ଦିନ ପ୍ରାୟ ୧୧ଟା ବେଳକୁ କିଲ୍ଲାବନ୍ଦରର ପ୍ରବେଶ ପଥ ବାହାରେ ଗୋଟିଏ କୂଅ ପାଖରେ ପ୍ରାୟ ୨୦ ଜଣ କମ୍ ବୟସର ଝିଅ ଓ ମହିଳା ଜମା ହୋଇଥିଲେ । ଗ୍ରାମର ଜଣେ ବାସିନ୍ଦା ନିଲମ୍ବ ମନଭାସ କୁହନ୍ତି, “ଏହି କୂଅରେ ଗୋଟିଏ କୋଣରେ ସାମାନ୍ୟ ପାଣି ଅଛି (ଖରାଦିନେ) । ଗୋଟିଏ କଳସୀ ପୂର୍ଣ୍ଣ କରିବାକୁ ଆମକୁ ଅଧଘଣ୍ଟା ସମୟ ଲାଗୁଛି । “ ମୁମ୍ବାଇ ସହରର ଉତ୍ତରରେ ବସାଇ ଦୁର୍ଗ ସୀମାରେ ଏହି ଉପକୂଳବର୍ତ୍ତୀ କିଲ୍ଲା ବନ୍ଦର ମତ୍ସ୍ୟଜୀବୀ ଗ୍ରାମ ରହିଛି।
ଏହି କୂଅ ପାଖରେ ଥିବା ମହିଳା ଓ ଝିଅମାନଙ୍କ ପାଇଁ ପ୍ରତିଦିନ ପାଣି ସଂଗ୍ରହ କରିବାରେ ଘଣ୍ଟା ଘଣ୍ଟା ସମୟ ବିତାଇବା ଏକ ଦୈନନ୍ଦିନ ବାସ୍ତବିକତା । ଏହି ଝିଅମାନଙ୍କ ମଧ୍ୟରୁ କେତେଜଣଙ୍କ ବୟସ ୪ରୁ ସାମାନ୍ୟ ଅଧିକ ହେବ । ସର୍ବସାଧାରଣ ଭୂମି ଉପରେ ଥିବା ଏହି କୂଅ ଗ୍ରାମ ନିକଟରେ ପିଇବା ପାଣିର ଏକମାତ୍ର ଉତ୍ସ । ମହିଳାମାନେ କୁହନ୍ତି, ଏଠାରେ ନଗରନିଗମ ଜଳଯୋଗାଣ ଖୁବ୍ ଅନିୟମିତ ଏବଂ ଅପର୍ଯ୍ୟାପ୍ତ । ଯେହେତୁ କିଲ୍ଲାବନ୍ଦରର ବହୁ ସଂଖ୍ୟକ ପରିବାର ଏହି କୂଅ ଉପରେ ନିର୍ଭର କରନ୍ତି, ଏହାର ପାଣି ମଧ୍ୟ ନିଅଣ୍ଟ, ବିଶେଷକରି ଖରାଦିନେ । କହିବାକୁ ଗଲେ ଝିଅ ଓ ମହିଳାମାନଙ୍କୁ କୂଅର ତଳ ଭାଗକୁ ଉଝାଳିòବାକୁ ପଡ଼େ ।
ପଲ୍ଘର ଜିଲ୍ଲାର ବସାଇ ତାଲୁକାର କ୍ଷେତ୍ରଫଳ ପ୍ରାୟ ୬୦୦ ବର୍ଗ କିଲୋମିଟରରୁ ଅଧିକ । ସହରର ଜନସଂଖ୍ୟା ପ୍ର।ୟ ୧୩ଲକ୍ଷ (୨୦୧୧ ଜନଗଣନା) । ବସାଇ ବିରାର ସିଟି ମ୍ୟୁନିସିପାଲ୍ କର୍ପୋରେସନ ଅଞ୍ଚଳରେ ଥିବା ଦୁଇଟି ସହର, ଏବଂ ୧୦୦ରୁ ଅଧିକ ଗାଁ ଓ ବସ୍ତିକୁ ଜଳ ଯୋଗାଣ କରିବାର ଦାୟିତ୍ୱ ନେଇଛି । କିନ୍ତୁ କରୁନାହିଁ ।
କିଲ୍ଲାବନ୍ଦର ବାସିନ୍ଦାମାନେ ଏହି କାରଣରୁ ଅସନ୍ତୁଷ୍ଟ ଯେ ସେମାନେ ଏବେ ବି କୂଅ ଓ ଟ୍ୟାଙ୍କର ଉପରେ ନିର୍ଭର କରୁଛନ୍ତି । ପଲଘର ଜିଲ୍ଲାରୁ ଜଳ ମୁମ୍ବାଇ ମହାନଗର ଅଞ୍ଚଳକୁ ଚାଲିଯାଉଛି । ମୋ ଆଡ଼କୁ ଆଙ୍ଗୁଠି ଦେଖାଇ କୂଅ ପାଖରେ ଛିଡ଼ା ହୋଇଥିବା ଅନ୍ୟଜଣେ ମହିଳାଙ୍କୁ ପ୍ରିୟା ଘ୍ୟା କହିଲେ, “ତାଙ୍କୁ ଏହା କରିବାକୁ ପଡ଼ୁନାହିଁ ।”” ଏହାପରେ ସେ ମୋ ଆଡ଼କୁ ବୁଲିଲେ ଏବଂ କହିଲେ, “ତୁମର ନିଶ୍ଚୟ ମେସିନ୍ (ଲୁଗାସଫା) ଥିବ । ତୁମକୁ ଏ ସବୁ କରିବାକୁ ପଡ଼ୁନଥିବ । ଆମେ ପାଣି ପାଉନୁ, ତୁମେ ପାଉଛ ।”
ବସାଇ ଦୁର୍ଗର ୧୦୯ ଏକର ପରିସୀମା ମଧ୍ୟରେ ଏବଂ ଆଖପାଖରେ ୭୫ରୁ ଅଧିକ କୂଅ ଅଛି । “କିନ୍ତୁ ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ବ୍ୟବହାର ହେଉନାହିଁ । କେବଳ ୫-୬ଟି କୂଅ ବ୍ୟବହୃତ ହେଉଛି ।” ଦୁର୍ଗର ଦାୟିତ୍ୱରେ ଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ସଂରକ୍ଷଣ ସହାୟକ କୈଳାସ ସିନ୍ଧେ ଏହା କହିଥିଲେ ।







