ବାଲାଜୀ ହଟ୍ଟଗାଲେ ଦିନେ ଆଖୁ କାଟୁଥିଲେ। ପରଦିନ ସେ ଆଉ ନଥିଲେ। ତାଙ୍କ ପିତାମାତା କହିଲେ ଯେ ସେମାନେ ଯଦି ଅଧିକ ଜାଣିଥାନ୍ତେ। ତାଙ୍କ ପିତା ବାବାସାହେବ ହଟ୍ଟଗାଲେ କୁହନ୍ତି, "ଏହି ଅନିଶ୍ଚିତତା ଆମକୁ ମୃତ୍ୟୁମୁଖକୁ ଠେଲି ଦେଉଛି"। ଜୁଲାଇ ମାସର ଏକ ସନ୍ଧ୍ୟାରେ, ଘନ ବାଦଲ ଦ୍ୱାରା ଆଚ୍ଛାଦିତ ତାଙ୍କର ଏକ କୋଠରୀ ବିଶିଷ୍ଟ ଇଟା ଘର ମଧ୍ୟରୁ ବାବାସାହେବ କଣ୍ଠରୁ ନିରାଶାରେ ଶୁଭୁଥିଲା,: “ଆମେ କେବଳ ଜାଣିବାକୁ ଚାହୁଁଛୁ ସେ ମୃତ ନା ଜୀବିତ ଅଛନ୍ତି"।
୨୦୨୦ ମସିହା ନଭେମ୍ବର ମାସରେ ବାବାବସାହେବ ଏବଂ ତାଙ୍କ ପତ୍ନୀ ସଙ୍ଗିତା ସେମାନଙ୍କର ୨୨ ବର୍ଷର ପୁଅକୁ ଶେଷଥର ପାଇଁ ଦେଖିଥିଲେ। ବାଲାଜୀ କର୍ଣ୍ଣାଟକର ବେଲାଗାଭି ଜିଲ୍ଲା (କିମ୍ବା ବେଲଗାମ୍) ର ଆଖୁ କ୍ଷେତରେ କାମ କରିବା ପାଇଁ ମହାରାଷ୍ଟ୍ରର ବିଡ୍ ଜିଲ୍ଲାର କାଡିୱାଡାଗାଁଓ ଗ୍ରାମରେ ଥିବା ନିଜ ଘରୁ ବାହାରି ଯାଇଥିଲେ।
ପଶ୍ଚିମ ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ଆଖୁ କାଟିବା ପାଇଁ ବର୍ଷର ୬ ମାସ ମରାଠାୱାଡା ସଂପ୍ରଦାୟରୁ କାମ ଅନ୍ୱେଷଣରେ ଯାଉଥିବା ଲକ୍ଷାଧିକ ଋତୁକାଳୀନ ଶ୍ରମିକମାନଙ୍କ ମଧ୍ୟରେ ସେ ଜଣେ ଥିଲେ। ପ୍ରତ୍ୟେକ ବର୍ଷ ଦୀପାବଳି ପର୍ବ ପରେ ନଭେମ୍ବର ମାସରେ ଶ୍ରମିକମାନେ ନିଜର ଗ୍ରାମରୁ ବାହାରି ଯାଇଥାନ୍ତି, ଏବଂ ମାର୍ଚ୍ଚ ବା ଏପ୍ରିଲ୍ ମାସରେ ଫେରିଆସନ୍ତି। କିନ୍ତୁ ବାଲାଜୀ ଏହି ବର୍ଷ ଫେରିଲେ ନାହିଁ।
ବାଲାଜୀ ପ୍ରଥମ ଥର ପାଇଁ ଏହି କାମ କରିବାକୁ ଘର ପରିତ୍ୟାଗ କରି ବାହାରକୁ ଯାଇଥିଲେ ଯେଉଁ କାମ ତାଙ୍କର ପିତା ମାତା ଦୀର୍ଘ ଦୁଇ ଦଶନ୍ଧି ଧରି କରିଆସୁଥିଲେ। ବାବାସାହେବ କୁହନ୍ତି, "ମୋର ସ୍ତ୍ରୀ ଓ ମୁଁ ପ୍ରାୟ ୨୦ ବର୍ଷ କିମ୍ବା ତାଠାରୁ ଅଧିକ ସମୟ ହେବ ଆଖୁ କାଟିବା ପାଇଁ ଯାଉଛୁ। [ଉଭୟ] ଆମେ ଗୋଟିଏ ଋତୁରେ ୬୦,୦୦୦ ରୁ ୭୦,୦୦୦ ହଜାର ଟଙ୍କା ରୋଜଗାର କରିଥାଉ।" ଏହା ଆମ ନିଶ୍ଚିତ ରୋଜଗାରର ଏକମାତ୍ର ଉତ୍ସ। ବିଡ୍ରେ ସାଧାରଣ ସମୟରେ ମଧ୍ୟ ଦିନ ମଜୁରିଆ କାମ ପାଇବା କଷ୍ଟକର ଅଟେ, ଏବଂ କୋଭିଡ ପରେ ଏହା ଆହୁରି ଖରାପ ହେଇଯାଇଛି।"
ପରିବାର ପାଇଁ ମହାମାରୀ ସମୟରେ କୃଷିକ୍ଷେତ୍ର ଓ ନିର୍ମାଣ ସ୍ଥଳରେ କାମ ଖୋଜିପାଇବା କଷ୍ଟକର ଥିଲା। ବାବାସାହେବ କୁହନ୍ତି, "୨୦୨୦ ମସିହା ମାର୍ଚ୍ଚ ମାସରୁ ନଭେମ୍ବର ମାସ ମଧ୍ୟରେ ଆମେ କୌଣସି ଟଙ୍କା ରୋଜଗାର କରିନଥିଲୁ"। କୋଭିଡ୍ -୧୯ ଆରମ୍ଭ ହେବା ପୂର୍ବ ମାସରେ ସେମାନେ ବିଡ୍ ୱାଡୱାନି ତାଲୁକାରେ ନିଜ ଗାଁରେ ରହୁଥିବା ସମୟରେ ବାବାସାହେବ ସାଧାରଣତଃ ସପ୍ତାହରେ ୨-୩ ଦିନ କାମ କରି ପ୍ରାୟ ଦିନକୁ ୩୦୦ ଟଙ୍କା ରୋଜଗାର କରୁଥିଲେ ।
ଗତ ବର୍ଷ ଯେତେବେଳେ ପୁଣିଥରେ କାମ ପାଇଁ ବାହାରକୁ ଯିବା ସମୟ ଆସିଲା, ବାବାସାହେବ ଓ ସଙ୍ଗୀତା ଘରେ ରହିବାକୁ ସ୍ଥିର କରିଥିଲେ କାରଣ ବାବାସାହେବଙ୍କ ବୃଦ୍ଧ ମା’ ରୋଗଗ୍ରସ୍ତ ଥିଲେ ଓ ତାଙ୍କର ସବୁସମୟରେ ସେବା ଆବଶ୍ୟକ ହେଉଥିଲା। ଵାବାସାହେବ କୁହନ୍ତି, ‘‘କିନ୍ତୁ ଆମକୁ ବଞ୍ଚିବା ପାଇଁ କିଛି କରିବାର ଥିଲା"। ତେଣୁ ଆମ ପରିବର୍ତ୍ତେ ମୋର ପୁଅ କାମ କରିବାକୁ ଯାଇଥିଲା।









