ମୁଁ କେଉଁଠାରେ ଲେଖିଛି ଯେ ଆପଣ ଆମର ମୂଳୋତ୍ପାଟନ କରିଦେଇପାରନ୍ତି ଏବଂ ଆମକୁ ପାଣିରେ ବୁଡ଼ାଇ ପାରନ୍ତି । କିନ୍ତୁ ଶୀଘ୍ର ଆପଣଙ୍କ ପାଇଁ ପାଣିର ଅଭାବ ଦେଖାଦେବ। ଆପଣ ଆମର ଭୂଇଁ, ଆମର ପାଣି ଚୋରାଇ ନେଇପାରନ୍ତି, ତଥାପି ଆମେ ଆପଣଙ୍କର ଆଗାମୀ ପିଢ଼ିମାନଙ୍କ ପାଇଁ ଲଢ଼ିବୁ ଓ ମରିବୁ। ଜଳ, ଜଙ୍ଗଲ ଓ ଜମି ପାଇଁ ଆମର ସଂଘର୍ଷ କେବଳ ଆମର ନୁହେଁ, ଏଥିପର୍ଯ୍ୟନ୍ତ ଯେ ଆମ ମଧ୍ୟରୁ କେହି ବି ପ୍ରକୃତିଠାରୁ ଭିନ୍ନ ନୁହେଁ। ଆଦିବାସୀ ଜୀବନ ପ୍ରକୃତି ସହ ସମନ୍ୱୟରେ ତିଷ୍ଠି ରହେ। ଆମେ ନିଜକୁ ଏହାଠାରୁ ଅଲଗା ଦେଖୁନାହୁଁ । ଦେହୱାଲି ଭିଲିରେ ମୁଁ ଯେଉଁସବୁ କବିତା ଲେଖିଛି, ସେଥିରୁ ଅନେକ କବିତାରେ ମୁଁ ନିଜ ଲୋକଙ୍କର ମୂଲ୍ୟବୋଧକୁ ସଂରକ୍ଷିତ କରିବାକୁ ଉଦ୍ୟମ କରିଛି ।
ଆଦିବାସୀ ସମ୍ପ୍ରଦାୟଙ୍କ ବାବଦରେ ଆମର ବିଶ୍ୱଦୃଷ୍ଟି, ଆଗାମୀ ପିଢ଼ି ପାଇଁ ଏକ ଭିତ୍ତିଭୂମି ହୋଇପାରେ। ଯେପର୍ଯ୍ୟନ୍ତ ଆପଣ ସାମୁହିକ ଆତ୍ମହତ୍ୟା ପାଇଁ ପ୍ରସ୍ତୁତ ହେବେ ନାହିଁ, ସେପର୍ଯ୍ୟନ୍ତ ଆପଣଙ୍କ ପାଖରେ ସେହି ଜୀବନ, ସେହି ବିଶ୍ୱଦୃଷ୍ଟିକୁ ଫେରିବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ।


