କୋହ୍ଲାପୁର ଜିଲ୍ଲା ତକାୱାଡ଼େ ଗାଁର ମାରୁତି ନିର୍ମଲ ଜଣେ ଚାଷୀ ଓ ମାଳି। ସେ ଆଠ ଗୁଣ୍ଠ (୦.୨ ଏକର) ଜମିରେ ଆଖୁ ଚାଷ କରିଛନ୍ତି; ଜମି ତାଙ୍କ ବାପା ରାଜାରାମଙ୍କ ନାଁରେ ଅଛି।
ମାରୁତିଙ୍କ ପଡ଼ୋଶୀମାନେ ବି ଆଖୁଚାଷ କରନ୍ତି, କାରଣ ସେମାନଙ୍କ ଜମି ମଝିରେ କୌଣସି ବାଡ଼ ନାହିଁ। ମାରୁତି କହନ୍ତି, ‘‘କିଛି ସମୟ ପରେ ଯେତେବେଳେ ପାଖ କ୍ଷେତର ଆଖୁ ନଇଁପଡ଼େ, ସେତେବେଳେ ପାଖରେ
ଥିବା ଫସଲ ଉପରେ ତାର ଛାଇ ପଡ଼େ। ଯଦି ମୁଁ ସୋୟାବିନ୍ କିମ୍ବା ବାଦାମ ଚାଷ କରେ, ତେବେ ସୂର୍ଯ୍ୟକିରଣ ନପାଇ କ୍ଷେତ ମୁଣ୍ଡରେ କିଛି ଫସଲ ଉଧେଇବନି। ମୋର କେବଳ ୦.୨ ଏକର ଜାଗା ଅଛି, ତେଣୁ ଫସଲ ନଷ୍ଟକୁ ସହି ପାରିବିନି।’’
ତାଙ୍କର ଜମି ଛୋଟ ହୋଇଥିବାରୁ ଆଖୁ ଚାଷରୁ ସେ ବେଶି ଲାଭ ପାଇ ପାରୁନାହାନ୍ତି। ସେ ଚାଷ ବାବଦରେ ୧୦,୦୦୦ ଟଙ୍କା ଖର୍ଚ୍ଚ କରନ୍ତି। ୨୦୧୫ରେ ମାରୁତି ୭୦,୦୦୦ ଟଙ୍କା ଖର୍ଚ୍ଚ କରି ବୋରୱେଲ ଖୋଳିଥିଲେ। ବର୍ଷା ପାଣି ଓ ବୋରୱେଲ ପାଣିକୁ ବ୍ୟବହାର କରି ସେ ୮ ଟନ୍ ଆଖୁ ଅମଳ କରି ପାରୁଛନ୍ତି; ବଜାରରେ ଟନ୍ ପିଛା ୨,୭୦୦ ଟଙ୍କାରୁ ୩,୦୦୦ ଟଙ୍କାରେ ବିକ୍ରି କରିପାରନ୍ତି। ମାରୁତି କହନ୍ତି, ‘‘ଯଦି ସବୁ ଠିକ୍ ଠାକ୍ ରହେ ମୁଁ ୧୮ ମାସ ଭିତରେ [ଆଖୁ ଫସଲରୁ] ସର୍ବାଧିକ ୧୪,୦୦୦ ହଜାର ଟଙ୍କା ଆୟ କରିପାରିବି। ’’



