ନା, ଆପାର୍ଟମେଣ୍ଟଗୁଡ଼ିକରେ ସାଜସଜ୍ଜା ପାଇଁ ଚିତ୍ରକଳା କରାଯାଇନଥାଏ । ଏହା ଶତ୍ରୁଙ୍କ ବିରୋଧରେ ଏକ ଅପମାନଜନକ ଏବଂ ପ୍ରତିରକ୍ଷାମୂଳକ ଅସ୍ତ୍ର ।
- ପାବଲୋ ପିକାସୋ


Pune, Maharashtra
|SAT, JUN 11, 2022
ଆତ୍ମାରାମ ସାଲ୍ଭେ: ବିପ୍ଳବର ବହ୍ନି
ତାଙ୍କର ଜନ୍ମବାର୍ଷିକୀରେ, ଶାହିର ଆତ୍ମାରାମ ସାଲ୍ଭେଙ୍କୁ ଶ୍ରଦ୍ଧାଞ୍ଜଳି, ଯାହାଙ୍କର ଅଗ୍ନିବର୍ଷୀ କବିତା ମରାଠାୱାଡ଼ାରେ ୧୯୭୦-୮୦ ଦଶକରେ ନମନ୍ତର ଆନ୍ଦୋଳନକୁ ରୂପରେଖ ଦେଇଥିଲା । ତାଙ୍କର ଗୀତଗୁଡ଼ିକ ଆଜି ମଧ୍ୟ ଦଳିତଙ୍କ ଅଧିକାର ପାଇଁ ସଂଘର୍ଷକୁ ପ୍ରୋତ୍ସାହିତ କରୁଛି
Author
Illustrations
Translator
ମରାଠୀ ଭାଷାରେ ଏକ କଥା ଅଛି : ‘‘ବାମନା ଘରୀ ଲିହନଂ, କୁଣବ୍ୟା ଘରୀ ଦାନଂ ଆଣି ମାଂଗା-ମହାରା ଘରୀ ଗାଣଂ’’ । ଜଣେ ବ୍ରାହ୍ମଣଙ୍କ ଘରେ ଅକ୍ଷର ଥାଏ, ଜଣେ କୁନ୍ବୀଙ୍କ ଘରେ ଶସ୍ୟ, ଏବଂ ମାଙ୍ଗ-ମହାରଙ୍କ ଘରେ ଥାଏ ସଂଗୀତ ।’’ ପାରମ୍ପରିକ ଗ୍ରାମୀଣ ଜୀବନରେ, ମାଙ୍ଗ ସମ୍ପ୍ରଦାୟ ହାଲ୍ଗୀ ବାଦନ କରନ୍ତି, ଗୋନ୍ଧାଲୀ ସମ୍ବଲ, ଧାନଗରମାନେ ଢୋଲ ବଜାଇବାରେ ଓସ୍ତାଦ, ଏବଂ ମହାରମାନେ ଏକତାରୀ ବଜାନ୍ତି । ବିଦ୍ୟା, କୃଷି, କଳା ଏବଂ ସଂଗୀତର ସଂସ୍କୃତି ଜାତି ଦ୍ୱାରା ବିଭାଜିତ ଥିଲା । ଆହୁରି ମଧ୍ୟ, ‘ଅସ୍ପୃଶ୍ୟ’ ବିବେଚନା କରାଯାଉଥିବା ଅନେକଗୁଡ଼ିଏ ଜାତି ପାଇଁ, ଗାଇବା ଏବଂ ସଂଗୀତ ପରିବେଷଣ କରିବା ଜୀବିକା ନିର୍ବାହର ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଥିଲା । ବହୁ ଶତାବ୍ଦୀ ଧରି ଉତ୍ପୀଡ଼ନ ଏବଂ ଭେଦଭାବର ସାମ୍ନା କରି, ଦଳିତମାନେ ନିଜର ଇତିହାସ, ସାହସିକତା, ଯନ୍ତ୍ରଣା, ଖୁସି ଓ ଦର୍ଶନକୁ ଜତ୍ୟାବର୍ଚି ଓଭି (ଗ୍ରାଇଣ୍ଡମିଲ୍ ଗୀତ ବା କବିତାଗୁଡ଼ିକ), ମୌଖିକ କାହାଣୀ, ଗୀତ ଏବଂ ଲୋକ ସଂଗୀତ ମାଧ୍ୟମରେ ସଂରକ୍ଷିତ କରିଛନ୍ତି । ଡକ୍ଟର ଆମ୍ବେଦକର ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିବା ବେଳକୁ, ମହାର ଲୋକମାନେ କବିରଙ୍କ ଦୋହା ପାଇଁ ଏକତାରୀ ବଜାଉଥିଲେ ଏବଂ ବିଠଲଙ୍କ ପାଇଁ ଭକ୍ତି ଗୀତ ଓ ଈଶ୍ୱରଙ୍କ ପୂଜା କରିବା ବେଳେ ଭଜନ ଗାଉଥିଲେ ।
ଯେତେବେଳେ ଡକ୍ଟର ଆମ୍ବେଦକର ଦଳିତ ରାଜନୀତିର ଦୃଶ୍ୟପଟ୍ଟରେ ଉଭା ହେଲେ, ୧୯୨୦ ପରେ, ଏହି କଳା ରୂପଗୁଡ଼ିକ ଏବଂ ସେଗୁଡ଼ିକର କଳାକାରମାନେ ତାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଜ୍ଞାନୋଦୟ ଆନ୍ଦୋଳନକୁ ପ୍ରଚାରିତ ଏବଂ ପ୍ରସାରିତ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇଲେ। ସେମାନେ ଡକ୍ଟର ଆମ୍ବେଦକରଙ୍କ ଆନ୍ଦୋଳନ ଦ୍ୱାରା ଆସିଥିବା ସାମାଜିକ ପରିବର୍ତ୍ତନ, ନିତିଦିନିଆ ଘଟଣା, ଏବଂ ଡକ୍ଟର ଆମ୍ବେଦକରଙ୍କ ଭୂମିକା, ତାଙ୍କର ବାର୍ତ୍ତା, ଜୀବନ ଓ ସଂଘର୍ଷର ବ୍ୟାଖ୍ୟା କଲେ – ସେହି ଭାଷାରେ ଯାହା ଯାହାକୁ ଅପାଠୁଆ ଓ ଅସୂଚିତ ବୁଝିପାରିବେ। ଥରେ ଯେତେବେଳେ ଡକ୍ଟର ଆମ୍ବେଦକର ଭୀମରାଓ କାର୍ଡକ ଓ ତାଙ୍କର ମଣ୍ଡଳୀକୁ ମୁମ୍ବାଇର ନଏଗାଁଓ ଅଞ୍ଚଳରେ ୱେଲ୍ଫେୟାର ଗ୍ରାଉଣ୍ଡରେ ଏକ ଜଲସା (ଗୀତ ମାଧ୍ୟମରେ ସାଂସ୍କୃତିକ ବିରୋଧ) କରୁଥିବା ଦେଖିଲେ, ସେତେବେଳେ ସେ କହିଲେ: ‘‘ମୋର ଦଶଟି ସଭା ଏବଂ ମେଳି କାର୍ଡକ ଓ ତାଙ୍କର ମଣ୍ଡଳୀର ଗୋଟିଏ ଜଲସା ସହ ସମାନ।’’
ଡକ୍ଟର ଆମ୍ବେଦକରଙ୍କ ଉପସ୍ଥିତିରେ ପ୍ରଦର୍ଶନ କରୁଥିବା ଶାହିର ଭେଗଡେ କହିଥିଲେ :
ଯୁବ ମହାର ପିଲା[ଆମ୍ବେଦକର] ଭାରି ଚତୁର ଥିଲା
ପ୍ରକୃତରେ, ଭାରି ଚତୁର
ଏହା ସାରା ପୃଥିବୀରେ ହୋଇନଥାନ୍ତା
ସେ ଆମକୁ ଅନ୍ଧକାରରୁ ବାହାରକୁ ରାସ୍ତା ଦେଖାଇଲା
ସେ ନିରୀହଙ୍କୁ ସଚେତନ କଲା

Keshav Waghmare

Keshav Waghmare
ଡକ୍ଟର ଆମ୍ବେଦକରଙ୍କର ଆନ୍ଦୋଳନ ଦଳିତମାନଙ୍କ ମଧ୍ୟରେ ଏକ ଜାଗରଣର ଲହର ଆଣିଲା। ଜଲସା ଏହି ଆନ୍ଦୋଳନର ଅସ୍ତ୍ର ଥିଲା, ଏବଂ ଶାହିରି (କବିତା ଆବୃତ୍ତି) ଥିଲା ମାଧ୍ୟମ - ଏବଂ ହଜାର ହଜାର ଜଣା ଓ ଅଜଣା କଳାକାର ।
ଆମ୍ବେଦକରଙ୍କ ଆନ୍ଦୋଳନ ଗାଁରେ ପହଞ୍ଚିବା ବେଳକୁ, ଦଳିତ ବସ୍ତିଗୁଡ଼ିକ (ବସତି)ରେ ଏକ ସାଧାରଣ ଦୃଶ୍ୟ ଦେଖାଯାଏ – ସେଥିମଧ୍ୟରୁ ଅଧା ଘର ଟିଣ ଛପର ହୋଇଥିବା ବେଳେ ଅଧା ଘର ଚାଳ ଛପର ହୋଇଥାଏ । ବସ୍ତିର ମଧ୍ୟ ଭାଗରେ ଏକ ପ୍ଲାଟଫର୍ମ ଥାଏ, ଯେଉଁଠାରେ ଏକ ନୀଳ ପତାକା ଉତ୍ତୋଳନ କରାଯାଏ । ଏବଂ ସେହି ନୀଳ ପତାକା ତଳେ, ପିଲା, ମହିଳା, ପୁରୁଷ ଏବଂ ବୟସ୍କମାନେ ଏକାଠି ହୋଇଥାନ୍ତି । ବୈଠକ ଅନୁଷ୍ଠିତ ହେଉଥିଲା, ଏବଂ ଏହି ବୈଠକଗୁଡ଼ିକରେ ବୁଦ୍ଧ-ଭୀମ ଗୀତ ଗାନ କରାଯାଉଥିଲା। ଛୋଟ ଓ ବଡ଼ କବିଙ୍କ ଦ୍ୱାରା ଲିଖିତ ଗୀତ ବହି ଚୈତ୍ୟଭୂମି (ମୁମ୍ବାଇରେ)ରୁ, ଦୀକ୍ଷାଭୂମି (ନାଗପୁରରେ)ରୁ ଏବଂ ଅନ୍ୟ ବଡ଼ ସହରରୁ ଅଣାଯାଉଥିଲା। ଯଦିଓ ଦଳିତ ବସ୍ତିରେ ପୁରୁଷ ଓ ମହିଳାମାନେ ନିରକ୍ଷର, ସେମାନେ ସ୍କୁଲ ଯାଉଥିବା ପିଲାଙ୍କୁ ଏହି ଗୀତଗୁଡ଼ିକୁ ପଢ଼ିବାକୁ କହିବେ, ଏବଂ ତା’ପରେ ସେଗୁଡ଼ିକୁ ଗାଇବାକୁ ମନେରଖିବେ। ବା ସେମାନେ ଜଣେ ଶାହିରଙ୍କ ଦ୍ୱାରା ଆବୃତ୍ତି କରାଯାଇଥିବା ଗୋଟିଏ ଗୀତ ମନେ ରଖିବେ ଏବଂ ପରେ ସେମାନଙ୍କର ବସ୍ତିରେ ଆବୃତ୍ତି କରିବେ। ଗୋଟିଏ ଦୀର୍ଘ କ୍ଳାନ୍ତିକର ଦିନ ପରେ ଫେରୁଥିବା କେତେକ ମହିଳା କୃଷି ଶ୍ରମିକ, ‘‘ଭୀମ ରାଜାର ଜୟ ! ବୁଦ୍ଧ ଭଗବାନ କୀ ଜୟ!’’ କହିବା ଆରମ୍ଭ କରିବେ, ଏବଂ ତା’ପରେ ଗାଇବେ – ଏବଂ ବସ୍ତିରେ ପରିବେଶକୁ ଏକ ଖୁସି, ଉତ୍କଣ୍ଠା ଏବଂ ଆଶାଜନକ ସ୍ଥିତିରେ ପରିବର୍ତ୍ତନ କରିବେ। ଏହି ଗୀତଗୁଡିକ ଗାଁର ଦଳିତମାନଙ୍କ ଲାଗି ଏକମାତ୍ର ବିଶ୍ୱବିଦ୍ୟାଳୟ ଥିଲା । ସେଗୁଡିକ ମାଧ୍ୟମରେ ହିଁ ପରବର୍ତ୍ତୀ ପିଢି ବୁଦ୍ଧ ଏବଂ ଆମ୍ବେଦକରଙ୍କର ବିଷୟରେ ପରିଚିତ ହେଲେ । ଏହି ଗାୟକ ଏବଂ ଶାହିରମାନଙ୍କର କଠୋର ଏବଂ ପ୍ରସ୍ତୁତ ଭାଷାରେ ଯୁବ ପିଢ଼ି ବୁଦ୍ଧ, ଫୁଲେ ଓ ଆମ୍ବେଦକରଙ୍କ ବାବଦରେ ଶକ୍ତିଶାଳୀ ଗୀତକୁ ନିଜର ମନରେ ସ୍ଥାପନ କଲେ – ଯେଉଁଠାରୁ ଏହାକୁ କେବେ ବି ଭୁଲିବା ଅସମ୍ଭବ ଥିଲା । ଶାହିରିମାନେ ଗୋଟିଏ ପୁରା ପିଢ଼ିର ସାମାଜିକ ଓ ସାଂସ୍କୃତିକ ଚେତନାକୁ ରୂପ ଦେଲେ । ଆତ୍ମାରାମ ସାଲ୍ଭେ ସେଭଳି ଜଣେ ଶାହିରି ଥିଲେ, ଯିଏ ମରାଠାୱାଡ଼ାର ସାମାଜିକ ସାଂସ୍କୃତିକ ଜାଗରଣକୁ ଢାଞ୍ଚାରେ ପକାଇବା ପାଇଁ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।
୯ ଜୁନ୍, ୧୯୫୩ ମସିହାରେ ବିଡ୍ ଜିଲ୍ଲା ମାଜଲଗାଓଁ ବ୍ଲକ୍ ଭାଟୱାଡ୍ଗାଓଁରେ ଜନ୍ମ ନେଇଥିବା ଶାହିଲ ସାଲ୍ଭେ ୧୯୭୦ ମସିହାରେ ଔରଙ୍ଗାବାଦରେ ଜଣେ ଛାତ୍ରଭାବେ ପହଞ୍ଚିଥିଲେ ।
ମରାଠାୱାଡା ଅଞ୍ଚଳ ନିଜାମଙ୍କ ଅଧୀନରେ ଥିଲା (୧୯୪୮ ପୂର୍ବରୁ) ଏବଂ ଏହି ଅଞ୍ଚଳର ବିକାଶ ଶିକ୍ଷା ସମେତ ବିଭିନ୍ନ ପ୍ରସଙ୍ଗରେ କ୍ଷତିଗ୍ରସ୍ତ ହୋଇଥିଲା । ଏଭଳି ସ୍ଥିତି ବିରୋଧରେ ଡ. ଆମ୍ବେଦକର ଔରଙ୍ଗାବାଦର ନାଗସେନ୍ଭନ୍ ଅଞ୍ଚଳରେ ପିପୁଲ୍ସ ଏଜୁକେସନ୍ ସେ।ସାଇଟି ତତ୍ୱାବଧାନରେ ୧୯୪୨ ମସିହାରେ ମିଲିନ୍ଦ ମହାବିଦ୍ୟାଳୟ ଆରମ୍ଭ କଲେ। ନାଗସେନଭନ କ୍ୟାମ୍ପସ ଦଳିତ ଛାତ୍ରଛାତ୍ରୀଙ୍କ ଲାଗି ଉଚ୍ଚଶିକ୍ଷାର ଏକ କେନ୍ଦ୍ରଭାବେ ବିକଶିତ ହେଉଥିଲା। ମିଲିନ୍ଦ କଲେଜ ପୂର୍ବରୁ ପୂରା ମରାଠାୱାଡାରେ ଔରଙ୍ଗାବାଦରେ କେବଳ ଏକ ସରକାରୀ କଲେଜ ଥିଲା-ସେଠାରେ କେବଳ ଇଣ୍ଟର ଯାଏ ପାଠ ପଢ଼ିବାର ବ୍ୟବସ୍ଥା ରହିଥିଲା! (ଇଣ୍ଟର ଅର୍ଥ ଇଣ୍ଟରମିଡିଏଟ୍ ଡିଗ୍ରୀ, ଏକ ପ୍ରି-ଡିଗ୍ରୀ ପାଠ୍ୟକ୍ରମ) । ମିଲିନ୍ଦ ମରାଠାୱାଡା ଅଞ୍ଚଳରେ ଅଣ୍ଡର ଗ୍ରାଜୁଏଟ୍ ଶିକ୍ଷା ଲାଗି ପ୍ରଥମ କଲେଜ ଥିଲା । ଏହି ନୂଆ କଲେଜ ସେହି ଅଞ୍ଚଳରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲା । ସମାନ ସମୟରେ ଏହା ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ପରିବେଶକୁ ବଦଳାଇ ଦେଲା । ଏହା ଏକ ମରୁଥିବା ସମାଜ ଓ ଅଞ୍ଚଳରେ ଜୀବନ ଆଣିଲା -ଏବଂ ପରିଚୟ ଓ ଆତ୍ମମୂଲ୍ୟର ଭାବନା ସଂପର୍କରେ ସଚେତନ କଲା । ମିଲିନ୍ଦକୁ କେବଳ ମହାରାଷ୍ଟ୍ରର କୋଣ ଅନୁକୋଣରୁ ନୁହେଁ ବରଂ କର୍ଣ୍ଣାଟକ, ଆାନ୍ଧ୍ରପ୍ରଦେଶ ଏବଂ ଗୁଜରାଟ ଭଳି ରାଜ୍ୟରୁ ଛାତ୍ରଛାତ୍ରୀମାନେ ଆସିବା ଆରମ୍ଭ କଲେ । ଏହି ସମୟରେ ହିଁ ଆତ୍ମରାମ ମିଲିନ୍ଦକୁ ଜଣେ ଛାତ୍ର ଭାବେ ପ୍ରବେଶ କଲେ । ମରାଠାୱାଡା ବିଶ୍ୱବିଦ୍ୟାଳୟ (ଔରଙ୍ଗାବାଦ)ର ନାମ ପରିବର୍ତ୍ତନ ଆନ୍ଦୋଳନ ଯାହାକି ଏହି କ୍ୟାମ୍ପସ୍ରୁ ଆରମ୍ଭ ହୋଇଥିଲା ଦୁଇ ଦଶନ୍ଧି ଧରି ତାଙ୍କର ଦୀପ୍ତିମାନ କବିତା ମାଧ୍ୟମରେ ସେଥିରେ ହଇଚଇ ଖେଳିଯାଇଥିଲା। ଗୋଟିଏ ପଟେ କହିବାକୁ ଗଲେ ସେ ନମନ୍ତର (‘ନାମ ପରିବର୍ତ୍ତନ କରିବା’)ର ସାଂସ୍କୃତିକ ସକ୍ରିୟତା ଓ ଦଳିତ ପାନ୍ଥର ଆନ୍ଦୋଳନ ଲାଗି ସଂପୂର୍ଣ୍ଣ ଭାବେ ଉତ୍ତରଦାୟୀ ଥିଲେ ।

Labani Jangi
୧୯୭୦ ଏକ ଅଶାନ୍ତ ଦଶକ ଥିଲା । ଏହା ସ୍ୱାଧୀନ ଭାରତର ପ୍ରଥମ ପିଢ଼ିର ଯୁବ ପୁରୁଷ ଓ ମହିଳାଙ୍କର ଯୁଗ ଥିଲା । ଅନେକ ଯୁବପିଢ଼ି ହାତରେ ଡିଗ୍ରୀ ଧରି ବାହାରିଲେ କିନ୍ତୁ ସ୍ୱାଧୀନତା (୧୯୪୭)ପରର ସ୍ଥିତିରୁ ସେମାନଙ୍କର ମୋହଭଙ୍ଗ ହୋଇଯାଇଥିଲା । ଅନେକ ଘଟଣା ସେମାନଙ୍କ ଉପରେ ବ୍ୟାପକ ପ୍ରଭାବ ପକାଇଲା: ଜରୁରିକାଳୀନ ସ୍ଥିତି; ପଶ୍ଚିମବଙ୍ଗରେ ନକ୍ସଲବାରି; ତେଲଙ୍ଗାନା ରାଜ୍ୟ ଆନ୍ଦୋଳନ; ବିହାରରେ ଜୟପ୍ରକାଶ ନାରାୟଣଙ୍କ ନବନିର୍ମାଣ ଆନ୍ଦୋଳନ; ଗୁଜରାଟ ଓ ବିହାରରେ ଓବିସି ସଂରକ୍ଷଣ ଆନ୍ଦୋଳନ; ନିକଟରେ ସଂଯୁକ୍ତ ମହାରାଷ୍ଟ୍ର ଆନ୍ଦୋଳନ; ମୁମ୍ବାଇରେ ମିଲ୍ ଶ୍ରମିକଙ୍କ ସଂଘର୍ଷ; ଶହଦ ଆନ୍ଦୋଳନ; ସବୁଜ ବିପ୍ଲବ; ମରାଠାୱାଡା ମୁକ୍ତି ଆନ୍ଦୋଳନ; ଏବଂ ମରାଠାୱାଡାରେ ମରୁଡ଼ି । ଯୁବଗୋଷ୍ଠୀ ଏବଂ ଦେଶ ଅଶାନ୍ତିରେ ଥିଲା, ଏବଂ ବିକାଶ ଓ ପରିଚୟ ଲାଗି ସଂଘର୍ଷ ବ୍ୟାପକ ହେଲା ।
ମରାଠାୱାଡା ରିପବ୍ଲିକାନ୍ ଷ୍ଟୁଡେଣ୍ଟସ୍ ଫେଡେରସନ୍ ଅଧୀନରେ ଡ. ମଛିନ୍ଦ୍ର ମୋହଲଙ୍କ ତତ୍ତ୍ୱାବଧାନରେ ନାଗସେନଭନ୍ କ୍ୟାମ୍ପସରେ ପହଞ୍ଚିବା ପରେ ସଚେତନ ହୋଇଥିବା ଛାତ୍ରଛାତ୍ରୀମାନେ ମରାଠାୱାଡା ଅଞ୍ଚଳରେ ଥିବା ଦୁଇଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ଗୋଟିଏକୁ ଡ. ଆମ୍ବେଦକରଙ୍କ ନାଁରେ କରିବାକୁ ୧୯୭୪ ମସିହା ଜୁନ୍ ୨୬ ତାରିଖରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଲେ। କିନ୍ତୁ ନାମ ପରିବର୍ତ୍ତନ (ନମନ୍ତର) କରିବାର ଏହି ଦାବି ଏକ ସଂଗଠିତ ରୂପ ନେଲା ଯେତେବେଳେ ଭାରତୀୟ ଦଳିତ ପାନ୍ଥର ଏଥିରେ ସାମିଲ ହେଲେ । ନାମଦେଓ ଧସାଲ ଏବଂ ରାଜା ଧାଲେଙ୍କ ମଧ୍ୟରେ ମତଭେଦ ଯୋଗୁ ଧାଲେ ଦଳିତ ପାନ୍ଥରର ବିଘଟନ ଘୋଷଣା କରିଥିଲେ । କିନ୍ତୁ ମହାରାଷ୍ଟ୍ରରେ ଦଳିତ ପାନ୍ଥରଙ୍କ କାମ ଜାରି ରଖିବାକୁ ପ୍ରଫେସର ଅରୁଣ କାମ୍ବଲେ, ରାମଦାସ ଅଠାୱଲେ, ଗଙ୍ଗାଧର ଗାଡେ ଏବଂ ଏସ.ଏମ୍ ପ୍ରଧାନଙ୍କ ନେତୃତ୍ୱରେ ‘ଭାରତୀୟ ଦଳିତ ପାନ୍ଥର’ ନାମରେ ଏକ ଗ୍ରୁପ୍ ଗଠିତ ହେଲା ।
ନବଗଠିତ ଭାରତୀୟ ଦଳିତ ପାନ୍ଥର ବିଷୟରେ ଆତ୍ମାରାମ ସାଲଭେ ଲେଖିଛନ୍ତି:
ମୁଁ ଜଣେ ପାନ୍ଥର ସୈନିକ
କାମ୍ବଲେ ଅରୁଣ ସରଦାର
ଆମେ ସମସ୍ତେ ଜୟ ଭୀମ ବାଲା
ନ୍ୟାୟ ପାଇଁ ଲଢ଼େଇ କରୁଛୁ
ସୈନିକମାନେ ଭୟଭୀତ ନୁହନ୍ତି
ଆମେ କାହାରିକୁ ଭୟ କରୁନା
ଆମେ ଅନ୍ୟାୟକୁ ଧୂଳିସାତ୍ କରିବୁ
ଏବଂ ଆଗକୁ ବଢ଼ିବୁ
ଦଳିତ, କୃଷକ, ଶ୍ରମିକମାନେ ଉଠ
ଚାଲ ଏକଜୁଟ ହେବା ଏବଂ ଆମ ହାତ ଉଠାଇବା
ଏହି ଗୀତ ସହ, ସାଲ୍ଭେ ନୂଆ ପାନ୍ଥରଙ୍କୁ ସ୍ୱାଗତ କଲେ, ଏବଂ ସେ ‘ମରାଠାୱାଡ଼ା ଉପସଭାପତି’ ଭାବେ ଦାୟିତ୍ୱ ନେଲେ । ୧୯୭୭ ଜୁଲାଇ ୭ରେ ନବଗଠିତ ଭାରତୀୟ ଦଳିତ ପାନ୍ଥରର ସାଧାରଣ ସମ୍ପାଦକ ଗଙ୍ଗାଧର ଗାଡ଼େ, ମରାଠୱାଡ଼ା ବିଶ୍ୱବିଦ୍ୟାଳୟକୁ ଡକ୍ଟର ଆମ୍ବେଦକରଙ୍କ ନାମରେ ନାମିତ କରିବା ପାଇଁ ପ୍ରଥମ ସର୍ବସାଧାରଣ ଦାବି ଉଠାଇଲେ ।

Keshav Waghmare

Keshav Waghmare
୧୯୭୭ ଜୁଲାଇ ୧୮ରେ, ସମସ୍ତ କଲେଜଗୁଡ଼ିକ ବନ୍ଦ ହୋଇଗଲା, ଏବଂ ସର୍ବଦଳୀୟ ଛାତ୍ର କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ମରାଠାୱାଡ଼ା ବିଶ୍ୱବିଦ୍ୟାଳୟର ନମନ୍ତର ଦାବିରେ ଏକ ବିଶାଳ ଶୋଭାଯାତ୍ରା କରାଗଲା। ସେତେବେଳେ, ୧୯୭୭ ଜୁଲାଇ ୨୧ରେ, ଔରଙ୍ଗାବାଦର ସରକାରୀ ଇଞ୍ଜିନିୟରିଂ କଲେଜ, ସରସ୍ୱତୀ ଭୂବନ କଲେଜ, ଦେଓଗିରି କଲେଜ ଏବଂ ବିବେକାନନ୍ଦ କଲେଜର ସବର୍ଣ୍ଣ ( ହିନ୍ଦୁ ଜାତି) ଛାତ୍ରମାନେ ପୁନଃନାମକରଣ ଦାବି ବିରୋଧରେ ପ୍ରଥମ ବିକ୍ଷୋଭ କଲେ। ନମନ୍ତରର ସପକ୍ଷ ଓ ବିରୋଧରେ ବିକ୍ଷୋଭ, ହରତାଳ ଓ ଶୋଭାଯାତ୍ରାର ଧାରା ଚାଲିଲା। ପରବର୍ତ୍ତୀ ଦୁଇ ଦଶକ ଧରି, ମରାଠାୱାଡ଼ା ଦଳିତ ଓ ଅଣଦଳିତଙ୍କ ମଧ୍ୟରେ କଳହର ମଇଦାନ ହୋଇଗଲା। ଏହି ଯୁଦ୍ଧ ମଇଦାନରେ, ଆତ୍ମାରାମ ସାଲ୍ଭେ ତାଙ୍କ ଶାହିରି, ତାଙ୍କ ସ୍ୱର, ଏବଂ ତାଙ୍କର ଶବ୍ଦକୁ, ‘‘ଦଳିତଙ୍କ ଉପରେ ଲଦି ଦିଆଯାଇଥିବା ଜାତି ଯୁଦ୍ଧ ବିରୋଧରେ’’ ଅସ୍ତ୍ର ଭାବେ ବ୍ୟବହାର କଲେ।
ଆତ୍ମାରାମ ସାଲ୍ଭେଙ୍କର ଏମିତି ସମୟରେ ଉତ୍ଥାନ ହେଲା ଯେତେବେଳେ ଆମ୍ବେଦକରଙ୍କ ଆନ୍ଦୋଳନକୁ ଦେଖିଥିବା ଓ ଅନୁଭବ କରିଥିବା ଶାହିର-ଯେମିତିକି ଶାହିର ଆନ୍ନାଭାଉ ସାଥେ, ଭୀମରାଓ କାର୍ଦ୍ଦାକ୍, ଶାହିର ଘେଗ୍ଡେ, ଭାଉ ଫାକ୍କଡ, ରାଜାନନ୍ଦ ଗଡ଼ପାୟଲେ ଏବଂ ୱାମାନ୍ କାର୍ଦ୍ଦାକ – ସାମାଜିକ ସାସ୍କୃତିକ ପରିବେଶରେ ଆଉ ଉପସ୍ଥିତ ନ ଥିଲେ ।
ଆମ୍ବେଦକରଙ୍କ ପରବର୍ତ୍ତୀ ସମୟରେ ବିଳାସ ଘୋଗରେ, ଦଳିତାନନ୍ଦ ମୋହନଜୀ ହାଟକର ଏବଂ ବିଜୟାନନ୍ଦ ଯାଦବଙ୍କ ଭଳି ଶାହିରମାନେ ଡକ୍ଟର ଆମ୍ବେଦକରଙ୍କ ଆନ୍ଦୋଳନ ବା ଧର୍ମ ପରିବର୍ତ୍ତନର ଅବଧିକୁ ଦେଖିନଥିଲେ। ଗୋଟିଏ ଅର୍ଥରେ ସେମାନେ ସଫା ସ୍ଲେଟ୍ ଥିଲେ । ଗ୍ରାମାଞ୍ଚଳରୁ ଏହି ଶାହିରମାନେ ବାବାସାହେବ (ଡକ୍ଟର ଆମ୍ବେଦକର) ଏବଂ ତାଙ୍କ ଆନ୍ଦୋଳନ ସହ ବହି ମାଧ୍ୟମରେ ପରିଚିତ ହେଲେ। ତେଣୁ ସେମାନଙ୍କର ଶାହିରି ଅଗ୍ନିବର୍ଷୀ ଥିଲା, ଏବଂ ଆତ୍ମାରାମ ସାଲ୍ଭେଙ୍କ ଗୀତଗୁଡ଼ିକ ସେହିଭଳି ଥିଲା ।
ନମନ୍ତରର ଏହି ପ୍ରସଙ୍ଗ କେବଳ ନାମ ପରିବର୍ତ୍ତନ ସମ୍ପର୍କରେ ନ ଥିଲା । ଏହା ମଧ୍ୟ ନୂଆ କରି ମିଳିଥିବା ପରିଚୟ ସମ୍ପର୍କରେ ସଚେତନତା ଏବଂ ମଣିଷ ହୋଇଥିବାର ଚେତନା ବାବଦରେ ମଧ୍ୟ ଥିଲା ।
ଯେତେବେଳେ ମୁଖ୍ୟମନ୍ତ୍ରୀ ବସନ୍ତଦାଦା ପାଟିଲ, ନମନ୍ତର ଆନ୍ଦୋଳନକୁ ସମର୍ଥନ କରିବାରୁ ପଛକୁ ହଟିଗଲେ, ଆତ୍ମାରାମ ସାଲ୍ଭେ ଲେଖିଲେ:
ବସନ୍ତଦାଦା, ଆମ ସହ ଲଢ଼େଇ କରନାହିଁ
ତୁମେ କେବଳ ତୁମ ଆସନ ହରାଇବ
ଏହି ଦଳିତମାନେ କ୍ଷମତା ଦଖଲ କରିବେ
ତୁମେ କୋଣଠେସା ହୋଇଯିବ
ତୁମେ କ୍ଷମତାର ନିଶାରେ ଅଛ
ଏଠାକୁ ଦେଖ, ତୁମର ଏକଛତ୍ରବାଦ ଛାଡ଼ିଦିଅ
ତୁମର ନିରଙ୍କୁଶ ଶାସନ ଚାଲିପାରିବ ନାହିଁ
କେଶରବାଇ ଘୋଟମୁଖେ ଗାଉଥିବା ଦେଖନ୍ତୁ ‘ହେ ବସନ୍ତଦାଦା, ଆମ ସହ ଲଢ଼େଇ କରନାହିଁ’
ପୋଲିସ ଅଧିକାଂଶ ସମୟରେ ସାମାଜିକ ସୌହାର୍ଦ୍ଦ୍ୟ ବିଗାଡ଼ିବା ଅଭିଯୋଗରେ
ତାଙ୍କର କାର୍ଯ୍ୟକ୍ରମ ବନ୍ଦ କରିଦିଅନ୍ତି, କିନ୍ତୁ ଆତ୍ମାରାମ କେବେ ବି ପ୍ରଦର୍ଶନ କରିବା
ବନ୍ଦ କରିନାହାନ୍ତି
ଆତ୍ମାରାମ ସାଲ୍ଭେ କେବଳ ଗୀତ ଲେଖିଲେ ତାହା ନୁହେଁ ବରଂ ବସନ୍ତଦାଦା ପାଟିଲ ନାନ୍ଦେଡ଼ ଗସ୍ତ କରିଥିବା ବେଳେ ହଜାର ହଜାର ଲୋକଙ୍କ ଆଗରେ ଏହାକୁ ପ୍ରଦର୍ଶନ ମଧ୍ୟ କଲେ । ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଗଲା । ତାଙ୍କର ସାରା ଜୀବନରେ ରାଜନୈତିକ ‘ଅପରାଧ’ର ଧାରା ଜାରି ରହିଲା । ୧୯୭୮ରୁ୧୯୯୧ ସାଲ୍ଭେଙ୍କ ମୃତ୍ୟୁ ଯାଏଁ, ମହାରାଷ୍ଟ୍ରର ବିଭିନ୍ନ ପୋଲିସ ଷ୍ଟେସନରେ ସଂଘର୍ଷ, ସରକାରୀ କାମରେ ପ୍ରତିବନ୍ଧକ ସୃଷ୍ଟି, ଦଙ୍ଗା କରିବା ଏବଂ ସାମାଜିକ ସୌହାର୍ଦ୍ଦ୍ୟ ଭଙ୍ଗ କରିବା ଅଭିଯୋଗରେ ତାଙ୍କ ବିରୋଧରେ ଅନେକ ମାମଲା ରୁଜୁ କରାଯାଇଥିଲା । ଏବଂ ତାଙ୍କ ଉପରେ ଅନେକ ମରଣାନ୍ତକ ଆକ୍ରମଣ ହୋଇଥିଲା । ଡେଗଲୁରର ବାସିନ୍ଦା ଚନ୍ଦ୍ରକାନ୍ତ ଥାନେକର, ସାଲ୍ଭେଙ୍କ ବନ୍ଧୁ ଏବଂ ସହଯୋଗୀ ମନେପକାନ୍ତି : ‘‘୧୯୮୦ରେ ଡେଗଲୁର ବ୍ଲକ୍ [ନାନ୍ଦେଡ଼ ଜିଲ୍ଲା]ର ମାର୍ଖେଲ ଗାଁରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ସାଲ୍ଭେଙ୍କ ବିରୋଧରେ ଡାକ୍ତର ନାଭାଲଙ୍କୁ ମରଣାନ୍ତକ ଆକ୍ରମଣର ଅଭିଯୋଗ ଲାଗିଥିଲା, ଯେତେବେଳେ ସେ ସଂପୃକ୍ତ ଡାକ୍ତରଙ୍କୁ ପ୍ରଶ୍ନ କରିଥିଲେ ଯିଏ ବେନ୍ନାଲ ଗାଁର ଜଣେ ଦଳିତ ଶ୍ରମିକ କାଲେ’ଙ୍କର ହତ୍ୟା ମାମଲାରେ ଏକ ମିଛ ମୃତ୍ୟୁ ପ୍ରମାଣପତ୍ର ଜାରି କରିଥିବା ନେଇ ଅଭିଯୁକ୍ତ ଥିଲେ। ସେଥିପାଇଁ ସେ, ରାମ ଖାର୍ଗେ ଏବଂ ମୁଁ ଦୁଇ ବର୍ଷର କଠୋର ଜେଲ୍ ଦଣ୍ଡ ଏବଂ ୫୦୦ ଟଙ୍କା ଜରିମାନାରେ ଦଣ୍ଡିତ ହେଲୁ। ପରେ ଉଚ୍ଚ ଅଦାଲତ ଆମକୁ ମୁକ୍ତ କଲେ।’’
ସମାନ ମାର୍ଖେଲ ଗାଁରେ, ନାଗରବାଇ ସୋପାନ ୱାଜାରକର, ଜଣେ ୭୦ ବର୍ଷୀୟା ମହିଳା, ମୋତେ ଆତ୍ମାରାମ ସାଲ୍ଭେଙ୍କ ହାତଲେଖା ସଂଗୀତ ଥିବା ଏକ ଖାତା ଦେଲେ। ସେ ଏକ ମାଟି ପାତ୍ରରୁ ଏହାକୁ ଆଣିଲେ, ଯେଉଁଥିରେ ଏହାକୁ ୪୦ ବର୍ଷ ଧରି ନିରାପଦରେ ରଖାଯାଇଥିଲା। ସେ ନାଗରବାଇ ହିଁ ଥିଲେ ଯିଏ ମାର୍ଖେଲ୍ରେ ଆକ୍ରମଣ ବେଳେ ଆତ୍ମାରାମ ସାଲ୍ଭେଙ୍କ ଜୀବନ ବଞ୍ଚାଇଥିଲେ । ଆଉ ଏକ ଘଟଣାକ୍ରମରେ, ମାଜଲଗାଁଓର ବ୍ୟବସାୟୀମାନେ ପାନ୍ଥରଙ୍କ ପକ୍ଷରୁ ଡାକରା ଦିଆଯାଇଥିବା ବନ୍ଦ ପାଇଁ ଆତ୍ମାରାମ ସାଲ୍ଭେଙ୍କୁ ନିଷ୍କାସିତ କରିବାକୁ ଦାବି କରି ଏକ ବିରୋଧ ଶୋଭାଯାତ୍ରା କଲେ । ତା’ପରେ ବିଡ୍ ଜିଲ୍ଲାରେ ପ୍ରବେଶ କରିବାକୁ ତାଙ୍କ ଉପରେ କଟକଣା ଲଗାଗଲା । ମୁଖେଡ଼ର ତେଜାରାଓ ଭାଦ୍ରେ, ଯିଏକି ଆତ୍ମାରାମ ପ୍ରଦର୍ଶନ କରିବା ବେଳେ ହାରମୋନିୟମ ବଜାଉଥିଲେ, ସେ କହନ୍ତି : ‘‘ଆତ୍ମାରାମ ତାଙ୍କ ଭାଷଣରେ ଭାବୁକ ଏବଂ ଗୀତଗୁଡ଼ିକରେ ଉତ୍ତେଜକ ଥିଲେ । ଦଳିତଙ୍କୁ ତାଙ୍କ କଥା ଶୁଣିବାକୁ ଭଲ ଲାଗୁଥିଲା, କିନ୍ତୁ ସବର୍ଣ୍ଣ ଲୋକେ ଅସନ୍ତୁଷ୍ଟ ହୋଇଗଲେ । ଏମିତିକି ଅଧିକାଂଶ ସମୟରେ ସେମାନେ ପଥର ଫିଙ୍ଗୁଥିଲେ । ଯେତେବେଳେ ଆତ୍ମାରାମ ଗାଉଥିଲେ, ସାମ୍ନାରେ ବସିଥିବା ଲୋକେ ମଞ୍ଚ ଆଡ଼କୁ ମୁଦ୍ରା ପକାଉଥିଲେ, ଯେତେବେଳେ କି ତାଙ୍କ ଦ୍ୱାରା ଅପମାନିତ ହେଉଥିବା ଲୋକେ ଅଧିକାଂଶ ସମୟରେ ପଥର ଫିଙ୍ଗୁଥିଲେ । ଜଣେ ଶାହିର ଭାବେ ଏକ ସମୟରେ ସେ ଭଲପାଇବା ଓ ଘୃଣାର ପାତ୍ର ଥିଲେ – ଏବଂ ଏହା ସାଧାରଣ ଥିଲା । କିନ୍ତୁ ପଥର ଫିଙ୍ଗା ଆତ୍ମାରାମଙ୍କୁ ଗାଇବାରୁ ବିରତ କରିପାରିନଥିଲା । ସେ ତାଙ୍କର ଗୀତରେ ସମସ୍ତ ଶକ୍ତି ଲଗାଉଥିଲେ ଏବଂ ଲୋକଙ୍କୁ ନିଜର ଗୌରବ ଓ ସମ୍ମାନ ପାଇଁ ଲଢ଼େଇ କରିବାକୁ ଆବେଦନ କରୁଥିଲେ । ସେମାନେ ଅନ୍ୟାୟ ବିରୋଧରେ ଲଢ଼େଇ କରନ୍ତୁ ବୋଲି ସେ ଚାହୁଁଥିଲେ।’’
ଅଧିକାଂଶ ସମୟରେ ପୋଲିସ ତାଙ୍କର କାର୍ଯ୍ୟକ୍ରମକୁ ସାମାଜିକ ସୌହାର୍ଦ୍ଦ୍ୟ ଭଙ୍ଗ କରିବା ଅଭିଯୋଗରେ ବନ୍ଦ କରିଦେଉଥିଲେ, କିନ୍ତୁ ଆତ୍ମାରାମ ପ୍ରଦର୍ଶନ କରିବାରୁ ବିରତ ହେଉନଥିଲେ । ଫୁଲେ ପିମ୍ପାଲଗାଁଓର ଶାହିର ଭୀମସେନ ସାଲ୍ଭେ, ଯିଏ କି ପ୍ରଦର୍ଶନ ସମୟରେ ଆତ୍ମାରାମଙ୍କର ସହଯୋଗୀ ଥିଲେ, ମନେପକାନ୍ତି : ‘‘ଆତ୍ମାରାମ ସାଲ୍ଭେଙ୍କୁ ବିଡ୍ ଜିଲ୍ଲାରେ ପ୍ରବେଶ ନେଇ କଟକଣା ଲଗାଯାଇଥିଲା, କିନ୍ତୁ ଗୋଟିଏ ରାତିରେ, ତାଙ୍କର ଶାହିରିକୁ ଜିଲ୍ଲାର ସୀମା ମଧ୍ୟରେ ପ୍ରଦର୍ଶନ କରିବାକୁ ଥିଲା । କେହି ଜଣେ ପୋଲିସକୁ ଏ ବାବଦରେ ସୂଚିତ କରିଦେଲା । ସେମାନେ ଆସିଲେ ଏବଂ ଆତ୍ମାରାମଙ୍କୁ ବନ୍ଦ କରିବାକୁ କହିଲେ । ତା’ପରେ ଆତ୍ମାରାମ ଗାଁ ଦେଇ ପ୍ରବାହିତ ହେଉଥିବା ନଦୀ ପାର୍ କଲେ ଏବଂ ଅନ୍ୟ ପଟକୁ ଚାଲିଗଲେ । ସେହି ଅଂଶ ଜିଲ୍ଲା ସୀମା ବାହାରେ ଆସୁଥିଲା, ଏବଂ ଆତ୍ମାରାମ ସେଠାରୁ ଗାଇବା ଆରମ୍ଭ କଲେ । ଲୋକେ ନଦୀ କୂଳରେ ଅନ୍ଧାରରେ ବସି ତାଙ୍କ ଗୀତ ଶୁଣିଲେ । ଗାୟକ ଜିଲ୍ଲା ବାହାରେ ଥିଲେ ଏବଂ ଶ୍ରୋତାମାନେ ଥିଲେ ଜିଲ୍ଲାର ସୀମା ଭିତରେ । ପୋଲିସ ଥିଲା ଅସହାୟ ! ଏହା ଆନନ୍ଦଦାୟକ ଥିଲା ।’’ ଆତ୍ମାରାମ ଏହିଭଳି ଅନେକ ପରିସ୍ଥିତିର ସାମ୍ନା କରିଥିଲେ, କିନ୍ତୁ ସେ ଗାଇବା ବନ୍ଦ କରନଥିଲେ । ଗାଇବା ହିଁ ଥିଲା ତାଙ୍କର ଜୀବନର ବଳ ।
ଶାହିର ଅଶୋକ ନାରାୟଣ ଚୌରେଙ୍କୁ ଗାଉଥିବା ଦେଖନ୍ତୁ ‘ମୋର ସହଯୋଗୀମାନେ ନମନ୍ତରର ଯୁଦ୍ଧରେ ଲଢ଼େଇ କର’
ଦୁଇ ଦଶକ ଧରି ଆତ୍ମାରାମ ସାଲ୍ଭେଙ୍କର ଦୀପ୍ତିମାନ କବିତା ମାଧ୍ୟମରେ
ମରାଠାୱାଡ଼ା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ
ଆନ୍ଦୋଳନରେ ହଇଚଇ ଖେଳିଗଲା
ଆଡ଼ଭୋକେଟ ଏକନାଥ ଅୱଦ, ମାନବୀ ହକ୍କା ଅଭିଯାନ (ବିଡ୍ରେ)ର ପ୍ରତିଷ୍ଠାତା ସଭାପତି, ତାଙ୍କର ଆତ୍ମଜୀବନୀ ଜଗ୍ ବଦଲ ଘଲୁନି ଘାଓ (ଷ୍ଟ୍ରାଇକ୍ ଏ ବ୍ଲୋ ଟୁ ଚେଞ୍ଜ ଦି ୱାର୍ଲଡ, ଜେରି ପିଣ୍ଟୋଙ୍କ ଦ୍ୱାରା ଅନୁବାଦିତ) ରେ ଆତ୍ମାରାମଙ୍କ ସହ ସମ୍ପର୍କିତ ଏକ ଘଟଣା ଲେଖିଛନ୍ତି: ‘‘ଆତ୍ମାରାମ ସାମାଜିକ ସୌହାର୍ଦ୍ଦ୍ୟ ନଷ୍ଟ କରିବାର କାରଣ ହେବା, ତାଙ୍କ ଶାହିରି ମାଧ୍ୟମରେ ଲୋକଙ୍କୁ ଉତ୍ତେଜିତ କରିବା ଅଭିଯୋଗରେ ତାଙ୍କୁ ବିଡ୍ ଜିଲ୍ଲାରୁ ବିତାଡ଼ିତ କରାଯାଇଥିଲା । ତେଣୁ, ସେ ନାନ୍ଦେଡ଼ରେ ଥିଲେ । ଆମେ ପାନ୍ଥରମାନଙ୍କର ଏକ ଜିଲ୍ଲା ଶାଖା ଆରମ୍ଭ କଲୁ ଏବଂ ତାଙ୍କ ଜଲସାର ଆୟୋଜନ କଲୁ । ଅମ୍ବାଯୋଗାଇର ପରାଲି ୱେସ୍ରେ ବହୁ ସଂଖ୍ୟାରେ ଦଳିତ ରହନ୍ତି । ତେଣୁ ସେହିଠାରେ ଜଲସାର ଯୋଜନା କରାଗଲା । ଆତ୍ମାରାମଙ୍କୁ ବିଡ୍ରେ ପ୍ରବେଶ ପାଇଁ ନିଷେଧ ଥିଲା । ତେଣୁ ପୋଲିସ ତାଙ୍କ ଉପରେ କଡ଼ା ନଜର ରଖିଥିଲା । ଜଣେ ପିଏସ୍ଆଇ କଦମ ଆତ୍ମାରାମଙ୍କୁ ଗିରଫ କରିବାକୁ ପ୍ରସ୍ତୁତ ଥିଲେ । ଆମେ ଯାଇ ତାଙ୍କୁ ଭେଟିଲୁ । ଆମେ କହିଲୁ, ‘ପ୍ରଦର୍ଶନ ପରେ ତାଙ୍କୁ ଗିରଫ କର ।’ ସେ ରାଜି ହେଲେ । ଆତ୍ମାରାମ ସମ୍ପୂର୍ଣ୍ଣ ଉତ୍ସାହର ସହ ପ୍ରଦର୍ଶନ କଲେ । ତାଙ୍କ ଗୀତଗୁଡ଼ିକ ନମନ୍ତରର ଦାବିକୁ ଦୋହରାଉଥିଲା । ପିଏସ୍ଆଇ କଦମ ଗୀତଗୁଡ଼ିକୁ ଉପଭୋଗ କଲେ । ସେ ମଧ୍ୟ ତାଙ୍କୁ ‘ଜଣେ ପୋଖତ ଶାହିର’ ହୋଇଥିବାରୁ ପ୍ରଶଂସା କଲେ । କିନ୍ତୁ ତାଙ୍କୁ ପ୍ରଶଂସା କରିବା ଭିତରେ ସେ ତାଙ୍କୁ ଗିରଫ କରିବାକୁ ପ୍ରସ୍ତୁତ ଥିଲେ । ଆତ୍ମାରାମ ଏହା ଜାଣିପାରିଲେ ଏବଂ ତାଙ୍କ ସ୍ଥାନରେ ମଞ୍ଚ ଉପରେ ଅନ୍ୟ ଜଣକୁ ବସାଇ ଦେଲେ ଏବଂ ଖସି ପଳାଇଲେ । ପିଏସ୍ଆଇ କଦମ ଆତ୍ମାରାମଙ୍କୁ ଗିରଫ କରିବା ଲାଗି ମଞ୍ଚକୁ ଗଲେ । କିନ୍ତୁ ସେ କେଉଁଠାରେ ବି ମିଳିଲେ ନାହିଁ ।’’
୧୯୭୮ ଜୁଲାଇ ୨୭ରେ ମହାରାଷ୍ଟ୍ର ବିଧାନସଭାରେ ମରାଠୱାଡ଼ା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ସମ୍ପର୍କିତ ବିଧେୟକ ପାସ୍ ହେବା କ୍ଷଣି, ପୁରା ମରାଠୱାଡ଼ା ଅଞ୍ଚଳ ଦଳିତମାନଙ୍କ ଲାଗି ସର୍ବନାଶରେ ପରିବର୍ତ୍ତିତ ହୋଇଗଲା । ପରିବହନର ସମସ୍ତ ମାଧ୍ୟମ ଦିନକ ମଧ୍ୟରେ ବାତିଲ ହୋଇଗଲା, ଏବଂ ଦଳିତଙ୍କର ହଜାର ହଜାର ଘରେ ନିଆଁ ଲଗାଇ ଦିଆଗଲା । କେତେକ ସ୍ଥାନରେ କୁଡ଼ିଆରେ ନିଆଁ ଲଗାଇ ଦିଆଯିବା ଯୋଗୁଁ, ଭିତରେ ଥିବା ମହିଳା ଓ ଛୋଟ ପିଲାମାନେ ଜୀଅନ୍ତା ଜଳିଗଲେ । ନାନ୍ଦେଡ଼ ଜିଲ୍ଲା ସୁଗାଁଓ ଗାଁର ଜନାର୍ଦ୍ଦନ ମେୱାଡ଼େ ଏବଂ ତେମ୍ଭୁର୍ଣ୍ଣି ଗାଁର ଡେପୁଟି ସରପଞ୍ଚ ପୋଚିରାମ କାମ୍ବଲେଙ୍କୁ ହତ୍ୟା କରାଗଲା । ପରଭାନି ଜିଲ୍ଲା ଧାମନଗାଁଓ ଗାଁର ଦଳିତ ପୋଲିସ ଅଫିସର ସମ୍ଭାଜୀ ସୋମାଜୀ ଏବଂ ଗୋବିନ୍ଦ ଭୁରେୱାରଙ୍କୁ ମଧ୍ୟ ହତ୍ୟା କରାଗଲା । ହଜାର ହଜାର ଦଳିତ ଆହତ ହେଲେ । ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଲୁଟ୍ ହେଲା । ଜମିରେ ଫଳିଥିବା ଫସଲ ଏବଂ କୃଷିକ୍ଷେତକୁ ନଷ୍ଟ କରାଗଲା । ଅନେକ ଗାଁରେ ଦଳିତମାନଙ୍କୁ ବାସନ୍ଦ କରାଗଲା ଏବଂ ଖାଦ୍ୟ ଓ ପାଣି ବାରଣ କରାଗଲା । ହଜାର ହଜାର ଲୋକ ଗାଁରୁ ସହରକୁ ବିସ୍ଥାପିତ ହେଲେ । ସରକାରୀ ଏବଂ ଘରୋଇ କ୍ଷତି ମୋଟ ମିଶି ୧.୫ କୋଟି ହେଲା । ବହୁ ସ୍ଥାନରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନଷ୍ଟ କରାଗଲା । ମରାଠୱାଡ଼ା ଜାତିଗତ ଯୁଦ୍ଧର ରଣକ୍ଷେତ୍ର ପାଲଟି ସାରିଥିଲା ।
ମରାଠାୱାଡ଼ାରେ ଜାତିଗତ ହିଂସା, ଏହାର ବର୍ବରତାର ତୀବ୍ରତାକୁ ବର୍ଣ୍ଣନା କରି ଆତ୍ମାରାମ ଏକ ଗୀତ ଲେଖିଥିଲେ:
ବସ୍ତି ଓ ଗାଁଗୁଡ଼ିକରେ ନିଆଁ ଜଳିଲା
ନାଲଗିରିରେ ଏକ କୁନି ପିଲାକୁ ପୋଡ଼ିଦିଆଗଲା
ନିଜ ଜୀବନ ନେଇ, ଜଙ୍ଗଲ ଆଡ଼କୁ ପଳାଇଲେ
ଦଳିତ ଧରାଶାୟୀ ହେଲେ ଏବଂ ଦୌଡ଼ି ପଳାଇଲେ
ଜାତିବାଦୀମାନେ ସେମାନଙ୍କୁ ପ୍ରତାଡ଼ିତ ଓ ଅତ୍ୟାଚାରିତ କଲେ
ଦଳିତଙ୍କ ପାଖରେ କୌଣସି କାମ ନ ଥିଲା, ସେମାନଙ୍କ ରୋଷେଇ ଘର ଚୁଲି ଥଣ୍ଡା ଥିଲା
ଜାଗ୍ରତ ହୁଅ, ଜାଗ୍ରତ ହୁଅ, ଉଠିବ ନାହିଁ
ଜଳୁଥିବା ଘରକୁ ଲିଭାଅ, ତୁମେ କରିବ ନାହିଁ
ରକ୍ତର ଧାରା ବୋହିଲେ ବି କିଛି ଫରକ ପଡ଼େନି
ମୋତେ ଏହି ରକ୍ତରେ ସ୍ନାନ କରିବାକୁ ଦିଅ
ଏହି ଶେଷ ଲଢ଼େଇ ମୋ ସହ ଲଢ଼, ତୁମେ ଲଢ଼ିବ ନାହିଁ
କ୍ରାନ୍ତିର ଏହି ବୀଜ ବପନ କର, କରିବ ନାହିଁ
ଏହି ଦଳିତ-ବିରୋଧୀ ପରିବେଶ ଗୋଟିଏ ଦିନରେ ସୃଷ୍ଟି ହୋଇନଥିଲା । ଏହାର ମୂଳ ନିଜାମ ଶାସନ କାଳରୁ ଥିଲା । ନିଜାମଙ୍କ ବିରୋଧୀ ଲଢ଼େଇରେ ସ୍ୱାମୀ ରାମାନନ୍ଦ ତିରଥ ସମ୍ମୁଖରେ ଥିଲେ । ସେ ଆର୍ଯ୍ୟ ସମାଜର ଅଂଶ ଥିଲେ । ଯଦିଓ ବ୍ରାହ୍ମଣଙ୍କର ଦମନକୁ ବିରୋଧ କରିବା ଉଦ୍ଦେଶ୍ୟରେ ଆର୍ଯ୍ୟ ସମାଜ ପ୍ରତିଷ୍ଠା କରାଯାଇଥିଲା, ଏହାର ସମ୍ପୂର୍ଣ୍ଣ ନେତୃତ୍ୱ ବ୍ରାହ୍ମଣଙ୍କ ସମ୍ପର୍କିତ ଥିଲା । ଏବଂ ରଜାକରଙ୍କ ବିରୋଧରେ ସଂଘର୍ଷ ସମୟରେ, ଏହି ନେତୃତ୍ୱ ଦଳିତଙ୍କ ବିରୋଧରେ ଅନେକ ପୂର୍ବାଗ୍ରହକୁ ରୋପଣ କରିଥିଲା । ‘ଦଳିତମାନେ ନିଜାମଙ୍କର ସମର୍ଥନ କରନ୍ତି’, ‘ଦଳିତମାନେ ରହୁଥିବା ସ୍ଥାନରେ ରଜାକରମାନଙ୍କୁ ଆଶ୍ରୟ ଦିଅନ୍ତି’, ଆମ୍ବେଦକର ବିରୋଧୀ ସବର୍ଣ୍ଣ ଲୋକମାନଙ୍କୁ କ୍ରୋଧିତ କଲା ଏବଂ ଏହା ସେମାନଙ୍କ ମସ୍ତିଷ୍କରେ ଜମିଗଲା । ତେଣୁ ରଜାକରଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ସମୟରେ ଦଳିତମାନଙ୍କୁ ବହୁ ଅତ୍ୟାଚାରର ସାମ୍ନା କରିବାକୁ ହେଲା । ଦଳିତମାନଙ୍କ ବିରୋଧରେ ଏହି ଅତ୍ୟାଚାର ଉପରେ ସେତେବେଳର ମରାଠାୱାଡ଼ା ଅନୁସୂଚିତ ଜାତି ଫେଡେରେସନର ପ୍ରତିଷ୍ଠାତା ବାସୁଦେବ ମୋରେଙ୍କ ଦ୍ୱାରା ଏକ ରିପୋର୍ଟ ପ୍ରସ୍ତୁତ ହୋଇଥିଲା, ଯିଏକି ତାକୁ ଡକ୍ଟର ଆମ୍ବେଦକର ଏବଂ ଭାରତ ସରକାରଙ୍କ ପାଖକୁ ପଠାଇଥିଲେ ।

Keshav Waghmare

Keshav Waghmare
ଡକ୍ଟର ଆମ୍ବେଦକରଙ୍କ ପରେ ଜମି ଅଧିକାର ପାଇଁ ଯୁଦ୍ଧ ଦାଦାସାହେବ ଗାଏକୱାଡ଼ଙ୍କ ନେତୃତ୍ୱରେ ଲଢ଼ାଗଲା। ତାଙ୍କର ସ୍ଲୋଗାନ ଥିଲା ‘କାସେଲ ତ୍ୟାଚି ଜମିନ୍, ନାସେଲ ତ୍ୟାଚି କେ ?’(‘ହଳ କରୁଥିବା ଲୋକଙ୍କୁ ଜମି, କିନ୍ତୁ ଭୂମିହୀନଙ୍କୁ କ’ଣ?) ଏହି ଲଢ଼େଇରେ ମରାଠାୱାଡ଼ାର ଦଳିତମାନେ ସମ୍ମୁଖ ଭାଗରେ ଥିଲେ, ଏବଂ ଏଥିପାଇଁ ଲକ୍ଷ ଲକ୍ଷ ମହିଳା ଓ ପୁରୁଷ ଜେଲ୍ ଗଲେ । ଦଳିତମାନେ ଜୀବିକା ନିର୍ବାହ ପାଇଁ ଲକ୍ଷ ଲକ୍ଷ ହେକ୍ଟର ଜମି ଅଧିକାର କଲେ । ଦଳିତମାନେ ସାଧାରଣ ଚାରଣ ଭୂମି ଦଖଲ କରିନେବା ନେଇ ସବର୍ଣ୍ଣମାନେ ଖୁସି ନ ଥିଲେ । ସେହି କ୍ରୋଧ ସେମାନଙ୍କ ମନରେ ରହିଲା । ବସନ୍ତଦାଦା ପାଟିଲ ଏବଂ ଶରଦ ପାୱାରଙ୍କ ମଧ୍ୟରେ ଲଢ଼େଇ ମଧ୍ୟ ଏଥିରେ ଭୂମିକା ନିର୍ବାହ କଲା । ଗାଁ ପରେ ଗାଁ, ସବର୍ଣ୍ଣଙ୍କର କ୍ରୋଧ ଘୃଣା ଏବଂ ହିଂସା ଭାବରେ ବ୍ୟକ୍ତ ହେଉଥିଲା । ନମନ୍ତର ଆନ୍ଦୋଳନ ସମୟରେ ଏମିତିବି ଗୁଜବ ଘୁରି ବୁଲୁଥିଲା ଯେମିତିକି, ‘‘ବିଶ୍ୱବିଦ୍ୟାଳୟରେ ନୀଳ ରଙ୍ଗ ଦିଆଯିବ’’, ‘‘ଡିଗ୍ରୀ ସାର୍ଟିଫିକେଟ୍ରେ ଡକ୍ଟର ଆମ୍ବେଦକରଙ୍କ ଫଟୋ ରହିବ’’; ‘‘ଡକ୍ଟର ଆମ୍ବେଦକର ଜାତି -ଜାତି ମଧ୍ୟରେ ବିବାହକୁ ପ୍ରୋତ୍ସାହିତ କରୁଛନ୍ତି, ତେଣୁ ଏହି ଶିକ୍ଷିତ ଯୁବ ଦଳିତମାନେ ଆମ ଝିଅମାନଙ୍କୁ ନେଇ ପଳାଇବେ।’’
‘‘ମରାଠୱାଡ଼ା ବିଶ୍ୱବିଦ୍ୟାଳୟର ନମନ୍ତର ନବ ବୌଦ୍ଧ ଆନ୍ଦୋଳନର ଆଭିମୁଖ୍ୟରେ ସାମିଲ ଅଛି । ଏହା ସ୍ପଷ୍ଟ ଭାବେ ସ୍ୱତନ୍ତ୍ର ଦଳିତ ଅସ୍ତିତ୍ୱର ଦାବି କରୁଥିବା ବିଚ୍ଛିନ୍ନତାବାଦୀ ଆନ୍ଦୋଳନର ପ୍ରସଙ୍ଗ, ଯାହା ପାଇଁ ସେମାନେ ବୌଦ୍ଧ ରାଷ୍ଟ୍ରଙ୍କଠାରୁ ସାହାଯ୍ୟ ମାଗୁଛନ୍ତି । ସେମାନେ ଭାରତୀୟ ନାଗରିକତାକୁ ତ୍ୟାଗ କରିବାର ସ୍ଥିତିରେ ବି ପହଞ୍ଚି ଯାଇଛନ୍ତି । ଏଥିପାଇଁ ଆମକୁ ଶୀଘ୍ର ସ୍ପଷ୍ଟ ଏବଂ ଦୃଢ଼ ଆଭିମୁଖ୍ୟ ଗ୍ରହଣ କରିବାର ଆବଶ୍ୟକତା ରହିଛି ।’’ ନମନ୍ତର ବିରୋଧୀ କୃତି ସମିତି ଲାତୁରରେ ଅନୁଷ୍ଠିତ ନିଜର ବୈଠକରେ ଏହି ପ୍ରସ୍ତାବ ପାରିତ କଲା ଏବଂ ଦଳିତଙ୍କୁ ସେମାନଙ୍କର ମାତୃଭୂମିରୁ ଅଲଗା କରିବାକୁ ପ୍ରୟାସ କଲେ । ନମନ୍ତର ଆନ୍ଦୋଳନକୁ ହିନ୍ଦୁ ଓ ବୌଦ୍ଧ ଧର୍ମାବଲମ୍ବୀଙ୍କ ମଧ୍ୟରେ ଲଢ଼େଇ ଭାବେ ଚିତ୍ରିତ କରାଯାଇଥିଲା ଏବଂ ଏହି ପ୍ରକାରର ପକ୍ଷପାତ ବା କୁସଂସ୍କାର ସାଧାରଣ ହୋଇଯାଇଥିଲା । ଏବଂ ଏଥିପାଇଁ, ମରାଠାୱାଡ଼ା ସେତେବେଳ ଯାଏଁ ଜଳୁଥିଲା ଯେତେବେଳଯାଏଁ ନମନ୍ତର ଆନ୍ଦୋଳନ ଆରମ୍ଭ ନ ହେଲା । ଆଉ ତା’ପରେ ମଧ୍ୟ ଏହା ଲଗାତାର ହଲଚଲ ହେଉଥିଲା। ନମନ୍ତର ଆନ୍ଦୋଳନ ସମୟରେ ସତେଇଶ ଜଣ ଦଳିତ ସହିଦ ହୋଇଥିଲେ।
ଏହି ଆନ୍ଦୋଳନ କେବଳ ଅସ୍ତିତ୍ୱ ଏବଂ ପରିଚୟ ସମ୍ପର୍କିତ ପ୍ରସଙ୍ଗ ନ ଥିଲା, ବରଂ ଏହା ମଧ୍ୟ ସାମାଜିକ ଏବଂ ସାଂସ୍କୃତିକ ସମ୍ପର୍କଗୁଡ଼ିକ ସହ ସମ୍ମିଶ୍ରଣ ହୋଇଥିଲା । ଏହାର ପ୍ରଭାବ ଜନ୍ମ, ବିବାହ ଓ ମୃତ୍ୟୁର ପ୍ରଥା ସମୟରେ ଦେଖାଗଲା । ବିବାହ ଓ ଅନ୍ତିମ ସଂସ୍କାର ସମୟରେ, ଲୋକେ ସ୍ଲୋଗାନ୍ ଦେବା ଆରମ୍ଭ କଲେ ଯେମିତିକି ‘ଡକ୍ଟର ଆମ୍ବେଦକର ବିଜୟ ଆସୋ’ (ଡକ୍ଟର ଆମ୍ବେକରଙ୍କ ବିଜୟ’), ଏବଂ ‘ମରାଠୱାଡ଼ା ବିଦ୍ୟାପୀଠାଚେ ନମନ୍ତର ଝାଲେଚ ପାଝିଏ’(‘ମରାଠୱାଡ଼ା ବିଶ୍ୱବିଦ୍ୟାଳୟ ପୁନଃ ନାମକରଣ ହେବା ଉଚିତ’)। ଶାହିର ଆତ୍ମାରାମ ସାଲ୍ଭେ ନମନ୍ତର ବାବଦରେ ଲୋକଙ୍କୁ ସଚେତନ କରିବା ଏବଂ ସାମାଜିକ ସାଂସ୍କୃତିକ ଚେତନାକୁ ଆକାର ଦେବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।

Keshav Waghmare
ଆତ୍ମାରାମ ସାଲ୍ଭେଙ୍କ ଜୀବନ ସମ୍ପୂର୍ଣ୍ଣ ଭାବେ ଆମ୍ବେଦକର ଏବଂ ନମନ୍ତର ବାବଦରେ ପାଲଟିଗଲା । ସେ କହୁଥିଲେ, ‘‘ଯେତେବେଳେ ବିଶ୍ୱବିଦ୍ୟାଳୟର ନାମ ସରକାରୀ ଭାବେ ପରିବର୍ତ୍ତନ ହୋଇଯିବ, ମୁଁ ମୋର ଘର ଓ ଜମି ବିକ୍ରି କରିଦେବି ଏବଂ ସେହି ଅର୍ଥକୁ ଆମ୍ବେଦକରଙ୍କ ନାମକୁ ସ୍ୱର୍ଣ୍ଣିମ ଅକ୍ଷରରେ ବିଶ୍ୱବିଦ୍ୟାଳୟର ପ୍ରବେଶ ପଥରେ ଲେଖାଇବାରେ ବ୍ୟବହାର କରିବି ।’’ ତାଙ୍କର ସ୍ୱର, ଶବ୍ଦ ଏବଂ ଶାହିରି ମାଧ୍ୟମରେ, ସେ ଅତ୍ୟାଚାର ବିରୋଧରେ ସଚେତନତା ସୃଷ୍ଟି କଲେ । ନମନ୍ତରର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରି, ସେ ଦୁଇ ଦଶକ ଧରି ମହାରାଷ୍ଟ୍ରର ଗାଁଗୁଡ଼ିକ ପାଦରେ ଚାଲି ଚାଲି, ବିନା କୌଣସି ମାଧ୍ୟମରେ ଭ୍ରମଣ କଲେ । ତାଙ୍କୁ ମନେ ପକାଇ ଡକ୍ଟର ଔରଙ୍ଗାବାଦର ଅଶୋକ ଗାଏକୱାଡ଼ କହନ୍ତି, ‘‘ନାନ୍ଦେଡ଼ ଜିଲ୍ଲାରେ ଥିବା ମୋ ଗାଁ, ବୋଣ୍ଡଗାଭହନକୁ ଏଯାଏଁ ବି ରାସ୍ତା ନାହିଁ, ଏବଂ ସେଠାକୁ କୌଣସି ଯାନବାହନ ଯାଇପାରେ ନାହିଁ । ଆତ୍ମାରାମ ୧୯୭୯ରେ ଆମ ଗାଁକୁ ଆସିଥିଲେ ଏବଂ ଗୋଟିଏ ଶାହିରି ଜଲ୍ସା ପ୍ରଦର୍ଶନ କରିଥିଲେ । ସେ ତାଙ୍କର ଶାହିରି ମାଧ୍ୟମରେ ଆମ ଜୀବନକୁ ଆଲୋକିତ କରିଥିଲେ, ଏବଂ ତାଙ୍କର ଗୀତଗୁଡ଼ିକ ଦଳିତମାନଙ୍କୁ ସେମାନଙ୍କର ସଂଘର୍ଷରେ ସଶକ୍ତ କରିଥିଲା । ସେ ଜାତିବାଦୀ ଲୋକଙ୍କୁ ଖୋଲାଖୋଲି ଡାକୁଥିଲେ । ସେ ନିଜର ଶକ୍ତିଶାଳୀ ସ୍ୱରରେ ଗାଇବା ଆରମ୍ଭ କରିବା କ୍ଷଣି, ମହୁମାଛି ମହୁଫେଣା ଆଡ଼କୁ ମାଡ଼ି ଆସିବା ଭଳି ଲୋକେ ତାଙ୍କ ଆଡ଼କୁ ଆକର୍ଷିତ ହୁଅନ୍ତି। ତାଙ୍କ ଗୀତଗୁଡ଼ିକ କାନଗୁଡ଼ିକୁ ଜୀବନ୍ତ କରିଦେଉଥିଲା, ଏବଂ ତାଙ୍କର ଶବ୍ଦଗୁଡ଼ିକ ଏକ ମୃତ ମନକୁ ଉଠି ଘୃଣା କରୁଥିବା ଲୋକଙ୍କ ବିରୋଧରେ ଲଢ଼େଇ କରିବାକୁ ଜାଗ୍ରତ କରେ ।’’
କିନୱତ୍(ନାନ୍ଦେଡ଼ ଜିଲ୍ଲାରେ)ର ଦାଦାରାଓ କାୟାପାକଙ୍କର ସାଲ୍ଭେଙ୍କୁ ନେଇ ମଧୁର ସ୍ମୃତି ରହିଛି । ‘‘୧୯୭୮ରେ, ଗୋକୁଳ ଗୋଣ୍ଡେଗାଁଓରେ ଦଳିତଙ୍କୁ ବହିଷ୍କୃତ କରାଯାଉଥିଲା । ଏହାର ବିରୋଧରେ ଏସ୍ ଏମ୍ ପ୍ରଧାନ, ସୁରେଶ ଗାଏକୱାଡ଼, ମନୋହର ଭଗତ, ଆଡ଼ଭୋକେଟ ମିଲିନ୍ଦ ସରପେ ଏବଂ ମୁଁ ଶୋଭାଯାତ୍ରା ବାହାର କଲୁ । ପୋଲିସ ସମସ୍ତ ସଭା ଉପରେ କଟକଣା ଲଗାଇ ଧାରା ୧୪୪[ସିଆର୍ପିସି] ଲାଗୁ କରିଥିଲା । ଆତ୍ମାରାମ ସାଲ୍ଭେଙ୍କ ପକ୍ଷରୁ ଏକ ଜଲ୍ସାର ଆୟୋଜନ କରାଯାଇଥିଲା, ଏବଂ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିଲା । ସବର୍ଣ୍ଣ ଲୋକମାନେ ଦାବି କଲେ ଯେ ଶାହିର ସାଲ୍ଭେ ଓ ପାନ୍ଥରର କର୍ମକର୍ତ୍ତାଙ୍କୁ ଗିରଫ କରାଯାଉ । ସେମାନେ ପୋଲିସ ଅଧୀକ୍ଷକ ଶୃଙ୍ଗରୱେଲ୍ ଏବଂ ଉପ ଅଧୀକ୍ଷକ ଏସ୍ପି ଖାନ୍ଙ୍କୁ ଘେରାଉ କଲେ, ଏବଂ ପୋଲିସ ଅତିଥି ଭବନର ବାଉଣ୍ଡାରୀ ୱାଲ୍ରେ ନିଆଁ ଲଗାଇ ଦିଆଗଲା । ପରିବେଶ ଉତ୍ତେଜନାପୂର୍ଣ୍ଣ ଥିଲା, ଏବଂ ପୋଲିସ ଗୁଳି ଚଳାଇଲା । ଏଥିରେ କଂଗ୍ରେସ ଏମ୍ପି ଉତ୍ତମରାଓ ରାଠୋଡ଼ଙ୍କର ଜଣେ ଘନିଷ୍ଠ ସହଯୋଗୀ ଓ ଦଳିତ ସଂରକ୍ଷଣ କର୍ମକର୍ତ୍ତା ଜେ ନାଗୋରାଓଙ୍କର ମୃତ୍ୟୁ ହେଲା ।’’
ଶାହିର ଆତ୍ମାରାମ ସାଲ୍ଭେଙ୍କର ଗୀତଗୁଡ଼ିକ ମାନବିକତା, ସମାନତା, ସ୍ୱାଧୀନତା, ବନ୍ଧୁତ୍ୱ ଏବଂ ନ୍ୟାୟର ବିଚାରରେ ପରିପୂର୍ଣ୍ଣ। ଲଢାଇ(ଲଢ଼େଇ), ଥିଙ୍ଗି(ନିଆଁ ଶିଖା), କ୍ରାନ୍ତି(କ୍ରାନ୍ତି), ଆଗ୍(ନିଆଁ), ରାଆନ୍(ଯୁଦ୍ଧ କ୍ଷେତ୍ର), ଶସ୍ତ୍ର(ଅସ୍ତ୍ର), ତୋଫ(ତୋପ), ୟୁଦ୍ଧ(ଯୁଦ୍ଧ), ନଭ ଇତିହାସ(ନୂଆ ଇତିହାସ) ଭଳି ଶବ୍ଦ ତାଙ୍କ ଗୀତର ଶୋଭା ବଢ଼ାନ୍ତି । ଏହି ଶବ୍ଦଗୁଡ଼ିକ ତାଙ୍କର ବାସ୍ତବିକ ଜୀବନର ଅନୁଭୂତିକୁ ଦର୍ଶାଏ । ତାଙ୍କର ପ୍ରତ୍ୟେକ ଗୀତ ଯୁଦ୍ଧ ନାଦ ଥିଲା ।
ତୋପ ଆଣିଲୁ, ଡିଆଁ ମାରିଲୁ
ମନୁଙ୍କର ସନ୍ତାନଙ୍କୁ ଧୂଳିସାତ୍ କରିବା ପାଇଁ
ଆସ ଏକ ନୂଆ ଇତିହାସ ରଚିବା
କ୍ରାନ୍ତିର ବୃକ୍ଷ ପୋତିବା
ବନ୍ଧୁକରୁ ବାହାରିଥିବା ଏକ ଗୁଳି ଆଜି, ହୋଲି ଜଳାଇବ
ମନୁଙ୍କ ଦୁର୍ଗକୁ ଗଡ଼ାଇବା ପାଇଁ
ତେଜେରାଓ ଭାଦ୍ରେଙ୍କୁ ଆବୃତ୍ତି କରୁଥିବା ଦେଖନ୍ତୁ ‘ତୁମ ଭିତରେ ଥିବା ଅଗ୍ନିକୁ ଜଳାଅ, ମୋର ଦଳିତ ଭାଇମାନେ’
ଆତ୍ମାରାମ ସାଲ୍ଭେ ମନୋରଞ୍ଜନ, ଅର୍ଥ, ପ୍ରସିଦ୍ଧି ବା ନାମ ପାଇଁ ପ୍ରଦର୍ଶନ
କରୁନଥିଲେ । ସେ ବିଶ୍ୱାସ କରୁଥିଲେ କଳା ନିରପେକ୍ଷ ନୁହେଁ, କିନ୍ତୁ ପରିବର୍ତ୍ତନ ପାଇଁ
ସଂଗ୍ରାମରେ ଏକ ଗୁରୁତ୍ୱପୂର୍ଣ୍ଣ ଉପକରଣ
ଜଣେ କଳାକାର ଏବଂ ଶାହିର ଭାବେ, ଆତ୍ମାରାମ ନିରପେକ୍ଷ ନ ଥିଲେ । ନା ସେ ପ୍ରାନ୍ତୀୟ ବା ସଂକୀର୍ଣ୍ଣ ଚିନ୍ତାଧାରା ବିଶିଷ୍ଟ ଥିଲେ । ୧୯୭୭ରେ ବିହାରର ବୈଲଛୀରେ ଦଳିତଙ୍କ ନରସଂହାର ହୋଇଥିଲା । ସେମାନେ ବେଲଛୀ ଗଲେ ଏବଂ ସେଠାରେ ଏକ ଆନ୍ଦୋଳନ ଆରମ୍ଭ କଲେ । ଏଥିପାଇଁ ସେମାନଙ୍କୁ ୧୦ ଦିନ ଜେଲ୍ ହୋଇଥିଲା । ସେ ନରସଂହାର ବାବଦରେ ଲେଖିଲେ:
ମୋର ହିନ୍ଦୁ ଦେଶରେ, ବେଲଛିରେ
ମୋର ଭାଇମାନଙ୍କୁ ଜାଳି ଦିଆଗଲା, ମୁଁ ଏହାକୁ ଦେଖିଲି
ମା’, ଭଉଣୀ ଏବଂ ପିଲାମାନେ ମଧ୍ୟ
ଜୀବନ ବିକଳରେ ଧାଇଁଲେ, ମୁଁ ଏହା ଦେଖିଲି
ସମାନ ଗୀତରେ, ସେ ଦଳିତ ନେତାମାନଙ୍କର ଆଦର୍ଶଗତ ଦୃଷ୍ଟିରୁ ଫମ୍ପା ଏବଂ ସ୍ୱାର୍ଥପର ରାଜନୀତି ଉପରେ ଆକ୍ରମଣ କରିଥିଲେ :
କେତେକ କଂଗ୍ରେସର କାଠପିତୁଳା ପାଲଟି ଗଲେ
କେତେକ ସେମାନଙ୍କର ମନ ଓ ଶରୀର ‘ଜନତା’ [ଦଳ] ପ୍ରତି ଉତ୍ସର୍ଗ କରିଦେଲେ
ଜଟିଳ ସମୟରେ, କପଟୀ ଗାଭାଇ ଭଳି
ମୁଁ ସେମାନଙ୍କୁ ଶତ୍ରୁ ସହ ହାତ ମିଳାଉଥିବା ଦେଖିଲି
୧୯୮୧ରେ ନିଜକୁ ଛାତ୍ର ବୋଲି ଦେଖାଉଥିବା ସଂରକ୍ଷଣ ବିରୋଧୀ ଏକ ଗୋଷ୍ଠୀ ସ୍ନାତକୋତ୍ତର ଶିକ୍ଷାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଛାତ୍ରଙ୍କ ପାଇଁ ଆସନର ସଂରକ୍ଷଣକୁ ବିରୋଧ କରିବାକୁ ଗୁଜରାଟରେ ହଙ୍ଗାମା କଲେ । ପୋଡ଼ାଜଳା, ଲୁଟପାଟ, ଛୁରୀରେ ଆକ୍ରମଣ, ଲୁହବୁହା ଗ୍ୟାସ୍ ଛଡ଼ାଗଲା ଏବଂ ଗୁଳି ଚଳାଗଲା । ଅଧିକାଂଶ ଆକ୍ରମଣ ଦଳିତଙ୍କୁ ଟାର୍ଗେଟ୍ କରି କରାଯାଇଥିଲା । ଅହମ୍ମଦାବାଦରେ, ଦଳିତ’ଙ୍କର ଶ୍ରମିକଙ୍କ କଲୋନୀରେ ନିଆଁ ଲଗାଇ ଦିଆଗଲା । ସୌରାଷ୍ଟ୍ରର ଗ୍ରାମୀଣ ଅଞ୍ଚଳ ଏବଂ ଉତ୍ତର ଗୁଜରାଟରେ, ଉଚ୍ଚ ଜାତିର ଗ୍ରାମବାସୀମାନେ ଦଳିତ ବସ୍ତି ଉପରେ ଆକ୍ରମଣ କଲେ। ବହୁ ସଂଖ୍ୟାରେ ଦଳିତ ସେମାନଙ୍କ ଗାଁ ଛାଡ଼ିବାକୁ ବାଧ୍ୟ ହେଲେ ।
ଏ ବାବଦରେ ଲେଖି, ଆତ୍ମାରାମ ସାଲ୍ଭେ କହିଲେ:
ଆଜି ସଂରକ୍ଷିତ ଆସନ ପାଇଁ
ତୁମେ କାହିଁକି ଦୁର୍ବଳଙ୍କ ଉପରେ ଅତ୍ୟାଚାର କରୁଛ
ତୁମେମାନେ ହିଁ ସ୍ୱାଧୀନତାର ଲାଭ ନେଉଛ
ତୁମେ ଏତେ ଘୃଣ୍ୟ ବ୍ୟବହାର କାହିଁକି କରୁଛ
ଆଜି, ଗୁଜରାଟ ଜଳୁଛି
କାଲି, ପୁରା ଦେଶ ଜଳିବ
ଏହା ଏକ ଉଜ୍ଜ୍ୱଳ, ପ୍ରଚଣ୍ଡ ନିଆଁ
ଏଥିରେ କାହିଁକି ଜଳୁଛ
ଆତ୍ମାରାମ ସାଲ୍ଭେ ମନୋରଞ୍ଜନ, ଅର୍ଥ, ପ୍ରସିଦ୍ଧି ବା ନାମ ପାଇଁ ପ୍ରଦର୍ଶନ କରୁନଥିଲେ । ସେ ବିଶ୍ୱାସ କରୁଥିଲେ ଯେ କଳା ନିରପେକ୍ଷ ନୁହେଁ ବା ମନୋରଞ୍ଜନ ପାଇଁ ନୁହେଁ, ବରଂ ସାମାଜିକ, ସାଂସ୍କୃତିକ ଏବଂ ରାଜନୈତିକ ପରିବର୍ତ୍ତନ ପାଇଁ ଏକ ପ୍ରମୁଖ ଅସ୍ତ୍ର । ସେ ୩୦୦ରୁ ଅଧିକ ଗୀତ ଲେଖିଥିଲେ । ଆଜି ଏଥିରୁ ୨୦୦ଟି ଆମ ପାଖରେ ଲିଖିତ ଆକାରରେ ଅଛି ।
ଭୋକରରେ ଲକ୍ଷ୍ମଣ ହାୟାର, ମାରଖେଲ୍ରେ ନାଗରବାଇ ଭାଜାରକର, ମୁଖେଡ୍ରେ ତେଜେରାଓ ଭାଦ୍ରେ (ସମସ୍ତେ ନାନ୍ଦେଡ଼ ଜିଲ୍ଲାର), ଏବଂ ଫୁଲେ ପିମ୍ପାଲଗାଁଓର ଶାହିର ମହେନ୍ଦ୍ର ସାଲ୍ଭେ (ବିଡ୍ ଜିଲ୍ଲା)ଙ୍କ ପାଖରେ ତାଙ୍କର ସଂଗୀତ ସଂଗ୍ରହ ଅଛି । ଅନେକ ଅସମ୍ପୂର୍ଣ୍ଣ ଗୀତ ଲୋକଙ୍କ ସ୍ମୃତିରେ ରହିଯାଇଛି । କିଏ ଏହି ଗୀତ ଲେଖିଥିଲେ ? କେହି ଜାଣିନାହାନ୍ତି । କିନ୍ତୁ ଲୋକେ ସେଗୁଡ଼ିକୁ ଗାଉଥାଆନ୍ତି ।
ଆମେ ସମସ୍ତେ ଜୟ ଭୀମୱାଲେ
ଆମର ସର୍ଦ୍ଦାର [ନେତା] ହେଲେ ରାଜା ଧାଲେ
ଏହି ‘ଦଳିତ ପାନ୍ଥର ନେତୃତ୍ୱ ଗୀତ’, ଯାହାକି ସେହି ଦିନଗୁଡ଼ିକରେ ସମସ୍ତ ପାନ୍ଥର ସଦସ୍ୟଙ୍କ ଓଠରେ ଥିଲା, ସାଲ୍ଭେଙ୍କ ଦ୍ୱାରା ଲେଖାଯାଇଥିଲା । ଏହି ଗୀତ ଆଜି ବି ମରାଠାୱାଡ଼ାର ଲୋକଙ୍କ ହୃଦୟ ଓ ମନରେ ବାଜୁଛି ।
କ୍ରାନ୍ତିର ଏହି ଅଗ୍ନିକୁ ରୋପଣ କରି
ଏହି ନିଆଁକୁ ଜଳିବାକୁ ଦିଅ
ଆମେ କେବେ ଯାଏଁ ଉପେକ୍ଷା ସହିବା
ହୃଦୟରେ ନିଆଁ ଲାଗେ
ପିଲା ମା’କୁ ଲାତ ମାରେ
ଗର୍ଭ ଭିତରୁ
ଆସୁଥିବା ସମୟକୁ ଦେଖି
ଭୀମବା’ର ବୀର ସିପାହୀ
ତୁମେ ଜାଗ୍ରତ ହୁଅ

Labani Jangi
ଆତ୍ମାରାମ ଏହି ଲୋକପ୍ରିୟ ଗୀତ (ଉପର) ଲେଖିଥିଲେ । ସେ ମଧ୍ୟ ମରାଠୱାଡ଼ା ନମନ୍ତର ପୋୱାଡ଼ା ଲେଖିଥିଲେ । ଏହା ତାଙ୍କର ପାଣ୍ଡୁଲିପିର ଅନୁକ୍ରମଣିକାରେ ଲିପିବଦ୍ଧ ଅଛି, କିନ୍ତୁ ଆମ ପାଖରେ ଏହାର ଲିଖିତ କପି ନାହିଁ । ଯଦିଓ ପୁନେର ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆର ନେତା ରୋହିଦାସ ଗାଏକୱାଡ଼ ଓ ଆମ୍ବେଦକରବାଦୀ ଆନ୍ଦୋଳନର ଏକ ଅନୁଭବୀ, ମିଶନାରୀ ନେତା ବସନ୍ତ ସାଲ୍ଭେ ମୋ ପାଇଁ କେତେକ ପଂକ୍ତି ଗାଇଲେ । ଇନ୍ଦାପୁର ତାଲୁକାର ବାୱଡ଼ା ଗାଁରେ (ଉଚ୍ଚ ଜାତିର ଗ୍ରାମବାସୀଙ୍କ ଦ୍ୱାରା) ଦଳିତଙ୍କର ବହିଷ୍କାର ସମୟରେ ଆତ୍ମାରାମ ସାଲ୍ଭେ ପୁନେ ଆସିଥିଲେ ଏବଂ ବହୁ ବସ୍ତିରେ ପ୍ରଦର୍ଶନ କରିଥିଲେ । ତାଙ୍କର ଗୀତ ସାମୂହିକ ଭାବନା ଓ ସମ୍ବେଦନଶୀଳତାର ପ୍ରସଙ୍ଗ ଆଖପାଖରେ ଘୁରି ବୁଲୁଥିଲା । ଯେତେବେଳେ ଆତ୍ମାରାମ ପ୍ରଦର୍ଶନ କରୁଥିଲେ, ସେହି ସ୍ଥାନରୁ ଓ ଆଖପାଖ ଗାଁରୁ ଦଳିତମାନେ ଭାଖରିରେ ଭର୍ତ୍ତି ହୋଇ, କିଲୋମିଟର କିଲୋମିଟର ଦୀର୍ଘ ରାସ୍ତା ଚାଲି ଚାଲି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆସୁଥିଲେ । ତାଙ୍କର ପ୍ରଦର୍ଶନ ପରେ ପାନ୍ଥରର କର୍ମକର୍ତ୍ତାମାନେ ଦର୍ଶକଙ୍କୁ ସମ୍ବୋଧିତ କରୁଥିଲେ । ସେ ପାନ୍ଥରଙ୍କ ପାଇଁ ଏବଂ ନମନ୍ତର ସଂଘର୍ଷ ପାଇଁ ଭିଡ଼ ଏକାଠି କରିବା ବ୍ୟକ୍ତି ପାଲଟିଗଲେ । ଯେମିତି ନାମଦେଓ ଧସାଲ ଦଳିତ ପାନ୍ଥର ଯୁଗର ପ୍ରତିନିଧିତ୍ୱ କରୁଥିବା କବି, ସେହିପରି ଆତ୍ମାରାମ ସାଲ୍ଭେ ପାନ୍ଥର ଯୁଗ ଗାଥାଗୀତର ପ୍ରତିନିଧି । ଯେମିତି ନାମଦେଓ ନିଜ କବିତାରେ ପଥ ପ୍ରଦର୍ଶନ କରିବା ଭଳି ଲେଖନ୍ତି, ଆତ୍ମାରାମ ଆମ୍ବେଦକରଙ୍କ ପରବର୍ତ୍ତୀ ସମୟର ଆନ୍ଦୋଳନରେ ଶାହିରିରେ ସେମିତି ଲେଖିଲେ । ଯେମିତି ନାମଦେଓଙ୍କର କବିତା ପାନ୍ଥର ଯୁଗର ବ୍ୟାଖ୍ୟା କରେ, ସେହିଭଳି ଆତ୍ମାରାମଙ୍କର ଶାହିରି ସେହି ସମୟର ବ୍ୟାଖ୍ୟା କରେ । ଆଉ ଯେମିତି ନାମଦେଓଙ୍କର କବିତା ଜାତି ଓ ବର୍ଗର ଏକା ସାଙ୍ଗରେ ସାମ୍ନା କରେ, ଆତ୍ମାରାମଙ୍କର ଶାହିରି ଏକା ସମୟରେ ଜାତି, ବର୍ଗ ଓ ଲିଙ୍ଗ ଉତ୍ପୀଡ଼ନର ସାମ୍ନା କରେ । ପାନ୍ଥରମାନେ ତାଙ୍କୁ ପ୍ରଭାବିତ କରନ୍ତି, ସେ ପାନ୍ଥର ଓ ଲୋକଙ୍କୁ ପ୍ରଭାବିତ କରନ୍ତି । ଏହି ପ୍ରଭାବ ବଳରେ ହିଁ ସେ ଉଚ୍ଚ ଶିକ୍ଷା, ଚାକିରି, ଘର, ତାଙ୍କର ସବୁକିଛି ପଛରେ ଛାଡ଼ିଦେଲେ – ଏବଂ ନିର୍ଭୟରେ ଓ ନିଃସ୍ୱାର୍ଥପର ଭାବେ ନିଜେ ବାଛିଥିବା ପଥ ଅନୁସରଣ କଲେ ।
ସୁମିତ୍ ସାଲ୍ଭେଙ୍କୁ ଗାଉଥିବା ଦେଖନ୍ତୁ ‘ତୁମେ କେତେ ଦିନ ବର୍ଷ ପୁରୁଣା କମ୍ବଳରେ ନିଜକୁ ଘୋଡ଼େଇ ରଖିବ?’
ଯେମିତି ନାମଦେଓ ଧସାଲ ଦଳିତ ପାନ୍ଥର ଯୁଗର ପ୍ରତିନିଧିତ୍ୱ କରୁଥିବା
କବି, ସେହିପରି ଆତ୍ମାରାମ ସାଲ୍ଭେ ପାନ୍ଥର ଯୁଗର ଗାଥାଗୀତର ପ୍ରତିନିଧି
ବିବେକ ପଣ୍ଡିତ, ବାସାଇର ଜଣେ ପୂର୍ବତନ ଏମ୍ଏଲ୍ଏ, ଦୁଇ ଦଶନ୍ଧି ଧରି ଆତ୍ମାରାମ ସାଲ୍ଭେଙ୍କର ବନ୍ଧୁ ଥିଲେ । ସେ କହନ୍ତି, ‘‘ଭୟ ଏବଂ ଆତ୍ମ- ସ୍ୱାର୍ଥ ଏ ଦୁଇଟି ଶବ୍ଦ କେବେ ବି ଆତ୍ମାରାମଙ୍କ ଅଭିଧାନରେ ନ ଥିଲା ।’’ ସାଲ୍ଭେଙ୍କର ନିଜର ସ୍ୱର ଓ ଶବ୍ଦ ଉପରେ ଖୁବ୍ ପ୍ରଭୂତ୍ୱ ଥିଲା । ତାଙ୍କର ନିଜର ଜ୍ଞାନ ଉପରେ ମଧ୍ୟ ଖୁବ୍ ଭରସା ଥିଲା । ମରାଠୀ ଛଡ଼ା, ସେ ହିନ୍ଦି, ଉର୍ଦ୍ଦୁ ଏବଂ ଇଂରାଜୀରେ ଅନର୍ଗଳ ଥିଲେ । ସେ ହିନ୍ଦି ଓ ଉର୍ଦ୍ଦୁରେ କେତେକ ଗୀତ ରଚନା କରିଥିଲେ । ସେ ମଧ୍ୟ ହିନ୍ଦିରେ କେତେକ କୱାଲି ଲେଖିବା ସହ ପ୍ରଦର୍ଶନ କରିଥିଲେ । କିନ୍ତୁ ସେ କେବେ ବି ନିଜ କଳାର ବ୍ୟବସାୟୀକରଣ କରିନଥିଲେ, ଏହାକୁ କେବେ ବି ବଜାରକୁ ନେଇନଥିଲେ । ତାଙ୍କର କଳା, ତାଙ୍କର ଶବ୍ଦ ଏବଂ ତାଙ୍କର ଶକ୍ତିଶାଳୀ ସ୍ୱରକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରି, ସେ ଜଣେ ସୈନିକ ଭାବେ ଜାତି-ଶ୍ରେଣୀ-ଲିଙ୍ଗଗତ ଉତ୍ପୀଡନ ବିରୋଧରେ ଲଢ଼େଇ କରିବାକୁ ବାହାରି ପଡ଼ିଥିଲେ – ଏବଂ ମୃତ୍ୟୁ ପର୍ଯ୍ୟନ୍ତ ଏକୁଟିଆ ଲଢ଼େଇ ଜାରି ରଖିଥିଲେ ।
ପରିବାର, ଆନ୍ଦୋଳନ ଏବଂ ବୃତ୍ତି ଜଣେ କର୍ମୀ ପାଇଁ ମାନସିକ ସହାୟତାର ଉତ୍ସ ହୋଇଥାଏ । ସେ ସବୁକୁ ଏକାଠି କରି, ଜନଆନ୍ଦୋଳନକୁ ଏକ ବିକଳ୍ପ ସ୍ଥାନ ସୃଷ୍ଟି କରିବା ଆବଶ୍ୟକ ଯେଉଁଠାରେ କର୍ମୀ ଓ ଲୋକଙ୍କର କଳାକାରମାନେ ବଞ୍ଚିପାରିବେ ଏବଂ ତିଷ୍ଠି ରହିପାରିବେ – ଯେଉଁଠାରେ ସେମାନେ ପୃଥକ୍ ଏବଂ ଏକୁଟିଆ ହୋଇନଯିବେ ।
ଆମ୍ବେଦକରବାଦୀ ଆନ୍ଦୋଳନରେ କଳାକାରଙ୍କୁ ମାନସିକ ଅବସାଦକୁ ଚାଲିଯିବାରୁ ବଞ୍ଚାଇବା ପାଇଁ ବା ସେମାନେ ଉଦାସ ହେଲେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ କୌଣସି ରଚନାତ୍ମକ ଓ ସଂଗଠନାତ୍ମକ ପଦକ୍ଷେପ ନିଆଯାଇନାହିଁ। ତେଣୁ ସ୍ୱାଭାବିକ ଭାବେ ଆତ୍ମାରାମ ସାଲ୍ଭେଙ୍କ ଭଳି କଳାକାରଙ୍କ ସହ ଯାହା ହୁଏ, ତାହା ହିଁ ହେଲା ।
ପରବର୍ତ୍ତୀ ଜୀବନରେ ସେ ତିନିଟି ଯାକ ସ୍ତରରେ ହତାଶ ହେଲେ। ତାଙ୍କ ପରିବାର ଆନ୍ଦୋଳନ ଯୋଗୁଁ ଭାଙ୍ଗିଗଲା । ତାଙ୍କର ନିଶା(ମଦ) ଆହୁରି ଅଧିକ ହୋଇଗଲା । ଶେଷ ବେଳକୁ, ସେ ଭ୍ରାନ୍ତ ହୋଇଗଲେ । ସେ ଜଣେ ପ୍ରଦର୍ଶନକାରୀଙ୍କ ଭଳି ଛିଡ଼ା ହୁଅନ୍ତି ଏବଂ ଯେ କୌଣସି ସ୍ଥାନରେ ଗାଇବା ଆରମ୍ଭ କରନ୍ତି – ଟାଉନ୍ ସ୍କୋୟାରରେ ମଝି ରାସ୍ତାରେ, ଯେକୌଣସି ଲୋକଙ୍କ ଦାବି ମତେ । ଏହିଭଳି ନିଶାଗ୍ରସ୍ତ ଅବସ୍ଥାରେ, ଏହି ଶାହିର ଯିଏ ନମନ୍ତର ପାଇଁ ଲଢ଼େଇ କରିଥିଲେ ଗେଟ୍ରେ ବିଶ୍ୱବିଦ୍ୟାଳୟର ନୂଆ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖିବା ପୂର୍ବରୁ ୧୯୯୧ରେ ସହିଦ ହୋଇଗଲେ ।
ଏହି କାହାଣୀ ମୂଳତଃ ମରାଠୀରେ ଲେଖାଯାଇଥିଲା ।
ପୋୱାଡ଼ (ଗାଥାଗୀତ)ର ଅନୁବାଦ: ନମିତା ୱାଇକର ।
ଏହି ଲେଖକ ଭୋକରର ଲକ୍ଷ୍ମଣ ହିରେ, ନାନ୍ଦେଡ଼ର ରାହୁଲ ପ୍ରଧାନ ଏବଂ ପୁନେର ଦୟାନନ୍ଦ କନକଦାଣ୍ଡେଙ୍କୁ ଏହି କାହାଣୀ ପାଇଁ ରିପୋର୍ଟିଂରେ ସାହାଯ୍ୟ କରିଥିବାରୁ ଧନ୍ୟବାଦ ଦେବାକୁ ଚାହିଁବେ ।
ଏହି ମଲ୍ଟିମିଡିଆ କାହାଣୀ ‘ଇନ୍ଫ୍ଲୁଏନ୍ସିଆଲ୍ ଶାହିର, ନ୍ୟାରେଟିଭ୍ସ୍ ଫ୍ରମ୍ ମରାଠୱାଡ଼ା’ ନାମକ ସଂଗ୍ରହର ଅଂଶ, ଯାହାକି ଇଣ୍ଡିଆ ଫାଉଣ୍ଡେସନ ଫର ଦି ଆର୍ଟସ୍ ଦ୍ୱାରା ତାଙ୍କର ଅଭିଲେଖାଗାର ଓ ସଂଗ୍ରହାଳୟ କାର୍ଯ୍ୟକ୍ରମ ଅଧୀନରେ ପିପୁଲ୍ସ ଆର୍କାଇଭ୍ ଅଫ୍ ରୁରାଲ୍ ଇଣ୍ଡିଆର ସହଯୋଗରେ ଲାଗୁ କରାଯାଇଥିବା ଏକ ପରିଯୋଜନା । ଏହା ଗୋଏଥେ-ଇନ୍ଷ୍ଟିଚ୍ୟୁଟ୍/ ମ୍ୟାକ୍ସମୁଲର ଭବନ, ନୂଆ ଦିଲ୍ଲୀର ଆଂଶିକ ସହଯୋଗରେ ସମ୍ଭବ ହୋଇଛି ।
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଆତ୍ମାରାମ-ସାଲ୍ଭେ-ବିପ୍ଳବର-ବହ୍ନି

