ସନ୍ଧ୍ୟା ସମୟରେ ନର୍ମଦାବାଇ ତାଙ୍କ ଝୁଗ୍ଗିରେ ଚଟାଣ ଉପରେ ବସି ଶିଲ୍ବଟ୍ଟାରେ ଟମାଟ ବାଟୁଥିଲେ । ତାଙ୍କର ସ୍ୱାମୀ ମୋହନ ଲାଲ୍ ସେଗୁଡିକୁ ଛୋଟ ଛୋଟ ଖଣ୍ଡ କରି କାଟି ଦେଇଛନ୍ତି ଓ ସେଗୁଡିକୁ ଏକ କପଡା ଖଣ୍ଡ ଉପରେ ରଖି ଦେଇଛନ୍ତି ।
“ଆମେ ଏହାକୁ ବାଟି ଚଟଣୀ ପ୍ରସ୍ତୁତ କରୁ । ପାଖରେ ଥିବା ଘରଗୁଡିକ ଆମକୁ ବେଳେବେଳେ ଭାତ ଦିଅନ୍ତି । ନମିଳିଲେ ଆମେ ଆମ ପେଟର ଜ୍ୱାଳାକୁ ଶାନ୍ତ କରିବା ପାଇଁ ଏହି ଚଟଣୀ ଢକ ଢକ କରି ପିଇଦେଉ,” ବୋଲି ନର୍ମଦାଙ୍କ ସହିତ ଯେତେବେଳେ ଏପ୍ରିଲ୍ ଶେଷ ଆଡକୁ ମୋର ସାକ୍ଷାତ ହୋଇଥିଲା, ସେ ମତେ କହିଥିଲେ । ସେ ଆଖପାଖରେ ଥିବା ବିଲ୍ଡିଂଗୁଡିକରେ ରହୁଥିବା ଲୋକମାନଙ୍କ ଉଦ୍ଦେଶ୍ୟରେ କହୁଥିଲେ, ଯେଉଁମାନେ ପଶ୍ଚିମ ଜାମ୍ମୁର ଦୁର୍ଗା ନଗରର ଏକ ଗଳିରେ ତିନୋଟି ଝୋପଡିରେ ରହୁଥିବା ଶ୍ରମିକମାନଙ୍କୁ ବେଳେବେଳେ କିଛି ରାସନ୍ ସାମାନ୍ ଦେଉଥିଲେ ।
ମାର୍ଚ୍ଚ ୨୫ରେ ଯେତେବେଳେ କୋଭିଡ୍-୧୯ କାରଣରୁ ତାଲାବନ୍ଦ ଆରମ୍ଭ ହେଲା, ସେତେବେଳେ ନର୍ମଦାବାଇ ଚନ୍ଦ୍ର ଓ ମୋହନ୍ ଲାଲ୍ ଚନ୍ଦ୍ରଙ୍କ ପକ୍ଷରେ ନିଜ ପାଇଁ ଖାଦ୍ୟ ଯୋଗାଡ କରିବା କଷ୍ଟକର ହୋଇପଡିଲା – ବିଶେଷକରି ଶୀତଦିନରେ ଫେବୃଆରୀ ମାସ ପର୍ଯ୍ୟନ୍ତ ସେମାନଙ୍କୁ କିଛି କାମ ମିଳୁନଥିବାରୁ ଓ ଏହି ସମୟରେ ସେମାନେ ସେମାନଙ୍କର ସ୍ୱଳ୍ପ ସଞ୍ଚିତ ଅର୍ଥ ବ୍ୟବହାର କରୁଥିବା କାରଣରୁ ।
ନର୍ମଦାବାଇ ,୪୮, ଜଣେ ଦିନ ମଜୁରିଆ ଭାବେ ଜାମ୍ମୁର ଏକ ନିର୍ମାଣ ସ୍ଥଳିରେ କାମ କରନ୍ତି ଓ ଦିନକୁ ୪୦୦ଟଙ୍କା ଉପାର୍ଜନ କରନ୍ତି, ସେ ମାସରେ ୨୦-୨୫ ଦିନ କାମ କରନ୍ତି । ମୋହନ ଲାଲ, ୫୨, ହେଉଛନ୍ତି ଜଣେ ରାଜମିସ୍ତ୍ରୀ ଓ ସେ ଦିନକୁ ୬୦୦ଟଙ୍କା ଉପାର୍ଜନ କରନ୍ତି । “ଫେବୃଆରୀରେ ଠିକ୍ କାମର ପରିମାଣ ବଢିବାକୁ ଆରମ୍ଭ ହେବା ବେଳକୁ ତାଲାବନ୍ଦ ଘୋଷଣା ଲାଗୁ କରାଗଲା,” ବୋଲି ମୋହନ ଲାଲ୍ କହିଲେ । “ଆମେ ସର୍ବହରା ହୋଇଗଲୁ ।’’
ମୋହନ ଲାଲ୍ଙ୍କ ପାଖ ଘରେ ତାଙ୍କ ସାନ ଭାଇ ଅଶ୍ୱିନୀ କୁମାର ଚନ୍ଦ୍ର ଯାହାର ବୟସ ୪୦ରୁ ଅଧିକ ହେବ ଓ ତାଙ୍କ ସ୍ତ୍ରୀ ରାଜକୁମାରୀ, ୪୦, ରୁହନ୍ତି । ଅଶ୍ୱିନୀ ମଧ୍ୟ ରାଜମିସ୍ତ୍ରୀ ଭାବେ କାମ କରନ୍ତି ଓ ଦିନକୁ ୬୦୦ଟଙ୍କା ଉପାର୍ଜନ କରନ୍ତି ଯେତେବେଳେ କି ରାଜକୁମାରୀ ନିର୍ମାଣ ସ୍ଥଳିରେ ଓ ଆଖପାଖ ଜମି ଓ ବଗିଚାରେ କାମ କରି ଦିନକୁ ୪୦୦ଟଙ୍କା ଉପାର୍ଜନ କରନ୍ତି।
ଉଭୟ ପରିବାର ଛତିଶଗଡର ଜାଞ୍ଜଗିର-ଚମ୍ପା ଜିଲ୍ଲାର ନୱାଗଡ ତାଲୁକା ଅନ୍ତର୍ଗତ ବର୍ଭତା ଗ୍ରାମରୁ ଜାମ୍ମୁ ଆସିଛନ୍ତି । ନର୍ମଦାବାଇ ଓ ମୋହନ ଲାଲ ୨୦୦୨ରେ ଆସିଛନ୍ତି – ଦୁର୍ଭିକ୍ଷ ଯୋଗୁଁ ବାଧ୍ୟ ହୋଇ । “ଦୁର୍ଭିକ୍ଷ ଯୋଗୁଁ ସର୍ବସ୍ୱାନ୍ତ ହୋଇଗଲୁ, ଆମର ଗାଇଗୋରୁ, ଜୀବନଜୀବିକା ଓ ବଞ୍ଚିବା ପାଇଁ ଆବଶ୍ୟକ ମୌଳିକ ସୁବିଧା ସବୁ କିଛି ଦୁର୍ଭିକ୍ଷ ଗ୍ରାସ କରିଦେଲା । ଆମର ସବୁକିଛି ଚାଲିଗଲା, ଏଣୁ ଆମେ ସେହି ସ୍ଥାନ ଛାଡିବାକୁ ବାଧ୍ୟ ହେଲୁ,” ବୋଲି ମୋହନ ଲାଲ କୁହନ୍ତି ।






