ତାଙ୍କପୁରୁଣା ଦିନର ସ୍ମୃତିରେ ରହିଛି ବୁଣାକାରଙ୍କ ପାଞ୍ଚଟି ପିଢ଼ିକୁ ଦେଖିଥିବା ଏକ ପରିବାରରେ ତୁଳା ସୂତା ଓ ତନ୍ତର ଖଟଖଟ ଶବ୍ଦ। କିନ୍ତୁ ୩୩ ବର୍ଷର ନାପା କୁମାର ଏବେ ଏକ ବାର୍ଣ୍ଣିସ୍ କମ୍ପାନିରେ ହେଲ୍ପର । ତାମିଲନାଡୁର ତିରୁଭାଲୁର ଜିଲ୍ଲା ଅନ୍ତର୍ଗତ ଅରନି ସହରରେ ତାଙ୍କ ଘରେ ଥିବା ଏକ ବିଶାଳ ଆୟତାକାର କୋଠରିରେ ଠିଆ ହୋଇ ସେ କହନ୍ତି, “ବୁଣିବା ଆମର କୌଳିକ ବୃତ୍ତି ।” ସିମେଣ୍ଟର ଏକ ପାଉଁଶିଆ ସମତଳ ଚଟାଣକୁ ଆଙ୍ଗୁଠି ଦେଖାଇ କୁମାର କହି ଚାଲନ୍ତି, “ଠିକ୍ ଏଇଠି ଦୁଇଟି ତନ୍ତ ଥିଲା।” ତାଙ୍କ ବାପା ଓ ଦାଦାମାନେ ଯେଉଁ ତନ୍ତଗୁଡ଼ିକୁ ବ୍ୟବହାର କରୁଥିଲେ, ସେଗୁଡ଼ିକୁ ଖୋଳି ବାହାର କରିବା ପରେ ବନ୍ଧାବନ୍ଧି କରି ରଖି ଦିଆଯାଇଛି ।


Thiruvallur, Tamil Nadu
|SAT, MAR 30, 2019
ଆଡ଼ସୂତା, ଭରଣି ଏବଂ କ୍ରମକ୍ଷୟିଷ୍ଣୁ ତନ୍ତ
କ୍ୟାଣ୍ଟିନ୍ ଓ ବସ୍ରେ ହେଲ୍ପର ଭାବେ କାର୍ଯ୍ୟରତ ତାମିଲନାଡୁ ଅରନିର କୁଶଳୀ ବୁଣାକାରମାନେ
Author
Translator

Aparna Karthikeyan
ଚେନ୍ନାଇରୁ କାର୍ରେ ଦେଢ଼ ଘଣ୍ଟାର ବାଟ ଦୂରରେ ଥିବା ଅରନି ଗାଁ ଦିନେ ଏହାର ବୁଣାକାରଙ୍କ ଯୋଗୁଁ ପ୍ରସିଦ୍ଧି ଲାଭ କରିଥିଲା । ୧୫ ବର୍ଷ ତଳେ ଗାଁରେ ତନ୍ତର ସଂଖ୍ୟା ଥିଲା ୧,୦୦୦ । ଏବେ ଏହା ୪୦୦କୁ ଖସିଆସିଛି । ଏହି ଶିଳ୍ପକଳାକୁ ଛାଡ଼ି ଦେଇଥିବା ଅନେକଙ୍କ ମଧ୍ୟରେ ଅଛନ୍ତି ନାପା କୁମାରଙ୍କ ପରିବାର । “୨୦୦୯ରେ ଆମେ ଠିକ୍ କଲୁ ଯେ ଏହା ଆମ କାମରେ ଲାଗିବନି । ଆମେ ଦିନକୁ ୧୨ ଘଣ୍ଟା କାମ କଲେ ବି ଜଣ ପିଛା ଅତି ବେଶୀରେ ମାସକୁ ମାତ୍ର ୪,୦୦୦ ଟଙ୍କା ରୋଜଗାର ହେଉଥିଲା”। ସେମାନେ ଚଢ଼ା ସୁଧହାରରେ ଋଣ ନେଇଥିବା ୧୦,୦୦୦ଟଙ୍କା ଶୁଝି ପାରିଲେନି । ନୂଆ ତନ୍ତ ବସାଇବା ପାଇଁ ଏବଂ ଏତେ ବଡ଼ ଯୌଥ ପରିବାରରେ ବାହାଘର ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ସେ ଟଙ୍କା ଦରକାର କରୁଥିଲେ । ପୁରୁଣା କଥା ମନେ ପକାଇ ସେ କହନ୍ତି, ମୁଁ ମୋର ଏକମାତ୍ର ସମ୍ପତ୍ତି: ମୋର ଦଶମ ଶ୍ରେଣୀ ପାସ୍ ସାର୍ଟିଫିକେଟ୍କୁ ବନ୍ଧା ରଖିବାକୁ ବସିଥିଲି । କିନ୍ତୁ ବ୍ୟାଙ୍କ୍ଗୁଡ଼ିକ ମନା କରିଦେଲେ । ଏବେ ସେମାନେ କହୁଛନ୍ତି ସେମାନେ ଆମକୁ ଋଣ ଏବଂ ସବ୍ସିଡି ଦେବେ । ଏବେ ଏଥିରୁ କ’ଣ ମିଳିବ ? ଆମର ଅନ୍ୟ କାମରେ ଲାଗିଛୁ” । ତାଙ୍କ ସ୍ଵରରେ ଥିଲା ଦୁଃଖ ଆଉ ରାଗର ମିଶ୍ରିତ ଭାବ ।
ତାଙ୍କ ବାପା ଜଣେ ସିକ୍ୟୁରିଟି ଗାର୍ଡ ଭାବେ କାମ କରନ୍ତି ଏବଂ ସେମାନେ ସମସ୍ତେ ମିଶି ମାସକୁ ୧୪,୦୦୦ ଟଙ୍କା ରୋଜଗାର କରନ୍ତି । “ଘର ସାମନାରେ ମୋର ତନ୍ତ ଥିଲା । ଆମେ ଏହାକୁ କାଢ଼ି ଦେଲୁ । ସେଇ ଜାଗାରେ ରୋଷେଇ ଘର କରିଦେଲୁ ।”

Aparna Karthikeyan
ଅରନି ଗାଁରେ ନାପା କୁମାରଙ୍କ ଭଳି ବହୁ ଲୋକ ଅଛନ୍ତି । କୁମାରଙ୍କ ଘର ପାଖ ରାସ୍ତା ଆରପଟେ ରହୁଥିବା ଭି.ଏମ୍. ବିନାୟକମ୍ ମତେ ତାଙ୍କ ଛାତରେ ଥିବା ଅବ୍ୟବହୃତ ତନ୍ତ ଦେଖାନ୍ତି । ଦିନେ ଏହା ଏକ ଅତି ଆଦରର ବସ୍ତୁ ଥିଲା । ଏବେ ଏଥିରେ କଳଙ୍କି ଲାଗିଗଲାଣି, ଧୂଳି ଭରିଗଲାଣି । ଏହା ସହିତ ଥିବା ଅନେକ ସାମଗ୍ରୀ ତାଙ୍କର ଦରକାର ନାହିଁ, କିନ୍ତୁ ସେଗୁଡ଼ିକୁ ଫିଙ୍ଗି ଦେବାକୁ ମନ କହୁନି ।
ବିନାୟକମ ଥିଲେ ଜଣେ ଅନୁଭବୀ ବୁଣାକାର, କିନ୍ତୁ ତାଙ୍କ ହସ୍ତକୌଶଳର କେବଳ ଏକ ସୌନ୍ଦର୍ଯ୍ୟମୟ ଦିଗ ରହିଥିଲା। ତାଙ୍କର କୌଣସି ଶିକ୍ଷାଗତ ଯୋଗ୍ୟତା ନ ଥିଲା କି ଆଖପାଖରେ ଚାକିରି ସୁଯୋଗ ବି ନ ଥିଲା। ସେ ଅତି ସୂକ୍ଷ୍ମ ରେଶମ-ସୂତାର ଶାଢ଼ି ବୁଣୁଥିଲେ। ଚେନ୍ନାଇର ଶାଢ଼ି ଦୋକାନରେ ଏଗୁଡ଼ିକ ୩,୦୦୦ ଟଙ୍କାରୁ ସାମାନ୍ୟ ଅଧିକ ଦରରେ ବିକ୍ରି ହେଉଥିଲା। ସାରା ମାସ କାମ କରି ଶେଷରେ ତାଙ୍କ ରୋଜଗାର ୪,୫୦୦ ଟଙ୍କାରୁ ଅଧିକ ହେଉ ନଥିଲା। ଏହାର ଅର୍ଥ ସେ ନିଜର ଦୁଇଟି ଶାଢ଼ି ବି ବଜାରରୁ କିଣି ପାରି ନଥାଆନ୍ତେ।
୨୦୧୧ରେ ଚେନ୍ନାଇ ଉପକଣ୍ଠରେ (ବସ୍ରେ ତାଙ୍କ ଗାଁରୁ ଅଧ ଘଣ୍ଟାର ବାଟ) ଯେତେବେଳେ ଅନେକ ଶିଳ୍ପ ସଂସ୍ଥା ଗଢ଼ି ଉଠିଲା, ଗୁମ୍ମିଡ଼ିପୁଣ୍ଡିର ଏକ ଢଳେଇ ଲୁହା ପ୍ରସ୍ତୁତକାରୀ କମ୍ପାନିରେ ମାସକୁ ୬,୦୦୦ ଟଙ୍କା ଦରମାରେ ସେ ଚାକିରିଟିଏ ପାଇଲେ । ଅନାସକ୍ତ ଆଖିରେ ମୋର ଭିଡିଓ କ୍ୟାମେରାକୁ ଚାହିଁ ସେ କହନ୍ତି, “ଦି’ ବେଳା ଖାଇ ବଞ୍ଚି ରହିବା ପାଇଁ ଯଥେଷ୍ଟ ଥିଲା ।”
ମୁଣ୍ଡ ଉପରେ ଶୁଭ୍ର ସୂର୍ଯ୍ୟ ଏବଂ ତଳେ, ସେମାନଙ୍କ ଘରଗୁଡ଼ିକଦେଇ ଚାଲୁ ଚାଲୁ ସେଠାକାର ବୟନ ଶିଳ୍ପ ସଂପର୍କରେ ସାମାନ୍ୟ ଧାରଣା ଦେଉଥିଲେ ଅଭିଜ୍ଞ ବୁଣାକାର ପି.ଏନ୍.ମୋହନ । ଅରନି, ପ୍ରବାସୀ ବୁଣାକାରମାନଙ୍କର ଏକ ଗାଁ, ଯେଉଁଠି ସମସ୍ତେ ତେଲୁଗୁ କହନ୍ତି ଏବଂ ସ୍କୁଲ୍ରେ ବି ସେହି ଭାଷାରେ ପାଠପଢ଼ା ହୁଏ । ୧୯୮୦ ଦଶକର ମଧ୍ୟଭାଗ ପର୍ଯ୍ୟନ୍ତ ଅରନି ନଦୀ ପାଣିରେ କପାସୂତାକୁ ରଙ୍ଗିନ କରାଯାଉଥିଲା ଏବଂ “୩୬-ଇଞ୍ଚ ଗଜକାଠି”ରେ (କପଡ଼ାର ଓସାର) ବୁଣାଯାଉଥିଲା । ତା’ପରେ ପଲି-କଟନ୍ ଏବଂ ସିଲ୍କ-କଟନ୍ ଶାଢ଼ି ଆସିଲା । ଚେନ୍ନାଇରେ ଏହା ତୁରନ୍ତ ଆଦୃତି ଲାଭ କଲା । ତନ୍ତ ସଂଖ୍ୟା ବଢ଼ିବାରେ ଲାଗିଲା ।

Aparna Karthikeyan
“କିନ୍ତୁ ଆଉ ତାହା ନାହିଁ”, ମୋହନ କହନ୍ତି, “ବୁଣାକାରଙ୍କ ସଂଖ୍ୟା ୫,୦୦୦ରୁ ଦ୍ରୁତ ହାରରେ ଖସି ୫୦୦ତଳେ ରହିଛି । ଏମାନଙ୍କ ମଧ୍ୟରୁ ପ୍ରାୟ ୩୦୦ ଆନ୍ଧ୍ରରୁ ଆସିଛନ୍ତି।” ପୁରୁଣା ଦିନକୁ ମନେ ପକାଇ ସେ କହନ୍ତି ଯେ, ଯେଉଁ ସାହିରେ ସେ ରହନ୍ତି, ସେଠାରେ ୫୦ କି ୬୦ଟି ତନ୍ତ ଥିଲା । ଏବେ ମାତ୍ର ଛଅଟି ରହିଛି । ସେଥିରୁ ଗୋଟିଏକୁ ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାର ଚିରାଲାରୁ ଅରନିକୁ ଆସିଥିବା ଲକ୍ଷ୍ମୀ ଚଳାଉଛନ୍ତି ଏବଂ ଏବେ ମୋହନ ତାଙ୍କୁ ନିଯୁକ୍ତି ଦେଇଛନ୍ତି। ଲକ୍ଷ୍ମୀ ସିନ୍ଥେଟିକ୍ ଶାଢ଼ି ପିନ୍ଧନ୍ତି ଏବଂ ସିଲ୍କ-କଟନ୍ ଶାଢ଼ି ବୁଣନ୍ତି । ତାଙ୍କର ଗୋଟିଏ ବଖରାର ଘର ଏବଂ ଗହଣା ବୋଲି ଗୋଟିଏ ହଳଦୀ ସୂତା ଏବଂ କିଛି କାଚ ଚୂଡ଼ି। କିନ୍ତୁ ସେଥିରେ କିଛି ଯାଏଆସେ ନାହିଁ । ସେ ସାରା ଦିନ ଏମିତି ଜାଗାରେ କାଟନ୍ତି ଯେଉଁଠି କେହି ତାଙ୍କୁ ଦେଖି ପାରିବେନି। ଗୋଟିଏ ଆଗରେ ଆଉ ଗୋଟିଏ କରି ତିନିଟି ଖାଲୁଆ ତନ୍ତ ସହିତ କାଳକୋଠରି ସଦୃଶ ଗୋଟିଏ ଲମ୍ବା, ଅଣଓସାରିଆ ଘର ଭିତରେ ।

Aparna Karthikeyan
ତାଙ୍କ ଶୀତତାପ ନିୟନ୍ତ୍ରିତ ଭଣ୍ଡାର ଘରେ ବସି ମୋହନ କହନ୍ତି, “ବୁଦ୍ଧିମାନ ବୁଣାକାରମାନେ ସମୟ ନଷ୍ଟ କରିବାକୁ ଚାହାନ୍ତିନି ।” ହିସାବ ଖାତାର ଏକ ଥାକ ଆଗରେ ବସିଥାଆନ୍ତି ତାଙ୍କ ବାପା ୭୦ ବର୍ଷୀୟ ଚୋକଲିଙ୍ଗମ୍। ଆଡ଼ସୂତା ଏବଂ ଭରଣି ଚିନ୍ତାରେ ସାରା ଜୀବନ ବିତାଇବା ପରେ, ଶେଷରେ ଏବେ ସେ ବିଶ୍ରାମ ନେବାକୁ ବେଳ ପାଇଛନ୍ତି। କାରଣ ମୋହନଙ୍କ ଉଦ୍ୟମ ଏବଂ ଶକ୍ତି ତାଙ୍କୁ ଜଣେ ସଫଳ ଏବଂ ବୁଣାକାର ଗୁରୁ କରିପାରିଛି। (ସାଧାରଣତଃ ଗୁରୁ ବା ମାଷ୍ଟର ବୁଣାକାର ତନ୍ତରେ କାମ କରନ୍ତିନି । ସେ ବୁଣାକାରମାନଙ୍କୁ କଞ୍ଚାମାଲ ଯୋଗାଇ ଦିଅନ୍ତି ଏବଂ ପରେ ସେମାନେ ବୁଣିଥିବା ସବୁ ସାମଗ୍ରୀ କିଣି ନିଅନ୍ତି। ତା’ପରେ ସେ ସେଗୁଡ଼ିକୁ ଚିହ୍ନିତ ମୂଲ୍ୟରେ ସହରର ଖୁଚୁରା ବେପାରୀମାନଙ୍କୁ ବିକି ଦିଅନ୍ତି।)

Aparna Karthikeyan
ମୋହନଙ୍କ ନୂଆ ଘର ତାଙ୍କ ସଫଳତାର ଏକ ସଂକେତ। ଏହାକୁ ସହରୀ ରଙ୍ଗ ଦିଆଯାଇଛି: ଏକ ସୁଦୃଶ୍ୟ ଧୂସର ରଙ୍ଗ ସହିତ ହଳଦିଆ ରଙ୍ଗର ଛିଟା। ଅରନିର ଧୂଳିବାଲି ଭରା ରାସ୍ତାରେ ଏହା କିଛିଟା ଖାପଛଡ଼ା ଲାଗେ। ବେଶୀ ଦିନ ତଳର କଥା ନୁହେଁ, ତାଙ୍କ ପରିବାର ବି ପଡ଼ୋଶୀମାନଙ୍କ ଭଳି ନାଲି ଖପର ଘରେ ରହୁଥିଲେ ଏବଂ ଏକ ସାଦାସିଧା ଓ କଷ୍ଟକର ଜୀବନ କାଟୁଥିଲେ। “ଆମ ଘରେ ଦୁଇଟି ତନ୍ତ ଥିଲା। ସବୁଦିନ ଆମେ ଦିନ ସାରା ସେଥିରେ କାମ କରୁଥିଲୁ। ଏହି ବୃତ୍ତି ସଂପର୍କରେ କଥାଟିଏ କୁହାଯାଏ: ‘କେବଳ ଯଦି ତୁମ ଡେଣା ଉଡ଼ିବ, ତେବେ ଯାଇ ପେଟ ପୂରିପାରିବ’।” ସେ କହନ୍ତି, “ତାହା ହିଁ ଜଣେ ବୁଣାକାରଙ୍କ ଜୀବନ। ଖାଲି ପେଟରେ କିଛି ଖାଦ୍ୟ ଭରିବା ଆଶା ନେଇ ସବୁବେଳେ ତା’ର ହାତ ଚଳାଏ”।

Aparna Karthikeyan
ସହରତଳି ଅଞ୍ଚଳକୁ ମିଶାଇ ଯେତେବେଳେ ଚେନ୍ନାଇ ସହର ବଢ଼ିବାରେ ଲାଗିଲା, ଭଲ ଚାକିରିଟିଏ ପାଇଁ ବୁଣାକାରମାନେ ସେଠାକୁ ଯିବାରେ ଲାଗିଲେ। ସେମାନଙ୍କ ମଧ୍ୟରୁ ଜଣେ ହେଲେ ଏନ୍. ବାସୁ। ଶେଷରେ ସେ ଏକ ସହଜ ଏବଂ ଭଲ ରୋଜଗାର ଥିବା ଚାକିରି ପାଇଲେ। ଗୋଟିଏ କଲେଜ କ୍ୟାଣ୍ଟିନ୍ରେ ଖାଦ୍ୟ ପରଷି ସେ ୫,୦୦୦ ଟଙ୍କା ଆୟ କରନ୍ତି। ଏହା ଏମିତି ଏକ ବଡ଼ ଆର୍ଥିକ ଲାଭ ନୁହେଁ। କିନ୍ତୁ ବାସୁ କହନ୍ତି ଯେ, ଜଣେ ବୁଣାକାର ଭାବେ ୪,୦୦୦ ଟଙ୍କା ପାଇବା ପାଇଁ ତାଙ୍କର ପୂରା ପରିବାରକୁ କଠିନ କାମ କରିବାକୁ ପଡୁଥିଲା। “ମୋ ରୋଜଗାର ବ୍ୟତୀତ, ମୋ ସ୍ତ୍ରୀ ସୂତା କାଟି ମାସକୁ ୧,୫୦୦ ଟଙ୍କା ରୋଜଗାର କରନ୍ତି।” ତାଙ୍କର ଦୁଇ ପୁଅଙ୍କୁ ବି ଅନ୍ୟ ଚାକିରି ମିଳିଯାଇଛି। ଜଣେ କମ୍ପ୍ୟୁଟର ମେକାନିକ୍ ଏବଂ ଅନ୍ୟ ଜଣକ ପାଣି କ୍ୟାନ୍ ସପ୍ଲାୟର ଭାବେ କାମ କରନ୍ତି। ବାସୁ ତାଙ୍କ ତନ୍ତକୁ ଭାଙ୍ଗିଦେଲେ ଏବଂ ଭଙ୍ଗା ଖଣ୍ଡଗୁଡ଼ିକୁ ଜଣେ ରଦ୍ଦି ବେପାରୀଙ୍କୁ ବିକିଦେଲେ।
ତାଙ୍କ ତନ୍ତରୁ ବାହାରିଥିବା କାଠଗୁଡ଼ିକ ରଖାଯାଇଥିବା ଆଟୁଘର ତଳେ ଠିଆହୋଇ ନାପା କୁମାର ମତେ କହନ୍ତି, “କେତେ ଜଣ ସେଗୁଡ଼ିକୁ ଜାଳେଣି କାଠ ଭାବେ ପୋଡ଼ିଦେଲେ।” ଏ ବିଷୟରେ ସେ ଭାବପ୍ରବଣ ହୋଇଉଠନ୍ତି ଏବଂ ସବୁ କିଛି ଏମିତ ଉଜୁଡ଼ି ଯିବା କଥାକୁ ସହିପାରନ୍ତି ନାହିଁ ।

Aparna Karthikeyan
ଚାକିରିରୁ କୁମାର ମାସକୁ ୭,୦୦୦ ଟଙ୍କା ପାଆନ୍ତି। ଚୋଲାଭରମ୍ର ଯେଉଁ ବାର୍ଣ୍ଣିସ୍ କମ୍ପାନିରେ ସେ ହେଲ୍ପର ଭାବେ କାମ କରନ୍ତି ତାହା ତାଙ୍କ ଘରଠାରୁ ଅଧା ଘଣ୍ଟାର ବାଟ। ଦିନ ୯ଟାରୁ ସନ୍ଧ୍ୟା ସାଢ଼େ ୬.୩୦ଯାଏଁ ସେ କାମ କରନ୍ତି । ତାଙ୍କ ବାପା ନାପା ଗୋପୀ ସିକ୍ୟୁରିଟି ଗାର୍ଡ ଭାବେ ଦିନକୁ ୧୨ ଘଣ୍ଟାର ସିଫ୍ଟରେ କାମ କରି ମାସକୁ ୭,୦୦୦ ଟଙ୍କା ରୋଜଗାର କରନ୍ତି। ଏହି ଚାକିରିରେ ଏକ ପୂର୍ବ ସର୍ତ୍ତ ଥିଲା ଯେ ସେ ତାଙ୍କ କେଶକୁ ରଙ୍ଗ କରିବେ। ହସି ହସି ମଜାଳିଆ ଢଙ୍ଗରେ ଗୋପୀ କହନ୍ତି, “ମୁଁ ବହୁତ ବୁଢ଼ା ଦେଖାଯାଉଛି ବୋଲି ସିକ୍ୟୁରିଟି ଇନ୍-ଚାର୍ଜ୍ କହିଲେ। ତେଣୁ ମୁଁ ମୋ କେଶକୁ ରଙ୍ଗ କରିବା ଲାଗି ସେ ଜିଦ୍ କଲେ”।
ଲୋକେ ଲୁଗା ବୁଣିବା କାମ ଛାଡ଼ି ଦେବାର ଆଉ ଏକ ଗୁରୁତ୍ଵପୂର୍ଣ୍ଣ କାରଣ ରହିଛି । ତାଙ୍କ ଜ୍ଵାଇଁ ବୁଣାକାର ହେଉ ବୋଲି ପ୍ରାୟ କେହି ଚାହାଁନ୍ତିନି। ବିବାହ କରିବା ଲାଗି ସତର ବର୍ଷ ତଳେ ମୋହନଙ୍କ ଭାଇଙ୍କୁ ବହୁ କଷ୍ଟ କରିବାକୁ ପଡ଼ିଥିଲା। ଏବେ ନାପା କୁମାରଙ୍କ ପାଳି। କାରଣ, ଜଣେ ବୁଣାକାରଙ୍କୁ ବାହା ହେବାର ଅର୍ଥ ଅଥକ ଏବଂ ବେଳେବେଳେ ଅସୀମ ଦୁଃଖକଷ୍ଟ ଭରା ଜୀବନ ବିତାଇବାକୁ ରାଜି ହେବା ।
ତେଣୁ, ଅରନିର ବୁଣାକାରମାନେ କ୍ୟାଣ୍ଟିନ୍ରେ ସର୍ଭର ଏବଂ ବସ୍ରେ ହେଲ୍ପର ପାଲଟି ଯାଇଛନ୍ତି। ଡ୍ରାଇଭର, ୱାଚ୍ମ୍ୟାନ୍ ଏବଂ ଅଫିସ୍ ଆସିଷ୍ଟାଣ୍ଟ ହେବା ପାଇଁ ସେମାନେ ଆଶା ବାନ୍ଧିଛନ୍ତି। ଏହି କ୍ରମରେ, ପିଢ଼ି ପିଢ଼ି ଧରି ଶିଖିଥିବା ଏବଂ ସ୍ଵୀକୃତି ଲାଭ କରିଥିବା ଏକ ହସ୍ତଶିଳ୍ପ ଅଲୋଡ଼ା ହୋଇ ପଡ଼ିଛି। ସାରା ଦିନର କଠିନ ପରିଶ୍ରମ ପରେ କାହାରିକୁ ଦେଖାଇବା ଲାଗି ସୁନ୍ଦର ଜିନିଷଟିଏ ନାହିଁ ସତ, କିନ୍ତୁ ହାଣ୍ଡିରେ ଖାଦ୍ୟ ରହିଛି ଏବଂ ପକେଟ୍ରେ କିଛି ଟଙ୍କା ରହିଛି। ଯେଉଁ ଚାକିରିରୁ ସେମାନେ ପୂର୍ବ ଆୟ ତୁଳନାରେ ଦୁଇଗୁଣ ରୋଜଗାର କରିପାରିବେ, କିନ୍ତୁ ଯେଉଁଥିରେ ସେମାନଙ୍କ ଅସାଧାରଣ କର୍ମଦକ୍ଷତାର କୌଣସି ଆବଶ୍ୟକତା ନାହିଁ, ତାହା ହିଁ ଆଜିର ବୁଣାକାରମାନଙ୍କ ଲାଗି ପୁରସ୍କାର ।
ଏହି ଆଲେଖ୍ୟ ‘ଭ୍ୟାନିଶିଂ ଲାଇଭ୍ଲିହୁଡ୍ସ ଅଫ୍ ରୁରାଲ ତାମିଲନାଡୁ’ ଶୀର୍ଷକ ଧାରାଲେଖର ଅଂଶବିଶେଷ ଏବଂ NFI ନ୍ୟାସନାଲ୍ ମିଡିଆ ଆୱାର୍ଡ ୨୦୧୫ ଦ୍ଵାରା ସହଯୋଗପ୍ରାପ୍ତ ।
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଆଡ଼ସୂତା-ଭରଣି-ଏବଂ-କ୍ରମକ୍ଷୟିଷ୍ଣୁ-ତନ୍ତ

