ୍କୁ ଜଣାଇବାକୁ ଆସିଛନ୍ତି ଯେ ଗାଁର କିଛି ଲୋକ ତାଙ୍କର ଭାବମୂର୍ତ୍ତି ଓ ତାଙ୍କ ସଂଘର କାମକୁ ଅଣଦେଖା କରିବା ଲାଗି ତାଙ୍କ ବିରୋଧରେ ଗୁଜବ ପ୍ରସାର କରୁଛନ୍ତି । ସେମାନେ ତାଙ୍କୁ ଡାହାଣୀ ବୋଲି କହୁଛନ୍ତି ଯାହାଦ୍ୱାରା ତାଙ୍କ ଜୀବନ ଆହୁରି ଦୁର୍ବିସହ ହୋଇପଡ଼ିଛି । ୬୦ ବର୍ଷରେ ଉପନୀତ ଲାଲତି ଦେବୀ କହିଲେ, “ଜିଲ୍ଲାପାଳଙ୍କୁ ଦେଖାକରିବା ଜରୁରୀ । ସେମାନଙ୍କୁ ଆମର କଥା ଶୁଣିବାକୁ ଓ ଆମକୁ ସାକ୍ଷାତ କରିବାକୁ ପଡ଼ିବ ଯାହାଦ୍ୱାରାକି ଆମେ ଏସବୁକୁ ବଦଳାଇବା ପାଇଁ କାନୁନ(ଆଇନ)କୁ ବ୍ୟବହାର କରିପାରିବୁ ।’’
୫୦ ବର୍ଷରେ ଉପନୀତ ଶୋଭା କହିଲେ, “ମୁଁ ନ୍ୟାୟ ପାଇଁ ଅପେକ୍ଷା କରିଛି । ମୁଁ କ୍ଷତିପୂରଣ ପାଇବା ଲାଗି ଆବେଦନ ଦାଖଲ କରିବାକୁ ଆସିଛି। ସ୍ଥାନୀୟ ପ୍ରଶାସନ ଏହି ସହାୟତା ଦେବା କଥା(ବଳାତ୍କାରର ଶିକାର ହୋଇଥିବା ମହିଳାମାନଙ୍କୁ) କିନ୍ତୁ ଜିଲ୍ଲାପାଳ ମୋ ଫାଇଲକୁ ଆଗକୁ ବଢାଇନାହାନ୍ତି।’’ ଶୋଭା ଓ ତାଙ୍କର ସ୍ୱାମୀଙ୍କ ବିରୋଧରେ ମଧ୍ୟ ଜଙ୍ଗଲ ବିଭାଗ ଦ୍ୱାରା ବେଆଇନ ଭାବେ ଗଛ କାଟିବାର ଅଭିଯୋଗ ରହିଛି । ଏହାଛଡ଼ା ଅନେକଗୁଡ଼ିଏ ଦଳଗତ ମାମଲାରେ ସେମାନଙ୍କର ନାଁ ରହିଛି, ସେମଧ୍ୟରୁ ଅଧିକାଂଶ କାର୍ଯ୍ୟରେ ସେମାନେ ଭାଗ ନେଇନଥିବା କଥା କହିଛନ୍ତି ।
ଦଳିତ ସଂପ୍ରଦାୟର ଉଭୟ ମହିଳା ଜିଲ୍ଳାପାଳ ପ୍ରମୋଦ ଉପାଧ୍ୟାୟଙ୍କ ଅଫିସ୍ ମଧ୍ୟକୁ ଯିବାପାଇଁ ଧେର୍ଯ୍ୟର ସହ ୧ ଘଣ୍ଟା ଧରି ଅପେକ୍ଷା କଲେ । ସେମାନଙ୍କ ସହିତ ଅଲ ଇଣ୍ଡିଆ ୟୁନିଅନ୍ ଅଫ୍ ଫରେଷ୍ଟ ୱାର୍କିଂ ପିପୁଲ(ଏଆଇୟୁଏଫଡବ୍ଲ୍ୟୁପି)ର ସାଧାରଣ ସଂପାଦକ ରୋମା ମଲିକ ଓ ରବର୍ଟଗଞ୍ଜର ସଂଘ ଅଫିସ୍ର ଅନ୍ୟମାନେ ମଧ୍ୟ ଅଛନ୍ତି । ମଲିକ ସୋନଭଦ୍ରା ଜିଲ୍ଲାରେ ଗତ ୧୮ ବର୍ଷ ହେଲା କାମ କରିଆସୁଛନ୍ତି । ସେ କହିଲେ, “ ପୁଲିସର ଅତ୍ୟାଚାରର ଅନେକ ମାମଲା ରହିଛି ଯାହାକୁକି ଆମେ ପ୍ରଶାସନ ସହ ଆଲୋଚନା କରିବାକୁ ଚାହୁଁଛୁ ।’’








