“ସୋମବାରଠାରୁ [ମାର୍ଚ୍ଚ ୧୬] ଆମକୁ କୌଣସି କାମ ମିଳୁନି । ମୁଁ କେଉଁଠାରୁ ପଇସା ଆଣିବି?” ବୋଲି ବନ୍ଦନା ଉମ୍ବର୍ସଦା ଲଗାତାର ତାଙ୍କୁ ୫ଟଙ୍କା ମାଗୁଥିବା ତାଙ୍କର ସାତ ବର୍ଷର ନାତିକୁ ଦେଖାଇ କହିଲେ ।
ପାଳଘର ଜିଲ୍ଲାର କବତେପଦାରେ ତାଙ୍କ ଆଙ୍ଗନରେ ବସି ମହାରାଷ୍ଟ୍ରର ୱଡା ତାଲୁକାର ବିଭିନ୍ନ ନିର୍ମାଣ ସ୍ଥଳରେ କାମ କରୁଥିବା ୫୫ ବର୍ଷ ବୟସ୍କ ବନ୍ଦନା କୁହନ୍ତି ଯେ “କଣ ଘଟୁଛି ଆମେ ଜାଣିନୁ” । ମୋର ପୁଅ ମୋତେ ଘରେ ରହିବାକୁ କହିଲା କାରଣ ଆମ ଚାରିପାଖରେ ଗୋଟିଏ ବେମାରୀ ବ୍ୟାପିବାରେ ଲାଗିଛି ଓ ସରକାର ଆମକୁ ଘର ଛାଡି ଅନ୍ୟ କେଉଁଆଡେ ଯିବାକୁ ମନା କରିଛନ୍ତି।”
ସମୟ ପ୍ରାୟ ଅପରାହ୍ଣ ୪ଟା ହେବ ଓ ବନ୍ଦନାଙ୍କ ଅନେକ ପଡୋଶୀ ତାଙ୍କ ଘର ସାମନାରେ ଏକତ୍ରିତ ହୋଇ ବିଭିନ୍ନ ବିଷୟରେ ଆଲୋଚନା କରୁଛନ୍ତି, ମୁଖ୍ୟତଃ ବର୍ତ୍ତମାନର କୋଭିଡ୍- ୧୯ ସଂକଟ ବିଷୟରେ । ସେମାନଙ୍କ ମଧ୍ୟରୁ କେବଳ ଜଣେ, ଜଣେ ଯୁବତୀ କହିଲେ ଯେ କଥା ହେବା ବେଳେ ସମସ୍ତେ ପରସ୍ପରଠାରୁ କିଛି ଦୂରରେ ରହି କଥା ହେବା ଉଚିତ । କବତେପଦାରେ ପ୍ରାୟ ୭୦ଟି ପରିବାର ରୁହନ୍ତି ବୋଲି ଏଠାରେ ଥିବା ଲୋକମାନେ ହିସାବ କରି କହିଲେ ଓ ପ୍ରତ୍ୟେକ ପରିବାର ୱାର୍ଲି ଆଦିବାସୀ ସମ୍ପ୍ରଦାୟର ।
ରାଜ୍ୟବ୍ୟାପୀ ତାଲାବନ୍ଦ ଆରମ୍ଭ ହେବା ପର୍ଯ୍ୟନ୍ତ, ବନ୍ଦନା ଓ ତାଙ୍କ ପଡୋଶୀ ମନିତା ଉମ୍ବର୍ସଦାଙ୍କ ଦିନ ପୂର୍ବାହ୍ନ ୮ଟାରେ ଆରମ୍ଭ ହେଉଥିଲା ଓ ସେମାନେ ୱଡା ଟାଉନ୍ ଓ ଏହାର ଚାରିପାଖରେ ଅବସ୍ଥିତ ବିଭିନ୍ନ ନିର୍ମାଣ ସ୍ଥଳଗୁଡିକରେ ପହଞ୍ଚିବା ପାଇଁ ଏକ ଘଣ୍ଟା ପର୍ଯ୍ୟନ୍ତ ଚାଲି ଚାଲି ପ୍ରାୟ ୧୦କିଲୋମିଟର ରାସ୍ତା ଅତିକ୍ରମ କରିଥାନ୍ତି । ସେଠାରେ ସେମାନେ ସକାଳ ୯ଟା ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପରିଶ୍ରମ କରନ୍ତି ଯେଉଁଥିପାଇଁ ସେମାନଙ୍କୁ ୨୦୦ଟଙ୍କା ମଜୁରି ମିଳିଥାଏ । ବନ୍ଦନା କୁହନ୍ତି ଯେ ଏଥିରୁ ମାସକୁ ତାଙ୍କର ପ୍ରାୟ ୪୦୦୦ ଟଙ୍କା ଉପାର୍ଜନ ହେଉଥିଲା । ହେଲେ, ବର୍ତ୍ତମାନ ନିର୍ମାଣ ସ୍ଥଳର ଠିକାଦାରଙ୍କ ପାଖରେ ତାଙ୍କ ପାଇଁ କୌଣସି କାମ ନାହିଁ ।
“ମୋର ପୁଅମାନଙ୍କୁ ମଧ୍ୟ କିଛି କାମ ମିଳୁନି । ଆମର ଖାଦ୍ୟ କିଣିବା ଦରକାର ଅଛି କିନ୍ତୁ କାମ ନଥିଲେ ଆମେ ପଇସା କେଉଁଠାରୁ ପାଇବୁ?” ବୋଲି ସେ ପଚାରନ୍ତି । “ଆମର ରାସନ୍ ମଧ୍ୟ ସରି ଆସିଲାଣି । ତାହାହେଲେ ଆମେ କେବଳ କ’ଣ କିଛି ଚଟଣି ତିଆରି କରି ଆମର ପିଲାମାନଙ୍କୁ ଖାଇବାକୁ ଦେବୁ? ଏସବୁ ଶୀଘ୍ର ବନ୍ଦ ହୋଇଯାଉ ତାହା ମୁଁ ଚାହୁଁଛି ।”
ବନ୍ଦନାଙ୍କର ତିନି ପୁଅ ଓ ୧୧ ନାତିନାତୁଣି ଅଛନ୍ତି । ତାଙ୍କ ପୁଅମାନେ ୱଡାରେ ଥିବା ଇଟା ଭାଟି ବା ନିର୍ମାଣ ସ୍ଥଳରେ କାମ କରନ୍ତି। ୱଡ଼ା ତାଲୁକାରେ ୧୬୮ଟି ଗ୍ରାମ ଥିବା ବେଳେ ଏହାର ଜନସଂଖ୍ୟା ହେଉଛି ୧୫୪,୪୧୬ । ବନ୍ଦନାଙ୍କ ସ୍ୱାମୀ ଲକ୍ଷ୍ମଣ ଯିଏ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଦୋକାନରେ କାମ କରୁଥିଲେ, ୧୫ବର୍ଷ ପୂର୍ବେ ଅତ୍ୟଧିକ ମଦ୍ୟପାନଜନିତ ଜଟିଳତା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଯାଇଛି ।






