ରାମକ୍ରିଷ୍ଣ ରେଡ୍ଡି କ୍ରିଷ୍ଣା ଜିଲ୍ଲାର ବଡ୍ଲାମାନୁ ଗାଁରେ ୨.୫ ଏକର ଭାଗ ଜମିରେ ମକା ଚାଷ କରନ୍ତି । ଆନ୍ଧ୍ରପ୍ରଦେଶର ଆଗିରିପାଲେ ମଣ୍ଡଳରେ ସେ ଏବଂ ଗାଁର ଅନ୍ୟ ୮ଜଣ ଚାଷୀ ହାଇଦ୍ରାବାଦସ୍ଥିତ ଆଇଏମ୍ଏଲ୍ ସିଡ୍ସ ପ୍ରାଇଭେଟ୍ ଲିମିଟେଡ୍କୁ ମଞ୍ଜି ବିକ୍ରି କରିବା ପାଇଁ ସମୁଦାୟ ୩୦ ଏକର ଜମିରେ ମକା ଚାଷ କରିଛନ୍ତି । ୪୫ବର୍ଷ ବୟସ୍କ ରାମକ୍ରିଷ୍ଣ କୁହନ୍ତି, “ଆମେ ୨୦୧୬ ସେପ୍ଟେମ୍ବର ମାସରେ ମଞ୍ଜି ବୁଣିଥିଲୁ ଏବଂ ୨୦୧୭ ମାର୍ଚ୍ଚରେ (ପ୍ରାୟ ୮୦ ଟନ୍) ମଞ୍ଜି ବିକ୍ରି କଲୁ । ଏ ମଧ୍ୟରେ ବର୍ଷେରୁ ଅଧିକ ସମୟ ହୋଇଗଲାଣି, କିନ୍ତୁ କମ୍ପାନୀ ଏ ପର୍ଯ୍ୟନ୍ତ ଆମ ୯ଜଣଙ୍କୁ ଆମର ୧୦ ଲକ୍ଷ ଟଙ୍କା ପାଉଣା ପୈଠ କରିନାହିଁ । ”
ଏହି ବ୍ୟବସାୟରେ କମ୍ପାନୀ ଚାଷୀମାନଙ୍କୁ ପ୍ରତିବର୍ଷ ପ୍ରାୟ ସେପ୍ଟେମ୍ବର ମାସରେ ହାଇବ୍ରିଡ୍ ବିହନ ପ୍ରଦାନ କରେ । ବିହନ ଚାଷୀମାନେ ଏହି ବିହନ ଚାଷ କରନ୍ତି ଏବଂ ବର୍ଦ୍ଧିତ ବିହନକୁ ପରବର୍ଷ ମାର୍ଚ୍ଚ ମାସରେ କମ୍ପାନୀକୁ ଫେରାନ୍ତି । କମ୍ପାନୀ ଏହି ମଞ୍ଜିକୁ ମକା ଚାଷୀମାନଙ୍କୁ ଲାଭଜନକ ଦରରେ କ୍ରୟ କରେ । ବିହନ ଚାଷୀମାନେ କମ୍ପାନୀଠାରୁ ସେମାନଙ୍କର ପାଉଣାର କିଛି ଅଂଶ କୀଟନାଶକ, ରୋଗନାଶକ ଭାବରେ ପାଆନ୍ତି ଏବଂ ବାର୍ଷିକ ୨୪ରୁ ୩୬ ପ୍ରତିଶତ ସୁଧ ହାରରେ କରଜ ମଧ୍ୟ ପାଇଥାଆନ୍ତି । ଏହି ଋଣ ଅର୍ଥ-କରଜ ଏବଂ ସୁଧ- ଚାଷୀମାନଙ୍କ ବାର୍ଷିକ ପାଉଣାରୁ କାଟିଦିଆଯାଏ ।
କମ୍ପାନୀ ମାର୍ଚ୍ଚ ମାସ ଶେଷ ସୁଦ୍ଧା ସେମାନଙ୍କ ପାଉଣା ପୈଠ କରିବା କଥା । କିନ୍ତୁ ଏହି ଅର୍ଥ ସାଧାରଣତଃ ୨-୩ ମାସ ପରେ ଆସେ । ୨୦୧୭ ମସିହାରେ ଆଇଏମ୍ଏଲ୍ସିଡ୍ସ ଚାଷୀମାନଙ୍କୁ ଆଦୌ ଅର୍ଥ ପୈଠ କରିନାହିଁ। ସେମାନଙ୍କର ବକୈୟା ପାଉଣା ଗତ କେଇବର୍ଷ ଧରି ନିବେଶ ରାଶି ସହ ମେଳ ଖାଉନାହିଁ । ଏହା ଅନେକ ମକା ବିହନ ଚାଷୀଙ୍କୁ ଅଧିକ ଋଣ ଭିତରକୁ ନେଇଯିବା ସହ କେତେକଙ୍କୁ କୃଷି ଛାଡ଼ିବାକୁ ବାଧ୍ୟ କରୁଛି ।
୪୦ବର୍ଷ ବୟସ୍କ ପିଲି ଶ୍ରୀନିବାସ ବାଡଲାମାନୁ ଗ୍ରାମର ୯ଜଣ ଚାଷୀଙ୍କ ମଧ୍ୟରୁ ଜଣେ । ୧୫ବର୍ଷ ଧରି ମକା ବିହନ ଚାଷ କରୁଥିବା ଶ୍ରୀନିବାସ କୁହନ୍ତି, “ମୋର ସମୁଦାୟ ୧୫ଲକ୍ଷ ଟଙ୍କା ଋଣ ଅଛି (ଘରୋଇ ଋଣ ପ୍ରଦାନକାରୀଙ୍କଠାରୁ) । ମୋର ଅଧିକ ଜମି ନଥିବାରୁ ଜମିର ଭଡ଼ା ବାବଦରେ ମୋତେ ବାର୍ଷିକ ୧୫ ହଜାର ଟଙ୍କା ଦେବାକୁ ହେଉଛି । ତେଣୁ ମୁଁ କୃଷି ଛାଡ଼ିବାକୁ ଏବଂ କୃଷି ଶ୍ରମିକ ଭାବରେ କାମ କରିବାକୁ ନିଷ୍ପତ୍ତି ନେଇଛି।” ଶ୍ରୀନିବାସ ବର୍ତ୍ତମାନ ଦିନ ମଜୁରିରେ ୨୫୦-୩୦୦ ଟଙ୍କା ରୋଜଗାର କରୁଛନ୍ତି ଏବଂ ନିଜର ଅଧ ଏକର ଜମି ବିକ୍ରି କରି କିଛି କରଜ ଶୁଝିବାକୁ ଆଶା କରୁଛନ୍ତି ।





