୩୦ ନମ୍ବର ଜାତୀୟ ରାଜପଥରେ ଛତିଶଗଡ଼ର ରାଜଧାନୀ ରାୟପୁରରୁ ଆପଣ ବସ୍ତର ଜିଲ୍ଲା ମୁଖ୍ୟାଳୟ ଜଗଦଲପୁରକୁ ଯାଇପାରିବେ। ସେହି ରାସ୍ତାରେ କାଙ୍କେର ଜିଲ୍ଲାରେ ଗୋଟେ ଛୋଟ ସହର ଚରମା ପଡ଼ିବ। ଚରମାର ଟିକେ ପୂର୍ବରୁ ଗୋଟେ ଛୋଟ ଘାଟି ରହିଛି। କିଛି ସପ୍ତାହ ତଳେ ସେହି ଘାଟିରୁ ଗାଡ଼ି ଚଳାଇ ତଳକୁ ଯିବା ସମୟରେ ମୁଁ ପ୍ରାୟ ୧୦-୧୫ଟି ଗାଁ ଦେଖିଥିଲି। ସେଠାରେ ଅଧିକାଂଶ ମହିଳା ମୁଣ୍ଡରେ ଜାଳେଣିକାଠ ଲଦି ନିକଟସ୍ଥ ଜଙ୍ଗଲରୁ ଫେରୁଥିଲେ।
ସେମାନେ ସମସ୍ତେ ଜାତୀୟ ରାଜପଥ ନିକଟବର୍ତ୍ତୀ ଦୁଇଟି ଗାଁ କାଙ୍କେର ଜିଲ୍ଲାର କୋଚୱାହି ଏବଂ ବାଲୋଦ ଜିଲ୍ଲାର ମଚାନ୍ଦୁରର ବାସିନ୍ଦା ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଗୋଣ୍ଡ ଆଦିବାସୀ ଥିଲେ ଯେଉଁମାନେ ନାମମାତ୍ର ଚାଷୀ ବା କୃଷିଶ୍ରମିକ ଭାବେ କାମ କରୁଥିଲେ।






