ହାଇଦ୍ରାବାଦର ଏକ ଇଟା ଭାଟିକୁ ଆସିଥିବା ଉର୍ବଶୀ କହିଲେ, ‘‘ଆମକୁ ଯେଉଁ ଲୋକମାନେ ଏଠାକୁ ଆଣିଛନ୍ତି, ମୁଁ ସେମାନଙ୍କ ପାଇଁ ରୋଷେଇ କରୁଛି। ମୋ ସ୍ୱାମୀ ସେମାନଙ୍କ ସହ ଇଟା ତିଆରି କରୁଛନ୍ତି।’’
ଇଟା ଭାଟିରେ ୬୧ ବର୍ଷର ଡେଗୁ ଧରୁଆ ଏବଂ ୫୮ ବର୍ଷର ଉର୍ବଶୀ ଧରୁଆଙ୍କୁ ଦେଖି ଆମେ ଆଶ୍ଚର୍ଯ୍ୟ ହେଲୁ। ପଶ୍ଚିମ ଓଡ଼ିଶାର ବଲାଙ୍ଗିର ଜିଲ୍ଲା ବେଲପାହାଡ଼ ଗ୍ରାମପଞ୍ଚାୟତର ପାଣ୍ଡ୍ରିଜୋର ଗାଁରୁ ଏହି ଦମ୍ପତି ଆସିଛନ୍ତି। ଦେଶର ଗରିବତମ ଅଞ୍ଚଳ ଭିତରୁ ଏହା ଅନ୍ୟତମ।
ପଶ୍ଚିମ ଓଡ଼ିଶାର ଲୋକ - ଯେଉଁ ବୃହତ ଅଞ୍ଚଳରୁ ମୁଁ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ରିପୋର୍ଟ ସଂଗ୍ରହ କରୁଛି - ସେମାନେ ପ୍ରାୟ ୫୦ ବର୍ଷରୁ ଅଧିକ ସମୟ ଧରି ଦେଶାନ୍ତରୀ ହେଉଛନ୍ତି। କ୍ଷୁଧା, ଅନାହାର ମୃତ୍ୟୁ ଏବଂ ଶିଶୁ ବିକ୍ରି ପାଇଁ ଏହି ଅଞ୍ଚଳର ଅପଖ୍ୟାତି ଥିଲା। ଏସବୁ ଦାରିଦ୍ର୍ୟ ଏବଂ ଯୋଜନାର ପରିଣାମ।
୧୯୬୬-୭୭ ରେ ଦୁର୍ଭିକ୍ଷ ଭଳି ପରିସ୍ଥିତି ଲୋକଙ୍କୁ ଦେଶାନ୍ତର କରାଇଥିଲା। ୯୦ ଦଶକରେ କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର ଏବଂ ଅନ୍ୟ ଜିଲ୍ଲାଗୁଡ଼ିକରେ ଉତ୍କଟ ମରୁଡି ପରିସ୍ଥିତି ପୁଣି ଥରେ ଲୋକଙ୍କୁ ଦେଶାନ୍ତର କରାଇଥିଲା। ସେହି ସମୟରେ ଦେଖାଗଲା, ଯେଉଁମାନେ ଶାରୀରିକ କାମ କରିବାକୁ ସକ୍ଷମ ସେମାନେ ବାହାରକୁ କାମ ଖୋଜିବାକୁ ଚାଲିଗଲେ। ସେତେବେଳେ ଗାଁରେ କେବଳ ବୟସ୍କମାନେ ରହିଲେ।




