“ମୂଲଚାଲ କରିବାର କ୍ଷମତା ନଥିବାରୁ ପ୍ରବାସୀ ଶ୍ରମିକଙ୍କ ଦୁର୍ଘଟଣା ଓ ମୃତ୍ୟୁ କ୍ଷେତ୍ରରେ ପ୍ରାୟ କିଛି କରିହୁଏନି। ” ଏ କଥା କୁହନ୍ତି ସୁରଟ୍ ମ୍ୟୁନିସିପାଲିଟି କର୍ପୋରେସନର ପରିମଳ ନିରୀକ୍ଷକ ଜେ.କେ. ଗାମ୍ବିଟ୍। “ଶ୍ରମିକମାନଙ୍କ ପରିବାର ଦୂରରେ ଗାଁରେ ଥା’ନ୍ତି, ସୁରଟରେ ସେମାନଙ୍କ ବନ୍ଧୁମାନେ ମଧ୍ୟ ଲୁଗାକଳ କର୍ମଚାରୀ। ପୋଲିସ୍ ଷ୍ଟେସନ ଦୌଡ଼ିବା କିମ୍ବା କର୍ତ୍ତୃପକ୍ଷଙ୍କ ପାଖକୁ ଦୌଡ଼ିବା ପାଇଁ ସେମାନଙ୍କ ପାଖରେ ସମୟ ବା କାହିଁ ? ଆଘାତ ଓ ମୃତ୍ୟୁ ଘଟଣାର କୌଣସି ଔପଚାରିକ ଦସ୍ତାବିଜ୍ ମଧ୍ୟ ନଥାଏ। କେସ୍ ତୁରନ୍ତ ବନ୍ଦ କରିଦିଆଯାଏ”, ସେ କହନ୍ତି।
ସାଧାରଣତଃ ଲୁଗାକଳରେ ମୃତ୍ୟୁ ଘଟିଲେ ପୋଲିସରେ ମାମଲା ପଞ୍ଜିକରଣ କରାଯାଏ। କିନ୍ତୁ ତାହା ଆଇନ୍ ଓ ଡାକ୍ତରୀ ଔପଚାରିକତା ପାଇଁ। କିନ୍ତୁ ଏ ମାମଲାରେ କାହାକୁ ଗିରଫ କରାଯିବା ବିରଳ। କ୍ଷତିପୂରଣ ଦାବି କରିବା ପାଇଁ ପରିବାରକୁ ଶ୍ରମ ବିଭାଗରେ ଆବେଦନ କରିବାକୁ ହୁଏ। ଯଦି କ୍ଷତିପୂରଣ ପାଇଁ ଦାବି କରାଯାଏ ତେବେ ଶ୍ରମିକଙ୍କ ଚାକିରି ବିପଦରେ ପଡ଼ିଯାଏ। କାରଣ ଏହା ମାଲିକଙ୍କୁ ଅସନ୍ତୁଷ୍ଟ କରିଦେଇପାରେ। ଅଧିକାଂଶ ଅଦାଲତ ବାହାରେ ବୁଝାମଣା କରି ଇସ୍ତଫା ଦେଇଦିଅନ୍ତି।
ତେଣୁ ତରୁଣ ବିକାଶ ଗୌଡ଼ଙ୍କ ମୃତ୍ୟୁର ଚାରିଦିନ ପରେ ଏପ୍ରିଲ୍ ୨୯ ତାରିଖରେ ତାଙ୍କ ନିଯୁକ୍ତିଦାତା ପରିବାରକୁ ୨.୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେଲେ ଓ ସ୍ପଷ୍ଟ ଭାବେ ଉଲ୍ଲେଖ କଲେ ଯେ ଏହା ପରେ ଆଉ କିଛି ଦାବି କରାଯାଇପାରିବ ନାହିଁ। ଅଧିକାଂଶ କ୍ଷେତ୍ରରେ ନିଯୁକ୍ତିଦାତାମାନେ ମାତ୍ର ୫୦,୦୦୦ଟଙ୍କା କ୍ଷତିପୂରଣ ଦିଅନ୍ତି ଓ ସେଥିପାଇଁ ମାସାଧିକ ସମୟ ଲାଗିଯାଏ। କିନ୍ତୁ ବିକାଶଙ୍କ ମାମଲାରେ ପିଏସ୍ଏସ୍ଏମ୍ ଓ ଆଜୀବିକା ବ୍ୟୁରୋ ହସ୍ତକ୍ଷେପ କରିବା ଫଳରେ କ୍ଷତିପୂରଣ ପରିମାଣ ବୃଦ୍ଧି ପାଇଲା ଓ ଅର୍ଥ ପ୍ରଦାନ ମଧ୍ୟ ତ୍ୱରାନ୍ୱିତ ହେଲା।
ତିନୋଟି ଚାକିରି ବିପଦରେ ଥିବାରୁ ପରିବାର ମଧ୍ୟ ରାଜି ହୋଇଗଲେ।
ଗଞ୍ଜାମରୁ ଗୁଜରାଟ
ସୁରଟ ଓଡ଼ିଆ କଲ୍ୟାଣ ଅନୁଷ୍ଠାନର ଜନୈକ ସଦସ୍ୟ ରାଜେଶ କୁମାର କୁମାର ପାଢ଼ୀଙ୍କ ଅନୁଯାୟୀ ସୁରଟରେ ଗଞ୍ଜାମରୁ ପ୍ରାୟ ୮୦୦,୦୦୦ ଶ୍ରମିକ ଅଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ସହରର ବସ୍ତ୍ର ଶିଳ୍ପ କ୍ଷେତ୍ରରେ କାମ କରନ୍ତି। ଶ୍ରୀ ପାଢ଼ୀଙ୍କ କହିବା ଅନୁଯାୟୀ, ଯଦିଓ ଗଞ୍ଜାମ ଓଡ଼ିଶାର ଏକ ବିକଶିତ ଜିଲ୍ଲା ଭାବେ ପରିଗଣିତ ତଥାପି ଓଡ଼ିଶାରୁ ସୁରଟକୁ କାମ ପାଇଁ ଯିବା ପ୍ରାୟ ୪୦ ବର୍ଷ ତଳେ ଆରମ୍ଭ ହୋଇଥିଲା। ପିଟିଆର୍ସିର ରିପୋର୍ଟ ଅନୁଯାୟୀ ପ୍ରାକୃତିକ ସମ୍ପଦ ସଙ୍କୁଚିତ ହେବା, କୃଷି ଉପଯୋଗୀ ଭୂମି ହ୍ରାସ ପାଇବା ଓ ଏଥିସହ ନିୟମିତ ବନ୍ୟା ଓ ମରୁଡ଼ି ସେମାନଙ୍କୁ କାମ ସନ୍ଧାନରେ ଅନ୍ୟ ରାଜ୍ୟକୁ ଯିବା ପାଇଁ ବାଧ୍ୟ କରିଛି।
ତେବେ ପିଟିଆରସିର ନିର୍ଦ୍ଦେଶକ ଜଗଦୀଶ ପଟେଲଙ୍କ ମନ୍ତବ୍ୟ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ। ସେ କହନ୍ତି, ‘ଗଞ୍ଜାମରୁ ଆସିଥିବା ପ୍ରବାସୀ ଶ୍ରମିକମାନେ କିନ୍ତୁ ସୁରଟର ଅନ୍ୟ ଗୃହ ଉଦ୍ୟୋଗ ହୀରା କ୍ଷେତ୍ରରେ ନିଯୁକ୍ତି ପାଆନ୍ତି ନାହିଁ। ଏ କ୍ଷେତ୍ରରେ ନିଯୁକ୍ତି ସ୍ଥାନୀୟ ଗୁଜରାଟୀ ଶ୍ରମିକଙ୍କ ପାଇଁ ସଂରକ୍ଷିତ। କାରଣ ମାଲିକମାନେ କେବଳ ନିଜର ଭରସା ଥିବା କାରିଗରମାନଙ୍କୁ ହିଁ ନିଯୁନ୍ତି ଦିଅନ୍ତି। ଗଞ୍ଜାମର ଶ୍ରମିକମାନେ ଲୁଗାକଳର ସବୁଠାରୁ ତଳିଆ କର୍ମଚାରୀ ଭାବରେ କାମ କରନ୍ତି। ବର୍ଷ ବର୍ଷ ଧରି ପ୍ରତିଦିନ ସେମାନେ ସେହି ଏକାପ୍ରକାର କାମ ଅର୍ଥାତ୍ ଏକା ପ୍ରକାର ମେସିନ୍ ଚଲାନ୍ତି। ’
ତଥାପି ଶ୍ରମିକମାନେ କୁହନ୍ତି, ବରଂ ଗାଁଠାରୁ ଏ ସ୍ଥିତି ଭଲ। ପିଏସ୍ଏସ୍ଏମର ଜନୈକ ସଦସ୍ୟ ସୀମାଞ୍ଚଳ ସାହୁ କୁହନ୍ତି, ‘ଗଞ୍ଜାମରେ ପରିସ୍ଥିତି ଖୁବ୍ କଷ୍ଟକର। ପ୍ରଥମେ ହୁଏତ କିଛି ଶ୍ରମିକ କାମ ସନ୍ଧାନରେ ଏକୁଟିଆ ଆସିଥିବେ। କିନ୍ତୁ ଏବେ ସେମାନେ ବଡ଼ ବଡ଼ ଦଳ ହୋଇ ଆସୁଛନ୍ତି। ଅଧିକାଂଶ ଦଳରେ ପରିବାରର ସଦସ୍ୟ ଏବଂ ପାଖ ପଡ଼ୋଶୀ ଅଛନ୍ତି।