ସୂର୍ଯ୍ୟ ଅସ୍ତ ହୋଇଯାଇଥିଲେ । ଖୁବ୍ଶୀଘ୍ର ଅନ୍ଧକାର ବ୍ୟାପିବା ଆରମ୍ଭ କରିଥିଲା । ମୁଣ୍ଡରେ ଜାଳେଣିକାଠ, ବାସନ, ଇଟା, ଚାଉଳ, ଶୁଖୁଆ ଏବଂ ହାତରେ କିଛି ମସଲା ଧରି ବହୁ ସଂଖ୍ୟାରେ ଆଦିବାସୀ ଉତ୍ତର-ପୂର୍ବ ମୁମ୍ବାଇର ମୁଲୁନ୍ଦର ଅକ୍ଟ୍ରୋଇ ପୋଷ୍ଟ ଅଭିମୁଖେ ଯାତ୍ରା କଲେ । ଆୟୋଜକମାନଙ୍କ ଅନୁସାରେ ସେମାନଙ୍କର ସଂଖ୍ୟା ପ୍ରାୟ ୫୦ ହଜାର ହେବ । ଅବ୍ୟବହୃତ ହୋଇପଡ଼ିଥିବା ଏହି ପରିସରରେ ବିକ୍ଷୋଭକାରୀମାନେ ସେମାନଙ୍କର ଆସ୍ଥାନ ଜମାଇଲେ ।
ନିଜ ମୁଣ୍ଡ ଉପରେ ଜାଳେଣୀର ବୋଝକୁ ସଜାଡୁ ସଜାଡୁ ମନୁବାଇ ଗାୱରି କହିଲେ, “ଆମେ ଏଠାରେ ରହିବୁ । ଆମର ଆବଶ୍ୟକୀୟ ସବୁ ଜିନିଷ ଆମେ ନେଇ ଆସିଛୁ । ଜାଳେଣି ପାଇଁ କାଠ, ରୋଷେଇ କରିବା ଲାଗି ବାସନ, ଚାଉଳ-ସବୁକିଛିକୁ ଆମେ ଆଣିଛୁ । ଆମର ଦାବି ପୂରଣ ନ ହେବା ଯାଏ ଆମେ ଯିବୁନାହିଁ ।’’ ୬୦ ବର୍ଷୀୟ ମନୁବାଇ ୱର୍ଲି ସଂପ୍ରଦାୟର ହୋଇଥିବା ବେଳେ ଭିୱାଣ୍ଡି ତାଲୁକାର ଦିଘାସୀ ଗାଁରେ ସେ ରହନ୍ତି । ନିଜ ଗାଁର ଅନ୍ୟ ୭୦-୮୦ ଜଣଙ୍କ ସହିତ ସେ ମୋର୍ଚ୍ଚା ପାଇଁ ଆସିଛନ୍ତି ।
ଅକ୍ଟୋବର ୩୦ ତାରିଖ ଗୁରୁବାର ସକାଳ ୧୧ଟା ସମୟରୁ ୱର୍ଲି, କାଟକରି, ମହାଦେବ କୋଲି, ମା ଠାକୁର ଏବଂ ଅନ୍ୟ ସଂପ୍ରଦାୟର ଆସିବାସୀମାନେ ନାସିକ, ପାଲଘର, ରାଇଗଡ଼, ଥାନେ ଏବଂ ମୁମ୍ବାଇ ଜିଲ୍ଲାରୁ ଥାନେ ସହରକୁ ପ୍ରବେଶ କଲେ । ସେମାନେ ଭଡ଼ାଅଟୋ, ବସ୍, ଟ୍ରେନ୍ ଯୋଗେ ଦଳ ଦଳ ହୋଇ ଆସିଥିଲେ । ମଧ୍ୟାହ୍ନ ବେଳକୁ ପୁରୁଷ ଓ ମହିଳାଙ୍କର ବିଶାଳ ଦଳ ୨ କିମି ଦୂର ସାକେତ ନାକାରୁ ଥାନେ ସହରରେ ଥିବା ଜିଲ୍ଲାପାଳଙ୍କ ଅଫିସ୍ ଅଭିମୁଖେ ଯାତ୍ରା କଲେ । ସେମାନଙ୍କ ସହିତ କୃଷିଶ୍ରମିକ, ପୋର୍ଟର, ସଫେଇ କର୍ମୀ ଏବଂ ନିର୍ମାଣ ଶ୍ରମିକମାନେ ଥିଲେ ।








